ସାକ୍ଷାତକାର ପରିବେଶପ୍ରେମୀ ସୌମ୍ୟରଞ୍ଜନ ବିଶ୍ୱାଳ
ସୌମ୍ୟରଞ୍ଜନ ବିଶ୍ୱାଳ ଆଜିର ଯୁବପିଢି ପାଖରେ ଏକ ପରିଚିତ ନାମ । ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷାରେ ନିଜକୁ ନିୟୋଜିତ କରିଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗର ସୌମ୍ୟରଞ୍ଜନ ବିଶ୍ବାଳ ଜାତିସଂଘର ୧୭ ଭାରତୀୟ ତରୁଣ 'କ୍ଲାଇମେଟ୍ ଲିଡର ବା ଜଳବାୟୁ ନେତା ତାଲିକାରେ ସ୍ଥାନ ପାଇ ଓଡ଼ିଶା ତଥା ଓଡ଼ିଆଙ୍କ ପାଇଁ ଗର୍ବ ଆଣି ଦେଇଛନ୍ତି। ଶୈଶବରୁ ହିଁ ସୌମ୍ୟ ପରିବେଶ ସୁରକ୍ଷା ପାଇଁ ଉଦ୍ୟମ କରିଚାଲିଛନ୍ତି ସେ ଅଲିଭ ରିଡଲେଙ୍କ ପ୍ରଜନନ ଋତୁରେ ସେମାନଙ୍କ ଅଣ୍ଡାକୁ ସୁରକ୍ଷା ଦେବା ସହ ସମୁଦ୍ରକୂଳକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଉଦ୍ୟମ କରୁଛନ୍ତି ।
ତେବେ ଶୁଭଦୃଷ୍ଟି ପରିବାର ପକ୍ଷରୁ ଜାତିସଂଘର ୧୭ ଭାରତୀୟ ତରୁଣ 'କ୍ଲାଇମେଟ୍ ଲିଡ଼ର' ରେ ସ୍ଥାନ ପାଇଥିବା ସୌମ୍ୟରଞ୍ଜନ ବିଶ୍ୱାଳଙ୍କୁ ଆମେ ପଚାରିଥିଲୁ କିଛି ପ୍ରଶ୍ନ।
ପ୍ରଶ୍ନ : ଆପଣଙ୍କ ପିଲାବେଳ ଓ ପଢାପଢି ବିଷୟରେ ପାଠକମାନଙ୍କୁ କିଛି ସୂଚନା ଦିଅନ୍ତୁ ?
ଉତ୍ତର : ପିଲାବେଳେ ଗାଆଁ ଗୁଣ୍ଡଳବା ପ୍ରାଥମିକ ବିଦ୍ୟାଳୟ ଓ ମାଇନର ଶିକ୍ଷା ବଳଭଦ୍ରପୁର ଉପ୍ରା ବିଦ୍ୟାଳୟ ତଥା ସୁରେନ୍ଦ୍ରନାଥ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପାଠପଢା। +୨ ବିଜ୍ଞାନ- ସ୍ଵାଧୀନ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ , ନିମାପଡ଼ା , ବି ଟେକ- ଟ୍ରାଇଡେଣ୍ଟ ଏକାଡେମୀ ଇନ୍ ମେକାନିକାଲ ଟ୍ରେଡ୍, କିଛି ସମସ୍ୟା ପାଇଁ ଏକ ବର୍ଷ ପରେ ନିମାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ରେ ବାଣିଜ୍ୟରେ ସ୍ନାତକ ଶେଷ କରିଲି।
ପ୍ରଶ୍ନ : ଏତେ କମ୍ ବୟସରୁ ପରିବେଶ ତଥା ଜଳବାୟୁ ପ୍ରତି ଆପଣଙ୍କ ଭଲପାଇବା ସମସ୍ତଙ୍କ ପାଇଁ ଉଦାହରଣ, ହଠାତ୍ ଏ ଦିଗକୁ କାହିଁକି ମୁହାଁଇଲେ ?
