କେବେଠାରୁ କବିତା?

କେବେଠାରୁ କବିତା? 

( ବିଶ୍ଵ କବିତା ଦିବସ ଉପଲକ୍ଷେ) 

କେବେଠାରୁ କବିତା?

ବିବେକ ସଂଲଗ୍ନ ଭାବନାର ଉପସ୍ଥିତି ହିଁ ମନୁଷ୍ୟକୁ ସର୍ବୋକୃଷ୍ଟ ପ୍ରାଣୀର ଆଖ୍ୟା ଦେଇଛି। ଚିନ୍ତନ, ମନ୍ଥନ ତଥା ପ୍ରକାଶନ ଏହି ଆଖ୍ୟା ନିମିତ୍ତ ଯାତ୍ରାରେ ଉପଯୋଗୀ ସାଜିଥିଲା। ଉନ୍ନତ ମସ୍ତିଷ୍କରୁ ନୂତନତ୍ୱର ଉଦୟମାନ ସାରା ପୃଥିବୀ ପାଇଁ ନୂଆ ଲାଗୁଥିଲେ ମଧ୍ୟ ପ୍ରକୃତିର ସତ୍ୟତା ପାଇଁ ନୂଆ ନୁହଁ। ଚକ ଠାରୁ ଚକୋଲେଟ୍ ପର୍ଯ୍ୟନ୍ତ ଲମ୍ବା ଉଦ୍ଭାବନ, ଏ ଜୀବ ପାଇଁ ହୋଇଛି ସମ୍ଭବ। କେବଳ ବସ୍ତୁବାଦୀ ପଦାର୍ଥ କାହିଁକି! , ବୈଚାରିକ, ସାମାଜିକ, ଅର୍ଥନୈତିକରେ ମଧ୍ଯ ନବୀନ ପନ୍ଥ ଦେଖିବାକୁ ମିଳିଥିଲା। ଅଗ୍ରଗତିର ସ୍ପୃହା ମନୁଷ୍ୟକୁ ବିଚାର କରିବା ପାଇଁ ବାଧ୍ୟ କରିଥିଲା। ଆଉ ଯେତେବେଳେ ପ୍ରକାଶ କରିବା ପାଇଁ ଆହ୍ଵାନ ଆସିଲା ଭାଷା ହିଁ ସାଜିଲା ବାଧକ। ପ୍ରାଥମିକ ସୋପାନରେ ଇଙ୍ଗିତ ଦ୍ଵାରା ହୁଏ ଯୋଗାଯୋଗ। ପରବର୍ତ୍ତୀ କାଳେ, ଜନ୍ମ ନିଏ ଅନେକ ଭାଷା। ପୁନଶ୍ଚ, ଭାଷାକୁ ସରଳ ଆଉ ସାଧାରଣ କରିବା ପାଇଁ ଜନ୍ମ ନିଏ ବ୍ୟାକରଣ। ଆଉ ଯେଉଁ ସବୁ ଭାଷା ବ୍ୟାକରଣ କରିବାରେ ଅକ୍ଷମ ହୁଅନ୍ତି, ସେମାନେ ପାଲଟି ଯାଆନ୍ତି କଥିତ ଭାଷା। ଭାବନାର ସଂରକ୍ଷଣ ବସ୍ତୁଭିତ୍ତିକ ନୁହଁ ତଥା ମସ୍ତିଷ୍କ ଅନେକ ଦିନ ଧରି ଗୋଟିଏ ଭାବନାକୁ ସାଇତି ରଖିବା ଅସମ୍ଭବ। ଅନ୍ୟ ଏକ ପାର୍ଶ୍ଵେ, ଭାଷା କେବଳ ବାର୍ତ୍ତାଳାପଶୀଳ ହୋଇ ରହିଥାନ୍ତା କିପରି? ଭାଷା ଅଭିବୃଦ୍ଧିରେ ମଧ୍ଯ ଅନ୍ୟ ଅନ୍ୟ ମାର୍ଗ ଚିହ୍ନଟ ହେଉଥିଲା। ସମସ୍ତ ଭିତରୁ ସୁଗମ ଆଉ ସମୃଦ୍ଧ ମାଧ୍ୟମ କବିତା ହିଁ ଥିଲା। ପ୍ରକୃତିସୃଷ୍ଟ ମନୁଷ୍ୟ ପ୍ରକୃତି ପ୍ରତି ଢ଼ାଳିବା ସ୍ୱାଭାବିକ। ସୂର୍ଯ୍ୟୋଦୟର ରକ୍ତିମ ଗଗନ ଠାରୁ ପୂର୍ଣ୍ଣିମାର ଧବଳ ଜ୍ୟୋତ୍ସ୍ନା ସବୁଠାରୁ ସାଉଁଟି ଆଣିଲା ରଙ୍ଗ, କୋକିଳ କୁହୁତାନଠାରୁ ଝରଣାର କଳରୋଳ ସବୁଠାରୁ ଭରିଲା ସ୍ଵର। ଗୁଣୁଗୁଣୁ ହେଉ ହେଉ ଜନ୍ମ ନେଲା ସଙ୍ଗୀତ। ସଙ୍ଗୀତରେ ଭାଷାର ମୂଳଦୁଆ ଦେଲା କବିତା। ସ୍ଵପ୍ନ କୋଠାରୀ ଥାକ ଥାକ ହୋଇ ସଜାଇ ରହିଲା କବିତା ଉପରେ। ପରିବ୍ୟାପ୍ତ ପରିକଳ୍ପନାର ଦିଗଦର୍ଶକ ସାଜିଲା କବିତା। ପ୍ରାରମ୍ଭିକ ରୂପେ କେବଳ ପ୍ରକୃତି ବନ୍ଦନା ହିଁ କବିତାର ସଂଜ୍ଞା ବହନ କରିଥିଲା, କିନ୍ତୁ ତତ୍ ପରେ ଜନ୍ମ ନିଏ ଅନେକ ଅନ୍ୟ ଅନ୍ୟାନ୍ୟ ଅନ୍ୟନ ରୂପ। ଏକ ବୃହତ୍ ପରିବର୍ତ୍ତନର ଆଭାସ ମିଳିପାରୁଥିଲା। ଦୁଃଖ, ସୁଖ, ମାନ ଅଭିମାନର ମାଧ୍ଯମ ସାଜିଗଲା କବିତା। କବିତାର ଲିଖନ ଶୈଳୀ ପଢିବା ପାଇଁ ଉତ୍ସାହିତ କରିବା ସହ ସ୍ମରଣ ନିମିତ୍ତ ମଧ୍ୟ ସହଜ ହେଲା। ଯୁଦ୍ଧ ସମୟରେ ସମର ସଙ୍ଗୀତ, ଧାନ କାଟିଲା ବେଳେ କୃଷକ ସଙ୍ଗୀତ ଆମୋଦ ପ୍ରମୋଦ ପାଇଁ ସୁଯୋଗ ଦେଲା। ବୃହତ୍ତର ଭାବନାକୁ ସଂକ୍ଷିପ୍ତ ପ୍ରକାଶ ପାଇଁ କବିତା ବ୍ୟତୀତ ଆଉ କଣ ଉତ୍ତମ ହୋଇପାରେ? ପ୍ରେମରେ ନିବେଦନ ହେଉ ଅବା ବିପ୍ଳବ-ଆନ୍ଦୋଳନ ପାଇଁ କବିତା ଖୁବ୍ ଶୀଘ୍ର ଲୋକପ୍ରିୟତା ଗ୍ରହଣ କରିଦେଲା। ଖୁବ୍ ନଜର କରିବା ବିଷୟ, ଅନେକ ଧର୍ମଗ୍ରନ୍ଥ ଏବଂ ଏହାର ପଠନରେ ମଧ୍ଯ କବିତାକୁ ଆପଣା ଯାଇଛି। ଯାହାଦ୍ୱାରା ଅନୁଶୀଳନ କରିବାକୁ ବ୍ୟକ୍ତି ଖୁବ୍ କମ ସମୟ ମଧ୍ୟରେ ଅନେକ ତତ୍ତ୍ୱକୁ ନିଜ ଭିତରେ ସ୍ଥାପିତ କରିପାରିବ। ପରେ ପରେ ସାହିତ୍ୟର ଅନେକ ଯୁଗର ଆଗମନ ହୁଏ। ପ୍ରତ୍ୟେକ ଯୁଗ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଚାଲେ। ଆଦିକବି ସାରଳା ଦାସଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ କବିତା ଏକ ସ୍ଵାଧୀନତା ଦେଇଛି। ଯେଉଁ ସ୍ଵାଧୀନତା ଦ୍ଵାରା ଓଡିଆ ଭାଗବତ ପ୍ରତ୍ୟେକ ଘରେ ଘରେ ଲୋକପ୍ରିୟ ହେବା ସହ ଗ୍ରାମରେ ଏକ ସାମାଜିକ ଏକତା ପାଇଁ ଭାଗବତ ଟୁଙ୍ଗୀ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଅବଶ୍ୟ ଆଧୁନିକ ସମାଜରେ ଏହା ବିଲୁପ୍ତ। ଇଂରେଜ ଉପନିବେଶବାଦ ବିରୁଦ୍ଧରେ କବିତା ପାଖରେ ହିଁ ଥିଲା ଲୋକଙ୍କୁ ଜାଗୃତ କରିବାର କ୍ଷମତା। ଅନେକ ଭାଷାରେ ଅନେକ କବିତା ଅଛି, ଅନେକ ପନ୍ଥ ମଧ୍ଯ ଏହିଥିରେ ସାମିଲ, ହେଲେ ଆଶ୍ଚର୍ଯ୍ୟର ବିଷୟ ଏହାକି କବିତା ନିଜର ମୌଳିକତା ସବୁଠାରେ ବଜାଏ ରଖିଛି।

