ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ସନାତନୀ ନଵଵର୍ଷ : ମହାଵିଷୁଵ ପଣା ସଂକ୍ରାନ୍ତି

ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ସନାତନୀ ନଵଵର୍ଷ : ମହାଵିଷୁଵ ପଣା ସଂକ୍ରାନ୍ତି  - ଶିଶିର ସାହୁ ମନୋଜ

ଶିଶିର ସାହୁ ମନୋଜ

ଅନେକେ ମହାଵିଷୁଵ ପଣା ସଂକ୍ରାନ୍ତିକୁ କେଵଳ "ଓଡ଼ିଆ ନଵଵର୍ଷ" ମନେ କରନ୍ତି କିନ୍ତୁ ପ୍ରକୃତରେ ଏହାକୁ “ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ନଵଵର୍ଷ” ଅଭିହିତ କରାଯାଏ ।‌ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ଅନେକ ଦେଶରେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ପାରମ୍ପରିକ ନଵଵର୍ଷ ପାଳିତ ହୋଇଥାଏ । ଭାରତରେ ମେଷ ସଂକ୍ରାନ୍ତିକୁ ନଵଵର୍ଷ ଭାବେ ତାମିଳନାଡୁ଼,କେରଳ,ଓଡ଼ିଶା,ପଶ୍ଚିମ ଵଙ୍ଗ,ଆସାମ,ବିହାର, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ,ହରିଆଣା, ପଞ୍ଜାବ ଆଦି ରାଜ୍ୟର ଅଧିଵାସୀ ପାଳିଥାନ୍ତି । ଭାରତର ଵିଭିନ୍ନ ଅଞ୍ଚଳରେ ଏହି ନଵଵର୍ଷର ନାମ ମଧ୍ୟ ଭିନ୍ନ ଭିନ୍ନ ଅଟେ । 

ଵିଷୁଵ ସଂକ୍ରାନ୍ତିକୁ 'Buisu' ନାମରେ ତ୍ରୀପୁରାର ପାରମ୍ପରିକ ନଵଵର୍ଷ ଭାବେ ପାଳନ କରାଯାଏ । ଉତ୍ତରାଖଣ୍ଡର କୁମାଉନ୍ ଅଞ୍ଚଳରେ ଏହା "ବିଖୁ ଵା ବିଖାଉତି" ନାମରେ ନଵଵର୍ଷ ରୂପେ ପାଳିତ ହୁଏ । ସୁଦୂର ଦକ୍ଷିଣ ଭାରତରେ କେରଳୀ ଓ ତୁଲୁମାନେ 'ଵିଷୁ', କୋଡ଼ଵାଭାଷୀ ଲୋକେ "ଏଦମାୟର ଓଣ୍ଡ ଵା ଵିଷୁ ଚଙ୍ଗ୍ରାନ୍ଦି" ଓ ତାମିଲ ଭାଷାଭାଷୀ 'ପୁଥାଣ୍ଡୁ' 

ଭାବେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ନିଜର ପାରମ୍ପରିକ ନଵଵର୍ଷ ରୂପରେ ପାଳିଥାନ୍ତି । 

ମେଷ ସଂକ୍ରାନ୍ତି ଦିନ ଆସାମ ଓ ମେଘାଳୟର ବୋଡ଼ୋ ଜନଜାତୀୟ ଲୋକଙ୍କ ପାରମ୍ପରିକ ନଵଵର୍ଷ Bwisagu ପାଳନ କରାଯାଉଥିଲାବେଳେ ଆସାମର ମୁଖ୍ୟ ଜନଜାତି ଅହୋମମାନଙ୍କ ଦ୍ବାରା ପାରମ୍ପରିକ ନଵଵର୍ଷ ରୂପରେ ଏହି ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ବିହୁ,ରଙ୍ଗୋଲୀ ବିହୁ ନାମରେ ପାଳିତ ହୋଇଥାଏ । ସେହିପରି ପଞ୍ଜାବ , ହିମାଚଳ ପ୍ରଦେଶ, ଦିଲ୍ଲୀ ଓ ହରିଆଣାର ଲୋକମାନେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ଵୈଶାଖୀ ନାମରେ ପାଳନ କରନ୍ତି ଏଵଂ ଏହା ଏହି ଅଞ୍ଚଳର ଲୋକଙ୍କର ଏହା ପାରମ୍ପରିକ ନଵଵର୍ଷ ଅଟଇ । ନେପାଳୀ ଓ ବିହାରର ମୈଥିଳୀଭାଷୀ ଲୋକଙ୍କର ମଧ୍ୟ ମହାଵିଷୁଵ ପଣା ସଂକ୍ରାନ୍ତି ପାରମ୍ପରିକ ନଵଵର୍ଷ ଅଟେ । ମୈଥିଳୀଭାଷୀ ଜୁରଶୀତଳ ନାମରେ ମହାଵିଷୁଵ ପଣା ସଂକ୍ରାନ୍ତିକୁ ନଵଵର୍ଷ ଭାବେ ପାଳନ କରନ୍ତି ‌। ପୁଣି ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ପାଳିତ ହେଉଥିଵା 'ପୋହେଲା ବୈଶାଖ' ହେଉଛି ପଶ୍ଚିମଵଙ୍ଗ, ବାଙ୍ଗଲାଦେଶ,ତ୍ରିପୁରା ଓ ନେପାଳରେ ଵସଵାସ କରୁଥିଵା ବଙ୍ଗାଳୀ ସନାତନୀମାନଙ୍କର ପାରମ୍ପରିକ ନଵଵର୍ଷ । 

ଏହି ପଣା ସଂକ୍ରାନ୍ତି ଦିନ ଅରୁଣାଚଳ ପ୍ରଦେଶର Khamti, Singpho, Khamyang ଓ Tangsa ଜନଜାତି ତଥା ଆସାମର Tai Phake, Tai Aiton ଓ Turung ଜନଜାତୀୟ ଲୋକେ ଯେଉଁ ପାରମ୍ପରିକ ନଵଵର୍ଷ ପାଳନ କରନ୍ତି ତାକୁ Sangken କୁହାଯାଏ । ମିଜୋରାମ, ତ୍ରିପୁରା ଓ ବଙ୍ଗଳାଦେଶରେ ଵସଵାସ କରୁଥିଵା 

ଚକମା ଜନଜାତିର ପାରମ୍ପରିକ ନଵଵର୍ଷ Bizhu/Bizu ବି ମେଷ ସଂକ୍ରାନ୍ତି ଦିନ ପାଳିତ ହୁଏ । 

କେଵଳ ଭାରତ ହିଁ ନୁହେଁ ଭାରତ ବାହାରେ ଭାରତୀୟ ସଂସ୍କୃତିଦ୍ଵାରା ପ୍ରଭାଵିତ ଏଵଂ ପୂର୍ଵେ କଳିଙ୍ଗ ଦେଶର ଉପନିଵେଶ ଥିଵା ଅନେକ ଦେଶରେ ମଧ୍ଯ ମେଷ ସଂକ୍ରାନ୍ତିକୁ ପାରମ୍ପରିକ ନଵଵର୍ଷ ଭାବେ ପାଳନ କରାଯାଏ । ଯଥା—

ବର୍ମାର ପାରମ୍ପରିକ ନଵଵର୍ଷର ନାମ Thingyan,କାମ୍ଵୋଡି଼ଆର ପାରମ୍ପରିକ ନଵଵର୍ଷ Choul Chnam Thmey/ Moha Sangkran , ଶ୍ରୀଲଙ୍କାର ପାରମ୍ପରିକ ସିଂହଳୀ ନଵଵର୍ଷ Aluth Avurudda,ଲାଓସ୍ ଦେଶର ପାରମ୍ପରିକ ନଵଵର୍ଷ Pi Mai ,ଥାଇଲାଣ୍ଡର ପାରମ୍ପରିକ ନଵଵର୍ଷ Songkran, ପଶ୍ଚିମ ଚୀନରେ Dai ଆଦି କେତେକ ଜନଜାତିର ପାରମ୍ପରିକ ନଵଵର୍ଷ Pōshuǐ jié(ଚୀନରେ ଏହା Water-sprinkling festival ଭାବରେ ମଧ୍ୟ ଜଣାଶୁଣା) ଅଟେ । ନେପାଳରେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନଠାରୁ ଵିକ୍ରମ ସମ୍ବଦ୍ ପଞ୍ଜିକାର ନୂତନ ଵର୍ଷ ଆରମ୍ଭ ହୁଏ ଏଵଂ ଏହି ଅଵସରରେ ବିଷ୍କା ଵା ବିଷ୍କାଟ୍ ଯାତ୍ରାର ଆୟୋଜନ କରାଯାଏ । ଏହାକୁ ନେପାଳର ରଥଯାତ୍ରା ମଧ୍ୟ କୁହାଯାଏ । 

