ନିଶା ସେବନ ଓ ଯୁବସମାଜ ପାଇଁ ଆହ୍ବାନ

ନିଶା ସେବନ ଓ ଯୁବସମାଜ ପାଇଁ ଆହ୍ବାନ:କୃଷ୍ଣଚନ୍ଦ୍ର ସୁଆଁସିଆ



     ଦୀର୍ଘଦିନର ସଂଗ୍ରାମ ପରେ ଭାରତ ପରାଧୀନତାର ବନ୍ଧନରୁ ମୁକ୍ତ ହୋଇ ସ୍ବାଧୀନତାର ସ୍ବାଦ ଚାଖିବାରେ ସମର୍ଥ ହେଲା।ତା ପୂର୍ବରୁ ଅନେକ ସୁପୁତ୍ର ମାନଙ୍କ ଉତ୍ତମ କାର୍ଯ୍ୟଶୈଳୀ,ପାରଦର୍ଶିତା,ନେତୃତ୍ବ ମାଧ୍ୟମରେ ବିଭିନ୍ନ ବର୍ଗର ବ୍ଯକ୍ତିଙ୍କ ସହଭାଗିତାରେ ଲୁଣ୍ଠନକାରୀ,ପରଦେଶୀ ମାନଙ୍କ ବିରୋଧରେ ଭାରତୀୟ ମନରେ ନୂତନ ଉନ୍ମାଦନା ଜାଗରଣ ଘଟିଥିଲା।ଯାହାର ଫଳସ୍ବରୂପ ଦେଶ ପ୍ରତି ଥିବା ନିରବଛିନ୍ନ,ତ୍ଯାଗ,ସମର୍ପଣ ଓ ସ୍ବାଧୀନତା ପାଇବାର ଆକାଂକ୍ଷା ୧୯୪୭ ମସିହା ଅଗଷ୍ଟ ୧୪ ମଧ୍ଯରାତ୍ରରେ ସୁଫଳ ମିଳିଥିବା ସତ୍ତ୍ବେ ଭାରତବର୍ଷ ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତାର ଉଲ୍ଲାସ ପାଳିଥିଲା।ଏହି ସଫଳତା ପଛରେ ଯୁବସମାଜର ଭୂମିକା ଥିଲା ଅତୁଳନୀୟ।ଯୁବ ସମାଜ ହେଉଛି ରାଷ୍ଟ୍ରର ମେରୁଦଣ୍ଡ।ଭାରତର ଜନସଂଖ୍ୟାର ୬୦ ପ୍ରତିଶତ ସମୁଦାୟ ଯୁବଶକ୍ତି ରହିଛନ୍ତି।ତେଣୁ ରାଷ୍ଟ୍ରର ପ୍ରତ୍ୟେକ କ୍ଷେତ୍ରରେ ଯୁବଶକ୍ତିର ଆବଶ୍ୟକତା ବେଶ୍ ଗୁରୁତ୍ବ ବହନ କରେ।କୃଷି,ଶିଳ୍ପ,ପ୍ରତିରକ୍ଷା,ଗବେଷଣା ଭଳି ଆଦି ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଅବଦାନ ଫଳରେ ରାଷ୍ଟ୍ର ବିକାଶରେ ଅଭ୍ଯୁଦୟ ପ୍ରଗତି ହୋଇଥାଏ।ସମାଜ ଠାରୁ ରାଷ୍ଟ୍ର ପର୍ଯ୍ୟନ୍ତ ଯୁବଗୋଷ୍ଠୀଙ୍କ କଠୋର ପରିଶ୍ରମ,ନିଷ୍ଠାପର ସେବା ଓ କାର୍ଯ୍ୟଦକ୍ଷତା ଜାତୀୟ ଜୀବନକୁ ପରିପୁଷ୍ଟ କରିଥାଏ। ଯୁଦ୍ଧଭୂମିରେ ଶତୃର କ୍ଷମତା ଆଗରେ ନିଜ ଜୀବନକୁ ବାଜି ଲଗାଇ ଦେଶର ନିରାପତ୍ତା ତଥା ସାର୍ବଭୌମତ୍ୱ ରକ୍ଷା କରିବା,ରାଷ୍ଟ୍ରର ଗୌରବମୟ ଐତିହ୍ୟ ଏବଂ ପରମ୍ପରା,ସଂସ୍କୃତିକୁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରିବାରେ ଯୁବସମାଜର ଭୂମିକା ପ୍ରତିପାଦନ ହୋଇଥାଏ।