ଅଜଣା ପଥ ଅଚିହ୍ନା ମିତ

ଅଜଣା ପଥ ଅଚିହ୍ନା ମିତ - ଡ଼ାଃ ପ୍ରତୀକ କୁମାର ପହି

shubhdristi, ajana patha achinha mita, Prateek Kumar Pahi

କରଞ୍ଜିଆ-ଠାକୁରମୁଣ୍ଡା ରାସ୍ତା,ବେଶ୍ ପ୍ରଶସ୍ତ ଓ ଚିକ୍କଣ ପୁଣି ରାସ୍ତା ର ଉଭୟ ପାର୍ଶ୍ବରେ ଅସରନ୍ତି ସବୁଜିମା l ଏଭଳି ରାସ୍ତା ରେ ଲଙ୍ଗ୍‌ ଡ୍ରାଇଭ ର ଆନନ୍ଦ ଉଠାଇବାକୁ କିଏ ବା ନ ଚାହିଁବ? ସେଥିପାଇଁ ସକାଳୁ ସକାଳୁ ଚିନ୍ମୟ ବାହାରି ଯାଇଛି କାର୍ ଧରି,ବୟସ ପଚିଶି ଟପିଲାଣି,ଛଅ ମାସ ହେବ କରଞ୍ଜିଆ ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ଇଂରାଜି ବିଭାଗରେ ଅଧ୍ୟାପକ ନିଯୁକ୍ତି ପାଇଛି, ଅଳ୍ପ ବୟସରେ ଅନେକ ସଫଳତା ପାଇଛି ସତ ହେଲେ ଯୌବନର ଉଦ୍ଦାମତା ଯିବ କୁଆଡ଼େ... ଉଡନ୍‌ ଛୁ ମନ ତା'ର ଜମାରୁ ଘର ଧରୁନି,ଗୋଟେ ଛୁଟିଦିନ ମିଳିଲେ ବୁଲି ଯିବା ଥୟ l ତା ପରେ କେନ୍ଦୁଝର-ମୟୁରଭଞ୍ଜ ରେ କୋଉ ଜାଗାର ଅଭାବ ଯେ,ପ୍ରତି ତିରିଶ କିଲୋମିଟର ଦୂରରେ ଗୋଟାଏ ଦର୍ଶନୀୟ ସ୍ଥାନ, ତେଣୁ ତାକୁ ସୁବିଧା ହୁଏ l ହେଲେ ତା'ର ସେ ଅଞ୍ଚଳରେ କେହି ସାଙ୍ଗ ନାହାନ୍ତି ତା ସହ ଲଙ୍ଗ୍‌ ଡ୍ରାଇଭ ରେ ସାମିଲ୍  ହେବା ପାଇଁ l ଚୈତ୍ର ମାସର ହାଲ୍‌କା ଖରା ସହିତ ଚୋରା ଚଇତି ପବନ ଦେହ ମନକୁ ଚଳ ଚଞ୍ଚଳ କରି ଦେଉଛି ଆଉ ତା ସାଙ୍ଗକୁ ଚିନ୍ମୟ ର ଗୋରା ମୁହଁ କୁ ସେ ଲାଇଟ୍ ୟେଲୋ ସନ୍‌ ଗ୍ଲାସ୍ ଖୁବ୍ ମାନୁଛି l ଗାଡି ବୋଧେ ସତୁରୀ ରୁ ଅଶୀ ଭିତରେ ସ୍ପୀଡ ଥିବ,ହଠାତ୍ ସେ ବ୍ରେକ୍ ମାରି ଅଟକି ଗଲା l କଥା କଣ ନା ଜଙ୍ଗଲିଆ ରାସ୍ତା ମଝିରେ ଜଣେ ସୁନ୍ଦରୀ ତରୁଣୀ ହାତ ଦେଖାଇ ଲିଫ୍‌ଟ ମାଗିଚି l ଚିନ୍ମୟ ସଙ୍ଗେ ସଙ୍ଗେ ଗାଡ଼ି ସାଇଡ୍ କରି ନିଜ ସନ୍‌ ଗ୍ଲାସ୍ କୁ କାଢି ଟି-ସାର୍ଟ ରେ ଖୋସି ଦେଲା ଆଉ ପଚାରିଲା- ମାଡାମ୍,କୁଆଡ଼େ ଯିବେ? ହଠାତ୍ ଏ ଜଙ୍ଗଲ ଭିତରେ କୋଉଠୁ ଉଭା ହେଲେ ଆପଣ? 

ଝିଅଟି ନିସଙ୍କୋଚ ରେ କହିଲା- ଆପଣ ଯୁଆଡେ ଯିବେ,ମୁଁ ବି ସେଇ ଆଡେ ଯିବି l 

ଚିନ୍ମୟ-ଆପଣ ମତେ ଚିହ୍ନି ନାହାନ୍ତି କି ମୁଁ ବି ଆପଣଙ୍କୁ ଜାଣିନି, ଏମିତି କେମିତି ମୋ ସହିତ ଯିବାକୁ ପ୍ରସ୍ତୁତ ଆପଣ?

ଝିଅ-ଭାବି ନିଅନ୍ତୁ ମୁଁ ଆପଣଙ୍କ ଏ ସୋଲୋ ଜର୍ନି ର ପାର୍ଟନର l 

ଚିନ୍ମୟ-ହଉ ଠିକ୍ ଅଛି ମୋର କିଛି ଅସୁବିଧା ନାହିଁ,କିନ୍ତୁ ସାବଧାନ ଥିବେ ନହେଲେ ଏ ଚାର୍ମିଂଗ ଟୋକା ପ୍ରେମରେ ପଡ଼ିଯିବେ l 

ଝିଅ-ମୋ ପାଖେ ପ୍ରେମିକଙ୍କ ଅଭାବ ନାହିଁ... ହେଲେ ଆପଣ ବି ସତର୍କ ଥିବେ ଏ ବଣମଲ୍ଲୀ ମହକ ରେ ବିଭୋର ହୋଇ ଘଞ୍ଚ ଶାଳବଣ ରେ ହଜି ଯିବେନି l 

ଉଭୟ ଖୁବ୍ ଜୋର୍ ରେ ହସିଲେ l ଓକେ ମାଡାମ୍ ଆସନ୍ତୁ-ବୋଲି କହି ଚିନ୍ମୟ ସେ ଝିଅକୁ କାର୍ ଭିତରକୁ ପାଛୋଟି ନେଲା l ନିଘଞ୍ଚ ବନାନୀ ର ନୀରବତା କୁ ଚିରି ସେମାନେ ଆଗେଇ ଚାଲିଲେ ନିଜର ଗନ୍ତବ୍ୟ ପଥରେ....


