ଦୋଷ

ଦୋଷ - ମୋନାଲିଶା


    ସେ ଗାଁ ଦାଣ୍ଡରେ ଚାଲିଗଲେ ଅନେକ ନାକ ଆପେ ଟେକି ହେଇଯାଏ। ଅନେକ ଛି ଛାକର ଶୁଣାଯାଏ। ଲୋକେ ତାପରେ ସେ ଚାଲି ଯାଇଥିବା ରାସ୍ତାରେ ଗୋବର ପାଣି ପକାନ୍ତି।ବାକଶକ୍ତି, ଶ୍ରବଣ ଶକ୍ତି ଥାଇ ମଧ୍ୟ କେଉଁ କାଳରୁ ସେ ମୂକ ଆଉ ବଧିର ପାଲଟି ଯାଇଛି ଯେମିତି।ସହାନୁଭୂତି ତ ଦୂରର କଥା ସମାଜର ଘୃଣା ଆଉ କ୍ରୋଧରୁ ସେ ନିଜକୁ ବର୍ତ୍ତେଇ ପାରିନି। କୋଳରେ ଚାରିମାସର ଶିଶୁକନ୍ୟା। କଣ କରିବ ସେ। ତାକୁ ହତ୍ୟା କରିବାକୁ ସମାଜ ଅସଫଳ ହେଲା ପରେ ଏବେ ସେହି ସମାଜର ଅକଥନୀୟ ଅତ୍ୟାଚାରରେ ଦୂର୍ବିସହ ତାର ଜୀବନ। ସେ ବୁଝି ପାରେନି ମଣିଷ କଣ ସତରେ ଗୋଟେ ସାମାଜିକ ପ୍ରାଣୀ। ସାମାଜିକତାର ଅର୍ଥ କଣ ଅସାମାଜିକ କୁ ପ୍ରଶୟ ଦେଇ ନିରୀହ ପ୍ରାଣୀଟିକୁ ସାମାଜିକ ବାସନ୍ଦ କରିବା। ଏମିତି ଅନେକ ପ୍ରଶ୍ନ ଉଙ୍କିମାରେ ତା ମନରେ। ଭାବୁ ଭାବୁ ଆଖିରେ ନାଚି ଉଠେ ଭୟଙ୍କର ଲୋମହର୍ଷୀ ଅତୀତ।
ସତର ବରଷର ଝିଅ ଥିଲା ଶ୍ରୀ। ଗୋଟିଏ ଝିଅ ହେଇଥିବାରୁ ଭାରି ଗେଲବସରରେ ବଢେଇଥିଲେ ବାପା, ମା।ସବୁ ଝିଅଙ୍କ ପରି ସେ ବି ଆଖିରେ ଅନେକ ସ୍ବପ୍ନ ନେଇ ବଞ୍ଚୁଥିଲା।ଆକାଶକୁ ଛୁଇଁବାର ଜୁ ଥିଲା ତା ଆଶାରେ। କଲେଜରୁ ଫେରିବା ବେଳେ ଦିନେ ସେ ଦେଖିଲା ରାସ୍ତା କଡ ବରଗଛ ତଳେ କେତେଟା ନରଭକ୍ଷୀ ପିଶାଚ ଗୋଟେ କୋମଳ ଶରୀରକୁ ଖିନଭିନ କରିବାରେ ବ୍ୟସ୍ତ।