ସମାଜ ଓ ରାଷ୍ଟ୍ରରେ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ବିରୋଧରେ ଦୃଢ଼ ଭାବରେ ସକାରାତ୍ମକ ଦିଗରେ ସ୍ବର ଶାଣିତ କରିବା ପାଇଁ ସେମାନେ ହୋଇଥାନ୍ତି ସଙ୍କଳ୍ପବଦ୍ଧ।
      ରାଷ୍ଟ୍ରର ସ୍ବାଧୀନତା ଆନ୍ଦୋଳନ ହେଉ ଅବା ସମାଜରେ ଅନ୍ୟାୟବିରୋଧୀ ଗଣଆନ୍ଦୋଳନରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି।ର ୠଷିଆ,ଆମେରିକା,ଲଣ୍ଡନ ପରି ବୃହତ୍‌ ରାଷ୍ଟ୍ରଠାରୁ ଆରମ୍ଭ କରି ବାଂଲାଦେଶ,ପାକିସ୍ତାନ ଏବଂ ଶ୍ରୀଲଙ୍କା ଭଳି କ୍ଷୁଦ୍ରରାଷ୍ଟ୍ର ପର୍ଯ୍ୟନ୍ତ ପ୍ରତ୍ୟେକ ରାଷ୍ଟ୍ରରେ ଏହି ଯୁବଗୋଷ୍ଠୀର ଭୂମିକା ବିଶ୍ବ ଇତିହାସରେ ଏକ ସ୍ବତନ୍ତ୍ର ପରିଚୟ ଭାବେ ଗଢିଉଠିଛି।ସେଭଳି ଭାରତର ସ୍ବାଧୀନତା ସଂଗ୍ରାମରେ ନିଜ ଜୀବନକୁ ଦେଶମାତୃକା ପାଇଁ ଝାସ ଦେଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ଅଧିକାଂଶ ଥିଲେ ତତ୍କାଳୀନ ଯୁବଗୋଷ୍ଠୀ। ନେତାଜୀ ସୁଭାଷ ଚନ୍ଦ୍ର ବୋଷ,ଭଗତ୍‌ ସିଂ,ଉଦ୍ଦାମ ସିଂ,ସୁଖଦେବ,ବାଘାଯତୀନ,ଚନ୍ଦ୍ରଶେଖର ଆଜାଦ ଆଦି ସମେତ ବାର ବର୍ଷର ବାଳକ ବାଜିରାଉତ ପ୍ରମୁଖ ଯୁବ ବିପ୍ଳବୀମାନେ ଜଣେ ଜଣେ ଥିଲେ ବିପ୍ଳବର ଅଗ୍ନିଶିଖା।ତତ୍ ସହିତ ଭାରତର ସଂସ୍କୃତି, ପରମ୍ପରା, ଆଦର୍ଶ, ଦୀକ୍ଷାନ୍ତ ତଥା ମାନବଧର୍ମର ବିଚାର ବିଶ୍ବରେ ପ୍ରତିଫଳନ କରି ଯୁବଆଦର୍ଶ ସ୍ବାମୀ ବିବେକାନନ୍ଦ ଯୁବଶକ୍ତିର ବଳିଷ୍ଠ ପ୍ରତୀକ ଭାବେ ବିବେଚିତ ହୋଇଥିଲେ।ଯୁବଗୋଷ୍ଠୀ ରାଷ୍ଟ୍ର ଓ ସମାଜରେ କେବଳ ସୀମିତ ନୁହେଁ ବରଂ ପରିବାରର ମଧ୍ଯ ସାହାଭରସା।