ସାକ୍ଷାତକାର : ଦୀପନ୍ୱିତ ଦାଶମହାପାତ୍ର

ସାକ୍ଷାତକାର : ଦୀପନ୍ୱିତ ଦାଶମହାପାତ୍ର

ଦୀପନ୍ୱିତ ଦାଶମହାପାତ୍ର ଆଜିର ଯୁବପିଢ଼ି ପାଖରେ ଏକ ଲୋକପ୍ରିୟ ନାମ । ପ୍ରଥମେ "ପ୍ରଜାପତି" ମ୍ୟୁଜିକ୍ ଭିଡିଓ ରୁ ଆରମ୍ଭ କରି "କ୍ଷଣିକା ଦି ଲଷ୍ଟ୍ ଆଇଡିଆ" ପରି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ୱେବ ସିରିଜ “ରାବଣ ପୋଡ଼ି”ର ଦେବା ଠାରୁ ଆରମ୍ଭ କରି "ଟିକେ ସତ ଟିକେ ମିଛ" ୱେବ୍ ସିରିଜ ର ମୁକ୍ତି ପରି ଅନେକ ଚରିତ୍ର ରେ  ଅଭିନୟ କରି ସେ ଦର୍ଶକଙ୍କ ମନରେ ନିଜର ଛାପ ଛାଡିଯାଇଛନ୍ତି।
ତାଙ୍କ ଅଭିନୀତ ମ୍ୟୁଜିକ ଭିଡ଼ିଓ ହେ ଫଗୁଣ, ପ୍ରଜାପତି, କାଗଜ ଡ଼ଙ୍ଗା, ନୀରବତା ତଥା ମାଟି ମୁହଁ, ଗଳ୍ପ ଅଳ୍ପ, ରୟାଲସ୍ ପରି କ୍ଷୁଦ୍ର ଚଳଚ୍ଚିତ୍ର ସମସ୍ତଙ୍କ ନାହିଁ ନଥିବା ପ୍ରଶଂସା ଗୋଟୋଉଚି । ନିଜକୁ କେବଳ ଚଳଚ୍ଚିତ୍ର କିମ୍ବା ମ୍ୟୁଜିକ୍ ଭିଡିଓ ରେ ବାନ୍ଧି ନ ରଖି କମଳା, ପାର୍କ, ଦୁଇଟି ସୂର୍ଯ୍ୟ ଦଗ୍ଧ ଫୁଲକୁ ନେଇ, କନ୍ୟାଦାନ ତଥା ଚୁହଲ୍ ପରି ଥିଏଟର ମାଧ୍ୟମରେ ନିଜ ବଳିଷ୍ଠ ଅଭିନୟର ପ୍ରମାଣ ଦେଇଛନ୍ତି ଦୀପନ୍ୱିତ। 

ତେବେ ଶୁଭଦୃଷ୍ଟି ପରିବାର ତରଫରୁ ଓଡ଼ିଆ କଥାଚିତ୍ର ତଥା ନାଟ୍ୟଚିତ୍ର ଜଗତର ଉଦୀୟମାନ ତାରକା ଦୀପନ୍ୱିତଙ୍କୁ ଆମେ ପଚାରିଥିଲୁ ୧୦ ଟି ପ୍ରଶ୍ନ 


ଦୀପନ୍ୱିତଙ୍କୁ ଦଶଟି ପ୍ରଶ୍ନ

ପ୍ରଶ୍ନ : ଆପଣଙ୍କ ପିଲାବେଳ ଓ ପଢାପଢି ବିଷୟରେ ପାଠକମାନଙ୍କୁ କିଛି ସୂଚନା ଦିଅନ୍ତୁ ?

