ପ୍ରେକ୍ଷାଳୟ ବନାମ ଡ଼ିଜିଟାଲ୍ ପ୍ଲାଟଫର୍ମ

ପ୍ରେକ୍ଷାଳୟ ବନାମ ଡ଼ିଜିଟାଲ୍ ପ୍ଲାଟଫର୍ମ - ନିଗମ କୁମାର ବେହେରା

          ଜୁନ୍ ୧୪ ତାରିଖ ଦିନ ଆମ ସଭିଁଙ୍କ ପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ଯା କରିଥିବା ପ୍ରକାଶ ପାଇବା ପରେ ସମଗ୍ର ଦେଶରେ ଥିବା ତାଙ୍କ ଅଗଣିତ ଅନୁଗାମୀ ଓ ପ୍ରଂଶସକମାନେ ଦୁଃଖରେ ମ୍ରିୟମାଣ ହୋଇ ଭାଙ୍ଗିପଡ଼ିଥିଲେ । ତାଙ୍କ ଅଭିନୀତ ଶେଷ ଚଳଚିତ୍ର “ଦିଲ୍ ବେଚାରା”କୁ “ଡ଼ିଜନି+ହଟଷ୍ଟାର”ର ଡ଼ିଜିଟାଲ୍ ପ୍ଲାଟଫର୍ମରେ ରିଲିଜ କରିବା ପାଇଁ ନିଷ୍ପତ୍ତି ନେଇଛି ପ୍ରଯୋଜନା ସଂସ୍ଥା “ଫକ୍ସ ଷ୍ଟାର୍ ଷ୍ଟୁଡ଼ିଓ” । ଏହି ଚଳଚିତ୍ରଟି ପୂର୍ବରୁ ମଇ ୫ ତାରିଖ ଦିନ ମୁକ୍ତିଲାଭ କରିବାର ଥିଲା କିନ୍ତୁ କରୋନା ମହାମାରୀ ଯୋଗୁଁ ପ୍ରେକ୍ଷାଳୟ ବନ୍ଦ ହେବା ଯୋଗୁଁ ଏହାର ମୁକ୍ତିଲାଭ ତାରିଖ ପୂର୍ବରୁ ଘୁଞ୍ଚାଯାଇଥିଲା । “ଦିଲ୍ ବେଚାରା” ପ୍ରଥମ ଚଳଚିତ୍ର ନୁହେଁ ବରଂ ଲକଡ଼ାଉନ ପରେ ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚିତ୍ର “ଗୁଲାବୋ ସିତାବୋ” ସମେତ ଅନେକ ଚଳଚିତ୍ର ମୁକ୍ତିଲାଭ କଲାଣି । କିନ୍ତୁ ଦିଲ୍ ବେଚାରା ମୁଭିର ଡିଜିଟାଲ ପ୍ଲାଟଫର୍ମରେ ରିଲିଜକୁ ସୁଶାନ୍ତଙ୍କ ପ୍ରଶଂସକମାନେ ବିରୋଧ କରୁଛନ୍ତି କାରଣ ସଭିଁଏ ନିଜ ପ୍ରିୟ କଳାକାରର ଶେଷ ଚଳଚିତ୍ର ଥିଏଟରରେ ଦେଖିବାକୁ ଇଚ୍ଛୁକ ।