ଉଲ୍ଲେଖଯୋଗ୍ୟ ଯେ ଏସବୁ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସୀୟ ପାରମ୍ପରିକ ନଵଵର୍ଷ ମହାଵିଷୁଵ ପଣା ସଂକ୍ରାନ୍ତି ତିଥିରେ ହିଁ ପାଳନ କରାଯାଏ । ତେଣୁ ଯଥାର୍ଥରେ ଦକ୍ଷିଣ ଏସିଆର ଅନେକ ଦେଶର ପାରମ୍ପରିକ ନଵଵର୍ଷ ହୋଇଥିଵାରୁ ମେଷ ସଂକ୍ରାନ୍ତି/ପଣାସଂକ୍ରାନ୍ତି/ସଂଗକୋରାନ୍‌କୁ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ପାରମ୍ପରିକ ନଵଵର୍ଷ ମଧ୍ଯ କୁହାଯାଇଥାଏ । 

ପୁଣି ମହାଵିଷୁଵ ପଣା ସଂକ୍ରାନ୍ତି ହେଉଛି ପ୍ରକୃତ ସନାତନୀ ନଵଵର୍ଷ । ମେଷ ସଂକ୍ରାନ୍ତି ପ୍ରକୃତ ସନାତନୀ ନଵଵର୍ଷ କାରଣ ଓଡ଼ିଆ, ବଙ୍ଗାଳୀ, ମୈଥିଳୀ,ମଲୟାଲମୀ,

 ତାମିଲ,ତୁଲୁ,ପଞ୍ଜାଵୀ,ଆସାମୀ ଇତ୍ୟାଦି ଅଧିକାଂଶ ମହାଭାରତୀୟ ଜାତିଙ୍କର ଏହି ଦିନ ହୁଏ ପାରମ୍ପରିକ ନଵଵର୍ଷ ।

 ସେଇଭଳି ହିନ୍ଦୁ(ଭାରତ), ବୌଦ୍ଧ(ଶ୍ରୀଲଙ୍କା, ବ୍ରହ୍ମଦେଶ ଇତ୍ୟାଦି) ଓ ସିଖ୍(ପଞ୍ଜାବ) ଆଦି ସନାତନୀ ଧର୍ମର ଲୋକେ ଆଜିର ଦିନରେ ହିଁ ପାରମ୍ପରିକ ନଵଵର୍ଷ ପାଳିଥାଆନ୍ତି । 

ଗୌତମ ବୁଦ୍ଧ ଏହିଦିନ ‘ଦିଵ୍ୟଜ୍ୟୋତି’ ପ୍ରାପ୍ତ ହୋଇଥିଵାରୁ ପ୍ରାୟ ସମସ୍ତ ବୌଦ୍ଧ ଦେଶରେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନକୁ ଏକ ବଡ଼ ପର୍ଵ ଭାଵରେ ପାଳନ କରାଯାଏ । ପଞ୍ଜାଵରେ ବହୁପ୍ରଚୀନ କାଳରୁ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ଵୈଶାଖୀ ଉତ୍ସଵ ପାଳିତ ହେଉଥିଲା । ୧୬୯୯ର ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ସିଖ୍‌ଗୁରୁ ଶ୍ରୀଗୋଵିନ୍ଦ ସିଂହ ଆନନ୍ଦପୁର ନିକଟରେ ଥିଵା କେଶଗଡ଼ ସାହିବଠାରେ ଖାଲସାପନ୍ଥ ପ୍ରତିଷ୍ଠା କରି ଶିଖ୍‌ମାନଙ୍କର ଧର୍ମଗୁରୁ ହୋଇଥିଲେ । ସେହି ଦିନଠାରୁ

ଶିଖ୍‌ମାନେ ଏହି ଦିଵସଟିକୁ ନଵଵର୍ଷ ଭାବେ ପାଳନ କରିଆସୁଛନ୍ତି । ମହା ଵିଷୁଵ ପଣା ସଂକ୍ରାନ୍ତି ଦିନ ଗୁରୁଦ୍ୱାରାମାନଙ୍କରେ କୀର୍ତ୍ତନ ଓ ଲଙ୍ଗର ଵ୍ୟଵସ୍ଥା ସହ ଵିଭିନ୍ନ ସ୍ଥାନରେ ନଗର କୀର୍ତ୍ତନ ଵା ଶୋଭାଯାତ୍ରା ଆୟୋଜନ କରାଯାଏ । ତା’ ସହିତ ପଞ୍ଜାଵର ଏହା ଅମଳ ଋତୁ ହୋଇଥିଵାରୁ ଏହି ଦିନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୁଏ । ଶାକ୍ତ ଓ ଶୈଵ ପନ୍ଥର ଭକ୍ତମାନଙ୍କ ପାଇଁ ମଧ୍ୟ ମହାଵିଷୁଵ ପଣା ସଂକ୍ରାନ୍ତି ଏକ ଗୁରୁତ୍ବପୂର୍ଣ୍ଣ ଦିଵସ । ପ୍ରାୟ ସବୁ ଦେଵୀପୀଠରେ ଏହିଦିନ ଚଣ୍ଡୀପାଠ,

ହୋମ ଯଜ୍ଞ କରାଯାଇଥାଏ । ବହୁ ଦୂର ଦୂରାନ୍ତରୁ ଲୋକମାନେ ଆସି ଦେଵୀଙ୍କୁ ଶାଢି଼, ଶଙ୍ଖା, ସିନ୍ଦୂର ଆଦି ଅର୍ପଣ କରି ଭୋଗ ଲଗାନ୍ତି ଓ ନୂତନ ଵର୍ଷରେ ସୁଖଶାନ୍ତି ପାଇଁ ପ୍ରାର୍ଥନା କରନ୍ତି । ଵୈଷ୍ଣଵମାନେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ତୁଳସୀ ପୂଜନ ଓ ହନୁମାନ ଜୟନ୍ତୀ ପାଳନ କରିଥାନ୍ତି । ତେଣୁ ଏକାଧିକ ସନାତନୀ ପନ୍ଥଦ୍ଵାରା ମହାଵିଷୁଵ ପଣା ସଂକ୍ରାନ୍ତି ଦିନକୁ ପାରମ୍ପରିକ ନଵଵର୍ଷ ଭାବେ ପାଳନ କରାଯାଉଥିଵାରୁ ଏହାକୁ "ସନାତନୀ ନଵଵର୍ଷ" ମଧ୍ୟ କୁହାଯାଏ । 

ନଵଵର୍ଷ ରୂପେ ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ଵିଭିନ୍ନ ଦେଶରେ ପାଳିତ ହେଉଥିଵା ଏହି ସଂକ୍ରାନ୍ତିର ଵିଭିନ୍ନ ଭାରତୀୟ ନାମ ମଧ୍ୟ ଅଛି । ଏହାକୁ କେଵଳ ଓଡ଼ିଶାରେ ହିଁ ମହାଵିଷୁଵ ସଂକ୍ରାନ୍ତି,ଵିଷୁଵ ସଂକ୍ରାନ୍ତି,ପଣା ସଂକ୍ରାନ୍ତି ,ଜଳ ସଂକ୍ରାନ୍ତି, ପ୍ରଥମ ସଂକ୍ରାନ୍ତି, ଠେକି ବସା ସଂକ୍ରାନ୍ତି,ବସୁନ୍ଧରା ଘଡ଼ିବସା ସଂକ୍ରାନ୍ତି ,ଚୈତ୍ର ସଂକ୍ରାନ୍ତି,ଛତୁଆ ସଂକ୍ରାନ୍ତି ଓ ଚଡ଼କ ସଂକ୍ରାନ୍ତି ଇତ୍ୟାଦି କୁହାଯାଏ। 

