ପରିବର୍ତ୍ତନ

ପରିବର୍ତ୍ତନ - ମୋନାଲିଶା


ସୁଜାତା ଦେବୀ ଆଜିକାଲି ଭାରି ବ୍ୟସ୍ତ। ତାଙ୍କର ଏକମାତ୍ର ପୁଅ ସତ୍ୟ ପାଇଁ ବୋହୁ ଖୋଜିବାରେ ଲାଗି ପଡିଛନ୍ତି।  ପିଲାଟା କେତେ ଶୀଘ୍ର ଯେ ବଡ ହେଇଗଲା ସେ ଜାଣି ପାରିଲେ ନାହିଁ। କାଲି ପରିକା ଲାଗୁଥିଲା ତାଙ୍କୁ। ସତ୍ୟ ତାଙ୍କର ଏକମାତ୍ର ପୁଅ। ବିବାହର ସାତ ବର୍ଷ ପରେ ତାଙ୍କ କୋଳକୁ ଆସିଥିଲା ସେ।ଏକୋଇର ବଳା ବିଶିକେଶନ ପରି ବହୁତ ଗେଲବସରରେ ବଡ କରିଥିଲେ ତାକୁ। ସତ୍ୟ ଏବେ ତିରିଶ ବର୍ଷ ବୟସରେ ପଦାର୍ପଣ କରିଛି। ଉଚ୍ଚଶିକ୍ଷା ସମାପ୍ତି କରି ସେ ଏବେ ଏକ ଆନ୍ତର୍ଜାତୀୟ କମ୍ପାନୀରେ ଚାକିରୀ କରୁଛି। ତେଣୁ ତାକୁ ହାତକୁ ଦି ହାତ କରିଦେଲେ ସୁଜାତା ଦେବୀ ଟିକେ ଶାନ୍ତିରେ ନିଶ୍ବାସ ନେବେ। ସ୍ବାମୀ ସରୋଜ ବାବୁଙ୍କ ଦେହାନ୍ତ ପରେ ସେ ସଂପୂର୍ଣ୍ଣ ଏକା ହେଇ ଯାଇଛନ୍ତି। ଘରକୁ ବୋହୁଟିଏ ଆସିଲେ ଘରଟା ପୂରି ଉଠିବ।
ଆଶା ଦେବୀ ସୁଜାତା ଦେବୀଙ୍କ ବାନ୍ଧବୀ। ସୁଜାତା ଦେବୀ ତାଙ୍କୁ ଝିଅ ଖୋଜିବାର ଦାୟିତ୍ୱ ଦେଇଛନ୍ତି। ଆଶା ଦେବୀ ବି ତାଙ୍କୁ ତାଙ୍କ ମନଲାଖି ଝିଅଟିଏ ଖୋଜି ଦେବେ ବୋଲି କଥା ଦେଇଛନ୍ତି। ସୁଜାତା ଦେବୀ ଚାହାଁନ୍ତି ତାଙ୍କ ବୋହୁ ସତ୍ୟ ପରି ଉଚ୍ଚ ଶିକ୍ଷିତା ହେଇଥାଉ। ନହେଲେ ଲୋକ କଣ କହିବେ।ଆଉ ସେ କର୍ମଜୀବି ହେଇଥିଲେ ଆହୁରି ଭଲ। ଆଜିକାଲିର ସମାଜ ଆଉ ସମୟକୁ ଦୃଷ୍ଟିରେ ରଖିଲେ ସତ୍ୟ ପାଇଁ ଏମିତି ଝିଅଟିଏ ହିଁ ଉପଯୋଗୀ।
ଅନେକ ଖୋଜାଖୋଜି ପରେ ଆଶା ଦେବୀ ଗୋଟିଏ ଏପରି ପ୍ରସ୍ତାବ ପାଇଲେ।ସୁଜାତା ଦେବୀ ଝିଅକୁ ଦେଖି ପୁରା ଖୁସି। ଝିଅଟି ଦେଖିବାକୁ ବହୁତ ସୁନ୍ଦର। ନାଁ ତାର ସୁଷମା।ସତ୍ୟଠୁ ଅଧିକ ଶିକ୍ଷିତ। ଆଉ ସତ୍ୟର କମ୍ପାନୀରେ ତାର ସହକର୍ମୀ ଭାବେ କାର୍ଯ୍ୟରତ। ସତ୍ୟ ମଧ୍ୟ ଏ ପ୍ରସ୍ତାବରେ ରାଜି ହେଇଗଲା।