          ବର୍ତ୍ତମାନ ସମୟରେ ଚଳଚିତ୍ରଗୁଡ଼ିକ ଯେଉଁ ରୂପେ ଡ଼ିଜିଟାଲ୍ ପ୍ଲାଟଫର୍ମରେ ମୁକ୍ତିଲାଭ କରୁଛି ତାହାକୁ ଦୃଷ୍ଟିରେ ରଖିଲେ ପ୍ରେକ୍ଷାଳୟର ଭବିଷ୍ଯତ ନେଇ ସଭିଁଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ । ବଡ଼ ବଜେଟର ଚଳଚିତ୍ର ପ୍ରେକ୍ଷାଳୟ ଓ ଛୋଟ ଚଳଚିତ୍ରଗୁଡ଼ିକ ଡ଼ିଜିଟାଲ୍ ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ବୋଲି ଅଧିକାଂଶ ଲୋକଙ୍କ ଭାବନା; କିନ୍ତୁ ଯାହା ସମ୍ପୂର୍ଣ୍ଣ ଭାବେ ଭୁଲ ଅଟେ । କାରଣ ନିକଟ ଅତୀତରେ “ନେଟଫ୍ଲିକ୍ସ” ପକ୍ଷରୁ ମୁକ୍ତିଲାଭ କରିଥିଲା ଚଳଚିତ୍ର “ଏକ୍ସଟ୍ରାକ୍ସନ୍”, ଯେଉଁଥିରେ ଅଭିନୟ କରିଥିଲେ ଖ୍ଯାତିନାମା ହଲିଉଡର କଳାକାର କ୍ରିସ୍ ହେମ୍ସୱର୍ଥ ଏବଂ ଏହି ଚଳଚିତ୍ର ପାଇଁ ସେ ନେଇଥିବା ପାଉଣାରେ ଆମ ବଲିଉଡର ୨ରୁ ୩ଟି ଚଳଚିତ୍ର ନିର୍ମାଣ ହୋଇପାରିବ । ଆଗାମୀ ଦିନରେ ଅକ୍ଷୟ କୁମାରଙ୍କ ଲକ୍ଷ୍ମୀବମ୍, ଅଜୟ ଦେବଗନଙ୍କ ଭୁଜ୍ ଏବଂ ଆଲିଆ ଭଟ୍ଟଙ୍କ ସଡ଼କ୍-୨ ପରି ବଡ଼ ବଜେଟ ଓ ବଡ଼ ବ୍ଯାନର ଚଳଚିତ୍ର ମଧ୍ଯ ଡ଼ିଜିଟାଲ୍ ପ୍ଲାଟଫର୍ମ ଡ଼ିଜନି+ହଟଷ୍ଟାରରେ ମୁକ୍ତିଲାଭ କରିବାକୁ ଯାଉଛି ।

          କରୋନା ମହାମାରୀ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଲଗାଇଥିବା ଲକଡ଼ାଉନ୍ କଟକଣା ଯୋଗୁଁ ଗତ ୩ ମାସ ହେଲାଣି ସମଗ୍ର ଦେଶର ଥିଏଟରଗୁଡ଼ିକ ବନ୍ଦ ରହିଛି । ଏହି ସମୟରେ ଯେଉଁ ବିପୁଳ ଅର୍ଥ କ୍ଷତି ଘଟିଛି ତାହାର ଭରଣା ପିଭିଆର୍ ଓ ଆଇଏନ୍ଓଏକ୍ସ ଭଳି ବୃହତ କମ୍ପାନୀଗୁଡ଼ିକ କରିନେବେ । କିନ୍ତୁ ଛୋଟ ହଲ୍ ଏବଂ ମଲ୍ଟିପ୍ଲେକ୍ସ ପକ୍ଷରେ କ୍ଷତି ଭରଣା ଅସମ୍ଭବ ସଦୃଶ୍ଯ; ଏଣୁ ଅଧାରୁ ଅଧିକ ପ୍ରେକ୍ଷାଳୟ ବନ୍ଦ ମଧ୍ଯ ହୋଇପାରେ । ଯଦି ମଧ୍ଯ ଚାଲୁରହେ ତେବେ ଟିକେଟ ଠାରୁ ଆରମ୍ଭ କରି ପପକର୍ଣ୍ଣ ପର୍ଯ୍ଯନ୍ତ ସବୁଥିରେ ଦାମ ବୃଦ୍ଧି କରିବେ । କେବଳ ଏତିକି ନୁହେଁ ବରଂ ପ୍ରେକ୍ଷାଳୟ ବିଶୋଧନ ଓ ସାନିଟାଇଜ ଖର୍ଚ୍ଚ ମଧ୍ଯ ଦର୍ଶକକୁ ହିଁ ଭରଣା କରିବାକୁ ହେବ । ଏହା ବ୍ଯତୀତ କରୋନା ସଂକ୍ରମଣକୁ ନେଇ ଲୋକମାନଙ୍କ ମଧ୍ଯରେ ସୃଷ୍ଟି ହୋଇଥିବା ଭୟାବହତାକୁ ଦୃଷ୍ଟିରେ ରଖିଲେ ଲୋକେ ପ୍ରେକ୍ଷାଳୟ ବଦଳରେ ଘରେ ହିଁ ସୁରକ୍ଷିତ ଚଳଚିତ୍ରର ଆନନ୍ଦ ନେବାକୁ ଉଚିତ ମଣିବେ । ଏଣୁ କରୋନା ମହାମାରୀ ଯୋଗୁଁ ଗରିବ ଓ ମଧ୍ଯବିତ୍ତ ପରିବାର ଭଳି ପ୍ରେକ୍ଷାଳୟ ମାଲିକମାନେ ମଧ୍ଯ ଦୁର୍ଦ୍ଦିନର ସହ ଗତି କରୁଛନ୍ତି ।