ମହାଵିଷୁଵ ପଣା ସଂକ୍ରାନ୍ତିର କଳିଙ୍ଗୀ ନୌଵାଣିଜ୍ୟ ପରମ୍ପରା ସହିତ ମଧ୍ୟ ସମ୍ପର୍କ ଅଛି । ଯେଉଁ ଯେଉଁ ଅଞ୍ଚଳରେ ଏକଦା କଳିଙ୍ଗୀମାନେ ନିଜ ସଂସ୍କୃତିର ପ୍ରଚାର ପ୍ରସାର କରିଥିଲେ ଵା ଯେଉଁ ସବୁ ଅଞ୍ଚଳରେ ପୂର୍ଵେ କଳିଙ୍ଗୀମାନଙ୍କର ସଂସ୍କୃତିର ସାଂସ୍କୃତିକ ସାମାଜିକ ରାଜନୈତିକ ପ୍ରଭାଵ ପଡି଼ଥିଲା ଆଜି ସେଇସବୁ ଅଞ୍ଚଳରେ ମହାଵିଷୁଵ ସଂକ୍ରାନ୍ତି ପାରମ୍ପରିକ ନଵଵର୍ଷ ଭାଵେ ପାଳିତ ହେଉଛି । ଆଗେ ସାଧଵମାନେ କାର୍ତ୍ତିକ ମାସ ଶେଷଦିନ ଦୂରଦେଶକୁ ବୋଇତ ଯାତ୍ରା କରୁଥିଲେ ଏଵଂ ମହା ଵିଷୁଵ ପଣା ସଂକ୍ରାନ୍ତି ପରଠାରୁ ରଜପର୍ଵ ପର୍ଯ୍ଯନ୍ତ ଵିଦେଶରୁ ବୋଇତ ଯୋଗେ ଫେରି ଆସୁଥିଲେ । ଆଗେ କାର୍ତ୍ତିକ ଅମାଵାସ୍ୟାର ପରଦିନ ଅତି ପ୍ରତ୍ୟୁଷରୁ ଓଡ଼ିଆ ଗୃହର ସ୍ତ୍ରୀମାନେ ଅଗଣାରେ ମୁରୁଜରେ ଏଵଂ ପୀଠରେ ବୋଇତର ଵା ଡଙ୍ଗାର ଚିତ୍ର ଲେଖି ସେହି କଳ୍ପିତ ବୋଇତ ଉପରେ ପେଟରା, ବାକସ ଓ ବାସନ ଆଦି ଆଣି ଜମା କରି ବୋଇତକୁ ବନ୍ଦାଉଥିଲେ । ସମ୍ଭଵତଃ ଏହି ଅନୁଷ୍ଠାନ ପ୍ରାଚୀନ ବଣିକମାନଙ୍କର ପ୍ରଥମ ସମୁଦ୍ରଯାତ୍ରାର ଅନୁକୂଳର ସ୍ମାରକ ଏଵଂ ରଜରେ ଠକୁରାଣୀଗାଧୁଆ ଦିନ ସକାଳେ ସ୍ତ୍ରୀମାନେ ଅଗଣାରେ ମୁରୁଜ ଆଦିରେ ବୋଇତର ଚିତ୍ର କାଟି ତାହା ଉପରେ ବାକ୍ସ ଆଦି ରଖି ବନ୍ଦାପନା ଓ ଲକ୍ଷ୍ମୀପୂଜା କରୁଥିଲେ । ସମ୍ଭଵତଃ ଏହା ବୋଇତ ଫେରି ଆସିଵା ସମୟରେ କରାଯାଉଥିଵା ବନ୍ଦାପନାର ସ୍ମାରକ । ବୋଇତ ଦ୍ଵାରା ଫେରି ଆସିଵା ପୂର୍ଵରୁ ସାଧଵମାନେ ଏହି ମହାଵିଷୁଵ ସଂକ୍ରାନ୍ତି ଦିନ କଳିଙ୍ଗର ଶ୍ରୀଲଙ୍କା ବ୍ରହ୍ମଦେଶ ଲାଓସ କାମ୍ବୋଡିଆ ଫିଲିପାଇନସ ଆଦି ଅଞ୍ଚଳରେ ପାରମ୍ପରିକ ପଣା ସଂକ୍ରାନ୍ତିକୁ ପାଳନ କରୁଥିଲେ ଯାହା ସେସବୁ ଅଞ୍ଚଳରେ ଆଜି ବି ବଞ୍ଚି ରହିଛି । ଓଡ଼ିଶାର ନୌଵାଣିଜ୍ୟ ପରମ୍ପରା ସହିତ ମେଷ ସଂକ୍ରାନ୍ତି ଵା ମହା ଵିଷୁଵ ପଣା ସଂକ୍ରାନ୍ତିର ଏକ ଵିଶିଷ୍ଟ ସମ୍ପର୍କ ରହିଛି । 

ସାଧଵମାନେ କାର୍ତ୍ତିକ ମାସରେ ନୌଵାଣିଜ୍ୟ କରିଵାକୁ ଦରିଆ ପାରି ଦେଶକୁ ଯାଇ ଵୈଶାଖ ମାସରେ ସ୍ଵଦେଶ ଫେରି ଆସୁଥିଲେ । ଫଳତଃ କେଵଳ ଓଡ଼ିଶା ନୁହେଁ ପୂର୍ଵେ ଯେଉଁ ଯେଉଁ ସ୍ଥାନରେ କଳିଙ୍ଗୀମାନଙ୍କର ଶାସନ ଓ ଉପନିଵେଶ ଥିଲା ସେହି ସେହି ସ୍ଥାନରେ ଵୈଶାଖ ମାସକୁ ମହତ୍ତ୍ୱପୂର୍ଣ୍ଣ ଵିଚାର କରାଯାଇଥିଲା । 

ତେବେ ଅନେକେ ହୁଏତ ଜାଣିନଥିବେ ଯେ ଆମର ଗୋଟିଏ ନୁହେଁ ଵରଂ ଦୁଇଗୋଟି ଵିଷୁଵ ସଂକ୍ରାନ୍ତି ଅଛି । ଆମ କଳିଙ୍ଗ ଦେଶୀୟ ସଂସ୍କୃତିରେ ଦୁଇଗୋଟି ଵିଷୁଵ ସଂକ୍ରାନ୍ତି ପାଳିତ ହେଵାର ପ୍ରଥା ରହିଛି । ଜଳ ଵିଷୁଵ ସଂକ୍ରାନ୍ତି ଓ

ମହା ଵିଷୁଵ ପଣା ସଂକ୍ରାନ୍ତି । ତୁଳା ସଂକ୍ରାନ୍ତି, କାର୍ତ୍ତିକ ସଂକ୍ରାନ୍ତି ଵା ଗର୍ଭଣା ସଂକ୍ରାନ୍ତିକୁ ଜଳ ଵିଷୁଵ ସଂକ୍ରାନ୍ତି କୁହାଯାଏ ଏଵଂ ମେଷ ସଂକ୍ରାନ୍ତି, ଚଡ଼କ ସଂକ୍ରାନ୍ତି,ଠେକିବସା ସଂକ୍ରାନ୍ତି ,ଛତୁଆ ସଂକ୍ରାନ୍ତି ଓ ପଣାସଂକ୍ରାନ୍ତି ଇତ୍ୟାଦି ନାମରେ ଜଣାଶୁଣା ସଂକ୍ରାନ୍ତି ଵିଶେଷକୁ ମହା ଵିଷୁଵ ସଂକ୍ରାନ୍ତି କୁହାଯାଏ । ଵୈଜ୍ଞାନିକମାନେ ପୃଥିଵୀ ମଧ୍ୟରେ କେତେକ କାଳ୍ପନିକ ରେଖା, ବିନ୍ଦୁ, ଵୃତ୍ତର କଳ୍ପନା କରିଛନ୍ତି ଏଵଂ ସେହି କଳ୍ପନାର ପ୍ରାଚୀନ ମୂଳ ଆଧାର ଭାରତୀୟ ଭୌଗୋଳିକ ଜ୍ଞାନ। କ୍ରାନ୍ତିଵୃତ୍ତ (Ecliptic) ଓ ନିରକ୍ଷଵୃତ୍ତ (Equator) ଏହି ଦୁଇଟି ଵୃତ୍ତ ଦୁଇଟି କାଳ୍ପନିକ ବିନ୍ଦୁ ସୃଷ୍ଟି କରିଥାନ୍ତି । ସେହି ଦୁଇ ବିନ୍ଦୁକୁ ମହାଵିଷୁଵ ଓ ଜଳଵିଷୁଵ ବିନ୍ଦୁ କୁହାଯାଏ । ଯେତେବେଳେ ମହାଵିଷୁଵ ବିନ୍ଦୁ ଉପରେ ସୌର କେନ୍ଦ୍ର ବିନ୍ଦୁ ସ୍ପର୍ଶ କରେ, ସେତେବେଳେ ମହାଵିଷୁଵ ସଂକ୍ରାନ୍ତି ହୁଏ। 

ମହାଵିଷୁଵ ପଣା ସଂକ୍ରାନ୍ତି ଓ ଦକ୍ଷିଣ ଏସିଆର ଜଳଵାୟୁ ମଧ୍ୟରେ ଗଭୀର ସମ୍ପର୍କ ଅଛି । ପ୍ରକୃତରେ ଏହି ପର୍ଵର କଳ୍ପନା ହିଁ ସ୍ଥାନୀୟ ଜଳଵାୟୁ ଆଧାରରେ ହୋଇଛି ‌। 

