ବାପା

ବାପା - ବିମ୍ବାଧର ମହାପାତ୍ର


ବାପା ଶବ୍ଦ ହିଁ ଯଥେଷ୍ଟ,ସବୁ ଅଳି କୁ ପୂରଣ କରିବାର ସାହସ ଯାହାଙ୍କ ପାଖରେ ଥାଏ,ପିଲାମାନଙ୍କର ଖୁସି ପାଇଁ ଦରକାର ପଡ଼ିଲେ ବନ୍ଧା ପଡିବା ପାଇଁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ,ସବୁ ବେଳେ ହଁ ହିଁ କରନ୍ତି ! ପିଲାମାନଙ୍କର ଭବିଷ୍ୟତ ପାଇଁ ସବୁ ଦୁଃଖକଷ୍ଟ ନିଜ କାନ୍ଧରେ ବୋହି ନିଅନ୍ତି,ହେଲେ ପିଲାମାନେ ବଡ଼ ହେଲାପରେ ସବୁକିଛି ଭୁଲି ଯାଆନ୍ତି .....!

"ବାପା କାଲି ମୋ ଜନ୍ମଦିନ"
"ହଁ ଜାଣିଛି।"
" ଆରଥର ତ ଭୁଲି ଯାଇଥିଲ,ତୁମେ କହିଥିଲ ପରା ଏ ଜନ୍ମଦିନରେ ମୋତେ ଗୋଟେ ମୋବାଇଲ ଫୋନ ଟେ ଉପହାର ଦେବ,ମୋ ସାଙ୍ଗ ମାନେ ଧରୁଛନ୍ତି,ଆଜି ଆଣିବ ତ ! "
"ମନେଅଛି ନିଶ୍ଚିତ ଆଣିବି।"
"ମୋ ସାଙ୍ଗ ମାନଙ୍କୁ ଡାକିଛି କେକ୍ ବି ଆଣିବ,ବୋଉ କହୁଥିଲା ଚକୁଳି ପିଠା କରିବ। ମିଠାମଧ୍ୟ ଆଣିବ।"
" ହଁ ସବୁ ଆଣିବି ...।"

ମଦନ ବାବୁ ଙ୍କର ପୁଅର ସବୁକଥା ଶୁଣିସାରିଲା ପରେ
"  ହଁ ଗତଥର ତାକୁ ଅଭାବ ଥିବାରୁ ଠକି ଦେଇଥିଲି,ହେଲେ ଏଥର ତା ପାଇଁ ନିଶ୍ଚିତ ଆଣିବି,ହେଲେ ହାତରେ ଏତେଟଙ୍କା କାଇଁ, ଯାହାତ ଦରମା ପାଇଥିଲି ସବୁ ଶେଷ ହେଇ ଗଲାଣି,ଦରମା ପାଇବାକୁ ଆହୁରି ଆଠଦିନ ବାକି ଅଛି,ଦେଖିବା କାହାଠାରୁ ଧାର କରିବା,"
ଚିନ୍ତା କରିକି ଡାକ ପକାଇଲେ ମୁନା ବୋଉ ମୁନା ବୋଉ ....

" ହଁ କଣ ହେଲା?"
 "ଆରେ ମୋ ଟିଫିନ ଟା ଦେଲ,ମୁଁ ଯାଏ ସିଆଡେ କାମରେ ଡେରି ହେଇଯିବ ଯେ !"
" ହଁ ଯାଉଛି ଯାଉଛି ! "
ମୁନା ବୋଉ ଟିଫିନ ନେଇକି ଆସିଲେ ।
" ଏଇ ନିଅ ତୁମ ଟିଫିନ ..."
" ମୁନା କହୁଥିଲା ରାତିରେ ଚକୁଳି ପିଠା କରିବ ପରା?"
"ହଁ କରିବି।"
"  ହେଇଟି ଶୁଣିଲ ଖାଲି ଚକୁଳି? ଖିରି ଟିକେ କଲେ ହୁଆନ୍ତା ନି? ଗୋଟେ ବୋଲି ଛୁଆ,ପୁଣି ତା ସାଙ୍ଗ ମାନେ ସବୁ ଆସିବେ, ହଉ ନିଅ ଏଇ ପାଞ୍ଚଶହ ଟଙ୍କା ଯାହା ଆଣିବା କଥା ଆଣିବ ! ଯାଉଛି ..."
  " ହଉ ଜଲଦି ଆସିବ !"