          କିନ୍ତୁ କହିବାକୁ ଗଲେ ଡ଼ିଜିଟାଲ୍ ପ୍ଲାଟଫର୍ମ ତୁଳନାରେ ପ୍ରେକ୍ଷାଳୟରେ ବହୁତ ସୁବିଧା ରହିଛି ଯଥା ଅନଲାଇନରେ କେତେ ବଡ଼ କଳାକାରର କେତେ ବଡ଼ ଚଳଚିତ୍ର ମୁକ୍ତିଲାଭ କରୁନା କାହିଁକି ପ୍ରେକ୍ଷାଳୟରେ ଏହାର ଅଭିଜ୍ଞତା ଓ ଅନୁଭୁତି ଭିନ୍ନ ପ୍ରକାରର । ପରିବାର ଓ ବନ୍ଧୁମାନଙ୍କ ଗହଣରେ ଖୁସିରେ ପ୍ରେକ୍ଷାଳୟରେ ଚଳଚିତ୍ର ଦେଖିବାର ମଜା ଡ଼ିଜିଟାଲ୍ ପ୍ଲାଟଫର୍ମରେ ଅଭାବ । ଏତଦ ବ୍ଯତୀତ କରୋନା ମହାମାରୀର ଭୟାବହତା ସବୁଦିନ ପାଇଁ ରହିବ ନାହିଁ ଏଣୁ ପ୍ରେକ୍ଷାଳୟଗୁଡ଼ିକ ପୁନଶ୍ଚ ଖୋଲିବା ପରେ ଦୀର୍ଘଦିନ ଘରେ ବନ୍ଦ ହୋଇ ରହିଥିବା ଲୋକମାନେ ସମୟ ଅତିବାହିତ କରିବା ପାଇଁ ପ୍ରେକ୍ଷାଳୟକୁ ହିଁ ନିଜର ପ୍ରଥମ ପସନ୍ଦ ରୂପେ ଗ୍ରହଣ କରିବେ । ଏହା ଛଡ଼ା ସମଗ୍ର ବିଶ୍ୱରେ ବର୍ଷକ ମଧ୍ଯରେ ବଲିଉଡ୍ ହିଁ ସର୍ବାଧିକ ଚଳଚିତ୍ର ନିର୍ମାଣ କରେ ଏବଂ ଭାରତବର୍ଷରେ ନେଟଫ୍ଲିକ୍ସ, ଆମାଜନ୍ ପ୍ରାଇମ୍, ଡ଼ିଜନି+ହଟଷ୍ଟାର୍, ଜି ୫ ଭଳି ଅନେକ ପ୍ଲାଟଫର୍ମ ରହିଛି ଏଭଳି କ୍ଷେତ୍ରରେ ଜଣେ ବ୍ଯକ୍ତି କେତୋଟି ଡ଼ିଜିଟାଲ୍ ପ୍ଲାଟଫର୍ମର ସ୍ୱାକ୍ଷରକରଣ ଗ୍ରହଣ କରିବ ? ଯଦି ମଧ୍ଯ ଆପଣ ସମସ୍ତ ଡ଼ିଜିଟାଲ୍ ପ୍ଲାଟଫର୍ମର ସ୍ୱାକ୍ଷରକରଣ ଗ୍ରହଣ କରନ୍ତି ତେବେ ସବୁ ଚଳଚିତ୍ର ଦେଖିବା ପାଇଁ ସଭିଁଙ୍କ ନିକଟରେ ସମୟ ନାହିଁ । ଏଣୁ କେହି ମଧ୍ଯ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ପଛଘୁଞ୍ଚା ଦେବା ସ୍ୱାଭାବିକ ।

