ବାପା - ମୋନାଲିଶା
ଅନେକ ବର୍ଷ ପରେ ଆଜି ସୌରଭର ସୁଜିତ ବାବୁଙ୍କ କଥା ବହୁତ ମନେ ପଡୁଥିଲା।ଅନେକ ପୂର୍ବରୁ ହଜି ଯାଇଥିବା ଦିନଗୁଡିକୁ ସେ ସ୍ମୃତିର ଆଲବମରୁ ଧିରେଧିରେ କାଢି ଆଖି ପଲକରେ ସଜଉ ଥିଲା। ହଷ୍ଟେଲରେ ରହି ପଢୁଥିବା ବେଳେ ବେଳେବେଳେ ସେ ବହୁତ ମିସ୍ କରେ ଘରକୁ। କିନ୍ତୁ ଆଶ୍ଚର୍ଯ୍ୟ ସାଙ୍ଗେ ସାଙ୍ଗେ ଗେଟ୍ ଆଡକୁ ଚାହିଁଦେଲେ ତା ବାପା ଆସୁଥାନ୍ତି। ସେହିଭଳି ପଇସା ପତ୍ର କେବେ ସରିଗଲେ ସେ କହିବା ଆଗରୁ ବାପା ଜମା କରି ଦେଇଥାନ୍ତି ତା ଏକାଉଣ୍ଟରେ। ଯେବେ ବି ହଷ୍ଟେଲ ଆସନ୍ତି ପରିଚାଳକଠୁ ନେଇ ରୋଷେୟା ମଉସାଙ୍କ ଯାଏ ସମସ୍ତଙ୍କୁ କୁହନ୍ତି "ଆମ ସୌରଭର ଟିକେ ଯତ୍ନ ନେଉଥିବ। ଘରଠୁ ଦୂରରେ ଅଛି ଛୁଆଟା। " ମନେ ଅଛି ଥରେ ତାର ଭୀଷଣ ଦେହ ଖରାପ ହେଇଥାଏ। ଆଗକୁ ପରୀକ୍ଷା ବି ଥାଏ। ମାନସିକ ଭାବେ ଦୁର୍ବଳ ହେଇଗଲା ସେ। ଭାବିଲା ତା କ୍ୟାରିୟର ଖରାପ ହେଇଯିବ। କିନ୍ତୁ ସୁଜିତ ବାବୁଙ୍କ ପ୍ରୋତ୍ସାହନ ଆଉ ସମର୍ଥନ ତାକୁ ସାହସ ଦେଇଥିଲା ବିଶ୍ବବିଦ୍ୟାଳୟର ସ୍ବର୍ଣ୍ଣ ପଦକକୁ ହାସଲ କରିବାକୁ।"
ସ୍ତ୍ରୀ କେଟ୍ ର ସ୍ପର୍ଶରେ ବାସ୍ତବିକତାକୁ ଫେରିଲା ସୌରଭ। ସତରେ ଅତୀତଟା ଆଜି କେତେ ସୁନ୍ଦର ଲାଗୁଛି। ଅନେକ ବର୍ଷ ପରେ ଆଜି ସୌରଭର ମନେ ପଡୁଥିଲା ତା ବାପା, ମା ଆଉ ଗାଁ କଥା। ନିଜର କରି ଜାବୁଡି ଧରିଥିବା ବିଦେଶଟା ଆଜି ପରପର ଲାଗୁ ଥିଲା ତାକୁ। ନିଜ ଭିଟାମାଟି ଭୁଲି ଏଇଠି ରହି ଯାଇଥିଲା ସେ। ଅନେକ ପଛରେ ଛାଡି ଆସିଥିଲା ତାର ସ୍ମୃତିରେ ସାଇତା ଅତୀତକୁ। ବାପା ଜମା ରାଜି ନଥିଲେ ତାର ଏଭଳି ନିଷ୍ପତ୍ତିରେ। ଅନେକ ବୁଝେଇଥିଲେ ତାକୁ। କିନ୍ତୁ ପରିଶେଷରେ ହାରି ଯାଇଥିଲେ ତାର ସ୍ବପ୍ନ ପାଖେ। ଗୋଟିଏ ବାପା ଆଉ ଅଧିକ କଣ କରିପାରେ। ଶେଷରେ ନିଜ ସ୍ବପ୍ନ ସହ ସେ ଉଡି ଆସିଥିଲା ଦୂରକୁ।ଅନେକ ଦୂରକୁ। ପ୍ରଥମେ ପ୍ରଥମେ ତ ସବୁକିଛି ଠିକ୍ ଥିଲା। ବାପା ବି ତା ସଫଳତା ପାଇଁ ବହୁତ ଗର୍ବିତ ଥିଲେ। ସେ ସବୁବେଳେ ଫୋନ୍ ମାଧ୍ୟମରେ ତାଙ୍କ ସହ କଥା ହେଉଥିଲା। ବେଳେବେଳେ ଆସି ତାଙ୍କୁ ଦେଖି ଯାଉଥିଲା। କିନ୍ତୁ ଧିରେଧିରେ ସବୁ କେମିତି ଯେ ପରିବର୍ତ୍ତନ ହେଇଗଲା ସେ ନିଜେ ବି ଜାଣି ପାରି ନଥିଲା।କେବେ ତାର ଫୋନ୍ କରିବା, ଘରକୁ ଯିବା, ସେମାନଙ୍କ ସହ କଥା ହେବା ଏସବୁ ସହ ସଂପର୍କ ଛିନ୍ନ ହେଇଗଲା ସେ ଜାଣି ପାରିଲାନି। ପ୍ରଥମେ ପ୍ରଥମେ କିଛି ବର୍ଷ ଯାଏ ବାପା ତାକୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ବ୍ୟସ୍ତତା ଯୋଗୁ ସେ ତାଙ୍କୁ ଏଡେଇ ଯାଉଥିଲା। ତାପରେ ହୁଏତ ବାପା ବି ବ୍ୟସ୍ତ ହେଇଗଲେ। ବାସ୍ ସେବେଠୁ ପ୍ରାୟ ଦଶ ବର୍ଷ ହେଲାଣି ତାର କୌଣସି ସଂପର୍କ ନାହିଁ ବାପାଙ୍କ ସହ।