କଣ କରିବ କିଛି ଜାଣି ନପାରି ପୋଲିସକୁ ଫୋନ୍ କରି ଧାଇଁ ଯାଇ ପ୍ରତିବାଦ କରିଥିଲା ଶ୍ରୀ। ତାକୁ ବି ଆକ୍ରମଣ କରିବାକୁ ପଛାଇ ନଥିଲେ ସେ ରାକ୍ଷସ ମାନେ। ହଠାତ୍ ପୋଲିସ ଗାଡିର ସାଇରନ ଶୁଣି ପାଖ ଜଙ୍ଗଲକୁ ଦଉଡି ପଳେଇଥିଲେ ସେମାନେ। ପୋଲିସ ଆସି ଉଦ୍ଧାର କରିଥିଲା ସେ ଝିଅଟିକୁ। ସେ ଝିଅ ଆଉ କେହି ନୁହେଁ ଶ୍ରୀ ର ସହପାଠିନୀ ସୁକନ୍ୟା ଥିଲା। ସୁକନ୍ୟା କୁ ଏମିତି ଖିନଭିନ କରିଥିବା ରାକ୍ଷସମାନଙ୍କୁ ମଧ୍ୟ ସେ ଗୋଟି ଗୋଟି କରି ଚିହ୍ନିଥିଲା।ସେମାନେ ଏକ ସୁପ୍ରସିଦ୍ଧ ନେତାଙ୍କର ସଂପର୍କୀୟ। ପୋଲିସକୁ ଯେତେବେଳେ ଏକଥା ଜଣା ପଡିଲା ସେ ଏତଲା ନବାକୁ ମଧ୍ୟ ମନା କରିଦେଲା। ଏକଥା ଶୁଣି ସୁକନ୍ୟା ଆତ୍ମହତ୍ୟା କରି ଦେଇଥିଲା। ସୁକନ୍ୟାର ବାପା ମା ମଧ୍ୟ ଲୋକଲଜ୍ଜା ଭୟରେ ବିଷ ପିଇ ଜୀବନ ହାରିଦେଲେ। କିନ୍ତୁ ହାର ମାନି ନଥିଲା ଶ୍ରୀ। ଅନେକଥର ମୃତ୍ୟୁର ଧମକ ପାଇଲା ପରେ ବି ସେ ଲଢେଇ ଜାରି ରଖିଥିଲା। ମୁଖ୍ୟମନ୍ତ୍ରୀଙ୍କ ଠୁ ନେଇ ଦେଶର ସର୍ବୋଚ୍ଚ ଶାସନକର୍ତ୍ତା ଙ୍କ ଯାଏ ସବୁଠି ଗୁହାରି କରିଥିଲା ସେ। ଶେଷରେ ଶ୍ରୀ ସଫଳ ହେଲା। ସେ ରାକ୍ଷସମାନଙ୍କୁ ପୋଲିସ ଆରେଷ୍ଟ କଲା। ମୁହଁରେ କପଡା ବାନ୍ଧି ସସମ୍ମାନେ ତାଙ୍କୁ ଜେଲକୁ ନିଆଗଲା। ଶ୍ରୀ ଟିକେ ଶାନ୍ତିରେ ନିଶ୍ବାସ ମାରିଲା। ଶ୍ରୀର ମା ବାପା କି ସାହି ପଡିଶା କେହି ବି ଖୁସି ନଥିଲେ ଶ୍ରୀର ଏପରି କାମରେ। ଧୀରେଧୀରେ ସବୁ ସ୍ବାଭାବିକ ହେବାକୁ ଲାଗିଥିଲା। ହଠାତ୍ ଦିନେ କଲେଜ ସାରି ଫେରିଲା ବେଳକୁ ସେ ପୁଣି ହାବୁଡିଥିଲା ସେହି ନରଭକ୍ଷୀ ରାକ୍ଷସ ମାନଙ୍କୁ। ଟେକି ନେଇ ଯାଇଥିଲେ ପାଖ ଜଙ୍ଗଲକୁ।ସେମାନଙ୍କ କଥାବାର୍ତ୍ତାରୁ ଜାଣିବାକୁ ପାଇଥିଲା ଯେ ତିନି ମାସ ଜେଲରେ ଅୟସ କଲାପରେ ବେଲରେ ମୁକୁଳି ଯାଇଥିଲେ ସେମାନେ। ଏବେ ସେମାନେ ସମାଜର ପ୍ରତିଷ୍ଠିତ ଲୋକ।ବାସ୍ ଏତିକି ହିଁ ଶୁଣି ପାରିଥିଲା ସେ। ତାପରେ ସେ ଚେତନାହୀନ ହେଇ ଯାଇଥିଲା।
ସିନ୍ଦୁରା ଫିଟି ଆସୁଥିଲା। ରାତ୍ରିର ଶୀତଳ ଚାଦର ଧିରେଧିରେ ହଟୁଥିଲା ଧରାରୁ। ମଳୟ ପବନ ତାର ଅବଶ ହେଇ ଯାଇଥିବା ନଗ୍ନ ଶରୀରକୁ ଉଠେଇବାକୁ ବୋଧେ ପ୍ରୟାସ କରୁଥିଲା।ଚେତା ଫେରିଲା ଶ୍ରୀ ର। ଜାଣି ପାରୁ ନଥିଲା କଣ କରିବ ସେ। ଡାକ୍ତରଖାନା ଯିବା ଯାଏଁ ବି ଶକ୍ତି ନଥିଲା ତାର।ସାରା ଶରୀର ଲହୁଲୁହାଣ ଆଉ ଅବଶ ହେଇ ଯାଇଥିଲା। ମରି ଯାଇଛି ଭାବି ପକେଇ ଦେଇ ଚାଲି ଯାଇଥିଲେ ରାକ୍ଷସ ମାନେ।ଦଶଥର ପଡିଲା ପରେ ବହୁତ କଷ୍ଟରେ ଉଠି ଛିଡା ହେଲା। ମଶାଣୀ ପଦାରୁ ଖଣ୍ଡେ କନା ଉଠେଇ ନିଜ ଶରୀରକୁ ଢାଙ୍କିଲା। ତାପରେ ତା ଘର ଆଡକୁ ଚାଲିଲା।ସେତେବେଳକୁ ଖବରଟା ବିଜୁଳି ବେଗରେ ପ୍ରଚାର ହେଇ ଯାଇଥିଲା। ଘରେ ପହଞ୍ଚୁ ପହଞ୍ଚୁ ବାପା ମା ଦୁଇଜଣ ମୁଣ୍ଡରେ ହାତ ଦେଇ ବସିଗଲେ। କିଛି ସମୟ ପରେ ସେମାନେ ଏ ଲୋକଲଜ୍ଜା, ଆଉ ଟାହିଟାପରା ସହି ପାରିବେନି, ପାପୀ, ଅଲକ୍ଷଣି ଇତ୍ୟାଦି କହି ଘରୁ ବାହାର କରିଦେଲେ। ଘରୁ ବାହାରିବା ପରେ ଘେରିଗଲେ ମିଡିଆ ବାଲା। ଏକ୍ସକ୍ଲୁସିଭ୍ ରିପୋର୍ଟ ନାଁ ରେ ସାରା ଦେଶରେ ଖେଳିଗଲା ସେ ଖବର। ଥୋକାଏ ରାଜନୀତି ବି ହେଇଗଲା ଏଥିରେ। କିନ୍ତୁ ସେ ଥିଲା ନୀରବ। ଗାଁ ଲୋକ ଛେପ ନଣ୍ଡାଏ ଲେଖା ପକେଇ ଦେଇ ଯାଉଥିଲେ। ସେ କିନ୍ତୁ ନୀରବ ହେଇ ଗାଁ ଶେଷମୁଣ୍ଡ ମଶାଣୀ ପଡିଆରେ ପଡି ରହିଥିଲା । କିଛି ଦିନ ପରେ ହୋ ହଲ୍ଲା ଥମିଗଲା। ସମାଜ ସେ ନରଭକ୍ଷୀ ଭଦ୍ରବ୍ୟକ୍ତି ମାନଙ୍କୁ ସାଦରେ ଗ୍ରହଣ କରିନେଲା।