ମାଆ - ଶ୍ରୀମାନି ପ୍ରିୟଦର୍ଶିନୀ ଦାସ
କେମିତି ଈଶ୍ୱର ଗଢିଛି ସତରେ
ଏଇ ସୁନ୍ଦର ରୂପ ଟି ଆହା
ଯେତେ ଡାକୁଥିଲେ ମନ ବୁଝେ ନାହିଁ
ଡାକୁ ଥାଏ ମାଆ ମାଆ ।
ତୋ ପଣତେ ମାଆ କି ଯାଦୁ ଅଛି
ଧରି ବୁଲୁଥାଇ ମୁହିଁ
ତୋ ପଣତ ଠାରୁ ଏ ଦୁନିଆରେ ବଡ଼
ଆଉ କିଛି ସତେ ନାହିଁ ।
ତୋ କୋଳରେ ପାଏ ସରଗ ସୁଖ ମୁଁ
ଆଉ କିଛି ଲୋଡା ନାହିଁ
ଦୁନିଆକୁ ଯେତେ ବୁଝିନାହିଁ ମୁହିଁ
ବୁଝେଇ ଦେଇଛୁ ତୁହି ।
ନିରୀହ ମୁହଁଟି ଲାଗେ ତୋର ମୋତେ
ଜମା ଦେଖି ନାହିଁ ଦୁଃଖ
ଘାତେ ପ୍ରତିଘାତେ ସବୁ କାରଣ ତ
ସମ୍ଭାଳି ପାଇଛୁ ସୁଖ ।
ମଥାରେ ତୋହର ସିନ୍ଦୂର ଟୋପା ଟି
ଆହା କି ସୁନ୍ଦର ଦିଶେ
ସେଇ ମଥାରୁ ତୋର ଓଢଣା ଟି
ଦେଖି ନାହିଁ କେବେ ଖସେ ।
ବାରମାସେ ତୁହି କେତେ ଓଷାବ୍ରତ ରଖି
ମୋ ଶୁଭ କାମନା କରି ଥାଉ
ଏଇ ପରିବାରର କେତେ ମଙ୍ଗଳ ପାଇଁକି
ନିତି ଠାକୁରଙ୍କୁ ଡାକୁ ଥାଉ ।
ଖାଇଛୁ କି କେବେ ପଚାରିଲେ ତୋତେ
ବାର ବାର ଭୁଲି ଯାଉ
ତଥାପି ଆନନ୍ଦେ ନାନା ବ୍ୟଞ୍ଜନ ବନାଇ
ତୋ ହାତରେ ଖୋଇ ଦେଉ ।
ବେମାର ପଡ଼ିଲେ ରାତି ଅନିଦ୍ରା ହୋଇକି
ବାହୁନି ବାହୁନି କାନ୍ଦୁ
ସଫଳତା ଯେବେ ପାଇଲେ ବି ମୁହିଁ
ତୋ ଆଖିରେ ଦେଖେ ମୁକ୍ତା ବିନ୍ଦୁ ।
ଦଶମାସ ଦଶଦିନ ଗର୍ଭରେ ଧରି ତୁ
ଜନମ ଦେଇଛୁ ମୋତେ
ତୋ ଠାରୁ ବଳି ଏଇ ସଂସାରରେ
ମୁଁ ଜାଣିନି କାହାକୁ ସତେ ।
ଈଶ୍ବରଙ୍କ ବୋଧେ ଦ୍ୱିତୀୟ ରୂପ ତୁ
ଧରାକୁ ଆସିଛୁ ସତେ
ଯେତେ ଦେଖୁଥିଲେ ତୋର ମନ ବୁଝେନାହିଁ
ଦେଖୁଥାଉ ଖାଲି ମୋତେ ।
ମମତାମୟୀ ତୁ ସ୍ନେହ ଓ ଦୟାର ସାଗର
ତୋ କୋଳେ ସରଗ ସୁଖ
ତୁ ଥିଲେ ପାଖରେ ଭୁଲି ଯାଏ ମୁହିଁ
ମୋର କେତେ ଅଛି ସୁଖ ଦୁଃଖ ।
ଖୁବ ଚମତ୍କାର ଲେଖା
ReplyDeleteଖୁବ ସୁନ୍ଦର
ReplyDeletePost a Comment