ସ୍ମୃତି ଚିଠି

  ସ୍ମୃତି ଚିଠି - ଶ୍ରୀମାନି ପ୍ରିୟଦର୍ଶିନୀ ଦାସ



      ସକାଳ ସମୟରେ ଚା କପ୍ ଟି ଧରି ଖବର କାଗଜ ପଢୁଥିଲେ ଡାକ୍ତର ବିଭୁନନ୍ଦନ ମହାନ୍ତି ଓରଫ୍ ବିଭୁ ବାବୁ । ଏଇ ଦୁଇ ଦିନ ତଳେ ନିଜ କାର୍ଯ୍ୟ ରୁ ଅବସର ଗ୍ରହଣ କରିଛନ୍ତି । କଲିଂ ବେଲ୍ ଟିଏ ମାରିଦେଇ ପୋଷ୍ଟ ମ୍ୟାନ୍ ଡାକ ଛାଡ଼ିଲା ଚିଠି ଆସିଛି ଚିଠି । ଖବରକାଗଜ ରୁ ଆଖି ଫେରେଇ ନେଇ ବିଭୁ ବାବୁ ଚାଲିଲେ ଚିଠି ଟିକୁ ଆଣିବା ପାଇଁ । ମନରେ ଉଙ୍କି ମାରୁ ଥାଏ ଅନେକ ପ୍ରଶ୍ନ । ଚିଠିଟିଏ ଏତେ ଦିନ ପରେ ଆସିଛି, ପୁଣି ଏ ଇଣ୍ଟରନେଟ୍ ଯୁଗରେ ଚିଠି ତ ସାତ ସପନ ହେଲାଣି । ପୋଷ୍ଟ ମ୍ୟାନ୍ ହାତରୁ ଚିଠିଟି ଆଣି ଦେଖିଲେ ଚିଠିଟି ରାଧାମଣୀ ମହାନ୍ତି ଙ୍କ ଥିଲା । ନାଲି ଓ ହଳଦିଆ ମିଶ୍ରିତ ରଙ୍ଗ ଭରା କାଗଜରେ ସୁନ୍ଦର ସୁନ୍ଦର ଅକ୍ଷରରେ ଲେଖା ହୋଇଥିଲା ରାଧାମଣୀ ମହାନ୍ତି । ସେଇ ଅକ୍ଷରଟି ସଜା ହୋଇଥିଲା ଖୁବ୍ ସୁନ୍ଦର ଭାବରେ, ପାନ ପତର ରେ ତୀର ମରାଯାଇ ଏକ ଛୋଟ ଛବିଟିଏ ଥିଲା । ଚିଠି ଟିକୁ ନେଇ ବିଭୁ ବାବୁ ରଖି ଦେଲେ ସ୍ମୃତି ଚିଠି ଥିବା ବାକ୍ସ ଉପରେ । ଯେଉଁ ଚିଠି ଗୁଡ଼ିକ ତାଙ୍କ ପ୍ରେମିକା ମାନୁ ର ଥିଲା । ଆଜି ସନ୍ଧ୍ୟାରେ ନିଶ୍ଚୟ ଚିଠି ଗୁଡ଼ିକ ପଢିବି କହି ବିଭୁ ବାବୁ ଚାଲିଗଲେ ନିଜ ନିତ୍ୟକର୍ମ ରେ । ସନ୍ଧ୍ୟା ସମୟ ଆସି ଉପନୀତ ହେଲା । ସ୍ମୃତି ଚିଠି ଏବଂ ସକାଳେ ପୋଷ୍ଟ ମ୍ୟାନ୍ ଦେଇଥିବା ଚିଠି କୁ ନେଇ ଚାଲିଲେ ତାଙ୍କ ବଗିଚା କୁ । ଖୋଲି ପକାଇଲେ ସେଇ ସ୍ମୃତି ଚିଠି ଥିବା ବାକ୍ସ ଟିକୁ । ମାନୁର ଅନେକ ଚିଠି ସେଥିରେ ଥିଲା । ଗୋଟିକ ପରେ ଗୋଟିଏ ଚିଠି ବାହାର କରି ପଢିବାକୁ ଲାଗିଲେ । ଶେଷ ଚିଠି ଟି ଏହିପରି ଥିଲା,