ସୌର ମେଷମାସରେ ପାଳିତ ହେଉଥିଵା ମହା ଵିଷୁଵ ସଂକ୍ରାନ୍ତି କେଵଳ ଓଡ଼ିଶାର ନୁହେଁ ସାରା ଦକ୍ଷିଣ ଏସିଆର ପାରମ୍ପରିକ ନଵଵର୍ଷ । ଆମ ଦକ୍ଷିଣ ଏସିଆର ସଂସ୍କୃତି ଏହି ଦକ୍ଷିଣ ଏସୀୟ ଜଳଵାୟୁ ଆଧାରରେ ନିର୍ଣ୍ଣୟ ହୋଇଅଛି । ଆମ ସଂସ୍କୃତିରେ ଗ୍ରୀଷ୍ମଋତୁଠାରୁ ଵର୍ଷ ଆରମ୍ଭର ନିୟମ ରହିଛି । ଗ୍ରୀଷ୍ମଋତୁ ଦୁଇ ମାସ - ଵୈଶାଖ ଓ ଜ୍ଯୈଷ୍ଠ । ଦକ୍ଷିଣ ଏସିଆରେ ଵୈଶାଖ ମାସଠାରୁ ଗ୍ରୀଷ୍ମପ୍ରବାହ ଆରମ୍ଭ ହୁଏ ସେଥିପାଇଁ ଭାରତ ସମେତ ଶ୍ରୀଲଙ୍କା, ମାଲେସିଆ,ଇଣ୍ଡୋନେସିଆ,ବ୍ରହ୍ମଦେଶ,ଥାଇଲାଣ୍ଡ ଆଦି ଅନେକ ଦେଶରେ ଏହି ଦିନ ପାରମ୍ପରିକ ନଵଵର୍ଷ ପାଳିତ ହୋଇଥାଏ । 

ମହାଵିଷୁଵ ପଣା ସଂକ୍ରାନ୍ତି ଋତୁଚକ୍ରର ଠିକ୍ ଆରମ୍ଭରେ ପାଳିତ ହୁଏ ଅର୍ଥାତ୍ ଗ୍ରୀଷ୍ମଋତୁର ଆରମ୍ଭ ସହିତ ଆମର ନଵଵର୍ଷ ଆରମ୍ଭ ହୋଇଥାଏ । ଆମ୍ବ,ବେଲ ଭଳି ଭାରତୀୟ ଫଳ ଓ ପୁଷ୍ପରେ ଵନ ଉପଵନ ଭରିଯାଏ । 

ଵର୍ଷ ଆରମ୍ଭ ସହିତ ସୂର୍ଯ୍ୟ ପ୍ରଖର ହୁଅନ୍ତି ଏଵଂ ନଵଵର୍ଷରେ କର୍ମଠ ହେଵା ଲାଗି ଶକ୍ତି ପ୍ରଦାନ କରନ୍ତି । ତୁଳସୀ ଭଳି ପଵିତ୍ର ଵୃକ୍ଷ ପରେ ଠେକି ବସା ଯାଇ ଜଳଦାନ କରିଵା ସହ ଲୋକଙ୍କୁ ପଣା ପାନ କରାଇ ଭଵିଷ୍ୟତରେ ରୌଦ୍ରତ୍ରାପରୁ ରକ୍ଷା ହେତୁ ଲକ୍ଷଣାର୍ଥ ଉପଦେଶ ଦେଵା ଭଳି ଏକମାତ୍ର ଭାରତୀୟ ସନତନୀ ନଵଵର୍ଷ ହେଉଛି ଆମ ମହା ଵିଷୁଵ ପଣା ସଂକ୍ରାନ୍ତି ! 

ମହାଵିଷୁଵ ପଣା ସଂକ୍ରାନ୍ତି ଦିନ କଳିଙ୍ଗ ଦେଶରେ ଵିଭିନ୍ନ ପର୍ଵପର୍ଵାଣୀ ପାଳିତ ହୋଇଥାଏ ଏଵଂ ଏଥିପାଇଁ ଏହା କଳିଙ୍ଗ ଦେଶର ଏକ ଅତି ଗୁରୁତ୍ବପୂର୍ଣ୍ଣ ପର୍ଵ ବୋଲି ସ୍ପଷ୍ଟ ଭାବରେ କୁହାଯାଇପାରେ ।

ମହା ଵିଷୁଵ ପଣା ସଂକ୍ରାନ୍ତି ଦିନ ଓଡ଼ିଶାର ସମସ୍ତ ପ୍ରାନ୍ତରେ ଦଣ୍ଡନୃତ୍ୟ, ଝାମୁ ଯାତ୍ରା,ଚଡ଼କ ଯାତ୍ରା ଓ ଶକ୍ତିପୀଠରେ ଉପାସନା (ତାରିଣୀ, ସମଲେଶ୍ୱରୀ, ସାରଳା, ଚଣ୍ଡୀ ଇତ୍ୟାଦି), ଜଳଦାନ ଏକ ପ୍ରକାରେ ଆୟୋଜିତ ହୁଏ, ଯାହାକି ଉଡ୍ର ସାଂସ୍କୃତିକ ଐକ୍ୟ ଓ ଜାତୀୟ ସଂହତିକୁ ପ୍ରତିପାଦିତ କରେ । ମହା ଵିଷୁଵ ପଣା ସଂକ୍ରାନ୍ତି ଅଵସରରେ ଓଡ଼ିଶାରେ ତୁଳସୀ ଗଛ ଉପରେ ଜଳ ପୂର୍ଣ୍ଣ ବସୁନ୍ଦରା ଘଟ ଦିଆଯାଏ ଓ ଵିଶେଷ ପୂଜାର ଆୟୋଜନ କରାଯାଏ । ଯେଉଁ ଘଡ଼ିର ତଳେ କଣାରୁ ପାଣି ଟୋପା ଟୋପା ବୋହି ତୁଳସୀ ଗଛ ଵା ଦେଵତାଙ୍କ ଉପରେ ପଡ଼େ ତାକୁ ବସୁନ୍ଧରା ଘଟ ଵା ଘଡ଼ି କୁହାଯାଏ । ପଣାସଂକ୍ରାନ୍ତିଠାରୁ ଏକ ମାସ ପର୍ଯ୍ୟନ୍ତ ତୁଳସୀ ଗଛ ଉପରେ ସବୁବେଳେ ଜଳଧାରା ଦେବା ନିମନ୍ତେ ସଚ୍ଛିଦ୍ର କଳସ ଵା ବସୁନ୍ଧରା ଘଡ଼ି ଟଙ୍ଗାଯାଏ । ଏହି ଘଡି଼କୁ ଧର୍ମଘଡି଼ ବି କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ସିଂହଭୂମି ଆଦି କେତେକ ଅଞ୍ଚଳରେ ଚୈତ୍ର ମାସରେ ତୁଳସୀ ଗଛ ଉପରେ ଧର୍ମଘଡି଼ ସ୍ଥାପନ କରାଯାଏ । ତେବେ ଏ ପରମ୍ପରା ଅଧୁନା ଅନେକ ସ୍ଥାନରେ ଲୁପ୍ତ ହୋଇଯାଇଥିଵା ହୃଦବୋଧ ହୁଏ । ପଣା ସଂକ୍ରାନ୍ତି ପରଠାରୁ ରୌଦ୍ରତାପ ବୃଦ୍ଧି ପାଏ ତେଣୁ ଏହି ସଂକ୍ରାନ୍ତିରେ ଵୃକ୍ଷଜଗତ ଏଵଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିଵାରୁ ଏହାର ଅନ୍ୟ ନାମ ଜଳସଂକ୍ରାନ୍ତି ଅଟଇ ‌। 