ଚିନ୍ମୟ- ଆପଣଙ୍କ ନାଁ ଟା କହିଲେନି ଯେ?

ଝିଅ-ପ୍ରଥମେ ମତେ ଆପଣ କହିବା ବନ୍ଦ କରନ୍ତୁ,ତମେ କହିଲେ ମୁଁ ବେଶୀ ଖୁସି ହେବି l 

ଚିନ୍ମୟ-ସକଳେ ଡାକନ୍ତି ତମେ ତମେ ବୋଲି ସେ ଡାକ ର ମୁଲ ନାହିଁ,ତମେ ଯେବେ ମତେ ତମେ ବୋଲି ଡାକ ଏତେ ମିଠା ଲାଗେ କାହିଁ....

ଝିଅ-ମାନେ?

ଚିନ୍ମୟ-କିଛି ନାହିଁ,ଠିକ୍ ଅଛି ତମେ କହିବି ହେଲେ ତମେ ବି ମତେ ତମେ କହିବ l 

ଝିଅ-ନିଶ୍ଚିତ,ମୋ ନାଁ ମଧୁସ୍ମିତା ନାଏକ... ବଟ୍ ୟୁ କ୍ୟାନ୍‌ କଲ୍ ମି ମଧୁ l 

ଚିନ୍ମୟ-ଓକେ,ଦିସ୍‌ ଇଜ୍‌ ଚିନ୍ମୟ ଦ ହାଣ୍ଡ୍‌ସମ୍‌ ଜେଣ୍ଟ୍‌ଲ ମାନ୍‌,ଘର ସାଲେପୁର,କରଞ୍ଜିଆ କଲେଜ୍ ରେ ପୋଷ୍ଟିଂ...

ମଧୁ-ମାଙ୍କଡ...

ଚିନ୍ମୟ-କଣ କହିଲ,ମୁଁ ମାଙ୍କଡ?

ମଧୁ-ନାଇଁ ମ,ତମକୁ କାଇଁ କହିବି... ମାଙ୍କଡ ତ ରାସ୍ତା କଡ଼ ଗଛରେ,ଏଇ ଦେଖୁନ l 

ଚିନ୍ମୟ-ଆଚ୍ଛା,ଆଉ ତୁମ ବିଷୟ ରେ କିଛି କୁହ... ଘର କୋଉଠି,କଣ କର?

ମଧୁ-ଓଃ ପ୍ଲିଜ୍,ଏତେ ପ୍ରଶ୍ନ ପଚାରନି ମୁଁ ଟିକେ ଚିଲ୍ କରିବାକୁ ଆସିଛି ଆଜି,ତେଣୁ ଆମେ ସେପଟେ କଂସେଣ୍ଟ୍ରେଟ୍‌ କଲେ ବେଟର୍‌ ହବ l 

ଚିନ୍ମୟ-ନୋ ପ୍ରାବ୍ଲମ,ମୁଁ ଆକ୍ଚୁ ଆଲି ଠାକୁରମୁଣ୍ଡା ର ପ୍ରସିଦ୍ଧ ମା' ବାସୁଳୀ ଙ୍କ ଐତିହାସିକ ଉଡ଼ା ପର୍ବ ଦେଖିବାକୁ ଆସିଥିଲି l 

ମଧୁ-ଆରେ,ସେ ପର୍ବ ସନ୍ଧ୍ୟା ରେ ହେବ,ଏବେ କୁଆଡ଼େ ଯିବା?

ଚିନ୍ମୟ-ତୁମ ପାଖରେ ଯଦି କିଛି ପ୍ଲାନ ଅଛି କହୁନ?

ମଧୁ-ଭୀମକୁଣ୍ଡ ଯାଇଛ?

ଚିନ୍ମୟ-ନୋ... ଲେଟ୍‌ସ ଗୋ!!! 

ସେମାନେ ଗାଡି ବୁଲେଇ ନେଲେ ଭୀମକୁଣ୍ଡ ଦିଗରେ ଆଉ ଅଳ୍ପ ସମୟ ମଧ୍ୟରେ ଦେଖିବାକୁ ପାଇଲେ ବନ୍ଧୁର ଶିଳା ଶଯ୍ୟା ଉପରେ ନଦୀ ବୈତରଣୀ ର ଭୀମ ଭୈରବ ରୂପ l ସତେ ଯେମିତି କେହିଜଣେ ବିରାଟକାୟ ପଥର ଗୁଡିକୁ ଭିନ୍ନ ଭିନ୍ନ ଢଙ୍ଗ ରେ କାଟି ନିର୍ମାଣ କରିଛି ନଦୀ ପାଇଁ ମନଲୋଭା ପଥ l ମହାଭାରତ ଯୁଗରେ ଭୀମ ଏହି ସ୍ଥାନକୁ ସ୍ନାନ ପାଇଁ ଆସିଥିଲେ ମାତ୍ର ବୈତରଣୀ ସେଠାରେ ପାତାଳୀ ହୋଇଥିବାରୁ ପାଣିର ସନ୍ଧାନ ନ ପାଇ ଗଦାରେ ପ୍ରହାର କଲେ ସେ ଭୂମି କୁ,ଯାହା ଫଳରେ ସୃଷ୍ଟି ହେଲା ସେ ଚିତ୍ତାକର୍ଷକ ଦୃଶ୍ୟରାଜି ଏବଂ ବଡ଼କୁଣ୍ଡ l ବଡ଼କୁଣ୍ଡ ରେ ନଦୀ ର ରଙ୍ଗ ଗାଢନୀଳ ରୁ ଘନ ସବୁଜ ରହିଥାଏ,ଏହା ଏକ ବିରାଟ ଗଣ୍ଡ ଅଟେ ଯାହାକୁ ଅତିକ୍ରମ କଲା ପରେ ନଦୀ ପାତାଳଗାମୀ ହୋଇଥିବା ଅନୁମାନ କରାଯାଏ,ସେ କୁଣ୍ଡର ଗଭୀରତା ମାପିବା ପାଇଁ ବଡ଼ ବଡ଼ ବୈଜ୍ଞାନିକ ମଧ୍ୟ ବିଫଳ l ବଡ଼ କୁଣ୍ଡ ଦେଖି ସାରିବା ପରେ ମଧୁ ପଚାରିଲା- ଆଉ କେମିତି ଲାଗିଲା  ଜାଗା?

