ଓଡ଼ିଆ ଚଳଚ୍ଚିତ୍ର ଜଗତର ଟ୍ରାଜେଡି କୁଇନ୍ : ମଣିମାଳା ଦେବୀ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଟ୍ରାଜେଡି କୁଇନ୍ : ମଣିମାଳା ଦେବୀ
ଲେଖା - ଅମ୍ରିତେଶ ଖଟୁଆ


ଓଡ଼ିଆ ମାଟିରେ ସେତେବେଳେ ରଙ୍ଗମଞ୍ଚ ପାଇଁ ଝିଅମାନଙ୍କୁ ଥାଏ ସମାଜର ବାରଣ। ଏରୁଣ୍ଡି ବନ୍ଧ ଡେଇଁ ପଦାକୁ ଆସିବାରେ ପ୍ରୟୋଜନ ନଥିଲା ପ୍ରଥାରେ। ହେଲେ, ବିହଙ୍ଗ ଥରେ ପଞ୍ଜୁରୀ ମଧ୍ୟରୁ ବିମୁକ୍ତ ହୋଇଗଲେ, ନୀଡ଼ ଛାଡି ତ ଆସିପାରିବନି, ସେ ନୀଡାଶ୍ରୟୀ ମୁକ୍ତାକାଶ ମଧ୍ୟରେ ନିଜକୁ ସଞ୍ଚରି ନିଏ ପୁଣି ଥରେ ନବଜୀବନରେ। "ଓଡ଼ିଆ ଚଳଚ୍ଚିତ୍ର ଜଗତର ସେ ଥିଲେ ଟ୍ରାଜେଡି କୁଇନ୍ ! ଶୈଶବରୁ ବିଦ୍ୟାଳୟର ପାଦଦେଶ ମଣ୍ଡନ କରିନଥିଲେ, ହେଲେ ହେଁ ଅଭିନୟରେ ଅପଟାନ୍ତର ତାଙ୍କର କଳା-ନୈପୁଣ୍ୟ। ଆଉ ସେହି ଟ୍ରାଜେଡି କୁଇନ୍ ହେଉଛନ୍ତି ମଣିମାଳା ଦେବୀ !


୧୯୩୦ ମସିହା ଜୁନ୍ ୧୯ ତାରିଖରେ ଅବିଭକ୍ତ କଟକ ଜିଲ୍ଲାର ବାଲିବିଶି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ମଣିମାଳା ଦେବୀ। ଅତି ଛୋଟ ବୟସରୁ ନିଜ ମାତାପିତାଙ୍କୁ ହରେଇ ବସିଥିଲେ। ପିତାଙ୍କ ଅକାଳ ବିୟୋଗର ଶୋକରେ ମାତା ମଧ୍ୟ ଦେହତ୍ୟାଗ କରିଥିଲେ। ଜୀବନର ନାଟିକା ସମାପନ ହେଇଯାଏ ତାଙ୍କର, କିନ୍ତୁ, ନବଜନ୍ମା ଅଲ୍ୟଳି ଯେ କଣ କେବଳ ଏକ ବଣମଲ୍ଲୀ ପରି ଫୁଟିକି ନିଷ୍ପ୍ରାଣ ହୋଇ ଝଡିଯିବ ! ମଞ୍ଚରେ ହେଉ କି ପରଦାରେ, ତାଙ୍କ କଷଣ ଯେ କେବଳ ଏକ ଇଙ୍ଗିତ ଥିଲା ଭବିତବ୍ୟକୁ!

ସେତେବେଳେ ଅନେକ ଅଭିନେତ୍ରୀଙ୍କୁ ଧୀରେ ଧୀରେ ବିବର୍ତ୍ତିତ ହେଉଥିଲା ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରେକ୍ଷାପଟ୍ଟ। କିମ୍ଵଦନ୍ତୀ ଅଭିନେତ୍ରୀ ରାଧାରାଣୀ ଦେବୀଙ୍କ ସାହାଯ୍ୟରେ ସେ ମାତ୍ର ୯ ବର୍ଷ ବୟସରେ ଅନ୍ନପୂର୍ଣ୍ଣା ଥିଏଟର୍ସ (ଏ) ରେ ଯୋଗ ଦିଅନ୍ତି। ସେଠାରେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ଧୀରେନ୍ ଦାଶ ଏବଂ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଠାରୁ ନୃତ୍ଯ, ସଂଗୀତ ତଥା ଅଭିନୟ କଳାରେ ଦୀକ୍ଷିତ ହୋଇଥିଲେ। ଆଉ ତାହା ପରଠାରୁ ଆରମ୍ଭ ହେଇଯାଇଥିଲା ଓଡ଼ିଆ ଚଳଚିତ୍ରରେ ଏକ ଯୁଗ !