ପ୍ରିୟ ବିଭୁ ,
       ତୁମେ ଭଲରେ ଅଛ ତ ? ଆଶାକରେ ଭଲରେ ଥିବ । କେବେ ସମୟ ହେଲେ ଖୋଲି ଦେଖିବ ଏଇ ସବୁ ହାତ ଲେଖା ଚିଠି ମୋର, ଏ ହାତଲେଖା ନୁହେଁ ତ ହୃଦୟର ଗାଥା । ପ୍ରତ୍ୟେକ ଶବ୍ଦରେ ଅଜାଡ଼ି ଦେଇଛି ତୁମ ପାଇଁ ଆଞ୍ଜୁଳା ଆଞ୍ଜୁଳା ପ୍ରେମ । ଜାଣିଛି ପ୍ରତି ଚିଠି ଭଳି ଏଇଟିକୁ ମଧ୍ୟ ସାଇତି ରଖିବ । ଚିରିବା କି ଫିଙ୍ଗିବା ଭଳି ତୁମେ ତ ନିଷ୍ଠୁର ନୁହଁ, ତୁମ ପ୍ରେମ ପ୍ରତିଦାନରେ ଅଭାବ ବି ନଥିଲା । ତଥାପି ମୁଁ ଆଜି ତୁମକୁ ଠକି ଦେଇଛି ! ପ୍ରଥମ କରି ତୁମେ ମୋତେ ଅଧିକ ବିଶ୍ୱାସ ଓ ଭରସା କରି ଭଲପାଇବା ରେ କଟେଇ ଦେଇଥିଲ କିଛି ମାସ । ମୋତେ ନେଇ ଅନେକ ଅନେକ ସ୍ବପ୍ନ ତୁମ ଆଖିରେ ଖୁନ୍ଦି ସାରିଥିଲ । ତୁମେ ଖୁବ୍ ଚୁପଚାପ୍ ଖୁବ୍ କମ୍ କଥା କୁହ, ମାପି ଚୁପି କଥାବାର୍ତ୍ତା । ମୁଁ ତୁମକୁ ବୁଝିପାରୁ ନଥାଏ । ଯେବେ ତୁମେ ମୋତେ କିଛି କୁହ ମୁଁ ଅନ୍ୟ କିଛି କଥାର ବାହାନା ଦେଖାଇ ତୁମକୁ ଅଣଦେଖା କରେ । ମୁଁ ଜାଣିଛି ଖୁବ୍ କଷ୍ଟ ପାଅ ତୁମେ, ଭିତରେ ଭିତରେ ଖୁବ୍ ଭାଙ୍ଗିପଡ । ତୁମେ ଯେବେ ବାହାଘର କଥା ଉଠାଅ ମୁଁ ଚୁପ୍ ରୁହେ କାରଣ ମୁଁ ତୁମକୁ ଭଲ ପାଉନଥିଲି ବିଭୁ, ଭଲ ପାଉଥିଲି ତୁମର ଧନ ସମ୍ପତ୍ତି କୁ..! ସେଇ ଲୋଭ ରେ ତୁମ ସହ ପ୍ରତାରଣା କରୁଥିଲି ବିଭୁ । ତୁମେ ମୋତେ ବରାବର କୁହ ଯେ, ତୁମେ ମୋତେ ଛାଡ଼ି କୁଆଡେ ଯିବନି, ସବୁବେଳେ ସାଥିରେ ଥିବ । ହେଲେ ତୁମେ ଜାଣି ନଥାଅ, ମୁଁ ଯେ ତୁମକୁ ଧୋକା ଦଉଛି । ଅନ୍ୟ ଜଣକୁ ଭଲ ପାଉଥିଲି ମୁଁ । ତୁମେ ମାସ ମାସ ଧରି ଅପେକ୍ଷା କର ମୋ ପାଇଁ, ତଥାପି ମୁଁ ଅନ୍ୟ ସହ ତୁମର ନିରୀହ ଆତ୍ମା ସହ ଖେଳୁଥିଲି ବିଭୁ । ତୁମର ଠିକ୍ ରୂପେ ନଜାଣି ମୋତେ ତୁମ ହୃଦୟରେ ଜାଗା ଦେବାଟା ଠିକ୍ ନଥିଲା କି ଅଧିକ ଭଲ ପାଇବା ଠିକ୍ ନଥିଲା । ମୋତେ କ୍ଷମା କରିଦେବ ।
                                                   || ଇତି ||
                                                      ମାନୁ
                  