ଚିନ୍ମୟ- ସୁନ୍ଦର,କିନ୍ତୁ ତମଠୁ ଅଧିକ ନୁହଁ...

ମଧୁ-ଫ୍ଲର୍ଟ୍‌ (କହି ମୁହଁ ମୋଡିଛି)...



କଣ ଫ୍ଲର୍ଟ? ମୁଁ ଯାହା କହେ ସତ କହେ ହେଲା,ଗୁଡ୍‌ ଲୁକିଂଗ୍‌ ଟୋକା ମିଛ କହନ୍ତିନି- ନିଜ ସାର୍ଟ କଲର୍ ଟେକି ଚିନ୍ମୟ କହିଲା l 

ମଧୁ- ମିଳିଲେ ମିଳିବ ତ୍ରିପଣ୍ଡ କାଳିଆ ମାଙ୍କଡ ପରିକା ଟୋକା, ଗୋରା ଟୋକା ମନ ଭ୍ରମର ସମାନ କଳା ତ ନ ଦିଏ ଧୋକା l 

ଚିନ୍ମୟ-ନାଇଁ ମ,ମୁଁ ବାକି ପିଲାଙ୍କ ଭଳି ଜମା ନୁହେଁ... 

ମଧୁ-ଥାଉ,ସମୟ ଦେଖ ସନ୍ଧ୍ୟା ହେବାକୁ ବସିଲାଣି... ବାସୁଳୀ ଯାତ୍ରା ଦେଖିବନି କି?

ଚିନ୍ମୟ-ଆରେ ସତେ ତ! ଚାଲ ଚାଲ ଶୀଘ୍ର ଯିବା...

ତା ପରେ ଦୁହେଁ ଚାଲିଲେ ଠାକୁରମୁଣ୍ଡା ର ଅଧିଷ୍ଠାତ୍ରୀ ଦେବୀ ମା' ବାସୁଳୀ ଠାକୁରାଣୀଙ୍କ ପୀଠକୁ l ବହୁତ ପ୍ରତ୍ୟକ୍ଷ ଦେବୀ ସେ, ଆଖପାଖ ଅଞ୍ଚଳରେ ଲୋକଙ୍କ ସକଳ ଦୁଃଖ କଷ୍ଟ କୁ ହରଣ କରୁଛନ୍ତି ବୋଲି ଲୋକେ ବହୁତ ମାନନ୍ତି ମାତାଙ୍କୁ l ଘଟଗାଁର ତାରିଣୀ ମାଆଙ୍କ ପରି ସେ ମଧ୍ୟ ମହିମାମୟୀ l ଚୈତ୍ର ମାସରେ ଦେବୀଙ୍କ ପୀଠରେ ଐତିହାସିକ ଉଡ଼ା ପର୍ବ ଲାଗେ ଦୀର୍ଘ ସାତ ଦିନ ବ୍ୟାପି ଯାହାକି ପଣା ସଂକ୍ରାନ୍ତି ଦିନ ସରେ,ଯେଉଁ ସମୟରେ ଘଟଗାଁ ରେ ଚଇତି ଯାତ ପାଳିତ ହେଉଥାଏ l ଏହି ପର୍ବ କୁ ଦେଖିବା ପାଇଁ ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ ଭଳି ପଡ଼ୋଶୀ ରାଜ୍ୟରୁ ମଧ୍ୟ ଭକ୍ତଙ୍କ ସୁଅ ଛୁଟେ l ଏହାର କାରଣ ମଧ୍ୟ ଅଛି,ଏହି ପର୍ବ ରେ ଭକ୍ତା ବା କାଳିସୀ ନିଜ ପିଠି ରେ ଲୁହାକଣ୍ଟା ଫୋଡି ଦଉଡ଼ି ଲଗାଇ କାଠ ଗଣ୍ଡି ସାହାଯ୍ୟ ରେ ଅନେକ ସମୟ ଧରି ଝୁଲନ୍ତି ଶୁନ୍ୟ ରେ,ମାତ୍ର ତାଙ୍କ ଦେହରୁ ବୁନ୍ଦାଏ ସୁଦ୍ଧା ରକ୍ତ ଝରେନି l ତେବେ ଏହା ମାଆଙ୍କ ମହିମା ନୁହେଁ ତ ଆଉ କଣ?....

ଗାଡିରୁ ଓହ୍ଲେଇ ଚିନ୍ମୟ କହିଲା- ଆସ ଯାତ୍ରା ଆଡୁ ବୁଲି ଆସିବା l 

ମଧୁ- ମୁଁ ବହୁତ ଥର ଦେଖିଛି,ତମେ ଯାଅ... ମୋର କିଏ ଗାଆଁ ଲୋକ ଦେଖା ହେଇଗଲେ ଦୁନିଆଁ କଥା କହିବେ...

ଓକେ-ବୋଲି କହି ଚିନ୍ମୟ ଗଲା ମାଆଙ୍କ ପାଖେ ମାଟି ଦୀପ ଜାଳି ଭକ୍ତାଙ୍କ କଣ୍ଟା ଝୁଲା ଦେଖି ଅଭିଭୂତ ହୋଇ ପଡିଲା,ପରିଶେଷ ରେ ଦେବୀଙ୍କ ଚରଣେ ମୁଣ୍ଡିଆ ମାରି ଗାଡି କୁ ଫେରିଲା l 

ଚିନ୍ମୟ-ଅମେଯିଂଗ୍‌ ମଧୁ,ବହୁତ ସୁନ୍ଦର... ମୋ ଆଖିକୁ ଏ ଯାଏଁ ବିଶ୍ବାସ କରି ପାରୁନି l 

ତା ପରେ ସେ ଗାଡ଼ି କୁ କରଞ୍ଜିଆ ଆଡ଼େ ବୁଲେଇ ଚାଲିଲା l 

ଚିନ୍ମୟ-ଆଉ ମଧୁ,କୋଉଠି ଓହ୍ଲେଇବ ତମେ... ନିଜ ବିଷୟରେ ତ କିଛି ବି କହିଲନି... କିନ୍ତୁ ସତ କହିବି ମୋର ବହୁତ ପସନ୍ଦ ଆସିଲ ତମେ... ତମେ ସିଙ୍ଗଲ୍‌ କି ମିଙ୍ଗଲ୍‌ ମୁଁ କିଛି ବି ଜାଣିନି,କେମିତି କଣ କହିବି ଆଉ ତୁମକୁ?