ବିଶ୍ଵ କବିତା ଦିବସରେ, କବିତାର ପାଠକୀୟତା ବୃଦ୍ଧି ପାଇଁ କବିଟିଏ ନ ହେଲେ ମଧ୍ଯ ପାଠକଟିଏ ହେବାକୁ ଅନୁରୋଧ।


ପ୍ରତ୍ୟୁଷ ଦେବାଶିଷ

6372822234

3 Comments

  1. ଅତି ସୁନ୍ଦର ❤️🙏🏻

    ReplyDelete
  2. ବହୁତ ସୁନ୍ଦର ଲେଖା.. ❤🙏🏻

    ReplyDelete
  3. ଲେଖା ଟିଏ ସଫଳତା ସେବେ ପାଏ ଯେବେ ପଢା ଶେଷରେ ଆଖିରେ କିଛି ଲୁହ ଯାହା ତଳକୁ ନ ବୋହି ଜକେଇ ଆସେ ଏବଂ ଓଠ କଣରେ ଛୋଟିଆ ସ୍ମିତ ହସ ଟିଏ ଖେଳିଯାଏ | ବହୁତ ଭଲ ଲାଗିଲା ❤️

    ReplyDelete

Post a Comment

Post a Comment

Previous Post Next Post
Free Shubhdristi App Download Now