ମହା ଵିଷୁଵ ପଣା ସଂକ୍ରାନ୍ତିଠାରୁ ବାୟୁର ଗତି କ୍ରମଶଃ ପ୍ରଖର ହୁଏ ଏଵଂ ଏହି ଦିନଠାରୁ 'କାଳଵୈଶାଖୀ' ପ୍ରଵାହିତ ହୋଇଥାଏ । ହନୁମାନ ହେଉଛନ୍ତି ଵାୟୁପୁତ୍ର ତଥା ପୁରାଣର କଥା ଅନୁସାରେ ସେ ନିଜ ବାଳପଣରେ ସୂର୍ଯ୍ୟଙ୍କୁ ଗିଳିଦେଵାକୁ ଉଦ୍ୟତ ହୋଇଥିଲେ । ଅତଃ କଳିଙ୍ଗଵାସୀ ଗ୍ରୀଷ୍ମଋତୁର ଆରମ୍ଭରେ ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ମହାଵିଷୁଵ ପଣା ସଂକ୍ରାନ୍ତିରେ ହନୁମାନ ଜୟନ୍ତି ପାଳନ କରିଥାନ୍ତି । ଶ୍ରୀମନ୍ଦିର ରୀତିନୀତିରେ ତେଣୁ ଏହି ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ହନୁମାନଙ୍କର ଵିଶେଷ ଆରାଧନା କରାଯାଏ । ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେଵା ଏଵଂ ହନୁମାନ ଠାକୁର ଆଜ୍ଞାମାଳ ପାଇଲା ପରେ ଝୁଲଣ ମଣ୍ଡପ ତଳେ ଥିଵା ଵିମାନରେ ବିଜେ କରନ୍ତି । ଚାରିଦ୍ୱାର ମହାଵୀର ଓ ବାର ଭାଇ ମହାଵୀରମାନଙ୍କୁ ଆଜ୍ଞାମାଳ ଦେଵା ପରେ ଵିମାନବଡ଼ୁମାନେ ଘଣ୍ଟ, ଛତା ଓ କାହାଳୀ ସହ ଜଗନ୍ନାଥ ବଲ୍ଲଭ ମଠକୁ ଵିଜେ କରାନ୍ତି । ହନୁମାନ ଵିମାନରେ ରହିଥିଵା ଅଵସ୍ଥାରେ ପୂଜାପଣ୍ଡା ଜଗନ୍ନାଥ ବଲ୍ଲଭ ମଠରେ ଵିରାଜିତ ମହାଵୀର (ହନୁମାନ)ମାନଙ୍କୁ ଆଜ୍ଞାମାଳ ଦିଅନ୍ତି ଓ ତା'ପରେ ଦରିଆ ମହାଵୀରଙ୍କୁ ଦେଵା ନିମନ୍ତେ ଯାଆନ୍ତି । ସେଠାରୁ ଫେରଲା ପରେ ମଠଠାରେ ଭୋଗ, ବନ୍ଦାପନା ହୁଏ । ତା'ପରେ ବାହୁଡ଼ା ଵିଜେ କରାଯାଏ ଓ ହନୁମାନ ଦକ୍ଷିଣଘରକୁ ଫେରନ୍ତି । ⁠ହନୁମାନ ଆଜ୍ଞାମାଳ ପାଇ ଯିବା ପରେ ଭୋଗମଣ୍ଡପ ଭୋଗ ଶେଷ ହୋଇ ମଇଲମ, ମହାସ୍ନାନ ଓ ନୂଆଲୁଗା ନୀତି ହୁଏ । ଚନ୍ଦନ ଲାଗି, ଛଅମୂର୍ତ୍ତିି ଅଳଙ୍କାର, ମାଳଫୁଲ ଓ କର୍ପୂର ଲାଗି ହୋଇ ବେଶ ହୋଇାଥାଏ । ଦ୍ୱିପ୍ରହର ଧୂପ ଭୋଗ ଆସିଵା ପରେ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି । ତା'ପରେ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ପୂଜା କରନ୍ତି । ଟେରା ପଡ଼ିଵା ପରେ ଜଣେ ପୂଜାପଣ୍ଡା ବଳିଅନ୍ନ ନେଇ ମନ୍ଦିର ଚାରିପାଖେ ଦିଗବଳି କରି ଭିତରକୁ ଯାଇ ଭୋଗ ମଣୋହି କରନ୍ତି । ଏହା ପରେ ପାଣି ପଡ଼ିଲେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ପୁରୀର ଵିଭିନ୍ନ ଜାଗା ଆଖଡା଼ରେ ଏହି ଦିନ ମାଟି କୁସ୍ତି କରାଯାଇଥାଏ । ନୂତନ ଭାବେ ପାରମ୍ପରିକ ଵସ୍ତ୍ରର ପରିଧାନ କରି ଜାଗା ଆଖଡାର ସଦସ୍ୟମାନେ ହନୁମାନଙ୍କର ଆଶୀର୍ଵାଦ ନେଵା ଦଣ୍ଡ ବୈଠକ ସହ କୁସ୍ତି କସରତ କରିଥାଆନ୍ତି । ସାଧାରଣତଃ ଏହି ଦିନ ମାଟି କୁସ୍ତି କରାଯାଇଥାଏ । ପୁରୀର ପ୍ରସିଦ୍ଧ ସିଦ୍ଧ ମହାଵୀରଙ୍କର ସହ ପୁରୀ ନିକଟସ୍ଥ ଶିରୁଳି ମହାବୀର ପୀଠରେ ଭକ୍ତରଙ୍କ ପ୍ରଵଳ ସମାଗମ ହୋଇଥାଏ ।  

ଏହିପରି ଭାବେ ଶ୍ରୀମନ୍ଦିରରେ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ହନୁମାନଙ୍କର ଜୟନ୍ତୀ ପାଳିତ ହୋଇଥାଏ । 

ଆଷାଢ଼, କାର୍ତ୍ତିକ, ମାଘ ଓ ବୈଶାଖ, ସନାତନୀମାନଙ୍କର ଏହି ଚାରିଗୋଟି ଧର୍ମ ମାସ ଅଟେ । ଏହି ଚାରି ମାସ ତଥା ଏହି ଚାରି ମାସର ପୂର୍ଣ୍ଣିମା ହିନ୍ଦୁଶାସ୍ତ୍ର ଅନୁସାରେ ପୁଣ୍ୟକାଳ। ଏହି ଚାରି ମାସର ଆଦ୍ୟ ଅକ୍ଷରଦ୍ୱାରା ଗଠିତ 'ଆ କା ମା ବୈ' ଶବ୍ଦ ମତ୍ସ୍ୟପୁରାଣରେ ଅଛି। 

"ଵିଷୁଵେ ଶତ ସାହସ୍ର ମାକାମାଵୈଫଳଂ ଲଭେତ୍

ଅର୍ଥାତ୍ ଵିଷୁଵ(ଵୈଶାଖର ପଣା ସଂକ୍ରାନ୍ତି) ସଂକ୍ରାନ୍ତିରେ ଦାନପୁଣ୍ୟାଦି କଲେ ଶତ ସହସ୍ର 'ଆକାମାଵୈ' ଅର୍ଥାତ୍ ଉକ୍ତ ଚାରି ମାସ ଓ ଚାରି ପୂର୍ଣ୍ଣିମାରେ ଅନୁଷ୍ଠିତ ଦାନ ଓ ପୁଣ୍ୟର ଫଳ ଲାଭ ହୁଏ । ସେଥିପାଇଁ ମହା ଵିଷୁଵ ପଣା ସଂକ୍ରାନ୍ତିରେ ଧାନ୍ୟଧେନୁ ଦାନ କଲେ ବହୁ ସୌଭାଗ୍ୟ, ସୁଖ ଓ ପୁଣ୍ୟଲାଭ ହୁଏ ବୋଲି ଭାରତରେ ଲୋକଵିଶ୍ଵାସ ପ୍ରଚଳିତ ଥିଲା । ମହା ଵିଷୁଵ ପଣା ସଂକ୍ରାନ୍ତି ଦିନ ପଣାସଂକ୍ରାନ୍ତିରେ ଵ୍ରତଧାରୀ ପାଟୁଆମାନଙ୍କର ଦେଵୀ ଆସ୍ଥାନ ନିକଟରେ ନିଆଁରେ ଚାଲିଵା ଓ ବାଦ୍ୟ ସହିତ ଗୀତ ବୋଲି ନାଚିଵା ପର୍ବକୁ ପଟୁଆଯାତ ,ଝାମଯାତ ଓ ଝାମୁଚଲା ଇତ୍ୟାଦି କୁହାଯାଏ । ଅଞ୍ଚଳ ଭେଦରେ ଝାମୁଯାତ ଓ ପାଟୁଆ ଯାତ ଭିନ୍ନ ଭିନ୍ନ ହୋଇଥାଏ ।‌ ଢେଙ୍କାନାଳ ଆଦି କେତେକ ଅଞ୍ଚଳରେ ଲମ୍ବାଗାତ ସହ ତହିଁର ଦୁଇପଟେ ଦୁଇଗୋଟି ଗୋଲାକାର ଗାତ ଖୋଳିଦିଆଯାଏ । ମଝି ଲମ୍ବାଗାତରେ ରଡ଼ନିଆଁ ଦିଆଯାଏ ଓ ଦୁଇପାଖରେ ଜଳ ରହିଥାଏ । ଵ୍ରତଧାରୀମାନେ ମାନସିକ କରିଥିଵା ପିଲାଙ୍କୁ ଧରି ଏଇ ରଡ଼ନିଆଁ ଉପରେ ଚାଲିଯାଆନ୍ତି । କେତେକ ଅଞ୍ଚଳର ପାଟୁଆ ଯାତ୍ରା ଦିନ ସାତଟି ଗାତ ଭୂଇଁରେ ଖୋଳା ହୋଇ ସେଥିରେ ନିଆଁ ଦହକୁ ଥାଏ। ଅନ୍ଯ ଗୋଟିଏ ଗାତରେ ଦୁଧ ଓ ପାଣି ପୂର୍ଣ୍ଣ ଥାଏ। ଵ୍ରତଧାରୀ ବ୍ଯକ୍ତି ଦୁଧପାଣି ଥିଵା ଗାତରେ ଗୋଡ଼ ବୁଡ଼ାଇ ସାରି ତାପରେ ନିଆଁ ଜଳୁଥିବା ୭ଟି ଗାତରେ ଏକାଦିକ୍ରମେ ଗୋଡ଼ ଦେଇ ଦେଇ ଚାଲିଯାଏ ଓ ତାହା ଗୋଡ଼ରେ ଫୋଟକା ହୁଏ ନାହିଁ। କଟକ ଜିଲ୍ଲାର ବାଙ୍କି ଓ କେତେକ ଗଡ଼ଜାତରେ ଏ ଯାତ ହୁଏ। ସେ ଦିନ ଓ ତା ପରେ କେତେ ଦିନ ପର୍ଯ୍ୟନ୍ତ ଵ୍ରତଧାରୀମାନେ ବେଶ ପିନ୍ଧି ଗ୍ରାମ ଗ୍ରାମ ବୁଲି ବାଦ୍ୟ ସହ ନାଚନ୍ତି ଓ ଗୀତ ଗାଆନ୍ତି।

