ଚଗୁଲୁ ହେଲା ସୁନା ପିଲା


ଚଗୁଲୁ ହେଲା ସୁନା ପିଲା - ଜନ୍ମଜୟ ନାୟକ
 


"ମନେପଡେ ସେଦିନର କଥା। 
ସ୍କୁଲରେ ଦେବାଶିଷ ସାରଙ୍କ ପ୍ରଥମ ଦିନ।ମନରେ ଭରିଥାଏ କେତେ ଆଶା ଆକାଂକ୍ଷା। ଅନେକ କଷ୍ଟ କରି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାନ୍ତି ସେ। ଆଜି ନିଯୁକ୍ତି ପାଇ ଯୋଗଦେବାର ପ୍ରଥମ ଦିନ। ମନ ବହୁତ ଖୁସି ଥାଏ ବିଦ୍ୟାଳୟରେ ନୂଆନୂଆ ପିଲା ମାନଙ୍କ ସହ ମିଶିବାର ସୁଯୋଗ ମିଳିବ। ପ୍ରାର୍ଥନା ପରେ ଉପସ୍ଥାନ ଖାତାଟିକୁ ହାତରେ ଧରି ମନଜିଣା ସ୍ମିତହାସ୍ୟ ବଦନରେ ନବମ ଶ୍ରେଣୀ କକ୍ଷକୁ ପ୍ରବେଶ କରି ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଲେ। ସେହି ସମୟରେ ଶ୍ରେଣୀ କକ୍ଷରେ ଆରମ୍ଭ ହେଇଗଲା ପିଲାମାନଙ୍କ ମଧ୍ୟରେ କଥାବାର୍ତ୍ତା, ହସାହସି ଇତ୍ୟାଦି। ପିଲାମାନଙ୍କ ଏପରି ଆଚରଣରେ ନିଜକୁ ଅସହଜ ମନେ କରୁଥିଲେ ମଧ୍ୟ ବିଚଳିତ ନହୋଇ ଶିକ୍ଷାଦାନ କାର୍ଯ୍ୟରେ ମନ ଦେଲେ। ପ୍ରଥମେ ସେ ପିଲାମାନଙ୍କ ଧ୍ୟାନକୁ ନିଜ ଆଡକୁ ଆକର୍ଷିତ କରିବାକୁ ଚେଷ୍ଟା କଲେ। ନିଜର ବିଚକ୍ଷଣ ବୁଦ୍ଧି, ବାକ୍ ଚାତୁରୀ, ଆଉ ପରିଚାଳନାର ଅଦ୍ଭୁତପୂର୍ବ ଦକ୍ଷତା ଯୋଗୁଁ ସେ ଏଥିରେ ସଫଳ ମଧ୍ୟ ହେଲେ। ସାର ଏକ କୌତୁକିଆ ଉପାୟରେ ପିଲା ମାନଙ୍କ ଉପସ୍ଥାନ ନେଲେ। ତାପରେ ତାଙ୍କର ପ୍ରିୟ ପାଠ୍ୟକ୍ରମ ବିଷୟରେ ପଚାରି ବୁଝିଲେ। ତାଙ୍କ ସହ ବିଭିନ୍ନ ଶିକ୍ଷଣୀୟ ଖେଳ ଖେଳିଲେ। ସାରଙ୍କ ପ୍ରତି ପିଲାମାନଙ୍କର ଆଗ୍ରହ ବଢିଗଲା। ସେମାନେ ବେଶ ଉତ୍ସୁକତାର ସହ ତାଙ୍କ କଥା ଶୁଣିବାକୁ ଲାଗିଲେ। ସମସ୍ତେ ଶାନ୍ତ ଆଉ ଏକ ଲୟରେ ଦେବାଶିଷ ସାରଙ୍କୁ ଚାହିଁ ରହିଥିଲେ।
ହଠାତ୍ ନଜର ପଡିଲା ଦେବାଶିଷ ସାରଙ୍କର ଗୋଟେ ପିଲା ଉପରେ। ତାର କୌଣସି ଆଗ୍ରହ ନଥିଲା ଦେବାଶିଷ ସାରଙ୍କ କଥାରେ‌। ଦେବାଶିଷ ସାର୍ ତାକୁ ପାଖକୁ ଡାକି ତା ନାଁ ପଚାରିଲେ।ଅନେକଥର ପଚାରିବା ପରେ ମୁହଁ ତଳକୁ କରି ସେ କହିଲା "ଚଗୁଲୁ"। ହଉ ବୋଲି କହି ଦେବାଶିଷ ସାର୍ ତାକୁ ତା ସିଟକୁ ଯାଇ ଖେଳରେ ଭାଗ ନେବାକୁ କହିଲେ।ଏହା କହି ସେ ଚଗୁଲୁ ଉପରେ ନଜର ରଖି ନିଜ କାର୍ଯ୍ୟରେ ମନ ଦେଲେ।