ମଧୁ-ସବୁ ପୁଅ ଏମିତି କହନ୍ତି,ହେଲେ ଦାୟିତ୍ୱ ପଡ଼ିଲେ ତାଙ୍କ ହାବଭାବ ବଦଳି ଯାଏ l 

ଚିନ୍ମୟ-ତମେ ତ ମତେ ନିଜ କଥା କିଛି କହୁନ,ମୁଁ କେମିତି କଣ ଜାଣିବି କୁହ? ମତେ ବୁଲେଇ ବଙ୍କେଇ କଥା କହି ଆସେନି... ତମେ ଯଦି କହିବ ତୁମ ଘରକୁ ପ୍ରସ୍ତାବ ନେଇ ଯିବି...

ମଧୁ-ସେଇଟା କେବେ ସମ୍ଭବ ନୁହେଁ ଚିନ୍ମୟ...

ଚିନ୍ମୟ-ହେଲେ କାହିଁକି ମଧୁ?

ମଧୁ- ତୁମ କାର୍ ମିରର୍ କୁ ଦେଖ...

ଚିନ୍ମୟ-ହଁ,ମୋ ମୁହଁ ଦେଖା ଯାଉଛି...

ମଧୁ-ଆଉ ମୋ ମୁହଁ?

ଚିନ୍ମୟ ନିରେଖି ଦେଖିଲା ହେଲେ ମଧୁ ର ମୁହଁ ସେଠାରେ ନଥିଲା, ଅଥଚ ତା ସାଇଡ୍ ରେ ବସିଥିଲା ସେ... ତଣ୍ଟି ଶୁଖିଗଲା ଚିନ୍ମୟର... 



ତା ମାନେ... ତମେ?-ଭୟଭୀତ ହୋଇ ପଚାରିଲା ଚିନ୍ମୟ l 

ମଧୁ- ମରି ସାରିଛି,ମୁଁ ଗୋଟିଏ ଅଶରୀରୀ.. ଯିଏ ଆଜି ବି ଘୁରି ବୁଲୁଚି ଏ ନିଘଞ୍ଚ ବନାନୀ ରେ,କିନ୍ତୁ ତୁମେ ଭୟ କରନି ତୁମର ମୁଁ କିଛି ଅସୁବିଧା କରିବିନି l 

ଚିନ୍ମୟ- ହେଲେ କଣ ହେଇଥିଲା ତୁମ ସହିତ,ମତେ କହିବ?

ମଧୁ-ସେସବୁ ଜାଣିବାକୁ ହେଲେ ମୋ ପୁରା ଜୀବନ କାହାଣୀ ତୁମକୁ ଶୁଣିବାକୁ ପଡ଼ିବ l 

ଚିନ୍ମୟ- କୁହ,ମୁଁ ପ୍ରସ୍ତୁତ ଶୁଣିବାକୁ...

