ପୁନର୍ଜନ୍ମ

 ପୁନର୍ଜନ୍ମ - ସ୍ୱାଗତିକା ମହାଙ୍କୁଡ



Punarjanma, Swagatika Mahankud, ପୁନର୍ଜନ୍ମ

ଶେଷରେ ମୃଣାଲ ବାବୁ ଆଜି ତାଙ୍କ ଘରକୁ ଜୀବିତ ହୋଇ ଫେରି ପାରିଲେ । ଘର ଭିତରେ ପାଦ ଦେବା କ୍ଷଣି ପରିବାର ମୁହଁରେ ଅନେକ ଦିନ ପରେ ସ୍ଥିରତା ଦେଖି ସେ ଶାନ୍ତି ଲାଭ କଲେ । ଯେଉଁ ଅବସ୍ଥାରେ ସେ ଘର ରୁ ମେଡିକାଲ ଯାଇଥିଲେ ସେଦିନ କଥା ଭାବି ସେତେବେଳେ ତାଙ୍କ ରୋମ ଟାଙ୍କୁରି ଉଠିଲା ।

ସେ ଘରର ଚାକର,ପୁଝାରୀ ଙ୍କୁ ଦେଖି ଦୁଇ ପଦ ମିଠା କଥା ମଧ୍ୟ କହି ନିଜ ଠାକୁର ଘରକୁ ଚାଲିଗଲେ ।

ତାଙ୍କର ଆଚରଣ ଦେଖି ଘରର ଚାକର,ପୁଝାରୀ ସବୁ ଚକିତ ରହିଗଲେ। ପ୍ରଥମ ଥର ପାଇଁ ସେମାନେ ମୃଣାଲ ବାବୁଙ୍କ ଠାରୁ 

ମିଠା ପଦ ସବୁ ଶୁଣୁଥିଲେ । ନଚେତ୍ ପୂର୍ବେ ସେମାନଙ୍କୁ ପଶୁ ଭଳି ଆଚରଣ କରୁଥିବା ମୃଣାଲ ବାବୁଙ୍କ ମୁହଁ ରୁ ଏସବୁ କୋମଳ ପଦ ତାଙ୍କ ପାଇଁ ଥିଲା ସ୍ଵପ୍ନ ।

କିଛି ସମୟ ପରେ ନିଜ ରୁମ୍ କୁ ଯାଇ ଆରାମ କଲେ ସେ। ରୁମ୍ କାନ୍ଥ ଓ ପିଲାମାନଙ୍କ ଫଟୋ ସବୁ ଦେଖି ପୁଣି ଆସ୍ବସ୍ଥି ଲାଭ କଲେ କାରଣ ଷୋହଳ ଦିନ ପୂର୍ବରୁ ସେ ନିଶ୍ଚିତ ଥିଲେ ଯେ ସେ ଆଉ ବଞ୍ଚି ପାରିବେନି ବୋଲି...

ଯେଉଁ ଲୋକ ସୁସ୍ଥ ଥିବା ସମୟରେ ଧନ ରୋଜଗାରରେ ଅନ୍ଧପ୍ରାୟ ହୋଇ କେବେ ମୃତ୍ୟୁ କୁ ଖାତିର କରିନଥିଲେ ସିଏ କିନ୍ତୁ ସେଦିନ ରାତିରେ ପ୍ରାଣ ବିକଳରେ ନିଜ ଅନ୍ତରାଳରେ ବୁକୁ ଫଟା ଚିତ୍କାର କରି ନିସ୍ତେଜ ହୋଇ ଉଠିଥିଲେ । କାହିଁକି କେଜାଣି ସେ ସମୟ ରେ ତାଙ୍କ ଦେହ ଯନ୍ତ୍ରଣା ଠାରୁ ମଧ୍ୟ ଅତ୍ୟଧିକ ଯନ୍ତ୍ରଣା ତାଙ୍କ ହୃଦୟରେ ହେଉଥାଏ । ପ୍ରତ୍ୟେକ ମୁହୂର୍ତ୍ତରେ ତାଙ୍କୁ ନିଜ ଅତୀତରେ କରିଥିବା ସମସ୍ତ ବିବେକ ହୀନ କର୍ମ ସବୁର ଫଳ ପରି ମନେ ହେଉଥିଲା। ହୁଏତ ସେ ଏହାକୁ ଜୀବନର ଶେଷ ସମୟ ଭାବି ନିଜ କର୍ମରେ ନିଜକୁ ଲଜ୍ଜିତ ଅନୁଭବ କରୁଥିଲେ। 