ସନ୍ଧ୍ୟାରେ ମଦନବାବୁ ଆସିଛନ୍ତି,ପୁଅର ମନମୁତାବକ କେକ୍,ମିଠା ଆଉ ଉପହାର ମୋବାଇଲ ଫୋନ !
ମୁନା ବୋଉ ଦେଖିକି ମୁଣ୍ଡ ଖରାପ- " ତୁମେ ଏ ମୋବାଇଲ ଫୋନ କଣପାଇଁ ଆଣିଲ, ପଇସା ତୁମ ପାଖରେ ନାହିଁ ପରା !" "ହଁ  ତୁମରସେଥିରେ ମୁଣ୍ଡ ଖେଳେଇବା ଦରକାର ନାହିଁ,ଆରେ ଆମ ମୁନା ଖୁସିରେ ଆମେ ଖୁସି। "
"ହଉ ତୁମେ ତା ମନବଢିଆ କରିଦେଉଛ ! ଆଜି ମୋବାଇଲ କାଲି ଗାଡି ମାଗିବ,ଦବ ଯେ ...."
 ମଦନ ବାବୁ ଭାବୁଥିଲେ ଏ ଫୋନ ଟା ନଆଣିଥିଲେ,କଣ ଖୁସି ହେଇପାରି ଥାଆନ୍ତା, ହଉ ପଛେ ଦଶଟଙ୍କିଆ ସୁଧ ....

ମୁନା ବଡ଼ହେଇଛି,ଚାକିରୀ କରିଛି,ବୋହୁଟିଏ ଘରକୁ ଆସିଛି,ହେଲେ ବୋହୁ ଆମ ଘରଦ୍ୱାର ରେ ସନ୍ତୁଷ୍ଟ ନୁହେଁ,ତାକୁ ସବୁ ଅତ୍ୟାଧୁନିକ ସେବା ଦରକାର, ଯାହା ଆମ ଘରେ ନାହିଁ,ସବୁ କୁଆଡେ ତା ବାପାଙ୍କ ଘରେ ଅଛି,ସେଇଥିପାଇଁ ମୁନା ବୋଉ ସାଥିରେ କେତେ କଜିଆ ..ମଝିରେ ମଝିରେ ଆତ୍ମହତ୍ୟା ର ଧମକ ଦେଉଛି ! ମୁନା ଏବେ ତା ସ୍ତ୍ରୀ କଥାରେ ପଡି ତା ବୋଉକୁ ଭୁଲ ବୁଝିଲାଣି,ସବୁ ଦୁଖକଥା ପାଶୋରି ଗଲାଣି,ଏବେ ମୁନା ତା ଶଶୁର ଘରେ ରହୁଛି ....

ମଝିରେ ମଝିରେ ମୁନବୋଉ ଦେହ ଖରାପ ହେଉଛି,ଡାକ୍ତରଖାନା କେତେଥର ନେଲେଣି, ହେଲେ ଡାକ୍ତର ବାବୁ କହୁଛନ୍ତି ତାଙ୍କର କୁଆଡେ କିଡନୀ ଖରାପ, କଟକ ରେ ଟିକେ ଦେଖାଅ।"
କଣ କରିବେ ପାଖରେ ଗୋଟେ ପଇସା ନାହିଁ କେମିତି ନେବେ,ନିଷ୍ପତ୍ତି ନେଇଛନ୍ତି ମୁନା ପାଖକୁ ଯିବେ,କିଛି ଟଙ୍କା ମାଗିବେ !
ହେଲେ ମୁନା କହିଲା-" ମୋ ପାଖରେ ପଇସା ନାହିଁ ଏବେ କାର ଟିଏ କିଣିଦେଲି,ଅଫିସ କୁ ଯିବା ଆସିବାରେ ଅସୁବିଧା ହେଲାବୋଲି ! ଯଦି ପାରୁଛ ସେ ଘରଦିହ ଟା ବନ୍ଧା ପକାଇ,ବୋଉକୁ କଟକ ନେଇଯାଅ ! "
"ହଁରେ ପୁଅ ତୋତେ ପାଠ ପଢେଇବି ବୋଲି,ଜମିଗୁଡ଼ା ବିକ୍ରି କରିଦେଇଥିଲି,ଆଉ ତୋ ବୋଉକୁ ଭଲ କରିବାପାଇଁ ଯଦି ଘରଦିହ କଣ,ଯଦି ମୋତେ ବିକ୍ରି କରିବାକୁ ପଡେ,ନିଶ୍ଚିତ କରିବି ! ଯା ଆଜିଠାରୁ ଭୁଲି ଯିବୁ ତୋ ବାପା ବୋଲି ଜଣେ କିଏ ଥିଲା ବୋଲି। "

Post a Comment

Post a Comment (0)

Previous Post Next Post
Free Shubhdristi App Download Now