ଉତ୍ତର : ଆମ ଗାଁ ଏକ ସମୁଦ୍ରକୂଳିଆ ଗାଁ ଓ ଆମ ଘର ଠାରୁ ସମୁଦ୍ର ମାତ୍ର ୫୦୦ ମିଟର ତେଣୁ ପ୍ରକୃତି କୋଳରେ ବଢ଼ି ପ୍ରକୃତି ପ୍ରତି ଏକ ଭଲ ପାଇବା ଆସିବା ସ୍ଵାଭାବିକ କଥା । ମୁଁ ଚତୁର୍ଥ ଶ୍ରେଣୀରେ ପଢ଼ିବା ସମୟରେ କାନାଡ଼ାର ଜଣେ ଅବସରପ୍ରାପ୍ତ ଦାନ୍ତ ରୋଗ ବିଶେଷଜ୍ଞ ରବର୍ଟ ସକଲିଫଙ୍କ ନେତୃତ୍ୱରେ ଆମ ସ୍କୁଲ୍ ପିଲାଙ୍କ ସହ ଅନେକ ଥର ବେଳାଭୂମି ସଫେଇ ରେ ଅଂଶଗ୍ରହଣ କରୁଥିଲି। ଓଡ଼ିଶାରେ ସୂଚୀ-୧ ଅନ୍ତର୍ଭୁକ୍ତ ବିରଳ ଅଲିଭ ରିଡ଼ଲେ କଇଁଛ ସୁରକ୍ଷା ପାଇଁ ଓଡ଼ିଶା ସରକାର ୨୦୦୨ ରେ ପଦକ୍ଷେପ ନେଲେ କିନ୍ତୁ ଏହା ପୂର୍ବରୁ ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ୧୯୯୪ ମସିହାରୁ ଓଡ଼ିଶାରେ କୋଟି କୋଟି ଟଙ୍କା ନିଜ ବ୍ୟକ୍ତିଗତ ଭାବେ ଖର୍ଚ୍ଚ କରି କଇଁଛମାନଙ୍କ ସୁରକ୍ଷା ପାଇଁ ଗଞ୍ଜାମ, ପୁରୀ, ଜଗତସିଂହପୁର ଉପକୂଳରେ ଯଥେଷ୍ଟ ଗୁରୁତ୍ବ ଦେଉଥିଲେ। ସେମାନଙ୍କ ମୃତ୍ୟୁ ଓ ସୁରକ୍ଷା ପାଇଁ ବାରମ୍ବାର ଭୁବନେଶ୍ୱର ଗଣମାଧ୍ୟମ ସଂସ୍ଥାକୁ ନିଜେ ଉପକୂଳ ଅଞ୍ଚଳକୁ ନେଇଥିଲେ ଓ ଅନେକ ବାର କୋଷ୍ଟଗାର୍ଡ ଠାରୁ ଆରମ୍ଭ କରି ବନ ବିଭାଗର ଅଫିସ୍ କବାଟ ବାଡ଼େଇ ଥିଲେ। ତାଙ୍କ ସେ ନିରବଚ୍ଛିନ୍ନ ପ୍ରଚେଷ୍ଟା ଭିତରେ ମୁଁ ୯-୧୦ ବର୍ଷର ସ୍କୁଲ୍ ପିଲା ହୋଇଥିଲି ଓ ଅଲିଭ ରିଡ଼ଲେ କଇଁଛ ଅଣ୍ଡାଦାନ ଆମ ଗାଆଁ ସମୁଦ୍ର କୂଳ ହୋଇଥିବାରୁ ଆମ ସ୍କୁଲ୍ ତାଙ୍କ ସହ ବେଳାଭୂମି ସଫେଇ ପାଇଁ ଅଂଶଗ୍ରହଣ କରୁଥିଲା। ଏହା ସାଙ୍ଗକୁ ବଡ଼ ହେବା ସହିତ ହାଇ ସ୍କୁଲ୍ ପଢ଼ିବା ସମୟରେ ଭାରତ ସରକାରଙ୍କ ଦ୍ୱାରା ରହିଥିବା ପ୍ରତି ଜିଲ୍ଲାର ୫୦ ଗୋଟି ଉଚ୍ଚ ବିଦ୍ୟାଳୟ ପରି ଆମ ଉଚ୍ଚ ବିଦ୍ୟାଳୟର ଇକୋ କ୍ଳବ୍ ରେ ବିଦ୍ୟାଳୟରେ ଯୋଡ଼ି ହୋଇ ବୃକ୍ଷରୋପଣ, ପରିବେଶ ସୁରକ୍ଷା ସଚେତନତା ମୋତେ ଆଉ ଅଧିକ ଏଥିରେ ଇଚ୍ଛା ବଢାଇଲା। ଆମ ଗାଁର ବିଚି ଭାଇ ଓ ଆମ ଗାଆଁ ଚାରୁ ମା' ଙ୍କ ବିଷୟରେ ଓ ପରିବେଶ, ସ୍ଥାନୀୟ ଜୈବ ବିବିଧତା ସୁରକ୍ଷା