          କିନ୍ତୁ ଦେଖିବାକୁ ଗଲେ ଡ଼ିଜିଟାଲ୍ ପ୍ଲାଟଫର୍ମ କଳାତ୍ମକ ଚଳଚିତ୍ରଗୁଡ଼ିକ ପାଇଁ ବରଦାନ ସଦୃଶ୍ଯ କାରଣ ଆମ ଦେଶରେ ଲୋକେ ଉଚ୍ଚକୋଟୀର କାହାଣୀ ବଦଳରେ ମସାଲା ଚଳଚିତ୍ର ଦେଖିବାକୁ ପସନ୍ଦ କରନ୍ତି । ଅନେକ କ୍ଷେତ୍ରରେ ଦେଖାଯାଏ ଏକ ସଫଳ ଅଭିନେତାର ତୁଳନାରେ କଳାତ୍ମକ ଚଳଚିତ୍ରକୁ ଅଧିକ ପ୍ରେକ୍ଷାଳୟ ମିଳେନାହିଁ ଏବଂ ବହୁତ କମ ସମୟ ମଧ୍ଯରେ ହିଁ ଉକ୍ତ ଚଳଚିତ୍ରଗୁଡ଼ିକ ପ୍ରେକ୍ଷାଳୟରୁ ହଟାଇ ଦିଆଯାଏ । ଫଳରେ ଆମେ ଅନକେ ଉଚ୍ଚକୋଟୀର ଚଳଚିତ୍ର ଏବଂ ଉକ୍ତ ଚଳଚିତ୍ରରେ ନିଖୁଣ ଅଭିନୟ କରିଥିବା କଳାକାରଙ୍କ ଅଭିନୟ ଦେଖିବାକୁ ହାତଛଡ଼ା କରିଥାଉ । ଉଦାହରଣ ସ୍ୱରୂପ ତୁମ୍ବାଡ ଚଳଚିତ୍ରରେ ଏକ ଭିନ୍ନ କାହାଣୀ ସହ କଳାକାରଙ୍କ ଦ୍ୱାରା ଉଚ୍ଚକୋଟୀର ଅଭିନୟ ଦେଖିବାକୁ ମିଳିଥିଲା କିନ୍ତୁ ଏହି ଚଳଚିତ୍ର ସହ କୌଣସି ବଡ଼ ନାମ ଜଡ଼ିତ ନଥିବା ହେତୁ ଅଳ୍ପ ଦିନ ମଧ୍ଯରେ ପ୍ରେକ୍ଷାଳୟରୁ ଏହା ଉଭାନ ହୋଇଯାଇଥିଲା । କିନ୍ତୁ ଏଭଳି ଚଳଚିତ୍ର ଯଦି ଡ଼ିଜିଟାଲ ପ୍ଲାଟଫର୍ମରେ ମୁକ୍ତିଲାଭ କରେ ତେବେ ଅନେକ ଦର୍ଶକଙ୍କ ନିକଟରେ ପହଞ୍ଚିବା ସହ ବେଶ ଆଦୃତ ହୋଇପାରୁଛି ।

          କିନ୍ତୁ ପ୍ରକୃତରେ କେଉଁ ଚଳଚିତ୍ର ପ୍ରେକ୍ଷାଳୟରେ ଏବଂ କେଉଁ ଚଳଚିତ୍ର ଡ଼ିଜିଟାଲ୍ ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ଏହି ନିଷ୍ପତ୍ତି ପ୍ରଯୋଜନା ସଂସ୍ଥା ଏବଂ ପ୍ରଯୋଜକ ନେଇଥାଆନ୍ତି । ଉଦାହରଣ ସ୍ୱରୂପ କରନ ଜୋହରଙ୍କ ପ୍ରଯୋଜିତ ଏବଂ ସୁଶାନ୍ତ ସିଂ ରାଜପୁତଙ୍କ ଦ୍ୱାରା ଅଭିନୀତ ଡ୍ରାଇଭ୍ ଚଳଚିତ୍ରକୁ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିଲା; କାରଣ କରନ ଯେତେବେଳେ ଡ୍ରାଇଭ୍ ଦେଖିଲେ ସେ ଜାଣିଗଲେ ଯଦି ପ୍ରେକ୍ଷାଳୟକୁ ଏହି ଚଳଚିତ୍ର ଯିବ ତେବେ ଫ୍ଲପ୍ ହେବ ଏଣୁ ସେ ଏହାର ରଚନାସତ୍ୱ ନେଟଫ୍ଲିକ୍ସକୁ ବିକ୍ରି କରି ନିଜ ଲାଗତ ଅର୍ଥ ଅସୁଲ କରିଥିଲେ ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now