ଦଣ୍ଡନାଚ ସହିତ ମହାଵିଷୁଵ ପଣା ସଂକ୍ରାନ୍ତିର ଗଭୀର ସମ୍ପର୍କ ରହିଛି । 

ଦଣ୍ଡନାଚ ଓଡ଼ିଶାର ଏକ ପ୍ରାଚୀନ ଓ ପାରମ୍ପରିକ ନାଚ ଏହା ଓଡ଼ିଶାର କଟକ, ଅନୁଗୋଳ, ଢେଙ୍କାନାଳ ଆଦି ଵିଭିନ୍ନ ଅଞ୍ଚଳରେ ପାଳିତ ହେଉଥିଲେ ବି ଗଞ୍ଜାମ ଜିଲ୍ଲାର ଏହା ଏକ ପ୍ରମୁଖ ଲୋକ ପର୍ଵ ଅଟେ। ଦଣ୍ଡନାଚ ଗ୍ରାମାଞ୍ଚଳରେ କାମନା ଦଣ୍ଡ ଭାବେ ପରିଚିତ ତଥା ଠାକୁରାଣୀଙ୍କ ଆସ୍ଥାନ ନିକଟସ୍ଥ ଯେଉଁ ତୋଟାରେ କାମନା ଦଣ୍ଡ ମହାଵିଷୁଵ ପଣା ସଂକ୍ରାନ୍ତି ଦିନ ପାଳିତ ହୁଏ ସେହି ତୋଟାକୁ କାମନା ତୋଟା କୁହାଯାଏ। ଚୈତ୍ର ମାସ ଆରମ୍ଭରୁ ଵୈଶାଖ ମାସ ପ୍ରଥମ ଦିନ ପର୍ଯ୍ୟନ୍ତ ଦଣ୍ଡନାଚ ଅନୁଷ୍ଠିତ ହୋଇଥାଏ । ଦଣ୍ଡରେ ମିଶିଥିଵା ଭକ୍ତଙ୍କୁ ଦଣ୍ଡୁଆ ଵା ଭୋକ୍ତା କୁହନ୍ତି । ଦଣ୍ଡୁଆ ଵା ଭୋକ୍ତାମାନେ ବହୁ କଷ୍ଟ କରି ଶରୀରକୁ ଦଣ୍ଡ ଦେଉଥିଵାରୁ ଏହି ନାଚକୁ ଦଣ୍ଡନାଚ କୁହାଯାଏ । ଦଣ୍ଡ ନାଚରେ ଯୋଗ ଦେଵା ଦ୍ୱାରା ମା'କାଳୀଙ୍କ ଅସୀମ କୃପାରୁ ପାପ ଓ ଦୁଖ ଦୂର ହୋଇ ମାନବ ଶାନ୍ତି ଓ ଧନ ପ୍ରାପ୍ତ ହୁଏ ବୋଲି ଓଡ଼ିଶାରେ ଲୋକଵିଶ୍ୱାସ ପ୍ରଚଳିତ । ଦଣ୍ଡନାଚରେ ୧୩ଜଣ ମୁଖ୍ୟଭୋକ୍ତା ଥାଆନ୍ତି ଏଵଂ ଏହି ୧୩ଜଣ ତେର ଵର୍ଷ ପାଇଁ ଅଂଶଗ୍ରହଣ କରିଵାକୁ ବାଧ୍ୟ । ସେମାନଙ୍କ ମଧ୍ୟରେ ଜଣେ ପାଟଭୋକ୍ତା ଥାଆନ୍ତି । ଭୋକ୍ତାମାନଙ୍କ ପାଇଁ କଠିନ ଆଚରଣ, ନିଷ୍ଠା ଏଵଂ ତ୍ୟାଗର ଵିଧିଵିଧାନ ଅଛି । ଦଣ୍ଡୁଆ ଵା ଭୋକ୍ତାମାନେ ଷୋହଳ ପ୍ରକାରର ଦଣ୍ଡ ପରମ୍ପରା ଅନୁସାରେ ଗ୍ରହଣ କରନ୍ତି ସେଗୁଡ଼ିକ ହେଲା: ଆହାର, ଉଜାଗର (ନିଦ୍ରା), ମୈଥୁନ ତ୍ୟାଗ, ଗୃହତ୍ୟାଗ, ପଦଗମନ, ଶ୍ମଶାନ, ନୃତ୍ୟ, ଧୂଳି, ପାଣି, ଅଗ୍ନି, ଗୃହଦଣ୍ଡ, ଅଙ୍ଗବଳୀ, ମେରୁପଟା (କଣ୍ଟା ଫୋଡ଼ିଵା), ଶୁଦ୍ଧିକ୍ରିୟା, କୁଳଭୋଜି ଓ ଅଗ୍ନି ପରିକ୍ଷା (ଅଗ୍ନିରେ ଚାଲିବା) । ଲିଆ, ପଣା ତଥା ମୁଗସିଝା ଏମାନଙ୍କର ଖାଦ୍ୟ ଏଵଂ ଦଣ୍ଡଯାତ ସମୟରେ ଦଣ୍ଡିଆ ଵା ଭୋକ୍ତାମାନଙ୍କ ପାଇଁ ରାଜସିକ ତଥା ତାମସିକ ଖାଦ୍ୟ ଭକ୍ଷଣ ନିଷେଧ ଅଟେ । ଭୋକ୍ତାମାନେ ଶିଵ, ପାର୍ଵତୀ, କାଳୀ, କଳସ, ବେତ, ଛତ୍ର, ବାନା, ଆଲଟ, ଚାମର, ଘଣ୍ଟ, ଢୋଲ, ମହୁରୀ, ଶଙ୍ଖ, ତୁରୀ ଧରି ଗାଁକୁ ଗାଁ ବୁଲନ୍ତି । ମାନସିକ କରିଥିଵା ଵ୍ୟକ୍ତି ସେମାନଙ୍କୁ ନିମନ୍ତ୍ରଣ କରନ୍ତି । ଷୋହଳ ସୁଆଙ୍ଗ ଦଣ୍ଡନାଚର ମୁଖ୍ୟ ଆକର୍ଷଣ । ଯଜମାନଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ପ୍ରାର୍ଥନା କରି ପାଣିଦଣ୍ଡ, ଧୂଳି ଦଣ୍ଡ, ଵଜ୍ର ଦଣ୍ଡ, ଅଗ୍ନି ଦଣ୍ଡ, ନୃତ୍ୟ ଦଣ୍ଡ ଆଦି ବରଣ କରନ୍ତି । ପ୍ରଚଣ୍ଡ ଖରାରେ ତତଲା ବାଲି ଉପରେ ଗଡ଼ି, ପିରାମିଡ଼ କରି ଭୋକ୍ତା/ଦଣ୍ଡୁଆମାନେ ପାଣିଦଣ୍ଡ ନୃତ୍ୟ ପରିବେଷଣ କରନ୍ତି । ଶିବ ପାର୍ଵତୀ, ଯୋଗିଯୋଗିଆଣୀ, କେଳା କେଳୁଣୀ, ଶବର ଶବରୁଣୀ, ହାଡ଼ି ହାଡ଼ିଆଣୀ, ଚଢ଼େୟା ଚଢ଼େୟାଣୀ, ବୀଣାକାର ଇତ୍ୟାଦି ସୁଆଙ୍ଗ ଦର୍ଶକମାନଙ୍କୁ ଆକୃଷ୍ଟ କରେ । ସୁଆଙ୍ଗବେଳେ ଚରିତ୍ରକୁ ଚାହିଁ ବେଶ ପୋଷାକ ପିନ୍ଧିଥାନ୍ତି ।ପୌରାଣିକ, କୃଷିଭିତ୍ତିକ ଏବଂ ସାଧାରଣ ଜୀଵନ ଦର୍ଶନର ପ୍ରଭାବ ଦଣ୍ଡନାଟ ସୁଆଙ୍ଗରେ ଦେଖିଵାକୁ ମିଳିଥାଏ । ଗଞ୍ଜାମ ଜିଲ୍ଲାର ଦଣ୍ଡନାଚରେ ଘୋଟଣା ନୃତ୍ୟ ଭଳି କେତେକ ସ୍ଵାତନ୍ତ୍ର୍ୟ ବି ରହିଛି । ଦଣ୍ଡନାଚରେ ଅତି ସରଳ ଗ୍ରାମୀଣ ଭାଷା ଵ୍ୟଵହାର କରାଯାଇଥାଏ । ଵିଷୁବ ସଂକ୍ରାନ୍ତି ଦିନ ଏହି ଦଣ୍ଡନାଚ ଶେଷ ହୁଏ ଏଵଂ ଏହି ଶେଷଦିନକୁ ମେରୁ ପୂଜା କୁହାଯାଏ । ପ୍ରଜ୍ଜ୍ୱଳିତ ଅଗ୍ନି ଉପରେ ମେରୁ ଖୁଣ୍ଟରେ ଝୁଲି ପାଟଭୋକ୍ତା ଭକ୍ତମାନଙ୍କ ପାଇଁ ଶାରିରୀକ କଷ୍ଟ ଗ୍ରହଣ କରନ୍ତି । ଘଣ୍ଟ, ଝାଞ୍ଜ ଓ ଢୋଲ ଇତ୍ୟାଦି ଵାଦ୍ୟଯନ୍ତ୍ର ବାଜୁଥିଵା ବେଳେ ଭୋକ୍ତାମାନଙ୍କ କଳାରୁଦ୍ରମଣିକି ଭଜ ହେ ଧ୍ୱନି ଶ୍ରଦ୍ଧାଳୁଙ୍କ ମନରେ ଭୟ ମିଶ୍ରିତ ଭକ୍ତି ଭାବ ସୃଷ୍ଟି କରିଥାଏ । ଏହାର ପରଦିନ କୁଳଭୋଜି ହୁଏ, ସମସ୍ତେ ଏକାଠି ବସି ଖାଆନ୍ତି ଓ ନିଜ ନିଜର ଶୁଦ୍ଧିକ୍ରିୟା କରି ଭୋକ୍ତାମାନେ ଘରକୁ ବାହୁଡ଼ନ୍ତି । ମହାଵିଷୁଵ ସଂକ୍ରାନ୍ତି ମାସଯାକ ପାଳିତ ହେଉଥିଵା ଦଣ୍ଡନାଚର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଵସ ହୋଇଥିଵାରୁ ଏହି ଦିନ ଶେଷ ଦଣ୍ଡ ଠାକୁରାଣୀ ଆସ୍ଥାନ ନିକଟରେ ଧୁମ୍‌ଧାମରେ ଆୟୋଜିତ ହୋଇଥାଏ ।

ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଆଦି ଉତ୍ତର ଓଡ଼ିଶା ଜିଲ୍ଲାମାନଙ୍କରେ ଲୋକେ ପଣାସଂକ୍ରାନ୍ତିକୁ ଚଡ଼କପର୍ଵ ଵା ଚଡ଼କଯାତ୍ରା ନାମରେ ପାଳନ କରିଥାନ୍ତି । ପାଟୁଆନାଚ,ଦଣ୍ଡଯାତ ପରି ଚଡ଼କଯାତ୍ରାରେ ଭାଗ ନେଉଥିଵା ଭୋକ୍ତା ଵା ପାଟୁଆମାନେ ମଧ୍ୟ ଦେଵତାଙ୍କୁ ପ୍ରସନ୍ନ କରାଇଵାକୁ ନିଜକୁ ନାନା ରୂପେ ଦଣ୍ଡିତ କରିଥାନ୍ତି । ଚଡ଼କ ଯାତ ଅଵସରରେ ଉତ୍ତର ଓଡ଼ିଶାରେ ଗରମ ଝୁଣାକୁ ପାଟୁଆମାନଙ୍କ ପିଠିକୁ ଫୋପାଡି଼ ସେମାନଙ୍କ ପିଠି ଚମକୁ ବଧିରା କରି ଦିଆଯାଏ। ଏହାପରେ ବନିଶୀକଣ୍ଟାପରି ଏକ ମୁନିଆଁ ହୁକକୁ ପିଠିରେ ଫୁଟାଇ ଦିଆଯାଏ ଓ ସେହି ହୁକକୁ ଦଉଡ଼ି ସାହାଯ୍ୟରେ ଏକ ନମନୀୟ ବାଉଁଶରେ ଗୋଟିଏ ପାଖରେ ଲଗାଯାଏ। ଏହି ନମନୀୟ ବାଉଁଶ ଵା ବାହୁଙ୍ଗୀକୁ ୨୦/୨୫ ହାତ ଉଚ୍ଚା ଏକ ବାଉଁଶ ଉପରେ ତରାଜୁ ପରି ରଖାଯାଏ। ଯେଉଁ ବାଉଁଶଟିରେ ପାଟୁଆକୁ ଓହଳା ଯାଇଥାଏ ତା’ର ଆରପାଖକୁ ଦଉଡି ଲଗାଇ ପାଟୁଆକୁ ଶୂନ୍ୟରେ ୭ରୁ ୨୧ ଘେରା ଘୁରାନ୍ତି। ତା’ପରେ ପାଟୁଆକୁ ସେଥିରୁ ମୁକ୍ତ କରନ୍ତି ଓ ସେ ମାସେ ଯାଏ ଗାଁରେ ବୁଲି ବାଜା ସହିତ ନାଚେ ଓ ଗୀତ ଗାଏ । ଦଣ୍ଡଯାତର ଦଣ୍ଡୁଆ ଵା ଭୋକ୍ତା ଆଉ ପାଟୁଆଯାତ ତଥା ଚଡ଼ ଯାତର ପାଟୁଆମାନେ ହିଁ ପ୍ରକୃତ ଅର୍ଥରେ

ଶୈଵ ଅଟନ୍ତି । ଶିଵ ପୂଜା ହିଁ ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ । ଏହି

ପାଟୁଆ ଯାତ୍ରାର ଉତ୍ପତ୍ତି ସମ୍ପର୍କରେ ଡଃ କୁଞ୍ଜବିହାରୀ ଦାଶ

ଲେଖିଛନ୍ତି— ”ବୌଦ୍ଧତନ୍ତ୍ରର ଆସ୍ଵାଦ ଲୋକେ ଭୁଲି ପାରିଲେ ନାହିଁ । ଏହା ଶୈଵଧର୍ମ ଭିତରେ ଶୈଵତନ୍ତ୍ରରେ ଦେଖାଦେଲା । ଶୈଵଧର୍ମର ନାଗା ସନ୍ନ୍ୟାସୀମାନେ ଶବ କଙ୍କାଳ ଉପରେ

ସାଧନା କଲେ । କେତେକ ଊର୍ଦ୍ଧବାହୁ, ଆକାଶମୁଖୀ ହୋଇ,କେତେକ ଵା ବୃକ୍ଷ ଶାଖାରେ ପଦ ଦୁଇ ବନ୍ଧନ କରି ଯଜ୍ଞକୁଣ୍ଡରେ ମୁଣ୍ଡ ଝୁଲାଇ ସାଧନା କରିଵାକୁ ଲାଗିଲେ । ଶିଵଙ୍କ ଅନୁଗ୍ରହ ଲାଭ ଏହି ସାଧନାର ଉଦ୍ଦେଶ୍ୟ । ଏହି ସଂପ୍ରଦାୟରୁ

ପାଟୁଆ, ଚଡ଼କ ପୂଜା ଓ ଦଣ୍ଡନାଟର ଜନ୍ମ । ଏହି ଅନୁସାରେ ଦେଖାଯାଏ ପାଟୁଆମାନେ ନାଚନ୍ତି ଓ ଗୀତ ଗାଆନ୍ତି। ଗୀତରେ

କେଵଳ ଶିଵପାର୍ବତୀଙ୍କର ସ୍ତୋତ୍ର ପାଠ କରାଯାଇଥାଏ । ସେମାନେ ଅଧିକାଂଶ ସମୟ ପ୍ରଚଣ୍ଡ ଖରାରେ ଓ ଅଗ୍ନି ମଧ୍ୟରେ

ଚାଲିଚାଲି ପିଠିରେ ବେତ୍ର ପ୍ରହାର କରି ଶିଵଙ୍କ ପ୍ରତି ନିଜର ଅଚଳାଭକ୍ତି ପ୍ରଦର୍ଶନ କରନ୍ତି । ଏହି ପାଟୁଆ ନାଟରେ ଵାଦ୍ୟ