ଏଇ କିଛି ଦିନ ହେବ ସୌରଭର ଚାକିରୀ ଚାଲି ଯାଇଛି। ସେ ଦେଶରେ ଚାଲିଥିବା ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ କମ୍ପାନୀ ବିଦେଶୀ ନାଗରିକଙ୍କୁ ଛଟେଇ କରି ଦେଇଛି। ସବୁ ମହଙ୍ଗା ଏଠି। ସ୍ତ୍ରୀ ଛୁଆପିଲାଙ୍କୁ ନେଇ ଚଳିବାକୁ ଅନେକ କଷ୍ଟ ହେଉଛି ତାକୁ। କଣ କରିବ କିଛି ବୁଝି ପାରୁନି। ସେଥିପାଇଁ ହୁଏତ ଆଜି ବାପା ତାର ମନରେ ପଡୁଛନ୍ତି। ଅଗତ୍ୟା ନିଜ ଦେଶକୁ ଫେରିବାକୁ ମନସ୍ଥ କଲା ସେ।
ଗାଁ ର ଶେଷ ମୁଣ୍ଡରେ ତାଙ୍କ ଘର। ଝାପ୍ସା ଅତୀତକୁ ସ୍ପଷ୍ଟ କରୁ କରୁ ସେ ପହଞ୍ଚି ସାରିଥିଲା ନିଜ ଘର ପାଖେ। କିନ୍ତୁ ଏ କଣ! ଚମକି ପଡିଲା ସେ। ତାଙ୍କ ଘର ଜାଗାରେ ମୁଣ୍ଡଟେକି ଛିଡା ହେଇ ଠିଆ ହେଇଛି ଏକ ବିଶାଳ ବୃଦ୍ଧାଶ୍ରମ। ଅନେକ ଲୋକ ଚଳପ୍ରଚଳ କରୁଛନ୍ତି। ଭାବିଲା ବୋଧେ ସେ ଠିକ୍ ସେ ତା ଘର ଠିକଣା ମନେ ପକାଇ ପାରୁନି। ପୁଣି ଆଖି ବନ୍ଦ କରି ଭାବିଲା। "ନାଁ ତ, ଏଇ ଜାଗା। ତାର ପିଲାଦିନ ଏଇଠି ହିଁ କଟିଛି। ହଁ , ଅନତି ଦୂରରେ ସେ ବରଗଛ ଟା ବି ଅଛି।"
ଆଗେଇ ଗଲା ସେ ବୃଦ୍ଧାଶ୍ରମ ଆଡେ। ଭିତରକୁ ଯାଇ ପଚାରିଲା ତା ବାପା ମାନେ ସୁଜିତ୍ ବାବୁଙ୍କ ବିଷୟରେ। ପରିଚାଳକ କହିଲେ "ହଁ ,ସେ ଆଉ ନାହାଁନ୍ତି। ତାଙ୍କ ଧର୍ମପତ୍ନୀଙ୍କ ବିୟୋଗ ପରେ ନିଜକୁ ଅପୁତ୍ରିକ ବୋଲି ଦର୍ଶାଇ ସେ ତାଙ୍କର ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରି ଏଇଠି ଏକ ବୃଦ୍ଧାଶ୍ରମ ଖୋଲିବାକୁ ଅନୁରୋଧ କରିଥିଲେ। ବାକି ଜୀବନ ବି ସେ ଏଇଠି କାଟିଛନ୍ତି। ଏଇ ବରଷେ ହେବ ସେ ଆରପାରିକୁ ଚାଲିଗଲେ।"
ହଠାତ୍ ପାଦତଳୁ ମାଟି ଖସିଗଲା ସୌରଭର।ଆକାଶଟା ଛିଡି ପଡିଲା ମୁଣ୍ଡରେ। ଛୋଟ ଛୁଆଟେ ପରି କାନ୍ଦିକାନ୍ଦି ଗଡି ଯାଉଥିଲା ସେ। କେହି କିଛି ବୁଝି ପାରୁ ନଥିଲେ।ଅତୀତ ସବୁ ବାଷ୍ପୀଭୂତ ହେଇ ଲୁହରେ ଝରି ଯାଉଥିଲା। ସେଇ ବାଷ୍ପ ଭିତରେ ଗୋଟେ ଚେହେରା ଏବେ ବି ଉଙ୍କି ମାରୁଥିଲା। ସେ ଥିଲେ ତା "ବାପା"।
Ati sundar sanga
ReplyDeletePost a Comment