ଖୁବ୍ ଶୀଘ୍ର ଗୋଟେ ମାହେନ୍ଦ୍ର ଲଗ୍ନରେ ଦୁହିଁକ ବିବାହ ମଧ୍ୟ ହୋଇଗଲା। ବିବାହର କିଛି ଦିନ ସୁରୁଖୁରୁରେ କଟିଗଲା।
ଧିରେଧିରେ ସୁଜାତା ଦେବୀ ସତ୍ୟର ସ୍ତ୍ରୀ ସୁଷମା ଉପରେ ଅସନ୍ତୁଷ୍ଟ ରହିବାକୁ ଲାଗିଲେ। ବେଳେବେଳେ ତାକୁ ରୁକ୍ଷ ବ୍ୟବହାର କରିବାକୁ ମଧ୍ୟ ପଛାଉ ନଥିଲେ।ସୁଷମା ଏହାର କାରଣ ଜାଣି ପାରୁ ନଥିଲା। ସେ ତ କେବେ ତା କର୍ତ୍ତବ୍ୟରେ ହେଳା କରିନି, ଅଫିସ୍ ସହ ଘର କୁ ଅତି ଉତ୍ତମ ଭାବେ ସମ୍ଭାଳିଛି।ଏସବୁ ଜଞ୍ଜାଳରେ ପଶି ସେ ନିଜକୁ ଭୁଲି ଯାଇଛି। ତା ହେଲେ କଣ ପାଇଁ ସୁଜାତା ଦେବୀ ତା ଉପରେ ଏମିତି ଖପା ହେଉଛନ୍ତି। ସେ ସ୍ଥିର କଲା ଯେ ସେ ଏ ବିଷୟରେ ସ୍ବାମୀ ସତ୍ୟଙ୍କ ସହ କଥା ହେବ।
ରବିବାର ଦିନ ସତ୍ୟ ଆଉ ସୁଜାତା ଦେବୀ ବସି କଥା ହେଉଥିଲେ।ସତ୍ୟ ତା ମା'ଙ୍କୁ ତାଙ୍କ ଅଶାନ୍ତିର କାରଣ ପଚାରିଲା। ସୁଜାତା ଦେବୀ କହିଲେ-"  ତୁ ମୋର ଗୋଟିଏ ବୋଲି ପୁଅ। ତତେ ମୁଁ କେତେ ଗେଲବସରରେ ବଢେଇଥିଲି। କୁଟା ଖଣ୍ଡକ ଦିଖଣ୍ଡ କରିବାକୁ ଦେଇନି। ତୋର ସବୁ ଦାୟିତ୍ୱ ମୁଁ ନେଇଛି। କିନ୍ତୁ ଏ ଅଲକ୍ଷଣି ଟା ଆସିବା ଦିନଠୁ ତତେ କାମ କରଉଛି। ଅଫିସରୁ ଆସିଲା ପରେ ବି ତୁ ଘର କାମ କରୁଛୁ। ପୁରୁଷ ପୁଅ ତୁ। ତତେ କଣ ଏସବୁ ଶୋଭା ଦେଉଛି। ମୁଁ କଣ ଏତେ କଥା ଜାଣିଥିଲି କି, ସେ ପଡିଶା ଘର ବୀଣା ମାଉସୀ କହିଲା ପରଠୁ ମୁଁ ଜାଣିଲି। ସେ କହିଲା, " ସୁଜାତା ଯା କହ, ତୋ ପୁଅର ଦୁର୍ଭାଗ୍ୟ ଆରମ୍ଭ ହୋଇଗଲା। ତୋ ବୋହୁ ତାକୁ ସବୁଦିନ ଘର କାମ କରଉଛି।ସବୁବେଳେ ଏଟା କରିଦିଅ, ସେଟା କରିଦିଅ କହି କାମ ବରାଦ କରୁଛି। ସତ୍ୟ ଟା ତ ସୁଧାର ପିଲା। ଚୁପଚାପ ସ୍ତ୍ରୀର ସବୁକଥା ମାନି ଯାଉଛି।"