ସେମାନେ ଏବେ ସମାଜର ସୁନାପୁଅ। କିନ୍ତୁ ଶ୍ରୀର ଶ୍ରୀ ତୁଟି ଯାଇଥିଲା ଯେମିତି।ତାକୁ ପ୍ରତିଟି ପାଦରେ ସାମ୍ନା କରିବାକୁ ପଡୁଥିଲା ଲୋକଙ୍କ ଘୃଣା ଆଉ କ୍ରୋଧକୁ। ସେ କିନ୍ତୁ ସୁକନ୍ୟା ଭଳି ଆତ୍ମହତ୍ୟା କରି ପାରି ନଥିଲା। ସେଇ ମଶାଣି ପଦାରେ ଗୋଟିଏ କୁଡିଆ କରି ରହୁଥିଲା।ଲୋକଙ୍କ ଘୃଣା ତା ପ୍ରତି ଏମିତି ଥିଲା ଯେ, ଗାଁ ମୁଣ୍ଡରେ ଥିବା ନଳକୁଅରୁ ସେ ପାଣି ଭରି ଆସିବା ପରେ ଲୋକେ ସେ ନଳକୁଅ କୁ ଧୋଇ ବ୍ୟବହାର କରୁଥିଲେ। ଏ ଘଟଣାର ଆଠ ମାସ ପରେ ସେ ଗର୍ଭବତୀ ବୋଲି ଜାଣି ପାରିଲା।ମାନସିକ ପରିପକ୍ବ ହେଇ ନଥିବାରୁ ଗର୍ଭାବସ୍ଥା, କି ଗର୍ଭପାତ ବିଷୟରେ ଜଣା ନଥିଲା ତାକୁ।ସେଦିନ ସେଇ କୁଡିଆରେ ପଡି ପ୍ରସବବେଦନାରେ ଛଟପଟ ହେଉଥିବା ବେଳେ ପୋଷା ବୁଲା କୁକୁରଟା ଯାଇ ସିନା ଆମ୍ବୁଲାନ୍ସ ଆଗରେ ଶୋଇ ପଡିଥିଲା। ହେଲେ ଏ ଗାଁ ଲୋକ ମୁହଁ ମୋଡି ଚାଲି ଯାଇଥିଲେ। ଜନ୍ମ ଦେଇଥିଲା ଏକ ରୁଗ୍ଣ ଶିଶୁକନ୍ୟାକୁ।ଏବେ ଚାରିମାସର ଶିଶୁ କନ୍ୟା ବହ୍ନି କୁ ନେଇ ସେ ବଞ୍ଚିଛି। ଆଉ କଷି ଚାଲିଛି ତାର ଦୋଷକୁ। କିନ୍ତୁ ଖିଅ ପାଉନି। ସମାଜର ଏ ଉତ୍ପୀଡନ ତାକୁ ବାରମ୍ବାର ଖିନଭିନ କରି ଚାଲିଛି। ମୃତ୍ୟୁ ଠୁ ବି ଭୟଙ୍କର ଯନ୍ତ୍ରଣା ସେ ଅହରହ ଛଟପଟ।କିନ୍ତୁ ତା ଦୋଷ ଖୋଜି ନ ପାଇଲା ପର୍ଯ୍ୟନ୍ତ ସେ ହାର୍ ମାନିବନି। 
ପାଠକଙ୍କୁ ମଧ୍ୟ ଅନୁରୋଧ କରିଛି ସେ ତାର ଦୋଷ ବିଷୟରେ ଟିକେ ଜଣାଇବାକୁ। କାଳେ ଅତ୍ୟାଚାର, ଯନ୍ତ୍ରଣା ଆଉ ଗ୍ଳାନିରେ ଛଟଛଟ ହେଉଥିବା ମନଟାକୁ ଟିକେ ଆରାମ ମିଳିଯିବ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now