୧୯୪୫ ମସିହାରେ ଯୋଗ ଦେବା ପରେ ପ୍ରଥମ କରି 'ଜୟଦେବ' ନାଟକରେ ନିଜର ଅଭୂତପୂର୍ବ ଅଭିନୟ କଳା ଦ୍ଵାରା ସମସ୍ତଙ୍କୁ ଅଭିଭୂତ କରିପାରିଥିଲେ ମଣିମାଳା ଦେବୀ। ପରବର୍ତ୍ତୀ ସମୟରେ ସେ କଟକର ଅନ୍ନପୂର୍ଣ୍ଣା ଥିଏଟର୍ସ (ବି) ଏବଂ ଜନତା ରଙ୍ଗମଞ୍ଚରେ ଯୋଗ ଦିଅନ୍ତି। ଗୁରୁ ଦୟାଲ ଶରଣଙ୍କ ଠାରୁ କଥକ ଏବଂ ଗୁରୁ କେଳୁଚରଣ 


ମହାପାତ୍ରଙ୍କ ଠାରୁ ଓଡିଶୀ ନୃତ୍ୟର ଶିକ୍ଷା ପାଇଥିଲେ। ତାଙ୍କ ସହକାରିଣୀ ରାଧାରାଣୀ ଦେବୀଙ୍କ ତତ୍ତ୍ଵାବଧାନରେ ତାଙ୍କ ଅଭିନୟ କଳା ଆହୁରି ପ୍ରସ୍ଫୁଟିତ ହେଉଥାଏ। ଆଉ ଯୁଗଯୁଗ ଧରି ଯେଉଁ ଓଡ଼ିଆ ମାଟିର ବାସ୍ନା ଥିଲା, ସେ ମୁହୁର୍ମୁହୁ ବିତରି ଗଲା ସର୍ବତ୍ର !

୧୯୫୩ ମସିହାରେ କଟକର ଆକାଶବାଣୀଠାରେ ପ୍ରଥମ କରି କଣ୍ଠଦାନ କରି ସ୍ଵୀକୃତି ପାଇଥିଲେ। ଏହା ପରେ କଟକର ଏହି ବେତାର କେନ୍ଦ୍ରରେ ସେ ଯୋଗଦାନ କରିଲେ। ୧୯୪୮ ମସିହାରେ ଜବାହରଲାଲ ନେହେରୁ ଯେତେବେଳେ ଭୁବନେଶ୍ୱରର ରାଜଧାନୀ ରୂପେ ଭିତ୍ତି ସ୍ଥାପନ ପାଇଁ ଆସିଥିଲେ, ମଣିମାଳାଙ୍କ କଥକ୍ ନୃତ୍ୟ ସେତେବେଳେ ସମସ୍ତଙ୍କୁ ଅଭିଭୂତ କରିଥିଲା । ଏହା ପରେ ସେ କିମ୍ଵଦନ୍ତୀ ଅଭିନେତା ସାମୁଏଲ୍ ସାହୁଙ୍କ ସହ ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କ "ଝଞ୍ଜା" ଏବଂ "ପରକଲମ" ରେ ଅପୂର୍ବ ତଥା ଉଚ୍ଚକୋଟୀର ଅଭିନୟ ପରେ ସାମୁଏଲ୍ ସାହୁ-ମଣିମାଳାଙ୍କ ଯୁଗଳବନ୍ଦୀ ଆଜି ବି ଅବିସ୍ମରଣୀୟ। ୧୯୫୮ ମସିହାରେ ପ୍ରଜାତନ୍ତ୍ର ପ୍ରଚାର ସମିତି ଶ୍ରେଷ୍ଠ ମଞ୍ଚାଭିନୟ ପାଇଁ ପୁରସ୍କୃତ କରିଥିଲା !