ତାଙ୍କର ସମସ୍ତ ଅବିବେକ ନିଷ୍ପତ୍ତି ଓ ବେଇମାନ ମନୋବୃତ୍ତି ରେ ସେ ବଡ ଲୋକ ହୋଇ ପାରିବାର ସଂକ୍ଷିପ୍ତ ପଥ ପାଇଥିଲେ ସତ କିନ୍ତୁ ସେଇ ମନୋବୃତ୍ତିରେ ନିଜ ବିବେକ ସାମ୍ନାରେ ସେ ସାଜିଥିଲେ ଆଜି କାଙ୍ଗାଳ. ଯେତେବେଳେ ସେ ମେଡିକାଲ ଗଲେ ସେତେବେଳେ ତାଙ୍କ ପାଇଁ ବେଡ୍ ମିଳିବା ଅସମ୍ଭବ ଥିଲା, ଠିକ୍ ସେତିକି ବେଳେ ପତ୍ନୀ ଓ ପିଲା ମାନଙ୍କ ମୁହଁ ରେ ଦେଖିଥିବା ଅସହାୟତାର ଅବସାଦକୁ ଭୁଲି ନାହାଁନ୍ତି ସେ ।

ଯଦିଓ କୌଣସି ମତେ ସେ ବେଡ୍ ପାଇଗଲେ ଓ ଠିକ୍ ମୃତ୍ୟୁ ଆସିବା ପୂର୍ବରୁ ଅକ୍ସିଜେନ ମଧ୍ୟ । କିଛିଦିନ ପରେ ଚେତା ଫେରିବା ପରେ ସେ ଦେଖିଲେ ଆଖପାଖରେ ସମସ୍ତେ ଗରିବ, ଅଭାବୀ ଲୋକ। ମାନଙ୍କ ମଧ୍ୟରେ କିଏ ମରିଯାଇଛି ତ କିଏ ମରିବା ଅବସ୍ତାରେ ଅଛି. ସେ ଅଛନ୍ତି ଗୋଟେ ଏମିତି ଜାଗାରେ ଯେଉଁଠି ଧନୀର ଧନ ର କୌଣସି ସ୍ଥାନ ନାହିଁ ।

ଜାଣିବାକୁ ପାଇଲେ ଏଇ ୱାର୍ଡରେ ଯଦି ସମୟରେ ପହଞ୍ଚି ନଥାନ୍ତେ ତାହେଲେ ଆଜି ତାଙ୍କ ପରିବାର ଅନାଥ ହୋଇଯାଇଥାନ୍ତା । ଧନ ଗର୍ବରେ ଅଶେଷ ସମ୍ପତ୍ତିର ମାଲିକ ହୋଇଥିବାରୁ ମୃଣାଲ ବାବୁଙ୍କ ମନରେ ଉଚ୍ଚ ନୀଚ୍ଚ ର ଭାବନା ପ୍ରବଳ ଥିଲା କିନ୍ତୁ ଏଇ କରୋନା ଯୁଗ କୌଣସି ମତେ ତାଙ୍କୁ ନିଜ ସ୍ଥାନ ଦେଖାଇ ଦେଲା।

ସବୁ ଲୋକ ସେଇଠି ବଞ୍ଚିବାକୁ ଭାଗ୍ୟ ସହ ଲଢେଇ କରୁଛନ୍ତି କିନ୍ତୁ କିଏ ସଫଳ ହେଉଛି ତ କିଏ ବିଫଳ । ଏଇ ଦୃଶ୍ୟ ନିଜ ଆଖିରେ ଦେଖି ମୃଣାଲ ବାବୁ ସ୍ତବ୍ଧ ହୋଇ ରହିଲେ. ନିଜକୁ ସେମାନଙ୍କ ମଧ୍ୟରେ ଦେଖି ତାଙ୍କ ମଧ୍ୟରେ ପଶ୍ଚାତାପର ଶରଟି ବିନ୍ଧି ହୋଇଗଲା ତାଙ୍କ ଛାତି ଭିତରେ. 

ସେଇଠି ସେ ନୀରବ ହୋଇଗଲେ ଦୁଇ ତିନି ଦିନ ପାଇଁ ଓ ପଶ୍ଚାତାପ ପରେ ଭାବିଲେ, 'ଏଇ ଜୀବନରେ ଉଚ୍ଚ ନୀଚ୍ଚ ହେଉଛି କେବଳ ଲୋକଙ୍କ ମନ କିନ୍ତୁ କୌଣସି ଲୋକ ନୁହେଁ' ।


ବର୍ତ୍ତମାନ ସୁଦ୍ଧା ସେ ଘରକୁ ଫେରି ନିଜକୁ ପ୍ରଶ୍ନ କରୁଛନ୍ତି..