ପାଇଁ ସେମାନଙ୍କ ଦୀର୍ଘ ଦିନ ସାଧନା ଜାଣିଲି। ବିଚି ଭାଇ ଯିଏ କି ଓଡ଼ିଶାର ଜଣେ ବାସ୍ତବ ତ୍ୟାଗୀ ଓ ସାଧକ ଯିଏ ରବର୍ଟଙ୍କ ସହ ୧୯୯୪ ମସିହାରେ କାମ ଆରମ୍ଭ କରି ଘର ଛାଡ଼ି ଦେଇଥିଲେ ଓ ଘରଠାରୁ ସାରା ଜୀବନ ଦୂରରେ ରହି ନିଜ ଜୀବନକୁ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷାରେ ଦେବାକୁ ମନସ୍ଥ କରିଥିଲେ। ଅଲିଭ ରିଡ଼ଲେ, ଡ଼ଲଫିନ, ଲୁଣା ଜଙ୍ଗଲ ପ୍ରଭୃତି ସୁରକ୍ଷା ଦିଗରେ ଵିଚି ଭାଇଙ୍କ ଜୀବନୀ ଜାଣିବା ମୋତେ ଅନେକ ଆନ୍ଦୋଳିତ କରିଥିଲା। ଵିଚି ଭାଇ ୨୦୧୯ ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସେହିପରି ଚାରୁ ମା, ଯାହାଙ୍କ ନେତୃତ୍ୱ ଜାତୀୟ ଜୈବ ବିବିଧତା ପୁରସ୍କାର ଲାଭ କରିଛି। ୧୯୯୯ ମହାବାତ୍ୟା ପରେ ଉଜୁଡି ଯାଇଥିବା ଆମ ଗାଆଁ ଜଙ୍ଗଲକୁ ସୁରକ୍ଷା ଦେବା ଓ ସମୁଦ୍ର ଦାଉରୁ ରକ୍ଷା କରିବା ପାଇଁ ଦୀର୍ଘ ୨୧ ବର୍ଷ ଧରି ସେ ୭୦ ଜଣ ମହିଳାଙ୍କୁ ଏକାଠି କରି କାର୍ଯ୍ୟ କରି ଆସୁଛନ୍ତି। ଏହି ସମସ୍ତ ବିବିଧ ପରିବେଶ ମୋତେ ଆମ ସ୍ଥାନୀୟ ଜୈବ ବିବିଧତା ସଂରକ୍ଷଣ ପାଇଁ ଅଧିକ ପ୍ରେରଣା ଦେଇଥିଲା। ଧୀରେ ଧୀରେ ହାଇ ସ୍କୁଲ ପଢ଼ିବା ସମୟରେ ମୁଁ ମଧ୍ୟ ବେଳାଭୂମି ଯାଇ ଅଲିଭ ରିଡ଼ଲେ ମଡକ ଓ ବେଳାଭୂମି ପ୍ରଦୂଷଣ ଦେଖିବା ସହିତ ଉପକୂଳ ଅଞ୍ଚଳ ଜୀବନ- ଜୀବିକାକୁ ଏସବୁର ସୁରକ୍ଷା ବିଷୟରେ ଧୀରେ ଧୀରେ ଜାଣି , ହୃଦୟଙ୍ଗମ କରି ସାରିଥିଲି ଯେ, ଆମକୁ ପରବର୍ତ୍ତୀ ପିଢ଼ି ପାଇଁ ଦାୟିତ୍ଵ ନେବାର ଆବଶ୍ୟକତା ରହିଛି। ଏସବୁ ଘଟଣା ଗୋଟିଏ ପଟେ ଓ ମୁଁ +୨ ବିଜ୍ଞାନ ସାରି କୋରାପୁଟ ଦାମନଯୋଡିରେ ୩ମାସ ପାଇଁ ଯାଇଥାଏ | ସେ ସମୟରେ ନୂଆ ନୂଆ ଫେସବୁକ୍ ଖୋଲିବା ପରେ, ଅଭ୍ୟୁଦୟ ରାଜୀବ କେଳକାରଙ୍କ ସହ ଭେଟ ହେଲା || ସ୍ଥାନୀୟ ଅଂଚଳର ବନ୍ୟଜନ୍ତୁ ମୃତ୍ୟୁ, ସଂଘର୍ଷ ଆଦି ମୁଁ ବିଭିନ୍ନ ପ୍ରକାର ପୋଷ୍ଟ କରୁଥାଏ ସେ ଆମ ସ୍ଥାନୀୟ ଜୈବ ବିବିଧତା ଓ ସେମାନଙ୍କ ସୁରକ୍ଷା ପାଇଁ ମୋତେ ଅଧିକ ବୁଝାଇବା ସହ ଏ ଦିଗରେ ଯୁବକ ମାନେ କାର୍ଯ୍ୟ କରିବାକୁ ସବୁବେଳେ ବୁଝାଉଥିଲେ। ମଧ୍ୟପ୍ରଦେଶର ଅଭ୍ୟୁଦୟ ରାଜୀବ କେଳକାର ଜଣେ ଭଲ ଇତିହାସ ବ୍ଲଗର, ଇକୋଲୋଜିଷ୍ଟ ଓ ଅନଏକାଡେମୀ ରେ ଇତିହାସ ଓ ଇକୋଲୋଜି ଅଧ୍ୟାପନା କରନ୍ତି ଏଵଂ ହିଷ୍ଟୋରୀଗୁରୁ ନାମରେ ଏକ ୟୁଟ୍ୟୁବ୍ ଚ୍ୟାନେଲ ମଧ୍ୟ କରିଛନ୍ତି। ତାଙ୍କ ସହ ଭେଟି ମୋତେ ବାସ୍ତବରେ ପରିବେଶ ସୁରକ୍ଷା ପାଇଁ ଦିଗଦର୍ଶନ ମିଳିଥିଲା। ଏହାପରେ ଓଡ଼ିଶା ପର୍ଯ୍ୟାବରଣ ସଂରକ୍ଷଣ ଅଭିଯାନ ୨୦୧୪ରେ ଆରମ୍ଭ କରି ଏହାକୁ ୨୦୧୯ ରେ ଟ୍ରଷ୍ଟ ଭାବରେ ପଞ୍ଜିକରଣ କରିଛୁ।
ପ୍ରଶ୍ନ : ଏସବୁ କ୍ଷେତ୍ରରେ ଆପଣଙ୍କ ପରିବାରର ଆପଣଙ୍କ ଜୀବନରେ କିପରି ପ୍ରଭାବ ଥିଲା ?
ଉତ୍ତର : ଜଣେ ଭଲ ଛାତ୍ର ଭାବରେ ମୋ ପରିବାର ମୋ ଠାରୁ ଏକ ଭଲ ପେଶା ଆଶା କରିଥିଲା କିନ୍ତୁ ମୋର ଲକ୍ଷ୍ୟ ପରିବେଶ ସୁରକ୍ଷା ନିଶାରେ ସୀମିତ ରହିବାରୁ ସ୍ଥାନୀୟ ଅଂଚଳର ଶିକ୍ଷିତ ସମାଜ ଓ କେତେକ ଖଳ ପ୍ରକୃତିର ଲୋକେ ମୋତେ ପାଗଳ କହୁଥିଲେ। ଯଦିଓ ବୟସ ମୋତେ ୧୭ ହୋଇଥିଲା କିନ୍ତୁ ମୁଁ ବୁଝି ସାରିଥିଲି ପ୍ରକୃତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସ୍ଥିତି ଏବଂ ଏହାର ସଂରକ୍ଷଣ ପାଇଁ ଆବଶ୍ୟକତା। ଯଦିଓ କିଛି ନକାରାତ୍ମକ ଟିପ୍ପଣୀ ମୋତେ ବିଶେଷ ବାଧା ଦେଉ ନଥିଲା, ଘରେ ବାପା, ବୋଉକୁ ବେଶ୍ କଷ୍ଟ ଦେଇଥିଲା। ଯଦିଓ ମୁଁ ସେମାନଙ୍କ ଆଶା ପୂରଣ କରି ପାରିଲି ନାହିଁ, ଗୋଟିଏ ଭଲ ସରକାରୀ ଚାକିରି କରି ପାରିଲି ନାହିଁ କିନ୍ତୁ ସମୟ କ୍ରମେ ବାପା ବୋଉ ମଧ୍ୟ ମୋତେ ଉତ୍ସାହିତ କଲେ ଏ ଦିଗରେ କାର୍ଯ୍ୟ କରିବା ପାଇଁ ଯାହା ଏ ସବୁ ନକାରାତ୍ମକ ଭାବନାକୁ ଆଡେଇ ଆଗକୁ ବଢ଼ିବାରେ ସହଯୋଗ କରିଥିଲା।
ପ୍ରଶ୍ନ : ଆରମ୍ଭରୁ ଏପର୍ଯ୍ୟନ୍ତ ଓଲି ବୟରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଓଡ଼ିଶା ପର୍ଯ୍ୟବରଣ ସରଂକ୍ଷଣ ଅଭିଯାନ ତଥା ଜାତିସଂଘ ଜଳବାୟୁ ନେତା ପର୍ଯ୍ୟନ୍ତ ଯାତ୍ରା କିପରି ଥିଲା ?