ମଧୁ ଆରମ୍ଭ କରିଛି ତା ଜୀବନର ହସ କାନ୍ଦ ଭରା କଥାକୁ -

ମୋ ନାଁ ମଧୁସ୍ମିତା ନାଏକ ଆଉ ମୋ ଜାଆଁଳା ଭଉଣୀ ସିନ୍ଧୁସୁତା ନାଏକ ଦୁହେଁ ଖୁବ୍ ଭଲ ପାଠ ପଢୁଥିଲୁ l ପିଲାଟି ଦିନରୁ ମାଆକୁ ହରାଇ ବାପାଙ୍କ କୋଳରେ ବଡ଼ ହୋଇଥିଲୁ l ସେ ବର୍ଷ ଆମ ଦୁଇ ଭଉଣୀଙ୍କର ଏକା ସହିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ପୋଷ୍ଟିଂ ହୋଇଗଲା l ଆମେ ବହୁତ ଖୁସି ହେଇଗଲୁ ଆଉ ଆମ ସମ୍ପ୍ରଦାୟର ଆରାଧ୍ୟ ଦେବତା ବଡ଼ାମ୍‌ ଓ ମାତା ବଡାମଣୀଙ୍କୁ ଦର୍ଶନ ପାଇଁ ଶିମିଳିପାଳ ଯିବାକୁ ସ୍ଥିର କଲୁ l ପୁଣି ସେତେବେଳେ ଆମ ପ୍ରସିଦ୍ଧ ଚଇତି ବଡ଼ାମ୍‌ ପର୍ବ ଆରମ୍ଭ ହେବାକୁ ଥାଏ,ଏମିତି ସୁଯୋଗ ଆଉ ଆସିବନି କହି ଆମେ ଦୁଇ ଭଉଣୀ ଶିମିଳିପାଳ ଗଲୁ l ହଜାର ହଜାର ବାଥୁଡି ଜନଜାତି ର ଲୋକ କେନ୍ଦୁଝର, ମୟୁରଭଞ୍ଜ ସମେତ ବାଲେଶ୍ବର ଜିଲ୍ଲାରୁ ମଧ୍ୟ ଆସି ଏକଜୁଟ ହୋଇଥିଲେ ବଡ଼ାମ୍‌ ପର୍ବ ପାଇଁ l ଉତ୍ସବ ମୁଖର ହୋଇ ଉଠିଥିଲା ଆମ ଆଦି ଉପାସନା ର ସାଧନା ଭୂମି ଅଠର ଦେଉଳ l ଏହା  ଦୀର୍ଘ ଆଠଶହ ବର୍ଷ ତଳର ଗୌରବମୟ ପ୍ରାଚୀନ ପରମ୍ପରା l ତେବେ ସେହି ସ୍ଥାନ ରେ ଅଠର ଗୋଟି ଭିନ୍ନ ଭିନ୍ନ ଦେଉଳ ରହିଛି,ତନ୍ମଧ୍ୟରୁ ସତରଟି ଦେଉଳ ପ୍ରାକୃତିକ ମାତ୍ର ଗୋଟିଏ ଦେଉଳ ମନୁଷ୍ୟକୃତ ଯାହାକୁ ମାନବ ଦେଉଳ କହନ୍ତି l ଏହି ଦେଉଳ ଟି କେବଳ ମାଙ୍କଡ଼ା ପଥର କୁ ହାତରେ ଜୋଡ଼ି ତିଆରି କରାଯାଇଛି l ସେହି ଦେଉଳରେ ଆମ ଇଶ୍ୱର ବଡ଼ାମ୍‌ ଆଉ ଇଶ୍ୱରୀ ବଡାମଣୀ ପୂଜା ପାଉଛନ୍ତି ଦେହୁରୀ ହାତରେ l ସକାଳୁ ପ୍ରଥମେ ଆମେ ମାଆ ଦୁଆରଶୁଣୀଙ୍କୁ ଦର୍ଶନ କରି ପରେ ପରେ ଅନ୍ଧାରି ଶାଳ,ଶଙ୍ଖେଇ ଶାଳ ତଥା ମହାବୃକ୍ଷଶାଳ ରେ ଗ୍ରାମଶିରୀ ଠାକୁରାଣୀଙ୍କ ପୂଜା ସାରି ମାନବ ଦେଉଳ ଆଡକୁ ଗଲୁ l ସାତ ଦିନ ବ୍ୟାପି ପର୍ବ ଚାଲିବ,ତେଣୁ ମାନବ ଦେଉଳ ରେ ପ୍ରଥମେ ଗୋମୟ ଜଳ ପାନ କରି ଆମେ ନିଜକୁ ପବିତ୍ର କଲୁ l ତା ପରେ ସେଠାରେ ନିର୍ମିତ ହୋଇଥିବା ପର୍ଣ୍ଣ କୁଟୀର ମଧ୍ୟରେ କିଛି ସମୟ ବିଶ୍ରାମ କଲୁ l ସନ୍ଧ୍ୟା ରେ ନିଆଁ ଜାଳି ଚାଙ୍ଗୁ ଢୋଲ ତାଳେ ଆରମ୍ଭ ହେଲା ଆମ ପାରମ୍ପରିକ ନାଚ,ହାତକୁ ହାତ ଛନ୍ଦି ସଭିଏଁ ନାଚନ୍ତି ଖୁସି ମନରେ ସାରା ରାତି l ସେଇ ସମୟରେ ମୁଁ ଲକ୍ଷ୍ୟ କଲି ଶ୍ୟାମଳ ବର୍ଣ୍ଣ ର ପିଲାଟିଏ ଖୁବ୍ ସୁନ୍ଦର ଚାଙ୍ଗୁ ବଜାଉଛି,କାହିଁକି କେଜାଣି ତା ପାଖରୁ ଆଖି ଫେରାଇ ପାରୁ ନଥିଲି ମୁଁ l ଧୀରେ ଧୀରେ ସେ ମୋ ଆଡ଼କୁ ଚାହିଁ ଦେଲା ଆଉ ମୋ ଆଖି ତା ଆଖିରେ ମିଶିଗଲା, ଲାଜରେ ଜିଭ କାମୁଡ଼ି ପକେଇଲି...



ଚାହୁଁ ଚାହୁଁ ସେ ପିଲା ଆସି ମୋ ପାଖରେ ପହଞ୍ଚି ଗଲା ଆଉ କହିଲା- ହେଲୋ ମାଡାମ୍,ମାଇଁ ସେଲ୍ଫ ଅବିନାଶ,ଆପଣଙ୍କ ନାଁ ଟା?

ମଧୁ-ଦିସ୍‌ ଇଜ୍‌ ମଧୁସ୍ମିତା,ଆପଣ ଚାଙ୍ଗୁ ଖୁବ୍ ଭଲ ବଜାନ୍ତି l 

ଅବିନାଶ-ଆଚ୍ଛା,ତାହେଲେ ଆପଣଙ୍କୁ ଚାଙ୍ଗୁ ପସନ୍ଦ ଆସିଲା... ତାକୁ ବଜାଉ ଥିବା ଲୋକ ନୁହେଁ?

ମଧୁ-ମତେ କୋଉଟା ବି ପସନ୍ଦ ଆସିଲାନି... ଫାଇନ୍‌?

ଅବିନାଶ-ପସନ୍ଦ ନ ଆସି ତ ଗିଳି ଦେଲା ପରିକା ଚାହୁଁଥିଲେ, ପସନ୍ଦ ଆସିଥିଲେ କଣ କରିଥାନ୍ତେ ଯେ?

ମଧୁ-ଛି... ରାସ୍ତାର ବୁଲା କୁକୁର କୁ ବି ମୁଁ ସେମିତି ଚାହେଁ,ତା ବୋଲି ତାକୁ କଣ ମୁଁ ଭଲ ପାଇବସେ?

ଅବିନାଶ-ଭଲ ପାଇବା କଥା ତ ମୁଁ କହିନି... କଣ ମାଡାମ୍ ଏତେ ଶୀଘ୍ର ମୋ ପ୍ରେମରେ ପଡ଼ିଗଲେ?

ମଧୁ-ଅଭଦ୍ର,ମେଣ୍ଟାଲ୍‌... ବୋଲି କହି ମୁଁ ଗୋଡ଼ କଚାଡ଼ି ଚାଲିଗଲି l 

ଏସବୁ କଥା କୁ ସିନ୍ଧୁ ଶୁଣୁଥିଲା,ମୁଁ ଆସିଲା ପରେ ସେ ଅବିନାଶ କୁ କହିଲା-ଚିଡେଇ ଦେଲେ ନା ମୋ ଦିଦି କୁ,ଝିଅଙ୍କ ସହ ଡୀଲିଂଗ୍‌ ଜଣା ନାହିଁ ଆପଣଙ୍କୁ ଆଉ l 

ଅବିନାଶ-ଆପଣ ତାଙ୍କ ଜାଆଁଳା ଭଉଣୀ ବୋଧେ,ଆପଣଙ୍କ ନାଁ?