ମଣିମାଳାଙ୍କ ଅଭୂତପୂର୍ବ ଅଭିନୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଫୁଲ୍ଲ ସେନଗୁପ୍ତାଙ୍କୁ ଢେର୍ ପ୍ରଭାବିତ କରିଥିଲା। ୧୯୫୩ ମସିହାରେ ତାଙ୍କରି ନିର୍ଦ୍ଦେଶିତ "ଶ୍ରୀଲୋକନାଥ" ଚଳଚ୍ଚିତ୍ରରେ ପ୍ରଥମ ଥର ମଣିମାଳା ଅଭିନୟର ସୁଯୋଗ ପାଇବା ସହ ଏହି ଚଳଚ୍ଚିତ୍ର ୧୯୬୦ ମସିହାରେ ରାଷ୍ଟ୍ରପତିଙ୍କ ଦ୍ଵାରା ରୌପ୍ୟ ପଦକ ପ୍ରାପ୍ତ ହେବା ସହ ପୁରସ୍କୃତ ହୋଇଥିଲା। ନିଚ୍ଛକ ଭାରତୀୟ ସଭ୍ୟତାର ପଟ୍ଟଭୂମିରେ ପରିକଳ୍ପିତ ଏହି ଚଳଚ୍ଚିତ୍ର ସେତେବେଳେ ସମଗ୍ର ଭାରତବର୍ଷର ହୃଦୟ ରୋମନ୍ଥନ କରି ରୋମାଞ୍ଚ ଖେଳେଇ ଦେଇଥିଲା ! ଆଉ ଏହାର ତଦାନୀନ୍ତନ ଶ୍ରେୟ ଯାଇଥିଲା ବିଜୟିନୀ ମଣିମାଳାଙ୍କୁ !

'ଲକ୍ଷ୍ମୀ' (୧୯୬୨), 'ସୂର୍ଯ୍ୟମୁଖୀ' (୧୯୬୨), 'ଜୀବନସାଥୀ' (୧୯୬୩), 'ଅଭିନେତ୍ରୀ' (୧୯୬୫), 'ମଲାଜହ୍ନ (୧୯୬୫), 'ନିଷିଦ୍ଧ ସ୍ଵପ୍ନ' (୧୯୮୭), 'କିଛି ସ୍ମୃତି କିଛି ଅନୁଭୂତି' (୧୯୮୮), 'ଅନ୍ଧ ଦିଗନ୍ତ' (୧୯୯୦), 'କ୍ଳାନ୍ତ ଅପରାହ୍ଣ', 'ଭିନ୍ନ ସମୟ', 'ନୀରବ ଝଡ଼', 'ଭାଇଭାଉଜ' , 'କା', 'ମାୟାମିରିଗ', 'ମେଘମୁକ୍ତି', 'ପରଝିଅ ଘରଭାଙ୍ଗେନା' ଭଳି ୨୮ ଟି ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଭାବଜ ଅଭିନୟ କରିବା ସହ ୧୪ ଟି ଚଳଚ୍ଚିତ୍ର ରାଷ୍ଟ୍ରପତି ପୁରସ୍କାର ପାଇଥିଲା - ଯାହାକି ସେ ସମୟରେ ଏକ ରେକର୍ଡ ସୃଷ୍ଟି କରିପାରିଥିଲା ! ଆଉ 'ଅଭିନେତ୍ରୀ' ଓ ମଲାଜହ୍ନ' ର ନିର୍ଦ୍ଦେଶନା ଅମର ଗାଙ୍ଗୁଲି ଓ ନିତାଇ ପାଲିତ ଦେଇଥିବା ସହ 'କିଛି ସ୍ଵପ୍ନ କିଛି ଅନୁଭୂତି', 'ଅନ୍ଧ ଦିଗନ୍ତ' ଏବଂ 'ନିଷିଦ୍ଧ ସ୍ଵପ୍ନ' ର ନିର୍ଦ୍ଦେଶନା ଦେଇଥିଲେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ମନମୋହନ ମହାପାତ୍ର।