ଉତ୍ତର : ବାସ୍ତବରେ ଯାତ୍ରା ସହଜ ନୁହେଁ। ବିଶେଷକରି କମ୍ ବୟସରେ ଗୋଟିଏ ଗ୍ରାମାଞ୍ଚଳରେ ଉଦ୍ୟମ ଉଠାଇ ଏଯାବତ୍ ଏହାକୁ ତିଷ୍ଠି ରଖିବାକୁ ପ୍ରକୃତି ମା ତଥା ପ୍ରଭୁ ଜଗନ୍ନାଥଙ୍କ ଇଛା ରହିଛି। ବୟସ କମ୍ ସାଙ୍ଗକୁ ଅନେକ ନକାରାତ୍ମକ ଟିପ୍ପଣୀ ସହ୍ୟ କରିବା ପାଇଁ ଭଗବାନ ଧୈର୍ଯ୍ୟ ଦେଇଥିଲେ ବୋଲି ମୁଁ କହିବି, ଧୀରେ ଧୀରେ ଶିକ୍ଷିତ ସମାଜ ମୋତେ ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କଲା ଓ ସୀକୃତି ଦେଲା। ନକାରାତ୍ମକ ଟିପ୍ପଣୀ ଦେଉଥିବା ଲୋକ ଆଜି ସମସ୍ତ ସଫଳତା ସମୟରେ ଆଗରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସମୟ ବଦଳିଛି, କିନ୍ତୁ ନିଜ ଶିକ୍ଷା ଜୀବନ କୁ ବଦଳାଇ ପରିବେଶ ସୁରକ୍ଷା ପାଇଁଏହି ଯାତ୍ରା ଅନେକ ଦୁଃଖ ଆଉ ସଂଘର୍ଷପୂର୍ଣ୍ଣ ଥିଲା।
ପ୍ରଶ୍ନ : ଆପଣଙ୍କର ଏ ପରିବେଶପ୍ରେମ ପାଇଁ କାହାକୁ ଆପଣ ନିଜର ଆଦର୍ଶ/ପ୍ରେରଣା ବୋଲି ମାନନ୍ତି ?
ଉତ୍ତର : ବାପା, ବିଚି ଭାଇ, ଚାରୁ ମା, ଅଭ୍ୟୁଦୟ ରାଜୀବ କେଳକର, ଆସାମର ଜାଦେବ ପାୟେଂଙ୍ଗ( ଫରେଷ୍ଟ ମ୍ୟାନ ଅଫ୍ ଇଣ୍ଡିଆ) ଏମାନେ ସମସ୍ତ ମୋ ପାଇଁ ଆଦର୍ଶ/ପ୍ରେରଣା।
ପ୍ରଶ୍ନ : ଆପଣଙ୍କୁ ସବୁଠୁ ଅଧିକ ପ୍ରଶଂସା କେବେ ମିଳିଥିଲା, ଯାହାକୁ ଆପଣ ଜୀବନସାରା ମନେ ରଖିଛନ୍ତି ?
ଉତ୍ତର : ଲିମିକା ବୁକ୍ ଅଫ୍ ରେକର୍ଡସ୍ ୨୦୧୯ ରେ ସ୍ଥାନିତ ହେବା ଆଉ ସେ ସମୟରେ ବିଭିନ୍ନ ସ୍ଥାନରୁ ପ୍ରଶଂସା ଅଧିକ ଖୁସି ଦେଇଥିଲା।
ପ୍ରଶ୍ନ : ଆପଣଙ୍କୁ ଫାଙ୍କା ସମୟରେ କଣ କରିବାକୁ ଭଲ ଲାଗେ ?