ସିନ୍ଧୁ-ସିନ୍ଧୁସୁତା,ସତ କୁହନ୍ତୁ ମୋ ଦିଦି କୁ ଆପଣ ପସନ୍ଦ କରନ୍ତି ନା ଟାଇମ୍ ପାସ୍ କରୁଛନ୍ତି l 

ଅବିନାଶ-ଆପଣଙ୍କ ଦିଦି କୁ ମୁଁ ଲାଇଫ୍ ଟାଇମ୍ ପାଇଁ ଚାହେଁ,ପ୍ଲିଜ୍ ଟିକେ ହେଲ୍ପ କରନ୍ତୁ ମତେ l 

ସିନ୍ଧୁ-ଠିକ୍ ଅଛି ମୁଁ କିଛି କରୁଛି l 

ତା ପରେ ସିନ୍ଧୁ ଆସି ରାତିରେ ଅବିନାଶ ର ପ୍ରଶଂସା କରି ମତେ ଦୁନିଆଁ କଥା କହିଲା ଆଉ ତା ପ୍ରସ୍ତାବ ସ୍ବୀକାର କରିବା ପାଇଁ ଅନୁରୋଧ କଲା l 

ମଧୁ-ଆରେ,ପ୍ରେମ ତ ମତେ ଆଗ ହେଇଚି... ହେଲେ ସେ ଟୋକା ର ଆପ୍ରୋଚ ଦେଖିଲୁ ତ?

ସିନ୍ଧୁ-ଛାଡ୍‌ ମ ଦିଦି,ଟୋକା ଟା ଟାଉଟର ନୁହଁ,ଏତେ କିଛି ଜାଣେନି... ତା କଥା ଧରେନି l 

ତା ପର ଦିନ ସନ୍ଧ୍ୟାରେ ଚାଙ୍ଗୁ ନାଚ ସମୟ ହେଲା,ସିନ୍ଧୁ ମତେ ଟାଣି ଟାଣି ଗୋଟେ କୁଟୀର ଭିତରକୁ ନେଇଗଲା,ସେ ଭିତରେ ଅବିନାଶ ବସିଥିଲା l ତାକୁ ଦେଖି ମୁଁ ଟିକେ ଭାଉ ଖାଇଲା ପରି କହିଲି-ଏଠି ମୋର କଣ କାମ,ଚାଲ୍ ଯିବା ଏଠୁ l 

ସଙ୍ଗେ ସଙ୍ଗେ ଅବିନାଶ ଆଣ୍ଠେଇ ପଡି କହିଲା- ଜହ୍ନ ରାଇଜ ରେ ଜାଗା କିଣି ପାରିବିନି,ଗଢି ପାରିବିନି ତୁମ ପାଇଁ ସ୍ବପ୍ନର ତାଜମହଲ... ହେଲେ ମୁଁ ବଞ୍ଚିଥିବା ଯାଏଁ ତୁମ ଆଖିରୁ ଲୁହ ଝରିବାକୁ ଦେବିନି କେବେ l ଏବେ ତମେ କୁହ ମୁଁ କଣ ଏତେ ଖରାପ?

ମଧୁ-ବହୁତ ଖରାପ ତମେ,ଜହ୍ନରେ ଜାଗା କିଣିବା କଣ ଦରକାର... ତୁମ ହୃଦୟରେ କଣ ଜାଗାର ଅଭାବ?

ଅବିନାଶ-ଗୋଟା ପଣେ ହୃଦୟ ଟା ପରା ତମର,ଜାଗା କଥା କୋଉଠୁ ଆସିଲା?

ସିନ୍ଧୁ-ସେତିକି ପ୍ରେମ ଥାଉ... କିଏ ଦେଖିଦେଲେ ମରିବା ସବୁ... ପର୍ବ ସରିଯାଉ... ଆମ ଘରକୁ ପ୍ରସ୍ତାବ ନେଇ ଆସିବେ,ତେଣିକି ଡିସିସନ୍‌ ଆମ ପିତାଶ୍ରୀଙ୍କ ହାତରେ...



ଅବିନାଶ-ହଉ ଠିକ୍ ଅଛି...

ସିନ୍ଧୁ-ଆରେ ମେନ୍‌ କଥା କହିଲନି,ତମେ ତ ହାଇଲି ଏଜୁକେଟେଡ୍‌ ଭଳି ଲାଗୁଛ... ତଥାପି ଚାକିରି କଣ କର?

ଅବିନାଶ-ଚାକିରି... ଏଇ ଯଶିପୁର ତହସିଲଦାର ମ,ସେତେ ବଡ଼ ଲୋକ ନୁହେଁ ଆମେ l 

ସିନ୍ଧୁ-ବୋପାଲୋ,ଆଉ କେତେ ବଡ଼ ହେଇଥାନ୍ତ... ଦିଦି ଜମା ଛାଡ଼େନି,ବଢିଆ ପ୍ରସ୍ତାବ ଆସିଛି........