କିଛି ସମୟ ପରେ ଚଗୁଲୁ ପୁଣି କିଛି ବଦମାସି କରୁଥିବାର ଦେଖି ପାରିଲେ ସାର୍। ଚଗୁଲୁ ଡରିଗଲା ବହୁତ। ଭାବିଲା ଆଜି ତାକୁ ଆଉ କେହି ରକ୍ଷା କରି ପାରିବେନି।ସେ ପାଖ ପିଲାର ଟିଫିନ ଚୋରେଇ ଖାଉଥିଲା‌‌। ଦେବାଶିଷ ସାର୍ ସ୍ମିତ ହସି ନିଜ ପାଠପଢ଼ା ଜାରି ରଖିଲେ।
ଖେଳଛୁଟିର ସମୟ। ସମସ୍ତେ ଖେଳକୁଦରେ ବ୍ୟସ୍ତ। ଚଗୁଲୁ ମନମାରି ଖେଳପଡିଆର ଗୋଟେ କଣରେ ବସିଛି। ହଠାତ୍ ତା ପିଠିରେ କାହାର ହାତର ସ୍ନେହବୋଳା ସ୍ପର୍ଶ ସେ ଅନୁଭବ କଲା। ପଛକୁ ବୁଲି ଦେଖେ ତ ଦେବାଶିଷ ସାର୍। ହଠାତ୍ ସାରଙ୍କୁ ନିଜ ପାଖରେ ପାଇଁ ଭୟରେ ଇତସ୍ତତଃ ହେଇଗଲା ସେ। ସାର କିନ୍ତୁ ହସହସ ମୁହଁ କରି ବେଶ ସ୍ବାଭାବିକ ଭାବେ ତା ହାତକୁ ନିଜର ଟିଫିନ ବାକ୍ସଟି ବଢାଇ ଦେଲେ। ଆଖି ଛଳଛଳ ହେଇଗଲା ଚଗୁଲୁର। ସେ ଆଶ୍ଚର୍ଯ୍ୟ ହେଇ ଭାବୁଥିଲା ସାର କେମିତି ଜାଣିଲେ ଯେ ତାକୁ ଭୋକ ଲାଗୁଥିଲା ଆଉ ସେ ଆଜି ଟିଫିନ୍ ଆଣିନାହିଁ ବୋଲି। ଟିଫିନ୍ ଖୋଲି ଖାଉଖାଉ ହଠାତ ଦେବାଶିଷ ସାରଙ୍କ ହସ ଶୁଣି ସେ ବି ଜୋରରେ ହସି ଉଠିଲା। ସାର ପଢଉଥିବା ବେଳେ ଚଗୁଲୁକୁ ଖାତାରେ କିଛି ଗାରଉ ଥିବାର ଦେଖିଥିଲେ। ତେଣୁ ତା ଖାତା ନେଇ ଆସି ଦେଖୁଥିଲେ। ସେଥିରେ ଦେବାଶିଷ ସାରଙ୍କର ଗୋଟିଏ ଅତି ସୁନ୍ଦର କାର୍ଟୁନ୍ ଅଙ୍କା ହେଇଥିଲା। ସାରଙ୍କୁ ଏପରି ହସୁଥିବାର ଦେଖି ଚଗୁଲୁର କାହିଁକି କେଜାଣି ଇଚ୍ଛା ହେଲା ସାରଙ୍କୁ ଜାବୁଡ଼ି ଧରିବାକୁ‌। ସାର୍ ତା ପିଠି ଥାପୁଡେଇ କହିଲେ "ଆରେ ବାଃ ଚଗୁଲୁ ତୁ ଏତେ କମ ବୟସରୁ ଏମିତି କାର୍ଟୁନ କେମିତି ଆଙ୍କି ପାରୁଛୁ। ତୁ ତ ସତରେ ଗୋଟେ ଚିତ୍ରକର। "
"ବାସ ତା ପରଠୁ ଏ ଚଗୁଲୁ କେବେ ସୁନା ପିଲା ହେଇଗଲା ସେ ନିଜେ ବି ଜାଣି ପାରିଲାନି।"
ଏତିକି କହି ଓଦା ଆଖିକୁ ଲୁଚାଇ ନତମସ୍ତକ ହେଇ ନିଜର ପ୍ରିୟ ଶିକ୍ଷକ ଦେବାଶିଷ ସାରଙ୍କୁ ଅଶେଷ ଧନ୍ୟବାଦ ଜଣାଉ ଥିଲା
ବିଶ୍ଵ ରେ ସର୍ବକନିଷ୍ଠ କାର୍ଟୁନିଷ୍ଟ ଭାବେ ନୂତନ ବିଶ୍ବରେକର୍ଡର ଅଧିକାରୀ ହୋଇ ଅଜସ୍ର ଶୁଭେଚ୍ଛା ସାଉଁଟୁଥିବା ଚଗୁଲୁ ଓରଫ ଚନ୍ଦ୍ରକାନ୍ତ   ରାଉତ।
          

Post a Comment

0 Comments

Hindi Ads