ଉତ୍ତର : ମୋର ଫାଙ୍କା ସମୟ କିଛି ନ ଥାଏ। ସବୁବେଳେ ମୁଁ ଲୁଣା ଜଙ୍ଗଲ, ଉପକୂଳ ତଥା ବନ୍ୟଜନ୍ତୁ ସଂରକ୍ଷଣ ଗତିବିଧି ଉପରେ ସମୟ ଅତିବାହିତ କରିଥାଏ।
ପ୍ରଶ୍ନ : ବର୍ତ୍ତମାନର ଯୁବପିଢିଙ୍କୁ ଏଭଳି ପରିବେଶ ତଥା ଜଳବାୟୁ ପରିବର୍ତ୍ତନ ଦିଗରେ ଆଗ୍ରହୀ କରିବା ପାଇଁ କିଛି କାମ କରିପାରିବା କି ?
ଉତ୍ତର : ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର ଭଳି ସହରରେ ସଚେତନ ଲୋକ ରହୁଛନ୍ତି ସେଠାରେ ଲୋକେ ବୁଝିଲେଣି ଜଳବାୟୁ ପରିବର୍ତ୍ତନ କଣ! ଏହାର ଆବଶ୍ୟକତା। କିନ୍ତୁ ମୁଁ ନୂଆ ନୂଆ ପ୍ରତି ମାସରେ ୧୦୦ ରୁ ଉର୍ଦ୍ଧ୍ବ ଅଚିହ୍ନା ଯୁବକଙ୍କ ସଂସ୍ପର୍ଶରେ ଆସେ କିନ୍ତୁ ୧୦୦ ରୁ ଜଣେ ଯଦି ଏପରି କାମ କରିବା ଇଛା ଥିବା ଯୁବକ କମ ମିଳନ୍ତି।
ଏକ ବିଶେଷ କାର୍ଯ୍ୟକ୍ରମ ଦ୍ବାରା ମହାବିଦ୍ୟାଳୟ ମାନଙ୍କରେ ଜଳବାୟୁ ପରିବର୍ତ୍ତନ, ମନୁଷ୍ୟକୃତ ଜୈବ ବିବିଧତା ନଷ୍ଟ, ଜୈବ ବିବିଧତା ଆବଶ୍ୟକତା, ଯୁବକ ମାନଙ୍କ ଭୂମିକା ଏସବୁ ବିଷୟରେ ଛାତ୍ର ଯୁବକ ମାନଙ୍କୁ ସଚେତନ କରାଇବା ଦ୍ଵାରା ଅଧିକ ଯୁବକ ନିଜେ ଘଡିସନ୍ଧି ସ୍ଥିତିକୁ ହୃଦୟଙ୍ଗମ କରି ଏହି କାର୍ଯ୍ୟରେ ଯୋଡ଼ି ହେବେ ବୋଲି ଆଶା।
ପ୍ରଶ୍ନ : ବହୁତ ନୂଆ ପିଲା ମଧ୍ୟ ଆପଣଙ୍କ ଭଳି ଏଦିଗରେ ଆସି ପରିବେଶ ପାଇଁ କିଛି କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଆପଣ କଣ କହିବେ ?
ଉତ୍ତର : ଯେଉଁମାନେ ଆଗକୁ ଆସୁଛନ୍ତି, ମୁଁ ସେମାନଙ୍କ ପାଇଁ ଗର୍ବ ଅନୁଭବ କରୁଛି। ସବୁ ପ୍ରକାର ସାମାଜିକ କାର୍ଯ୍ୟ ଠାରୁ ପରିବେଶ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ। କେବେ ପଛକୁ ନ ଘୁଞ୍ଚି ଓ କାର୍ଯ୍ୟକୁ କେବଳ ବୃକ୍ଷରୋପଣ ରେ ସୀମିତ ନ ରଖି, ଜଙ୍ଗଲ- ବନ୍ୟଜନ୍ତୁ- ପ୍ରଦୂଷଣ ଆଦି ସମସ୍ତ ଦିଗରେ ଚିନ୍ତା କରିବା ସହିତ ଦୀର୍ଘ ଯୋଜନାରେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେବା ଉଚିତ୍।
ଏହି ସାକ୍ଷାତକାର ପାଇଁ ନିଜର ବହୁମୂଲ୍ୟ ସମୟ ଦେଇଥିବାରୁ ଶୁଭ ଦୃଷ୍ଟି ପରିବାର ତରଫରୁ ସୌମ୍ୟରଞ୍ଜନଙ୍କୁ ଅଶେଷ ଧନ୍ୟବାଦ।
Post a Comment