ଉତ୍ତର : ମୋର ଜନ୍ମ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଗାଁ ନାମ କୁଡେଇ । ସ୍କୁଲ ପାଠ S. N. High School ସୋରରେ ଏବଂ +୨ ମଧ୍ୟ U. N. College ସୋରରେ, ତାପରେ ଇଞ୍ଜିନିୟରିଂ ପାଇଁ ITER ଆସିଲି, ଏଠି ଜାଣିବାକୁ ପାଇଲି ଡ୍ରାମା କ୍ଳବ୍ "Toneelstuk the stage piece" ବିଷୟରେ ସେଠି କିଛିଦିନ କାମ କରିଛି । ତା'ପରେ ଜାଣିବାକୁ ପାଇଲି ଭୁବନେଶ୍ୱରରେ ଥିଏଟର୍ ହେଉଛି, ସେଠାରୁ ଯାଇ "ଉତ୍ତର ପୁରୁଷ" ସଂସ୍ଥାରେ ଯୋଗଦେଲି । ସେଇଠାରୁ ଥିଏଟର୍ ଯାତ୍ରା ଆରମ୍ଭ ହେଲା, ଏବେ "ଜୀବନ ରେଖା" ନାମକ ଏକ ଗ୍ରୁପରେ କାମ କରୁଛି ।

ପ୍ରଶ୍ନ : ଇଞ୍ଜିନିୟରିଂରୁ ଆକ୍ଟିଙ୍ଗ ଏକ ସଂପୂର୍ଣ୍ଣ ଭିନ୍ନ କଥା, ହଠାତ୍ ଇଞ୍ଜିନିୟରିଂରୁ ଆକ୍ଟିଙ୍ଗ ଆଡ଼କୁ କାହିଁକି ମୁହାଁଇଲେ ?

ଉତ୍ତର : ଛୋଟ ବେଳେ ଗୋଟେ ଛୋଟ ସହରରେ ରହୁଥିଲେ । ସେତେବେଳେ ଜୀବନରେ କଣ କରିବି କିଛି ଜାଣିନଥିଲେ । ଭଲ ପାଠ ପଢ, ଭଲ ଚାକିରୀ କର ଓ ଭଲ ମଣିଷ ହୁଅ, ଏମିତି କଥା ମନରେ ଥିଲା । କିନ୍ତୁ ଏଠି ଆସି ଜାଣିଲି ଜୀବନ ବଞ୍ଚିବାର ଅନେକ ରାସ୍ତା ରହିଛି । ଜୀବନଟା ସେଇଆ ନୁହଁ ଯାହା ଖାତାବହିରେ ଏକ ରୁଟିନ୍ ଅନୁସାରେ  ଲେଖାଯାଇଛି । କେତୋଟି ଜିନିଷ ଦେଖି ଜଣାପଡ଼େ ଯେ ଆମେ କେବଳ ଏଇଥି ପାଇଁ ତିଆରି ହୋଇଛୁ ଏବଂ ଏଇଆ କଲେ ଆମେ ଆହୁରି ଭଲ କରିପାରିବା । ମୁଁ ବି ସ୍ଥିର କରିନଥିଲି ଏହି ଲାଇନକୁ ଆସିବି ବୋଲି କି ଇଞ୍ଜିନିୟରିଂ ଛାଡ଼ିଦେବି ବୋଲି ! କିନ୍ତୁ କିଛି କାମ ଆପଣଙ୍କ ଆଗ୍ରହ ବଢାଇଦିଏ ଆହୁରି ଅଧିକରୁ ଅଧିକ ଭଲ କରିବା ପାଇଁ, ସେଥିରେ କୌଣସି ଚାପ ପଡେନି । ମୋତେ ଲାଗିଲା ମତେ ଏ ରାସ୍ତା ଟିକିଏ ସହଜ ହେବ । ସେଥି ପାଇଁ ପାଠପଢା ପରେ ଏ ଦିଗରେ ଆଗ୍ରହୀ ହେଲି।

ପ୍ରଶ୍ନ : ଆପଣଙ୍କ ସାଙ୍ଗମାନେ ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାରେ ଚାକିରୀ କରିଛନ୍ତି, ସେମାନଙ୍କୁ ଦେଖି କେବେ ଅଭିନୟ କ୍ଷେତ୍ରକୁ ଆସି ଭୂଲ୍ କରିଛି କି ବୋଲି ଭାବିଛନ୍ତି କି ?