ମନରେ ଅସୁମାରି ସ୍ବପ୍ନ ନେଇ ପରିବାର ଓ ସମାଜ ପାଇଁ କାର୍ଯ୍ୟ କରିବାର ଅଦମ୍ୟ ସାହାସ ଓ ଦକ୍ଷତା ଯୁବଗୋଷ୍ଠୀ ନିକଟରେ ବିଦ୍ଯମାନ।ତେଣୁ ପ୍ରତ୍ଯେକ ମାତାପିତା ଯୁବା ସନ୍ତାନ ମାନଙ୍କ ଠାରୁ ବେଶ୍ କିଛି ଆଶା ମନରେ ସାଉଁଟି ଉତ୍ତମ ମଣିଷଟି ଗଢିତୋଳିବାକୁ ସବୁ ଦୁଃଖକଷ୍ଟ ସହ୍ଯ କରି ସନ୍ତାନମାନଙ୍କ ଆବଶ୍ଯକତା ପୂରଣ କରିଥାନ୍ତି।କିନ୍ତୁ ଯୁବା ସନ୍ତାନଗଣ ବିପଥଗାମୀ ହୋଇ ମାତାପିତାଙ୍କ ସବୁ ସ୍ବପ୍ନକୁ ଚୂର୍‌ମାର୍‌ କରିଦିଅନ୍ତି।ଯୁବଗୋଷ୍ଠୀ ବିପଥଗାମୀ ହେବା ପାଇଁ ଅନେକ ରାସ୍ତା ରହିଥିବା ବେଳେ ନିଶା ସେବନ ଏକ ମୁଖ୍ୟ ମାରାତ୍ମକ ପଥ ଭାବେ ମାନବସମାଜକୁ ନଷ୍ଟ କରିବାରେ ଲାଗିଛି।
       ଆଜିର ବହୁ ଯୁବଗୋଷ୍ଠୀ ନିଶାସକ୍ତ ହୋଇ ଉଚିତ୍ ପଥରେ ନିଜକୁ ପ୍ରତିଷ୍ଠିତ କରିବା ପରିବର୍ତ୍ତେ ମନ୍ଦ ଓ ଅସାମାଜିକ ପଥରେ ଗତି କରି ପାରିବାରିକ ଓ ସାମାଜିକ କ୍ଷେତ୍ରରେ ଅଶାନ୍ତିକୁ ନିମନ୍ତ୍ରଣ କରିବା ଦେଖିବାକୁ ମିଳୁଛି।ମହାନ ସଂସ୍କୃତି,ପରମ୍ପରା,ଐତିହ୍ୟ ଆଦିକୁ ଆଦରିବା ପରିବର୍ତ୍ତେ ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରି ମାନସିକ ଅବସାଦ ଦୂର କରିବା ଆଳରେ ଯୁବଗୋଷ୍ଠୀ ପାଲଟିଛି ସମ୍ପୂର୍ଣ୍ଣ ନିଶାସକ୍ତ।ଶିକ୍ଷିତ ଯୁବକଯୁବତୀ ନିଶାକୁ ଗ୍ରହଣ କରି ନିଜର ହିତାହିତ ଜ୍ଞାନ ହରାଇ ବର୍ବର ପାଲଟି ଯାଉଛନ୍ତି।ନିଶାର ପରିସର ଖୁବ୍‌ ବ୍ୟାପକ ଓ ମାରାତ୍ମକ।ଦେଶୀ ମଦ, ଗଞ୍ଜେଇ, ଅଫିମ, ତାଡି, ବିଡି ଏବଂ ଭାଙ୍ଗଠାରୁ ଆରମ୍ଭକରି ହେରୋଇନ୍‌, ଚରସ ପର୍ଯ୍ୟନ୍ତ ଏହାର ପରିସର ଖୁବ୍ ପରିବ୍ୟାପ୍ତ। ବିଡମ୍ବନାର ବିଷୟ କେବଳ ଅଶିକ୍ଷିତ ଯୁବଗୋଷ୍ଠୀ ନୁହଁନ୍ତି ବରଂ ଆଜିର ଅଗଣିତ ଶିକ୍ଷିତ ଯୁବତୀଯୁବକ ଏହି କ୍ଷତିକାରକ ନିଶାଦ୍ରବ୍ୟ ପ୍ରତି ଘୋର