ଏତିକି କହୁକହୁ ସୁଜାତା ଦେବୀ କାନ୍ଦି ପକେଇଲେ। ସତ୍ୟ ମା' ଆଖିରୁ ଲୁହ ପୋଛୁ ପୋଛୁ କହିଲା- " ମା' ଲୋକ କେତେ କଥା କହିବେ। ତାଙ୍କ କଥା ଆମେ ଶୁଣିବା କଣ ନିହାତି ଦରକାର। ତୁ ପା ମୋତେ ପାଳି ପୋଷି ଏତେବଡ କରିଛୁ। ଦୁନିଆ ଦେଖେଇଛୁ। ଆଜି ତୁ ସେ ଲୋକଙ୍କ କଥାକୁ ମନ ଭିତରେ ଧରି ବସିଛୁ। ମା' ଟିକେ ଭାବେ ସୁଷମା ତା ଘର ଲୋକଙ୍କୁ ଛାଡି ଆସି ଆମ ଘରକୁ ଆଦରି ନେଇଛି। ଆମକୁ ସ୍ନେହ, ପ୍ରେମ ଯତ୍ନ କରିବାରେ କେବେ ଅବହେଳା କରିନି। ତାର ନିଜର ବୋଲି ଏଠି କେହି ନାହିଁ। ଭାବିଲୁ ତାକୁ କେତେ କଷ୍ଟ ହେଉଥିବ। ତଥାପି ସେ ତୋ କଥାରେ କେବେ ପ୍ରତିବାଦ କରିନି ତୋ ମନ ଦୁଃଖ ହେବ ବୋଲି। ସେ ବି ମୋ ପରି କର୍ମଜୀବି ମା। ଅଫିସର ଚାପ ଆଉ କାର୍ଯ୍ୟଭାର ଅନେକ ତା ଉପରେ। ଅଫିସରୁ ସେ ବି କ୍ଳାନ୍ତ ହେଇ ଫେରୁଛି।ତାପରେ ବି ସେ ଘରକାମ କରିପାରୁଛି ସେତିକି ବହୁତ। ତା ଛଡା  ଅଫିସ ପରେ ତ ମୁଁ ଫ୍ରି। ତାକୁ ଘର କାମରେ ସାହାଯ୍ୟ ଟିକେ  କରିଦେଲେ କାମ ବି ଶୀଘ୍ର ସରି ଯାଉଛି। ଜଣେ ସ୍ବାମୀ ହିସାବରେ ତାକୁ ସାହାଯ୍ୟ କରିବା ମାନବିକତା ଦୃଷ୍ଟିରୁ ମୋର କର୍ତ୍ତବ୍ୟ। ମୋର ଦୁର୍ଭାଗ୍ୟ ନୁହେଁ ମା। "
ସୁଜାତା ଦେବୀଙ୍କ ଆଖିରୁ ଲୁହ ଗଡି ଚାଲିଥିଲା। ଅନତି ଦୂରରେ ଚା କପ୍ ଧରି ଭିଜା ଆଖିକୁ ନୁଆଁଇ ଠିଆ ହୋଇଥିବା ସୁଷମାକୁ ଡାକି ଛାତିରେ ଜାବୁଡି ଧରିଥିଲେ ସୁଜାତା ଦେବୀ। ଏକ ମା' କୋଳର ଉଷ୍ମତାକୁ ଅନୁଭବ କରୁଥିଲା ସୁଷମା। ସତ୍ୟଙ୍କ ପ୍ରତି କୃତଜ୍ଞତାର ଚାହାଣିଟିଏ ଫିଙ୍ଗି ଦେଇ ଥଣ୍ଡା ହେଇ ଯାଇଥିବା ଚା କୁ ଗରମ କରିବାକୁ ଯିବା ବେଳେ ସୁଜାତା ଦେବୀ ଟାଣି ଧରିଲେ ତାକୁ।
ଆଉ ସତ୍ୟକୁ ଚା ର ଟ୍ରେ ଧରେଇ ରୋଷେଇ ଘର ଆଡକୁ ଇସାରା କରି କହିଲେ" ଆଜି ଚା ଟା ମୁଁ ମୋ ପୁଅ ହାତରୁ ପିଇବି।"
ସତ୍ୟ ଅତ୍ୟନ୍ତ ଖୁସି ମନରେ ଦେଖୁଥିଲା ଗୋଟିଏ ମାର ପରିବର୍ତ୍ତିତ ମମତାର ଧାରାକୁ।
#ମୋନାଲିଶା ©ମୋନାଲିଶା

Post a Comment

0 Comments

Hindi Ads