ଉତ୍ତର : ଇଞ୍ଜିନିୟରିଂ ର ଶେଷ ବର୍ଷରେ ଯେତେବେଳେ ଏ ନିଷ୍ପତ୍ତି ନେଲି ମୁଁ ଜାଣିଥିଲି ଆଗକୁ କଣ ଘଟିବ ସମ୍ପୂର୍ଣ୍ଣ ସ୍ପଷ୍ଟ ନଥିଲି କିନ୍ତୁ ଜାଣିଥିଲି ଭଲ ଚାକିରୀ ନଥିବ, ଏବେ ସାଙ୍ଗମାନଙ୍କୁ ଦେଖିଲେ ବଡ଼ ଚାକିରୀ ଆଉ ଭଲ ଭଲ ଜାଗା ବୁଲିବାକୁ ଯାଉଛନ୍ତି ଦେଖିଲେ ବେଳେବେଳେ ଭାବେ କିନ୍ତୁ ସେଇ ସାଙ୍ଗମାନେ ଫୋନ୍ କରି ବି କୁହନ୍ତି ତୁ ତ ବଢିଆ କାମ କରୁଛୁ ଆମେ ଏଠି ଖାଲି ଅଫିସରେ ବସି ବସି କାମ ଚିନ୍ତା ରେ ରହୁଛୁ। ସେତେବେଳେ ଲାଗେ ଦୁନିଆଟା ଏମିତି ହିଁ ବାଲାନ୍ସ ହୁଏ। 


ପ୍ରଶ୍ନ : ଆରମ୍ଭରୁ ଏପର୍ଯ୍ୟନ୍ତ ସେ ବମ୍ବେ ଆଇଟିଆଇରେ ନାଥୁରାମ୍ ଗୋଡ଼ସେ ଚରିତ୍ରରୁ ଆରମ୍ଭ କରି ଏପର୍ଯ୍ୟନ୍ତ ମିଳୁଥିବା ଚରିତ୍ରମାନଙ୍କ ପର୍ଯ୍ୟନ୍ତ ଅଭିନୟର ଯାତ୍ରା କିପରି ଥିଲା ?

ଉତ୍ତର : ଥିଏଟରକୁ ଛାଡ଼ିଲା ପରେ ସେମିତି ବିଧିବଦ୍ଧ ତାଲିମ୍ ଆଉ କେଉଁଠି ପାଇନି ! ଅଭିନୟ ଏମିତି ଏକ ଜିନିଷ ଆପଣ ଯେତେ କରି ଚାଲିବେ ତାହା ସେତେ ବିଶ୍ଲେଷିତ ହେବ । ତେଣୁ ମୁଁ ଖୋଜିବା ପ୍ରଚେଷ୍ଟାରେ ଅଛି । ସେତେବେଳେ ଏମିତି ଥିଲା କି ୪ରୁ ୫ ଜଣ ଲୋକ ଭଲ କହିଦେଲା ପରେ ହଁ ଆକ୍ଟିଙ୍ଗ୍ ହେଇଗଲା ପରି ଲାଗେ । କିନ୍ତୁ ଭଲ କହିଲେ ବି ସେମାନେ କେଉଁ କୋଣରୁ ଭଲ କହୁଛନ୍ତି କି ଶୁଣେଇବା ପାଇଁ ଭଲ କହିଦେଉଛନ୍ତି ଏମିତି ବହୁତ କିଛି ଜିନିଷ ଏବେ ମୁଣ୍ଡରେ ରଖିବାକୁ ପଡ଼ୁଛି । ଏମିତି କଲେ ହିଁ ଆଗକୁ ଯାଇହେବ।

ପ୍ରଶ୍ନ : ଓଡ଼ିଆ ଅଭିନୟ ଜଗତରେ ଆପଣଙ୍କ ସବୁଠୁ ପ୍ରିୟ ଅଭିନେତା କିଏ ଓ କାହାକୁ ଆପଣ ନିଜର ଆଦର୍ଶ ବୋଲି ମାନନ୍ତି ?