ଆସକ୍ତ ହେବା ଚିନ୍ତାଜନକ! ନିଶାଗ୍ରସ୍ତ ହୋଇ ଦାରୁଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ଅର୍ଥ ପାଇଁ ମାତାପିତାଙ୍କ ଉପରେ ନିର୍ଭର କରୁଥିବା ଯୁବଗୋଷ୍ଠୀ ନିଶା ଖର୍ଚ୍ଚ ମେଣ୍ଟାଇବା ପାଇଁ ଅନେକ ଘୃଣ୍ୟ, ଅସମାଜିକ ବୃତ୍ତି ଆଦରି ନେଉଛନ୍ତି।ଆବଶ୍ଯକ ସ୍ଥଳେ ଲୁଣ୍ଠନ ଓ ନରହତ୍ୟା ଭଳି ଜଘନ୍ୟ କାଣ୍ଡ କରିବାକୁ ମଧ୍ଯ ପଛଘୁଞ୍ଚା ହେଉନାହାନ୍ତି।ଅନେକ ଶିକ୍ଷିତ ଯୁବଗୋଷ୍ଠୀ ବିଳାସମୟ ହୋଟେଲରେ ରାତି ବିତାଇ ନିଜର ନିଶା ଅଭ୍ୟାସକୁ ଜାରି ରଖୁଛନ୍ତି।ନିଶାଗ୍ରସ୍ତ ଯୁବଗୋଷ୍ଠୀ କେବଳ ନିଜ ପରିବାରର ପଦମର୍ଯ୍ୟାଦା ଭୂଲୁଣ୍ଠିତ କରୁନାହାନ୍ତି ବରଂ ସେମାନେ ଯକ୍ଷ୍ମା, କର୍କଟ, କିଡ୍‌ନୀ, ଲିଭର ଭଳି ଆଦି ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହୋଇ ଜୀବନ ଯୁଦ୍ଧରେ ସଂଘର୍ଷ କରି ମୃତ୍ୟୁକୁ ଆମନ୍ତ୍ରଣ କରୁଛନ୍ତି।ପିତାମାତାଙ୍କ ଆଶା-ଆକାଂକ୍ଷାକୁ ଧୂଳିସାତ୍‌ କରି ସାମାଜିକ, ପାରିବାରିକ ଶୃଙ୍ଖଳାକୁ ନଷ୍ଟ କରିବା ସଙ୍ଗେ ସଙ୍ଗେ ଆର୍ଥିକ କ୍ଷତି ଆଡକୁ ଗତି କରୁଛନ୍ତି। ଯାହାର କୁପରିଣାମ କେବଳ ନିଶାସକ୍ତ ବ୍ଯକ୍ତି ଭୋଗ କରୁନାହିଁ ବରଂ ପରିବାରବର୍ଗ ଓ ସମାଜ ପ୍ରତି କୁପ୍ରଭାବ ପଡୁଛି। 
    ସ୍ବାଧୀନତା ସଂଗ୍ରାମରୁ ଦାବି ହୋଇଆସୁଥିବା ନିଶା ନିବାରଣ ନୀତିନିୟମ କେବଳ କାଗଜକଲମ ଓ ସଭାସମିତିରେ ସୀମିତ ରହିଗଲା କହିଲେ ଅତ୍ଯୁକ୍ତି ହେବନାହିଁ।ଗାନ୍ଧୀବାଣୀ କୁହାଯାଉଛି କିନ୍ତୁ ଗାନ୍ଧୀଙ୍କ ବାଣୀକୁ କାର୍ଯ୍ୟକାରୀ କରିବା ପ୍ରତି କୌଣସି ନେତୃମଣ୍ତଳୀଙ୍କ ଆନ୍ତରିକତା ପ୍ରକାଶ ପାଉ ନାହିଁ।ସ୍ଵାଧୀନ ଭାରତରେ ନିଶା ନିବାରଣ ପାଇଁ ସରକାରୀ ସ୍ତରରେ ଆଇନ ପ୍ରଣୟନ ହୋଇଛି ସତ।