       ଚିଠିଟିକୁ ପଢି ଗର୍ଜି ଉଠିଲେ ବିଭୁ ବାବୁ, ସ୍ୱାର୍ଥପର...! ସ୍ୱାର୍ଥପର...!  ଯେଉଁ ଝିଅକୁ ମୁଁ ନିରୀହ ଭାବି ଭଲ ପାଇଥିଲି ସେ ମୋ ଆଖିରେ ଅନ୍ଧପୁଟୁଳି ବାନ୍ଧି ଦେଇ ଏଇ କାମ କରୁଥିଲା । ଏଇ ଚିଠି ଦେବାର ଗୋଟିଏ ଦିନ ପରେ ଅନ୍ୟ କାହା ସହ ଗାଁ ରୁ ଚାଲି ଯାଇଥିଲା । ଛିଃ ! କେତେ ବଡ଼ ଭୁଲ୍ ମୁଁ କରି ବସିଥିଲି ତାକୁ ଭଲ ପାଇ । ଏଇ ଚିଠି ଦେବା ପରେ ଦୁଇ ବର୍ଷ ପରେ ମୋ ବିବାହ, ସେ ପୁଣି ମୋ ଇଚ୍ଛା ବିରୁଦ୍ଧ ରେ ରାଧା ସହିତ । ହଁ ସେଇ ରାଧା ଯିଏକି ମାନୁ ର ଅନ୍ତରଙ୍ଗ ବାନ୍ଧବୀ ଥିଲା । ରାଧା ମୋତେ ଅନେକ ଥର କହିଛି ମାନୁ ଠୁ ଦୂରେଇ ରହିବାକୁ, ହେଲେ ଏହାକୁ ରାଧାର ଈର୍ଷା ଭାବି ତାକୁ ବେଖାତିର କରିଥିଲି । କାହିଁକି ! କାହିଁକି ! କହି ପୁଣି ଗର୍ଜି ଉଠିଲେ । ଯେତେବେଳେ ମାନୁ ଏଇ ଚିଠି ଟି ଦେଇଥିଲା ସେତେବେଳେ ହିଁ ମୁଁ ଜାଣିଥିଲି ରାଧାର କଥା ଶତପ୍ରତିଶତ ଠିକ୍ ଥିଲା । ହେଲେ ମୁଁ ! ଧିକ୍ ମୋତେ ରାଧା ଭଳି ଏକ ଝିଅକୁ କଷ୍ଟ ଦେଇଥିବାରୁ । ମାନୁ ପରେ ବିବାହ କରିବାକୁ ଇଚ୍ଛା ନଥିଲା ମୋର ତଥାପି ବାପା ଙ୍କ କଥା ରକ୍ଷା କରି ବିବାହ କରିଥିଲି ରାଧା କୁ । ସେଇଦିନ ହିଁ ଜାଣିଥିଲି ରାଧା ମଧ୍ୟ ମୋତେ ଭଲ ପାଉଥିଲା । ହେଲେ ମନର କଥା ମନରେ ରଖି ସେ ତା ସାଙ୍ଗର ଖୁସିରେ ଖୁସି ଥିଲା । ଏଇ ରାଧା ହେଉଛନ୍ତି ରାଧାମଣୀ ମହାନ୍ତି । ଯାହାର ସକାଳେ ଚିଠି ଆସିଥିଲା । ଭାବନାରୁ ଓହରି ଯାଇ ରାଧାମଣୀ ଙ୍କ ସକାଳେ ଆସିଥିବା ଚିଠିଟି ପଢ଼ିଲେ,
      