ଉତ୍ତର : କହିବାକୁ ଗଲେ ସେମିତି କେହି ପ୍ରିୟ ନାହାନ୍ତି କିନ୍ତୁ ଓଡ଼ିଆ ସିନେ ଜଗତରେ ନିର୍ଦ୍ଧିଷ୍ଟ କେତେକ ଜଣଙ୍କ ଅଭିନୟ ଭଲଲାଗେ ଓ ପ୍ରେରଣା ମଧ୍ୟ ଯୋଗାଏ । ଯେମିତି କି "ଚୌଧୁରୀ ଜୟପ୍ରକାଶ ଦାସ", "ଚୌଧୁରୀ ବିକାଶ ଦାସ"  ଚୌଧୁରୀ ଜୟପ୍ରକାଶ ଦାସ ହେଉଛନ୍ତି ମୋର ପ୍ରଥମ ଗୁରୁ । ଯେତେବେଳେ ମୁଁ ଉତ୍ତର ପୁରୁଷ ନାଟ୍ୟସଂସ୍ଥାରେ ଯୋଗଦେଲି ପ୍ରଥମ ମାସ ଗୋଟିଏ ୱାର୍କସପ୍ ହୋଇଥିଲା । ଆଉ ସେସବୁ କ୍ଲାସ୍ ସାର୍ ନେଇଥିଲେ, ତାଙ୍କ ଅଭିନୟ ଓ ଚିନ୍ତାଧାରା ଭିନ୍ନ ଅଟେ । ଆପଣ କଣ ଭାବୁଛନ୍ତି, କଣ ଦେଖାଇବାକୁ ଚାହୁଁଛନ୍ତି ଏବଂ କେଉଁ ପ୍ରକ୍ରିୟା ଦେଇଗଲେ ଆପଣ ସଠିକ୍ ଜିନିଷ ଉପସ୍ଥାପିତ କରିପାରିବେ, ଏସବୁ ନଜର କଲେ ମୋତେ ସାର୍ ବହୁତ ଭଲ ଲାଗନ୍ତି ଆଉ ଆଦର୍ଶ କହିଲେ "ଅଭିନ୍ନ ରାଉତରାୟ" ସାର, ସାରଙ୍କର ନାଟକ ପ୍ରତି ଦୃଷ୍ଟିଭଙ୍ଗୀ କୁ ଦେଖି ଦେଖି ବହୁତ୍ କିଛି ଶିଖିଛି। 


ପ୍ରଶ୍ନ : ଆପଣଙ୍କୁ ଅଭିନୟ ପାଇଁ ସବୁଠୁ ଅଧିକ ପ୍ରଶଂସା କେବେ ମିଳିଥିଲା, ଯାହାକୁ ଆପଣ ଜୀବନସାରା ମନେ ରଖିଛନ୍ତି ?

ଉତ୍ତର : ଆଇଆଇଟି ବମ୍ବେରେ ମୁଁ ନାଥୁରାମ୍ ଗୋଡସେ ଚରିତ୍ର ଏକକ ଅଭିନୟ କରିଥିଲି, ସେଥିରେ ଜଜ୍ ଥିଲେ ବଲିଉଡ୍ ତାରକା ପଙ୍କଜ ତ୍ରିପାଠୀ । ଅଭିନୟ ସରିବା ପରେ ସେ ମୋତେ ଡାକି କେତୋଟି କଥା କହିଥିଲେ ତାକୁ ପ୍ରଶଂସା ବୋଲି କହିହେବନି କିନ୍ତୁ ମୋତେ ଲାଗିଥିଲା ଯେ ହଁ ଏତେ ବଡ଼ ଲୋକ ଏତେ ଧ୍ୟାନର ସହ ମୋ ଅଭିନୟକୁ ଦେଖିଛନ୍ତି ଆଉ ଏତେ କଥା ମୋ ନଜରକୁ ବି ଆସିନଥିଲା । ସେସବୁ ଶୁଣିଲା ପରେ ମୋତେ ଲାଗିଲା ଯେ ଏହା ମୋତେ ଆଗକୁ ନିଶ୍ଚୟ ସାହାଯ୍ୟ କରିବ, ଆଉ ତାକୁ ହିଁ ନେଇ ମୁଁ ଆଗକୁ ବଢିଛି। 


ପ୍ରଶ୍ନ : ବହୁତ ନୂଆ ପ୍ରତିଭା ଅଭିନୟ ଜଗତକୁ ଆସି କିଛି ନୂଆ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଆପଣ କଣ କହିବେ ?