ତା ପରେ ଅବିନାଶ ମୋ ଘରକୁ ପ୍ରସ୍ତାବ ନେଇ ଆସିଲେ,ମୋ ବାପାଙ୍କ ଖୁସି କହିଲେ ନ ସରେ ଏତେ ଭଲ ଜ୍ୱାଇଁ ପାଇବେ ବୋଲି ସେ ଆଶା କରି ନଥିଲେ l ତିଥି ଠିକ୍ ହେଲା ଆଉ ଖୁବ୍ କମ୍ ଦିନ ଭିତରେ ଆମ ବାହାଘର ହୋଇଗଲା l ଏ ଭିତରେ ବର୍ଷେ ବିତିଗଲା,ସିନ୍ଧୁ ମଝିରେ ମଝିରେ ଯଶିପୁର ଆସେ ମୋ ପାଖକୁ l ମୋର ପିଲାପିଲି ହେବାର ଥାଏ ମୁଁ ମାଟର୍ନିଟି ଲିଭ୍‌ ନେଇଗଲି,ସିନ୍ଧୁ  ଆସି ମୋ ପାଖେ ରହିଲା ମୋର ଦେଖା ଶୁଣା କରିବା ପାଇଁ l ମୋର ନଅ ମାସ ଚାଲିବାରୁ ଦିନେ ସନ୍ଧ୍ୟା ରେ ଅବିନାଶ,ମୁଁ ଆଉ ସିନ୍ଧୁ ଠାକୁରମୁଣ୍ଡା ବାହାରିଲୁ ମା' ବାସୁଳୀଙ୍କ ପୀଠରେ ଗୋଟିଏ ବିଶେଷ ପୂଜା ପାଇଁ l ଆମେ ପୀଠରେ ପହଞ୍ଚିଲା ବେଳକୁ ମାଆଙ୍କ ଆଳତୀ ଚାଲିଥାଏ,ଆମେ ଆଳତୀ ଦେଖି ପୂଜା ଶୀଘ୍ର ଶୀଘ୍ର ସାରିଦେଲୁ l ତା ପରେ ଯଶିପୁର ଆସିବାକୁ ଗାଡ଼ି ରେ ବସି ଆଗେଇଲୁ l ଠାକୁରମୁଣ୍ଡା ରୁ ବେଶ୍ କିଛି ବାଟ ଆସିବା ପରେ ଗୋଟେ ଜଙ୍ଗଲ ମଝିରେ ଦେଖିଲୁ ଦଳେ ମଦୁଆ ଏକାଠି ହୋଇ ରାସ୍ତା ଜାମ୍ କରି ବଦମାସି କରୁଛନ୍ତି,ଅବିନାଶ ଯେତେ ହର୍ନ ବଜେଇଲେ ମଧ୍ୟ ସେମାନେ କର୍ଣ୍ଣପାତ କଲେନି l ଶେଷରେ ଅବିନାଶ ବାଧ୍ୟ ହୋଇ ଗାଡିରୁ ଓହ୍ଲେଇ ତାଙ୍କ ପାଖକୁ ଗଲେ ଆଉ ଦେଖିଲେ ସେଠାକାର ଲୋକାଲ୍ ଏମ ଏଲ ଏ ଙ୍କ ପୁଅ ଆଉ ତା'ର କିଛି ମଦୁଆ ସାଙ୍ଗ l 

ଅବିନାଶ-ଆରେ ରାସ୍ତା ଫାଙ୍କା କର,ଆମେ ଆଗକୁ ଯିବୁ...

ଏମ ଏଲ ଏ ପୁଅ(ମଦ ନିଶାରେ)-ତମେ ଉଡି ଉଡି ଯାଅ,ଆମେ ହଟିବୁନି...

ଅବିନାଶ-ହଉ,ଏବେ ପୋଲିସ କୁ କଲ୍ କରୁଚି... ମଜା ଚଖେଇବ ତୁମକୁ...

ଅବିନାଶ କଲ୍ ଲଗାଇ ବାକୁ ପଛକୁ ବୁଲିଲେ,ଆମେ ଦୁଇ ଭଉଣୀ ଗାଡ଼ି ଭିତରୁ ତାଙ୍କୁ ହାତ ଠାରି ଡାକିଲୁ-ପଳେଇ ଆସ,ସେ ପାଗଳ ଲୋକଙ୍କ ସହ ଲାଗନି... ଏହି ସମୟରେ ପଛ ପଟୁ ଏମ ଏଲ ଏ ପୁଅ ଅବିନାଶଙ୍କ ମୁଣ୍ଡକୁ ଗୋଟେ ଶକ୍ତ ପାହାର ଦେଲା ଠେଙ୍ଗା ରେ,ସେଇଠି ଟଳି ପଡ଼ିଲେ ଅବିନାଶ!!!...

ତା ପରେ ସେମାନେ ଆମ ଆଡ଼କୁ ଆସିଲେ,ମୁଁ ଆଉ ସିନ୍ଧୁ କଣ କରିବୁ ଜାଣି ପାରୁନଥିଲୁ... ଏମ ଏଲ ଏ ପୁଅ ସିନ୍ଧୁ କୁ ଟାଣି ଟାଣି ନେଇଗଲା ଆଉ ତା ସହିତ ଜବର୍ ଦସ୍ତି କରିବା ଆରମ୍ଭ କରିଦେଲା l ମୁଁ ଠିକ୍ ସେ ଚାଲି ପାରୁ ନଥିଲି,ବହୁତ କଷ୍ଟ ରେ ଯାଇକି ସିନ୍ଧୁ କୁ ବଞ୍ଚେଇବାକୁ ଚେଷ୍ଟା କଲି,ହେଲେ ସେ ରାକ୍ଷସ ଏମ ଏଲ ଏ ପୁଅ ମୋ ପେଟ କୁ ଗୋଟେ ଗୋଇଠା ମାରିଲା... ମୁଁ ଛିଟିକି ପଡିଲି ଖଣ୍ଡେ ଦୂରରେ l ଆଉ ଉଠି ପାରିଲିନି,ହାତ ଯୋଡ଼ି ଖାଲି ମାଆକୁ ସ୍ମରଣ କଲି....