ପ୍ରିୟ ବିଭୁ,
        ଗତକାଲି ଜାଣିଲି ତୁମେ ଚାକିରୀରୁ ଅବସର ଗ୍ରହଣ କରିଛ । ଏକୁଟିଆ ସମୟ ଅତିବାହିତ କିପରି କରିବ ? କଣ ଥରୁଟିଏ ମୋତେ ଜଣାଇଲେ କିଛି ଅସୁବିଧା ହୋଇଯାଉଥିଲା ? ମୋତେ କିନ୍ତୁ କିଛି ପୃଷ୍ଠା ପଛକୁ ଯିବାର ଅଛି, ସେଇ ସମୟକୁ ଫେରିବାର ଅଛି । ଯେଉଁଠି ତୁମକୁ କଥା ଦେଇ ଚାଲିଆସିଥିଲି ମୋ ବାପଘର କୁ । ଆଜି ପୁଣି ଚାହୁଁଛି ଫେରିଯିବାକୁ ତୁମ ପାଖକୁ, ହଁ ଯେତେ ବି ଯନ୍ତ୍ରଣା ଦିଅ ମୋତେ ମୁଁ ନିଶ୍ଚୟ ଫେରିବି ତୁମ ପାଖକୁ । ସ୍ବପ୍ନ ଆଉ ସତର ଖେଳରେ ନିଜ ଆଉ ତମ ମୋହ ରେ ମୁଁ ଲେଖୁଛି କିଛି ସମୟ ରହିଯାଇ ମୋ ଭିତରେ । ଜାଣିଛି ମୋ ଚିଠିଟି ଖୋଲି ପଢିବନି,କାରଣ ମୁଁ ମାନୁ ଭଳି ତୁମକୁ ମିଛ ଭଲପାଇବା ଦେଇ ପାରି ନଥିଲି । ମୋ ଭିତରେ କିଛି କମି ରହିଯାଇଥିଲା ହେଲେ ତୁମ ପ୍ରତି ସତ ଭଲ ପାଇବାରେ କିଛି ଭୁଲ୍ ନଥିଲା । ଅନେକ ଚାହିଁ ଥିଲି ତୁମ ସହ କିଛି ଦୂର ଚାଲିବାକୁ ଥକି ଯାଇ ବି ନା ଥକି ଯିବାର ଅଭିନୟରେ । ପରେ ବୁଝିଲି ମୋ ଉପରେ ତୁମର ବିଶ୍ୱାସ ବି ନଥିଲା । ଜାଣିଛି ତୁମ ଇଚ୍ଛା ବିରୋଧ ରେ ଆମର ବିବାହ ହୋଇଥିଲା, ମୁଁ ତୁମ ସହ କିପରି ଚଳିବି ସେଇଟା ମୁଁ ମଧ୍ୟ ଜାଣିପାରିଲି । ତୁମର ସ୍ପର୍ଶ ନ ପାଇ ମଧ୍ୟ ବିତେଇ ଥିବା କିଛି ମୁହୂର୍ତ୍ତ କୁ ମୁଁ ଖାଲି ଝୁରୁଛି । ଅଭିମାନର ପୃଷ୍ଠା ତୁମ ଦେହରେ ଆଙ୍କି ଦେବାକୁ ଇଚ୍ଛା ହେଉଛି । ତୁମ ଦୁଃଖ ଆଉ ମୋ ଦୁଃଖ ବାଣ୍ଟିଦେଇ ତୁମକୁ ଜୋର୍ କରି କୋଳେଇ ନେବାକୁ ଇଚ୍ଛା ହେଉଛି । ମୋର ପ୍ରତିଟି ଲୁହ ବୁନ୍ଦା ତୁମ ଦେହରେ ପଡି ଆଉ ଗୋଟେ କାହାଣୀ ଅପେକ୍ଷା ରେ ଅଛି । କ୍ଷମା କରିବ ଏଇ ସ୍ମୃତି ସବୁ ପୁଣି ଦୋହାରେଇ ଦେଇଥିବାରୁ ! କ୍ଷମା କରିବ ତୁମକୁ ଚିଠି ଲେଖି ଥିବାରୁ । ଏଇ ଦଶ ବର୍ଷ ଭିତରେ ଅନେକ ଚିଠି ଲେଖିଛି ତୁମକୁ, ହେଲେ ତୁମେ ପଢ଼ିବନି ଜାଣି ତୁମକୁ ପଠାଏ ନାହିଁ । ମୋର ଅନେକ ଇଚ୍ଛା ଥିଲା ତୁମକୁ ଚିଠିଟିଏ ପଠାଇବାକୁ, ଗତ କାଲି ତୁମେ ଅବସର ନେଇଛ ଜାଣିଲା ପରେ ମୋ ଭାଇ ମୋତେ ଅନେକ ବାଧ୍ୟ କଲେ ତୁମ ପାଖକୁ ଫେରି ଯିବାକୁ । ତୁମେ ମଧ୍ୟ ଭାବୁଥିବ, ଏଇ ବୁଢ଼ୀ ବୟସ ରେ ଏଇ ପ୍ରେମ ପତ୍ର ଛବି ଥିବା ଚିଠି ଟି କାହିଁ ଦେଇଛି । ହାଃ ହାଃ ସବୁ ଭାଇର କାମ । ମୋ ପ୍ରତି ତୁମ ଅବହେଳା ଦେଖି ଭାଇ ଦଶ ବର୍ଷ ତଳେ ଘରକୁ ନେଇଆସିଥିଲା ସିନା, ତା ମୁହଁରୁ ତୁମ ପ୍ରତି ଚିନ୍ତା ମୁଁ ବହୁତ୍ ଦେଖିଛି ! ତୁମେ ମୋ ଠାରୁ ଦୂରେଇ ରହିଲେ କଣ ହେବ,ତୁମର ସବୁ ଖବର ମୋତେ ଜଣା । ଏବେ ଲାଗୁଛି ଏକୁଟିଆ ତୁମେ କିପରି ରହିବ? କିଛି ନୂଆ ପ୍ରତିଜ୍ଞା ନେଇ ମୁଁ ପହଞ୍ଚୁଛି କାଲି ତୁମ ପାଖରେ, ଆଶା କରେ ମୋତେ ଆଉ ତୁମ ଜୀବନରୁ ଦୂରେଇ ଦେବନି !
                                                      || ଇତି ||
                                                     ତୁମର ରାଧା
                                                     