ସେ ନିଜେ ଗରିବରୁ ଧନୀ ସାଜିଥିଲେ ସତ କିନ୍ତୁ ଯେବେ ସେ ଧନୀ ହେଲେ ସେବେ ଗୋଟେ ଗରିବର କଷ୍ଟ ଜାଣିବା ତ ଦୂରର କଥା ସେମାନଙ୍କୁ ଦୂରରୁ ଦେଖି ସେ ଅସହ୍ୟ ହୋଇପଡିଥିଲେ କେମିତି ? କେମିତି ଏସବୁ ଅବିବେକୀ ମନ ବୃତ୍ତି ତାଙ୍କର ହେଲା ? 

ଏହାର ଉତ୍ତର ଖୋଜି ଖୋଜି ସେ ରାତିର ନିଦ ହଜାଇ ସାରିଲେ । ଯେତେ ଶୋଇବାକୁ ଚେଷ୍ଟା କଲେ ମଧ୍ୟ ସେ ଶୋଇ ପାରିଲେ ନାହିଁ । ଉଠିଯାଇ ଝରକା ପାଖରେ ଜହ୍ନ ଆଲୁଅରେ ଠିଆ ହେଲେ, ଆଖିରୁ ଧାର ଧାର ଲୁହ ବୋହିଯାଉଥିବା ସେ ଜାଣି ପାରିଲେନି ମଧ୍ୟ । 

ବାହାରେ ଦୁନିଆ ନିଃଶବ୍ଦ ନୀରବ ଥାଏ । ହଠାତ୍ ସେଇ ରାତିର ନିରବତାକୁ ଭାଙ୍ଗିଲା ଅନତି ଦୂରରୁ ଆସୁଥିବା ଗୋଟିଏ ଆମ୍ବୁଲାନ୍ସର ସାଇରନ ଶବ୍ଦ । ଏହା ଶୁଣି ସେ ସ୍ତବ୍ଧ ହୋଇଗଲେ, ଦେଖୁ ଦେଖୁ ଦ୍ରୁତଗତିରେ ଆସୁଥିବା ସେଇ ଆମ୍ବୁଲାନ୍ସଟି ମୃଣାଲ ବାବୁଙ୍କ ପୋଡେଶୀ ଘର ପାଖରେ ଯାଇ ଅଟକିଗଲା । ସାଇରନଟି ବନ୍ଦ ହେବା କ୍ଷଣି ସେଇ ନୀରବ ରାତି ମଧ୍ୟରେ ବୁକୁ ଫଟା କୋହ ଭରା ଚିତ୍କାର ଶୁଭିଲା । ହୁଏତ କିଏ ନିଜର ଲୋକକୁ ହରାଇଥିଲା ସେଇଠି ।

ଠିକ୍ ଏହି ମୁହୂର୍ତ୍ତ ରେ ନିର୍ବିକାର ଭାବରେ ତଳେ ବସିପଡିଲେ ମୃଣାଲ ବାବୁ. ମୃତ୍ୟୁର ତାଣ୍ଡବ କୁ ପୁଣି ନିଜ ପାଖରେ ଦେଖିପାରିଲେ ସେ । ଭୋ ଭୋ ହୋଇ କାନ୍ଦି ପରମାତ୍ମାଙ୍କୁ ତାଙ୍କ ଜୀବନ ଫେରାଇଥିବା ପାଇଁ ହାତ ଯୋଡି ଧନ୍ୟବାଦ ଅର୍ପଣ କରିଥିଲେ ।


କୌଣସି ମତେ ମୃତ୍ୟୁ କବଳରୁ ମୁକ୍ତି ପାଇ ସେ ନିଶ୍ଵାସ ପାଇଛନ୍ତି । ଏହାକୁ ନିଜର ପୁନଃଜନ୍ମର ପ୍ରଥମ ଶିକ୍ଷା ପରି ମନେକଲେ ମୃଣାଲ ବାବୁ । ସେହି କ୍ଷଣି ସେ ଜାଣିଗଲେ "ଦୁନିଆରେ ଧନ,ସମ୍ପତ୍ତି, ସୁନାମ,ଜାତି,ଧର୍ମ ସବୁ ତୁଚ୍ଛ..ମଣିଷ ଜନ୍ମ ପାଇ ମଣିଷ ପଣିଆ ଯାହା ପାଖରେ ଅଛି କେବଳ ସିଏ ହିଁ ଧନ୍ୟ" ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now