'କ୍ଳାନ୍ତ ଅପରାହ୍ଣ' ଚଳଚ୍ଚିତ୍ର ଦେଶବିଦେଶରେ ଏହାର ପ୍ରଶସ୍ତି ସୃଷ୍ଟି କରିପାରିଥିଲା । ମଣିମାଳା ଦେବୀଙ୍କ ପ୍ରେରଣାପ୍ରଦ ଓ ଜୀବନ୍ତ ଅଭିନୟ ସେତେବେଳେ ଅନେକ ନାରୀ ଚରିତ୍ରଙ୍କୁ ପ୍ରଥାର ଦୁରଭିପ୍ରେତ ଏରୁଣ୍ଡିକୁ ଡେଇଁବା ପାଇଁ ସମୁଦ୍ୟତ କରେଇଥିଲା, ଆଉ ମଣିମାଳା ଆଖ୍ୟାୟିତ ହୋଇଯାଇଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର 'ଟ୍ରାଜେଡି କୁଇନ୍ ! ' ପାଠ ପଢିନଥିଲେ, କିନ୍ତୁ, ଚଳଚ୍ଚିତ୍ରର ସଂଳାପ ତାଙ୍କ କଣ୍ଠରେ ଯେପରି ଅତିଶୀଘ୍ର ଜୀବନ୍ତ ହେଇ ଯାଉଥିଲା । ଏହି ଉଦାର ଅଭିନେତ୍ରୀ ସେତେବେଳେ ନିର୍ଦ୍ଦେଶକ ଓ ସମକାଳୀନ ଅଭିନେତା ଓ ଅଭିନେତ୍ରୀଙ୍କ ପ୍ରିୟ 'ମଣିଅପା' ପାଲଟି ଯାଇଥିଲେ !


୧୯୮୦ ମସିହାରେ ଉତ୍କଳ ପାଠକ ସଂସଦ ଦ୍ଵାରା ପୁରସ୍କୃତ ହେବା ସହ ୧୯୮୭ ମସିହାରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ। ୧୯୯୦ ମସିହାରେ ରାଜ୍ୟ ଚଳଚ୍ଚିତ୍ର ନିଗମ ପକ୍ଷରୁ ସ୍ଵତନ୍ତ୍ର ସମ୍ମାନ, ୧୯୯୬ ମସିହାରେ ରାଜ୍ୟ ଚଳଚ୍ଚିତ୍ର ନିଗମ ସ୍ମୃତିଫଳକ, ୧୯୯୯ ମସିହାରେ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ସମେତ ଓଡିଶା ସିନେ କ୍ରିଟିକ୍ ଆସୋସିଏସନ୍ ପକ୍ଷରୁ ବାଣୀଚିତ୍ର ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ। ଏଥି ପୂର୍ବରୁ ସେ ପ୍ରଥମ କରି ଅନ୍ନପୂର୍ଣ୍ଣା ଥିଏଟର୍ସ (ଖ) ଦ୍ବାରା ରୌପ୍ୟ ପଦକ ପାଇ ସାରିଥିଲେ। ଆଜୀବନ ଚମତ୍କାର ଅଭିନୟ ସାଧନା ପାଇଁ ସେ ୨୦୦୦ ମସିହାରେ ଜୟଦେବ ପୁରସ୍କାର ଏବଂ ୨୦୦୮ ମସିହାରେ କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ।

ଅଗଣିତ ଶ୍ରଦ୍ଧା ଓ ପ୍ରସିଦ୍ଧି ପରେ ତାଙ୍କୁ ୧୬ ବର୍ଷ ପର୍ଯ୍ୟନ୍ତ ରୋଗବ୍ୟାଧି ଲାଗି ରହିଥିଲା। ତାଙ୍କର ସ୍ଵାସ୍ଥ୍ୟବସ୍ଥା ଅତ୍ୟନ୍ତ ସଙ୍ଗୀନ ହେଇଯାଇଥିଲା। ମଣିମାଳା ସେତେବେଳେ ସରକାରଙ୍କୁ ଏପରିକି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପକୁ ଆର୍ଥିକ ସହାୟତା ପାଇଁ ଯାଚନା କରିଥିଲେ ମଧ୍ୟ ତାଙ୍କୁ ଯଥେଷ୍ଟ ଅନୁଗ୍ରହ ପ୍ରାପ୍ତ ହୋଇନଥିଲା। ଦୀର୍ଘ ଦିନର ବୟସାଧିକ୍ୟ ରୋଗ କାରଣରୁ ୧୬ ଜୁନ୍ ୨୦୧୬ ରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଅପରାହ୍ଣ ୨ଟା ୪୫ ମିନିଟ୍ ରେ ଦେହାବସାନ ଘଟିଥିଲା। ଏହିପରି ଜଣେ ଦେବୀତୁଲ୍ୟା ଅଭିନେତ୍ରୀଙ୍କ ଆଦର୍ଶ ଆଜିର ଯୁବପିଢି ସମେତ ଆବାଳବୃଦ୍ଧବନିତାଙ୍କ ପାଇଁ ନିତାନ୍ତ ଧ୍ୟେୟ ହେବ, ଏହା ମୋର ଦୃଢ ଆଶା |

Post a Comment

0 Comments

Hindi Ads