ସିନ୍ଧୁ କୁ ଚାରି ପାଞ୍ଚ ଜଣ ଘେରି ଯାଇଥାନ୍ତି,ସେ ଜୋର୍ ରେ ପାଟି କରି ସାହାଯ୍ୟ ପାଇଁ ଡାକୁଥାଏ... ହେଲେ ସେ ଜଙ୍ଗଲ ଭିତରେ କିଏ ଶୁଣିବ ତା' ଡାକ l ମୁଁ ଯେତେ ଚେଷ୍ଟା କଲେ ବି ଉଠି ପାରୁ ନଥିଲି l ଅବିନାଶ ରକ୍ତ ରଂଜିତ ହୋଇ ପଡ଼ିଥିଲେ,ବୋଧେ ତାଙ୍କ ଦେହରେ ଆଉ ପ୍ରାଣ ନଥିଲା ସେତେବେଳକୁ l ମୋ ଆଖି ବୁଜି ହେଇ ଯାଉଥାଏ,ହଠାତ୍ ଦଲକେ ପବନ ସହ ଉଡି ଉଡି ଆସିଲା ମନ୍ଦାର ଫୁଲ ଟିଏ l ମୋ ମୁହଁ ରେ ଆସି ଖସି ପଡ଼ିଲା,ସତେକି କାଳିସୀ ଲାଗିଲା ମତେ... ଆଖି ପିଛୁଳାକେ ଉଠି ଠିଆ ହୋଇ ଗଲି l ପାଖରେ ଗୋଟେ ଠେଙ୍ଗା ପଡ଼ିଥିଲା ତାକୁ ଉଠେଇ ଘୋର ଗର୍ଜ୍ଜନ କରି ଧାଇଁଲି ସେ ପାପୀଙ୍କ ଆଡ଼େ l ଏତିକି ବେଳେ ସେ ଏମ ଏଲ ଏ ପୁଅ ବୁଲି ପଡି ମୋ ହାତରୁ ଠେଙ୍ଗା ଛଡ଼େଇବା କୁ ଉଦ୍ୟତ ହେଲା ବେଳେ ମାରିଲି ଗୋଟେ ଗୋଇଠା ତା' ଯୌନାଙ୍ଗ କୁ,ସେ ତଳେ ପଡି ଛଟପଟ ହେଲା... ତା' ମୁଣ୍ଡକୁ ଠେଙ୍ଗାରେ ପିଟି ପିଟି ଛତୁ କରିଦେଲି,ମାଟିକୁ କାମୁଡ଼ି ଆଖି ବୁଜିଦେଲା ସେ l ତା ପରେ ବାକିମାନଙ୍କୁ ମଧ୍ୟ ସେହି ଠେଙ୍ଗା ରେ ସଂହାର କଲି l ମାତ୍ର ମୋ ପେଟରେ ଆଘାତ ଲାଗିଥିବାରୁ ମୋର ବହୁତ ବ୍ଲୀଡିଂଗ୍‌ ହେଲା,ସିନ୍ଧୁ ସଙ୍ଗେ ସଙ୍ଗେ ଉଠି ଆସି ମତେ ଆଉ ଅବିନାଶଙ୍କୁ ଡାକ୍ତରଖାନା ନେଇକି ଗଲା l ହେଲେ ଅବିନାଶ ବଞ୍ଚିଲେ ନାହିଁ,ମୁଁ ମଧ୍ୟ ପୁଅଟିଏ ଜନ୍ମ ଦେଇ ଚାଲି ଗଲି ଅବିନାଶଙ୍କ ସହିତ l ଏବେ ପୁଅ ର ଦାୟିତ୍ବ ସିନ୍ଧୁ ଆଉ ବାପା ମିଶି ନେଉଛନ୍ତି l ଆଉ ସେଇ ଦିନରୁ ଏ ରାସ୍ତା ରେ ମୁଁ ଘୁରି ବୁଲୁଚି,କାମାନ୍ଧ ପୁରୁଷଙ୍କୁ ହତ୍ୟା ଆଉ ଅସହାୟ ନାରୀଙ୍କୁ ରକ୍ଷା କରି ଆସୁଛି l ତମକୁ ଗୋଟେ କଥା କହିବି ଚିନ୍ମୟ... ରଖିବ?

ଚିନ୍ମୟ-କହୁନ..

ମଧୁ-ତମେ ଯଦି ସତରେ ମତେ ପସନ୍ଦ କରୁଛ,ମୋ ଭଉଣୀ ସିନ୍ଧୁସୁତା ହାତ ଧରିବ?

ଚିନ୍ମୟ-ନିଶ୍ଚୟ,ଏଥିରେ ଅରାଜି ହେବାର କଣ ଅଛି?

ମଧୁ-ତା ହେଲେ ଚାଲ ଆମ ଘରକୁ ଯିବା l 

ସେହି ରାତିରେ ଚିନ୍ମୟ କୁ ଧରି ନିଜ ଘରକୁ ଗଲା l ତା ବାପା ଆଉ ସିନ୍ଧୁ ସହ ପରିଚୟ କରେଇ ଦେଲା l ସିନ୍ଧୁକୁ ଚିଡେଇ କହିଲା-ଦେଖୁନୁ ତୋ ପାଇଁ କେଡ଼େ ସୁନ୍ଦରିଆ ଟୋକା ଖୋଜିଚି l 

ସିନ୍ଧୁ ଲାଜରେ ଘର ଭିତରକୁ ଦଉଡ଼ିଲା l 

ଚିନ୍ମୟ-ବେଳେ ବେଳେ ଭାବିଲେ ଭାରି ଖରାପ ଲାଗେ,ଯେଉଁ ନାରୀ କୁ ଆମେ ନଅ ଦିନରେ ନବଦୁର୍ଗା କହି ପୂଜା କରୁଛୁ... ତା ସହ ବାକି ଦିନରେ ଏତେ ହୀନ ବ୍ୟବହାର... କୋଉଠି ବଧୂ ଘରୋଇ ହିଂସାର ଶିକାର ହେଉଛି ତ କୋଉଠି ରାସ୍ତାରେ ଯାଉଥିବା ଝିଅଟିଏ ଧର୍ଷିତା ହୋଇ ଅଭିଶପ୍ତ ଜୀବନ କାଟୁଛି... କେତେ ଦିନ ଚାଲିବ ଏ ସବୁ,ଆଉ କେତେ ଦିନ ତମେ ରାସ୍ତାରେ ଘୁରି ବୁଲି ତାଙ୍କୁ ସାହାଯ୍ୟ କରିବ ମଧୁ?

ମଧୁ-ଯେତେ ଦିନ ଯାଏଁ ପୁରୁଷ ସମାଜ ନ ବୁଝିଚି ଯେ ନାରୀ/ପୁରୁଷ ର ସାମାଜିକ ସ୍ଥିତି ସମାନ,ଯେତେ ଦିନ ଯାଏଁ ସେ ନାରୀ କୁ ଉଚିତ ସମ୍ମାନ ନ ମିଳିଛି,ଯେତେ ଦିନ ଯାଏଁ ନାରୀ ରାସ୍ତାରେ ନିରାପଦରେ ଯିବା ଆସିବା ନ କରିଛି,ଯେତେ ଦିନ ଯାଏଁ ପୁରୁଷ ସମାଜ ସ୍ବୀକାର ନ କରିଛି ଯେ ନାରୀ ପରାଜିତା ନୁହେଁ ସେ  ସ୍ବୟଂସିଦ୍ଧା।

1 Comments

Post a Comment

Post a Comment

Previous Post Next Post
Free Shubhdristi App Download Now