ଭାଵରେ କେଵଳ ଢୋଲ ଵ୍ୟଵହାର କରାଯାଏ । ଏଥିରେ କିନ୍ତୁ ଅଭିନୟ ନଥାଏ । କେଵଳ ଭକ୍ତି ଭାବରେ ତନ୍ମୟ ନୃତ୍ୟ

ହିଁ ଏହାର ପ୍ରଧାନ କଥା ।” 




ଅସ୍ତୁ, ପାଟୁଆଯାତ,ଦଣ୍ଡନାଚ ତଥା ଚଡ଼କଯାତର ଵ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିଵାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି ‌। ଜୀଵନ ଯେତେ ଦୁଃଖମୟ ହେଲେ ବି ସେହି ଦୁଃଖ ଶୋକକୁ ଈଶ୍ବରଙ୍କର ଦଣ୍ଡ ଵା ପରୀକ୍ଷା ମନେ କରି ସହ୍ୟ କରିନେଲେ ଜୀଵନ ଈଶ୍ଵରମୟ ହୋଇଯାଏ । ତେବେ କଳିଙ୍ଗର ପାରମ୍ପରିକ ଦଣ୍ଡନାଚ,ପାଟୁଆଯାତ ଓ ଚଡ଼କଯାତ୍ରାରେ ଏକ ପ୍ରମୁଖ ଦିଵସ ଭାବରେ ମହାଵିଷୁଵ ପଣା ସଂକ୍ରାନ୍ତି କଳିଙ୍ଗୀମାନଙ୍କ ଦ୍ଵାରା ମାନ୍ୟତାପ୍ରାପ୍ତ ହୋଇଅଛି । 

ପୁଣି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଆଗେ ମେଷ ସଂକ୍ରାନ୍ତି ଦିନ ଶିଶୁମାନଙ୍କ ପେଟରେ ଚଡ଼ୁ ଦେଵା ପ୍ରଥା ପ୍ରଚଳିତ ଥିଲା ଏଵଂ ଏହାକୁ ଲଛା କୁହାଯାଉଥିଲା । ଚଡ଼ୁ କାଠିକୁ ନିଆଁରେ ପଚାଇ ଶିଶୁମାନଙ୍କ ପେଟରେ ଲାଛି ଦେଲେ ପେଟରେ ଶିରା ଦୋଷ ଓ ନାଡ଼ୀ ଦୋଷ ଦେଖାଯାଏ ନାହିଁ ବୋଲି ଲୋକଵିଶ୍ଵାସ ପ୍ରଚଳିତ ଥିଲା । 

ସେହି ମହା ଵିଷୁଵ ପଣା ସଂକ୍ରାନ୍ତି ପୁଣି କଳିଙ୍ଗୀମାନଙ୍କ ପାଇଁ ହୋଇଯାଇଛି ପଣାପାଣିର ଏକ ଵୈଜ୍ଞାନିକ ଉତ୍ସଵ । 

ଵୈଶାଖମାସଠାରୁ ଗ୍ରୀଷ୍ମପ୍ରଵାହ ବୃଦ୍ଧି ପାଏ,ଵାୟୁର ବେଗ ବଢି଼ଯାଏ ଏଵଂ ଜଳାଭାଵ ଦେଖାଦିଏ । କଳିଙ୍ଗର ଲୋକେ ଏଥିରୁ ରକ୍ଷା ପାଇଵା ପାଇଁ ଗ୍ରୀଷ୍ମ ଦୁଇମାସ ଵୃକ୍ଷ ଓ ଜୀଵଙ୍କୁ ଜଳଦାନ କରନ୍ତି ତଥା ନିଜକୁ ଅଂଶୁଘାତରୁ ରକ୍ଷା କରିଵା ପାଇଁ ପଣାପାନ କରନ୍ତି । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇଵା ସହ ପାଚନ ଶକ୍ତି ମଧ୍ୟ ବଢ଼ିଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିଵାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ କରାଯାଏ । ଵୈଶାଖ ମାସର ପଣାସଂକ୍ରାନ୍ତି ଦିନ ଲୋକେ ବ୍ରାହ୍ମଣଙ୍କୁ ଛତା, ବିଞ୍ଚଣା, ଛତୁଆ ଓ ପଣା ଦାନ କରନ୍ତି। କଞ୍ଚା ଶସ୍ୟର ଚୂନାକୁ ଅଟା ଵା ଚୂନା କହନ୍ତି, ଭଜା ଶସ୍ୟର ଚୂନାକୁ ଛତୁ ଵା ଛତୁଆ କହନ୍ତି। ବୈଦ୍ୟଶାସ୍ତ୍ର ମତରେ ଯଵର ଛତୁ ଅଗ୍ନିଦୀପକ, ବଳକାରକ, ଲଘୁ, କଫପିତ୍ତନାଶକ, ଶୁକ୍ରବର୍ଦ୍ଧକ, ଶରୀରର ଉପଚୟକାରକ, ଭେଦକ, ତୃପ୍ତିକାରକ, ଶ୍ରାନ୍ତି, ବ୍ରଣ ଓ ନେତ୍ରରୋଗ ନାଶକ। ଏଥିପାଇଁ ତ ଭାରତରେ ଵୈଶାଖ ଶୁକ୍ଳପକ୍ଷରେ, ଵିଷୁଵ ସଂକ୍ରାନ୍ତି ଓ ଅକ୍ଷୟତୃତୀୟା ଦିନ ଯଵଚୂର୍ଣ୍ଣର ପିଣ୍ଡରେ ଶ୍ରାଦ୍ଧ କରାଯିଵାର ପରମ୍ପରା ବହୁ ପ୍ରାଚୀନ କାଳରୁ ପ୍ରଚଳିତ ଅଛି । ପୃଥିଵୀରେ ପାରମ୍ପରିକ ପର୍ଵ ତ ଅନେକ ଅଛି କିନ୍ତୁ ଏତେ ସବୁ ଦେଶରେ ଵିଭିନ୍ନ ରୂପରେ ଗୋଟିଏ ପର୍ଵକୁ ଶୈଵ,ଶାକ୍ତ,ଶିଖ୍, ବୌଦ୍ଧ,ଵୈଷ୍ଣଵ ଆଦି ପନ୍ଥର ଲୋକେ ପାଳନ କରିଵା କ୍ଵଚିତ ଦେଖାଯାଏ । ସବୁଠାରୁ ବଡ଼ କଥା ହେଲା ମହାଵିଷୁଵ ପଣା ସଂକ୍ରାନ୍ତି ଦିନଟି କଳିଙ୍ଗ ଦେଶର ଜାତୀୟ ଦିଵସ ଭାବରେ ମହା ଆଡ଼ମ୍ବରରେ ପାଳିତ ହୋଇଥାଏ । ଏହି ମହା ଵିଷୁଵ ପଣା ସଂକ୍ରାନ୍ତି ହିଁ ଆମର ପ୍ରକୃତ ପ୍ରାଚୀନ ନଵଵର୍ଷ ଯାହା ପ୍ରାୟ ଦୁଇ ସହସ୍ରାଧିକ ଵର୍ଷ ଧରି କଳିଙ୍ଗ ଦେଶର ପାରମ୍ପରିକ ନଵଵର୍ଷ ରୂପେ ପାଳିତ ହୋଇଆସୁଛି । ତେବେ ମହାଵିଷୁଵ ପଣା ସଂକ୍ରାନ୍ତି କେଵଳ କଳିଙ୍ଗର ହିଁ ନୁହେଁ ଭାରତର ଵିଭିନ୍ନ ଜନଜାତି ତଥା ଏସିଆର ଵିଭିନ୍ନ ଦେଶର ପାରମ୍ପରିକ ନଵଵର୍ଷ ରୂପରେ ଜଣାଶୁଣା ତେଣୁ ଏହା ଆଞ୍ଚଳିକ ନଵଵର୍ଷ ନୁହେଁ ଵରଂ ଏକ ଜାତୀୟ ତଥା ଅନ୍ତର୍ଜାତୀୟ ନଵଵର୍ଷ ଅଟେ । ମହାଵିଷୁଵ ପଣା ସଂକ୍ରାନ୍ତିର ଵ୍ୟାପକତା , ଵୈଜ୍ଞାନିକତା ଓ ଵିଶିଷ୍ଠତା ଏହାକୁ ଭାରତଵର୍ଷର ସବୁଠାରୁ ଶ୍ରେଷ୍ଠ ମହାନ ଉତ୍କୃଷ୍ଟ ସନାତନୀ ନଵଵର୍ଷ ଭାବେ ପ୍ରତିଷ୍ଠିତ କରିପାରିଛି ।

ଲେଖକ/କଵି ଶିଶିର ସାହୁ ମନୋଜ 


Post a Comment

Post a Comment (0)

Previous Post Next Post
Free Shubhdristi App Download Now