ଚିଠି ଟି ପଢି ବିଭୁବାବୁ ଙ୍କ ଆଖିରୁ ବହି ଚାଲିଲା ଅଜସ୍ର ଅଶ୍ରୁଧାରା । କେତେ ନା କଷ୍ଟ ଦେଇଛନ୍ତି ସେ ରାଧାକୁ, ହେଲେ ସେ କେମିତି ସବୁ ହସି ହସି ସହି ଯାଆନ୍ତି । ଦଶ ବର୍ଷ ତାଙ୍କୁ ଦୂରେଇ ଦେଇଛି ମୋ ଠାରୁ କିପରି ରହୁଥିଲେ ଯେ ସେ । ପୁଣି ମୋତେ ଚିଠିଟିଏ ଦେବାକୁ ବି ଏତେ ଭୟ । ଧିକ ମୋତେ ! ରାଧା ଭଳି ପତ୍ନୀ କୁ ହତାଦର କରିଥିବାରୁ । ଯିଏ ଏତେ ଦୂରରେ ଥାଇ ବି ମୋର ଯତ୍ନ ନେଉଛି ମୁଁ କିଭଳି ମଣିଷ ସେଇ ଭଳି ସ୍ତ୍ରୀ କୁ କଷ୍ଟ ଦେଇଛି । ସତରେ ମାନୁ ଓ ରାଧା ଭିତରେ ଏତେ ଫରକ ଥିଲା । ପବନରେ ଉଡାଇଦେଲେ ସେଇ ସ୍ମୃତି ଚିଠି ଗୁଡ଼ିକ, ଯେଉଁଗୁଡିକ ମାନୁ ର ଥିଲା । ରାଧାମଣୀ ଙ୍କ ସେଇ ଚିଠି କୁ ରଖି ଦେଲେ ଆଜୀବନ ସ୍ମୃତି ଚିଠି ରୂପରେ । ମାନୁର ଚିଠି ଗୁଡ଼ିକ ଉଡି ଉଡି ତାଙ୍କ ଆଖିରୁ ଅଦୃଶ୍ୟ ହୋଇଯାଉଥିଲା, ଏବଂ ସେ ଭାବୁଥିଲେ ବାକିତକ ଜୀବନ ରାଧାମଣୀ ଙ୍କ ସହ ଖୁସିରେ କାଟି ଦେବେ ବୋଲି । ଯିଏ ଯାହା କୁହନ୍ତୁ ଏଇ ବୃଦ୍ଧ ବୟସରେ ପ୍ରେମ ଦେଖି, ସେ ଭାବୁଥିଲେ ସେମାନଙ୍କୁ କହିଦେବାକୁ ପ୍ରେମରେ ବୟସ ସୀମା ନଥାଏ ।


ଶ୍ରୀମାନି ପ୍ରିୟଦର୍ଶିନୀ ଦାସ ✍️


2 Comments

  1. ବହୁତ ସୁନ୍ଦର ହେଇଛି ଲେଖାଟି

    ReplyDelete
  2. ବହୁତ ବଢ଼ିଆ ହେଇଛି ।

    ReplyDelete

Post a Comment

Post a Comment

Previous Post Next Post
Free Shubhdristi App Download Now