ଉତ୍ତର : ସମସ୍ତଙ୍କ ମନରେ ସେହି ସ୍ୱଳ୍ପ କ୍ଷଣ ପାଇଁ ଯେଉଁ ସୁଖ ତାହା ରହିଯାଇଛି । ମୁଁ ବି ଦେଖୁଛି ଆମ ଥିଏଟର୍ ଗ୍ରୁପକୁ ବହୁତ ଭଲ ପିଲା ଆସୁଛନ୍ତି । ସେମାନେ ଥିଏଟରକୁ ଏକ ପାହାଚ ବୋଲି ଭାବୁଛନ୍ତି । ଥିଏଟର୍ ହେଇଗଲା ପରେ କେହି ଜଣେ ସିରିଏଲ୍ ଡ଼ାଇରେକ୍ଟର ମୋତେ ଦେଖିନେବ, ଗୋଟେ ଦିଟା ସିରିଏଲ୍ କରିଦେବ, ଦୁଇଟ ମ୍ୟୁଜିକ୍ ଭିଡ଼ିଓ ବନେଇ ଦେବ ! ଏହି ଅନୁସାରେ ହୋଇଯିବ । କିନ୍ତୁ ଅଭିନୟ ଏତେ ଛୋଟ ଜିନିଷ ନୁହଁ, ସବୁଠୁ ବଡ଼ କଥା କାମ ବାଛିବା, ଆପଣ କେଉଁ ବ୍ୟାନରରେ କାମ କରୁଛନ୍ତି ଏବଂ କାହା ନିର୍ଦ୍ଦେଶନାମାରେ କାମ କରୁଛନ୍ତି କିମ୍ବା ତୁମେ ଯାହା କରିବାକୁ ଚାହୁଁଛ ସେହି ଲୋକର ଚିନ୍ତାଧାରା ସେମିତି କି ନୁହେଁ ? ଏମିତି ବହୁତ କଥା ଆସୁଛି, ଆଉ ଏସବୁ ପାଇଁ ଗୁରତ୍ୱପର୍ଣ୍ଣ ହେଲା ପାଠ । ବହୁତ ଲୋକ କହନ୍ତି ଇଞ୍ଜିନିୟରିଂ ଛାଡି ଏ ଲାଇନକୁ ଆସିଛ କିନ୍ତୁ ମୁଁ ଇଞ୍ଜିନିୟରିଂ ଛାଡ଼ିନି, ମୁଁ କରିକି ଆସିଛି ଆଉ ତାକୁ ମଧ୍ୟ ସାଙ୍ଗରେ ଧରିଛି । ଏବେବି ଗୋଟିଏ ଜିନିଷ ବିଶ୍ଲେଷଣ କଲାବେଳେ ଯଦି ଆପଣଙ୍କ ପାଖରେ ଶିକ୍ଷା ରହିଛି ତାହେଲେ ନିର୍ଭୁଲ୍ ଭାବେ କରିପାରିବେ। ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ଗୋଟିଏ କଥା କହିବି ଅଭିନୟ ପାଇଁ ସାହିତ୍ୟରେ ମଧ୍ୟ ରୁଚି ରଖ । ବହୁତଗୁଡ଼ିଏ ଉପନ୍ୟାସ, ଗଳ୍ପ ଓ କବିତା ଆଦି ପଢାପଢି କର । ଅଭିନୟ ଏମିତି ନୁହେଁ ଯେ ମୁହଁରେ ରଙ୍ଗମାଖି ନାଚିଦେଲେ ହେଇଗଲା । ତେଣୁ ଏସବୁ ଦିଗ ପ୍ରତି ଦୃଷ୍ଟି ଦେବା ଜରୁରୀ ।

ପ୍ରଶ୍ନ : ଆପଣଙ୍କୁ ପଢାପଢି କରିବାକୁ ଭଲ ଲାଗେ ? ଆପଣଙ୍କ ପ୍ରିୟ ଲେଖକ କିଏ ? ଏବଂ କେଉଁ ବହି ଆପଣଙ୍କୁ କିଛି ପ୍ରେରଣା ଦେଇଛି କି ?