କିନ୍ତୁ ଭାରତର ହାତଗଣତି କିଛି ରାଜ୍ୟକୁ ଛାଡିଦେଲେ ମଦ ଦୋକାନ ନିଷେଧାଦେଶ ବିଶେଷ ଫଳପ୍ରଦ ହେବ ନାହିଁ।କାରଣ ଅନ୍ୟ ରାଜ୍ୟରୁ ଚୋରାଚାଲାଣରେ ମଦ ପରିବହନ ହୋଇ ନିଷେଧାଦେଶ ରାଜ୍ୟର ରାଜସ୍ବ ଆଳରେ ମଦ ଦୋକାନ ଖୋଲୁଛନ୍ତି।ଗୋଟିଏ ଦେଶରେ ରାଜ୍ୟ ରାଜ୍ୟ ମଧ୍ୟରେ ଆଇନରେ ଥିବା ଅସମାନତା ମଦ ପାଇଁ ପ୍ରୋତ୍ସାହନ ଯୋଗାଉଛି।ଯାହା ଫଳରେ ବୟସ୍କ ବ୍ଯକ୍ତି ସମେତ ଯୁବଗୋଷ୍ଠୀ ଆଜି ନିଶାସକ୍ତ ଓ ବିପଥଗାମୀ।ଅଧୁନା ସମାଜରେ ନିଶାସେବନର କୁପ୍ରଭାବ ସମ୍ବନ୍ଧରେ ଅଧିକ ଜନସଚେତନତା ସୃଷ୍ଟି ହେବା ଦରକାର,କେବଳ ତମାଖୁ ସେବନ ମାରାତ୍ମକ,ନିଶା ସେବନ ସ୍ବାସ୍ଥ୍ଯ ପକ୍ଷେ ହାନିକାରକ ବୋଲି ଦ୍ରବ୍ୟ ଉପରେ ଲେଖି ଛାପି ଦେଲେ ଯଥେଷ୍ଟ ନୁହେଁ ବରଂ ନିଶା ନିବାରଣକୁ ମୂଳୋତ୍ପାଟନ କରି ପରିବାର,ସମାଜ ଓ ରାଷ୍ଟ୍ରର ସୁଖସମୃଦ୍ଧି,ବିକାଶକୁ ଗୁରୁତ୍ବ ଦେବାର ଆବଶ୍ଯକତା ରହିଛି।ରେଡିଓ,ଦୂରଦର୍ଶନ,ଖବରକାଗଜ,ପତ୍ରପତ୍ରିକା ପ୍ରଭୃତି ଗଣମାଧ୍ୟମରେ ନିଶା ସେବନର କୁପ୍ରଭାବ ବିଷୟରେ ଅଧିକ ପ୍ରଚାର ପ୍ରସାର ହେବା ଆବଶ୍ୟକ।ଯୁବପିଢ଼ି କୁସଙ୍ଗରେ ନପଡ଼ି ସତ୍‌ସଙ୍ଗରେ ବ୍ରତୀ ହେବା ଆବଶ୍ୟକ।ଏଥିପାଇଁ ପିତାମାତା ତଥା ଅଭିଭାବକ ଯତ୍ନବାନ ହେବା ଜରୁରୀ।ରାଷ୍ଟ୍ରର ଭବିଷ୍ଯତ ତଥା ସମାଜ ପରିବର୍ତ୍ତନର ବାହକ ଯୁବଗୋଷ୍ଠୀ ନିଶାସକ୍ତ ନହୋଇ ନିଶା ନିବାରଣ ଦିଗରେ ନିଜ ସ୍ବରକୁ ଶାଣିତ କରିବାର ଆବଶ୍ଯକତା ରହିଛି।ନିଶା ସେବନରୁ ମୁକ୍ତହୋଇ ଯୁବସମାଜ ନିଜର କର୍ତ୍ତବ୍ଯ,ଦାୟିତ୍ବବୋଧକୁ ଅନୁଭବ କରି ପରିବାର,ସମାଜ ଓ ରାଷ୍ଟ୍ରର ଗର୍ବଗୌରବର ସାରଥି ସାଜି ନୂତନ ଦିଶାର ସୂତ୍ରଧର ସାଜିବା ଆହ୍ବାନ ରହିଛି। 



Post a Comment

Post a Comment (0)

Previous Post Next Post
Free Shubhdristi App Download Now