ଆସନ୍ତନି ତମେ - ବିକ୍ରମ ସ୍ବାଇଁ
ନିଦାଘ ପରଶେ ହତାଶ ସେ ଟାଙ୍ଗରା ଭୂଇଁରେ ,
ଆସନ୍ତନି ତମେ, ଆଶାର ଅସରାଏ ବରଷା ନେଇ !
ସୁନୀଳ ସାଗର ଗର୍ଭରେ ଦିଗହରା ସେ ନାଆଟେ ପାଇଁ,
ଆସନ୍ତନି ତମେ, ବତୀଘରର ସେ ଆଲୁଅଟେ ହେଇ !
ନିରାଶାରେ ମଉଳିସାରି, ଡୁବିଯାଉଥିବା ସେ କଇଁଟେ ପାଇଁ,
ଆସନ୍ତନି ତମେ, ଜହ୍ନ ପରି ତୋଫା ମୁହଁଟେ ନେଇ !
କାହିଁ କେଉଁଯୁଗରୁ ଶୁଖି ଯାଇଥିବା ସେ ନଈଟେ ପାଇଁ,
ଆସନ୍ତନି ତମେ, ଦୂରପାହାଡ଼ରୁ ଝରଣାର ସ୍ରୋତଟେ ହେଇ !
ଗହୀର ମଝିରେ ଗୀତ ଗାଉଥିବା ସେ ଏକୁଟିଆ ତାଳଗଛଟା ପାଇଁ,
ଆସନ୍ତନି ତମେ, ବାଇଚଢ଼େଇର ସେ ବସାଟେ ହେଇ !
ଦିବସ ଜଞ୍ଜାଳେ ହତୋତ୍ସାହିତ ଜଳଜଳ ସେ ଆଖିଦୁଇ ପାଇଁ,
ଆସନ୍ତନି ତମେ, ନିଦ୍ରାର ସାଥି ସେ ଘନ-ଅନ୍ଧାର ରାତି ନେଇ !
ନିର୍ଜନ ପଥରେ ଧାବମାନ, ଏକାକୀ ସେ ପଥିକ ପାଇଁ,
ଆସନ୍ତନି ତମେ, କେଉଁ ଏକ ଅଜଣା ଗାଁର ଠିକଣା ନେଇ !
ବାଟ ଭାଙ୍ଗି ଏଣେତେଣେ ଘୂରିବୁଲୁଥିବା ସେ ଭଅଁରଟେ ପାଇଁ,
ଆସନ୍ତନି ତମେ, ସାଇତା ବାସ ଧରିଥିବା ସେ ଫୁଲଟେ ହେଇ !
ସ୍ୱାର୍ଥବାଦୀ ତୀର ସବୁରେ ଆହତ ସେ ମଣିଷଟେ ପାଇଁ,
ଆସନ୍ତନି ତମେ, କବିରାଜି ସ୍ପର୍ଶର ସେ ମାଧୁର୍ଯ୍ଯ ନେଇ !
ମୁକୁତା ଆଶାରେ ଚାହିଁ ରହିଥିବା ସେ ଶାମୁକାଟେ ପାଇଁ,
ଆସନ୍ତନି ତମେ, ସମ୍ଭାବନାର ସେ କାକର ଟୋପାଟେ ହେଇ !
ଅମାବାସ୍ଯା ଆଚ୍ଛାଦିତ ଏଇ ହୃଦୟ ଦେଶରେ,
ଆସନ୍ତନି ତମେ, ସହସ୍ର ପ୍ରେମର ଦୀପାବଳୀ ନେଇ !
Post a Comment