ଉତ୍ତର : ହଁ, ମୁଁ ସେମିତି କୌଣସି ବଛା ବଛା ଲେଖକଙ୍କ ଲେଖା ପଢୁନଥିଲି । କିନ୍ତୁ ଏବେ ଯେହେତୁ ମୋତେ ହିନ୍ଦୀ ପଢିବାକୁ ଭଲଲାଗେ, ମୁଁ ମାନବ କୌଲଙ୍କ ଜଣେ ବଡ଼ ପାଠକ । ଏବେ ମୁଁ ତାଙ୍କରି ବହି ସବୁ ପଢିବାକୁ ଚେଷ୍ଟା କରୁଛି । କବିତା ଏମିତି ସାଧାରଣ କବିତା ପଢେ । ବିନୋଦ କୁମାର ଶୁକ୍ଳାଙ୍କ କବିତା ବହୁତ ଭଲ ଲାଗେ । ଆଉ କିଛି ଆଧୁନିକ କବିମାନଙ୍କ ଲେଖା ବି ଭଲ ଲାଗେ ପଢିବାକୁ ।


ପ୍ରଶ୍ନ : ଆପଣ କେବେ କିଛି ଲେଖାଲେଖି କରିଛନ୍ତି କି ?

ଉତ୍ତର : ହଁ, ମୁଁ ଲେଖେ; ହେଲେ ମୋତେ ଲାଗେନି ମୁଁ ତା' ଅନ୍ୟାମାନଙ୍କୁ ଦେଖାଇଲା ପରି ଲେଖା । ଅଭିନୟ ଯେମିତି ସମସ୍ତଙ୍କୁ ଦେଖାଇପାରେ ଲେଖାଗୁଡ଼ିକ ମୋତେ ଲାଗେନି ଦେଖାଇବି, ଏବେ ଥାଉ ମୋ ପାଖେ ।

ପ୍ରଶ୍ନ : ଓଡ଼ିଆ ଭାଷା କିମ୍ବା ସଂସ୍କୃତି ପାଇଁ ଆମେ ସିନେମା ମାଧ୍ୟମରେ କିଛି କାମ କରିପାରିବା କି ?

ଉତ୍ତର : ହଁ କିନ୍ତୁ ସେଇଟା ସିନେମା, ତା ମାଧ୍ୟମରେ ଭାଷା ଓ ସଂସ୍କୃତିକୁ ନିଶ୍ଚୟ ଦେଖାଇହେବ । କିନ୍ତୁ ତାହା ସିନେମାର ଏକ ଅଂଶ ହେବା ଦରକାର । କେତେକ ନିର୍ଦ୍ଧିଷ୍ଟ ଓଡ଼ିଆ ସିନେମା ରହିଛି ମୁଁ ନାଁ କହିବି ନାହିଁ, ସେଥିରେ ଭାଷା ଓ ସଂସ୍କୃତି ଆଳରେ ସିନେମାଟିକୁ ଆଗକୁ ନେବା ପାଇଁ ଚେଷ୍ଟା କରାଯାଇଛି, କିନ୍ତୁ ସିନେମା ଏକମାତ୍ର ମାଧ୍ୟମ ହେବା ଉଚିତ୍ ନୁହେଁ । ଓଡ଼ିଆ ଲୋକମାନଙ୍କ ଧାରଣା ଯେ ସିନେମାରେ କେବଳ ଓଡ଼ିଆ ସଂସ୍କୃତି ଓ ପରମ୍ପରା ହିଁ ରଖାଯାଉ । କିନ୍ତୁ କାହାଣୀ ଅନୁସାରେ ଯଦି ତାହା ସେତିକି ଆବଶ୍ୟକ ତାହଲେ ରଖନ୍ତୁ ଏବଂ ଆପଣ ଯଦି ସମ୍ମାନ ଦେଉଛନ୍ତି, ଗବେଷଣା କରିଛନ୍ତି, ଠିକ୍ ଜାଣିଛନ୍ତି ତାହେଲେ ରଖନ୍ତୁ । ହଁ କେତେଜଣ ପ୍ରଚେଷ୍ଟା ଜରି ରଖିଛନ୍ତି ଏବଂ ସେ ଦିଗରେ କାମ ମଧ୍ୟ ଆଗଉଛନ୍ତି ।

ଏଇ ସାକ୍ଷାତକାର ପାଇଁ ନିଜର ସମୟ ଦେଇ ଥିବାରୁ ଶୁଭଦୃଷ୍ଟି ପରିବାର ତରଫରୁ ଦୀପନ୍ୱିତଙ୍କୁ ବହୁତ ଧନ୍ୟବାଦ ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now