କୁସୁମ ଶୀକର

କୁସୁମ ଶୀକର - ଅମ୍ରିତେଶ ଖଟୁଆ

ଶିଳାପଦ୍ମ, ରାତିର ପହୁଡ଼, ଏକାଠି ହେବାକୁ ଦିଏନି,
ସୂର୍ଯ୍ୟ ଉଇଁଲେ ରାତି ସହ, ଅନ୍ଧାର ଯେ ଏକାଠି ହୁଏ
ଦୀପାଳିର ଦୀର୍ଘାୟୁ ତଳେ।

ଲାଳିମା ବ୍ୟାଦିତ ପ୍ରଭାତ, ରମଣଠୁ ବହୁଦୂରେ ଠିଆ
ମେଲିଛି ହିଆ, ସକାଳ ଭିଆଣ ସଜଳ ନୟନେ
ଅଭ୍ୟର୍ଥନା ଅନାଗତ ପାଇଁ,
ରୁକ୍ଷକଣ୍ଠି ହେଲା କର୍କଶ, ରୁଷିଛି ଭୁଆସୁଣୀ
ସୀମନ୍ତର ଗୋଧୂଳିକୁ ଭଳିଭଳି କେ ଅନାଇ।

କୁଢ଼ କୁଢ଼ ସ୍ବପ୍ନର ବ୍ୟାଳପଥ,
ପତିତ ହୋଇଛି, ତୀର୍ଥ ହେଇଛି ସତ, ଫଳଶ୍ରୁତି ବିପଥ।
ଆରମ୍ଭ ହୁଏ ଅଭ୍ୟୁଦୟ - ଗୌରବର୍ଣ୍ଣ,
ଅଭ୍ୟୁଦୟ ପରାଜୟର, ନିଶ୍ଚେତ ଭବିଷ୍ୟତ ସେଇଠି ଅସଂପୂର୍ଣ୍ଣ।

ରାତିର ମନ୍ତ୍ରଣା ସରେ, ଅନ୍ଧାରର ସ୍ତବପାଠ
ଜୁଳୁଜୁଳିଆ ପୋକ ରକ୍ତଜବା ଭିତରୁ,
ଶୋଇ ପଡ଼ନ୍ତି ପ୍ରଜାପତିର ଡେଣାରଙ୍ଗରେ
ଡେଣା ଛୁଟିଯାଏ ଆକାଶର ଆଧିପତ୍ୟ ଭିତରକୁ
ରଙ୍ଗ ଅସ୍ତିତ୍ଵ, ଅସ୍ତିତ୍ଵ ଅସବର୍ଣ୍ଣ, ଅସବର୍ଣ୍ଣ ରଙ୍ଗର କାଠ।

ମାଟିର ଚକଡା ଉପରେ ଉଠେ ମନ୍ଦିର,
କ୍ଳିଷ୍ଟ ମୁହଁର ଆଁ ଫଁରେ ପବନ ଶଁପେଇ ଉଠେ ସୁନ୍ଦର।
କାନ୍ଦେ ସିନ୍ଦୂର, ସିନ୍ଦୂରା ଫାଟେ କୋଳାହଳ ପାଇଁ,
ଆକାଶକୁ କୋଳ କରେ ପ୍ରଭାତୀ ଧବଳସାଇଁ!

ବୁଦାବୁଦା କଥା କଅଁଁଳେଇଲା ମାୟା, ସୁପ୍ତ ଆଶା
ସେଇଠୁ ଉଠନ୍ତି, ଶିଳ୍ପୀର ନିହାଣ, ପଥୁରିଆ ନିଦ,
ନିଦାଘ ଉଠେ, ହଜିଯାଏ ପୁଣି ଉଷା!

ମାଟି ଫାଟିଲେ ମାଟି ନିଜେ ହିଁ କଅଁଁଳେ,
ମିଶ୍ର ଆଖି ଯଥା ନାଚେ ଦୁର୍ବାର ଜୀବନର ଅଜଡା ଫସଲେ।

ଉଷ୍ମ ପ୍ରେମ, ଶୀତଳ ସ୍ନେହ, ଊର୍ବର ଶ୍ରଦ୍ଧା
କ୍ରୁଶବିଦ୍ଧ ମୁଁ, ମୁଁ କ୍ରୁଶର ବିଦ୍ଧ ଅବବୋଧ,
କଳାପ ପରତେ ନିଃସଙ୍ଗ ପ୍ରସ୍ରବଣ
ଶ୍ଯାମଳିନୀ ଫଟା ପାଉଁରୁଟିର ରଙ୍ଗ ସାଧ୍ଯ!

ଚହଲା ପବନ ଆରକ୍ତ କୁସୁମ ଶୀକର
ଆର୍ତ୍ତ ଭବିଷ୍ୟତ ସଜଡା ନିଃଶ୍ଵାସର ପ୍ରତିଶ୍ରୁତିରେ,
ଚିତ୍ରଣ ହୁଏ, ଚିତ୍ରକାର ପାଇଁ ବିଚିତ୍ର ମୁହଁ
ଦାବଦହନର ଦେହଳୀ ଘୋଟେ ଇତିରେ!

Post a Comment

Post a Comment (0)

Previous Post Next Post
Free Shubhdristi App Download Now