ପାଇକ ବିଦ୍ରୋହ

ପାଇକ ବିଦ୍ରୋହ - ସ୍ୱାଗତିକା ମହାଙ୍କୁଡ

Paika-bidroha, Paika, Paika Rebellion, independence day,

ହାନ ଭାରତ ଦେଶର ପୂର୍ବ ଦିଗରେ, ବଙ୍ଗୋପସାଗର ଉପକୂଳରେ ଏକ ଗୌରବମୟ ରାଜ୍ୟ ଅବସ୍ଥିତ। ଯାହା ପ୍ରାଚୀନ କାଳରେ ଉତ୍କଳ ବା କଳିଙ୍ଗ ନାମରେ ପ୍ରସିଦ୍ଧ ଥିଲା। ଆଜି ତାହା "ଓଡିଶା" ନାମରେ ନାମିତ, ଏକ ଭାରତୀୟ ରାଜ୍ୟ। 


ଜଗତର ନାଥ ଜଗନ୍ନାଥଙ୍କ ଭୂମି ରୂପେ ବିଶ୍ଵ ପ୍ରସିଦ୍ଧ ଓଡିଶା ଏହାର ପ୍ରାଚୀନ ଗୌରବ, ସ୍ଵର୍ଣ୍ଣିମ ଇତିହାସ, ମହାନ୍ ସଂସ୍କୃତି ଓ ପରମ୍ପରା ପାଇଁ ସୁପରିଚିତ। 


ଶାନ୍ତିପୂର୍ଣ୍ଣ ଆଧ୍ୟାତ୍ମିକତା ର ସୁନ୍ଦର ବାତାବରଣ ଓ ଅବର୍ଣ୍ଣନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପୃଷ୍ଟ ଓଡିଶା ମାଟି ଅନେକ ଦୁର୍ଲ୍ଲଭ କାରୁକାର୍ଯ୍ୟ କୁ ନିଜ ଭିତରେ ସାଇତି ରଖିଛି। ସେଥି ମଧ୍ୟରୁ ବିଶ୍ଵ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର, କୋଣାର୍କର ଭବ୍ୟ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି,ଉଦୟଗିରି ଓ ଧଉଳି ସ୍ତୂପ ଆଦି ଅନ୍ୟତମ। 


ଶକ୍ତିଶାଳୀ ଜଳପ୍ରପାତ, ସମୃଦ୍ଧ ବନ୍ୟଜନ୍ତୁ ସହ ପୂର୍ବାଞ୍ଚଳ ଘାଟ ଜଙ୍ଗଲ ପରିହିତ ନୀଳ ପାହାଡ଼ ପ୍ରକୃତିର ଐଶ୍ୱର୍ଯ୍ୟ କୁ ବହୁଗୁଣିତ କଲାପରି ଓଡିଶା ବାସୀ ନିଜ ଦକ୍ଷତା ଓ ସ୍ୱାଭିମାନ ବଳରେ ଓଡ଼ିଶାର ଗୌରବକୁ ପ୍ରାଥମିକତା ଦେଇ ମାତୃଭୂମିର ସେବାରେ ପ୍ରାଣ ଅର୍ପଣ କରିବାକୁ ସଦା ଆଗଭର ଥିଲେ। ଓଡ଼ିଆଙ୍କ ଏହି ମାତୃଭୂମିର ସେବା ଓ ଦେଶପ୍ରେମ ଭାବ କେବଳ ଓଡ଼ିଶା ପାଇଁ ହିଁ ସୀମିତ ନଥିଲା। 


ଭାରତ ଦେଶର ଅବିଚ୍ଛେଦ୍ୟ ଅଙ୍ଗରୂପେ ଓଡିଶା ରାଜ୍ୟ ଯୁଗ ଯୁଗ ଧରି ନିଜ ଅସ୍ତିତ୍ଵକୁ ଭାରତ ମାତାଙ୍କୁ ଅର୍ପଣ କରି ପ୍ରାଚୀନ କାଳରୁ ରାଷ୍ଟ୍ର ବୋଧର ଏକ ଅଭିନ୍ନ ଅଂଶ ହୋଇ ରହିଛି। ଏପରି ଏକ ସାହସିକତା ଓ ଦେଶପ୍ରେମର କାହାଣୀଟି ଲୁଚି ରହିଛି ଇତିହାସର ଫର୍ଦ୍ଦ ମଧ୍ୟରେ। ବୀର ଓଡ଼ିଆ ମାନଙ୍କ ଦ୍ଵାରା ଇଂରେଜ ଶାସନ କାଳରେ ହୋଇଥିବା ସର୍ବ ପ୍ରଥମ ବିଦ୍ରୋହ। 


ଭାରତର ସ୍ଵାଧୀନତା ସଂଗ୍ରାମର ସୁଦୀର୍ଘ ଇତିହାସରେ ପ୍ରତିବାଦ,ପ୍ରତିରୋଧ ଓ ଅସ୍ତିତ୍ୱର ସଂଗ୍ରାମର ଅସଂଖ୍ୟ କାହାଣୀ। ରାଷ୍ଟ୍ର ବୋଧର ସୁରକ୍ଷା ପାଇଁ ସଶସ୍ତ୍ର ସଂଗ୍ରାମର କାହାଣୀ। ଏହା "ପାଇକ ବିଦ୍ରୋହ" ର କାହାଣୀ। 


ଆଜିକୁ ପ୍ରାୟ ୨୦୪ ବର୍ଷ ପୂର୍ବେ ଓଡ଼ିଶାରେ ଶୁଣିବାକୁ ମିଳିଥିଲା ବିଦ୍ରୋହର ସ୍ୱର, ବୀରଙ୍କ ଆହ୍ଵାନ ଓ କ୍ରାନ୍ତିର ବାର୍ତ୍ତା।

ଓଡ଼ିଶାର ତଟବର୍ତ୍ତୀ କ୍ଷେତ୍ରରେ ଅବସ୍ଥିତ ଥିଲା ଖୋର୍ଦ୍ଧା ନଗର। ଯେଉଁଥିର ବୀର ପାଇକ ମାନଙ୍କ ପାଇଁ ଉଭୟ ରାଜା ଓ ପ୍ରଜା ନିଜକୁ ଗର୍ବିତ ଓ ସୁରକ୍ଷିତ ମଣୁଥିଲେ । ପାଇକ ପୁଅ ମାନେ ଥିଲେ ପ୍ରବଳ ସାହସୀ, ଦେଶୀୟ ଅସ୍ତ୍ର ଚାଳନାରେ ସେମାନେ ଦକ୍ଷ ଥିଲେ। ଉଭୟ ବାହୁବଳ ଓ ବୁଦ୍ଧିବଳ ସହ ଏକତା ଥିଲା ସେମାନଙ୍କ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର । ଦେଶରକ୍ଷା ଓ ଦେଶସେବାକୁ ଜୀବନର ମୂଳଲକ୍ଷ୍ୟ ମଣିଥିବା ପାଇକ ମାନଙ୍କ ପାଇଁ ସମାଜରେ ସମ୍ମାନ ଅଦ୍ୱିତୀୟ ଥିଲା। 


୧୮୦୪ ମସିହାରେ ଖୋର୍ଦ୍ଧାର ରାଜଗାଦିରେ ଥାନ୍ତି ରାଜା ଶ୍ରୀ ମୁକୁନ୍ଦ ଦେବ ଦ୍ୱିତୀୟ। ଇଂରେଜ ମାନଙ୍କ କୁଶଳ ଭଣ୍ଡାମିର ଶିକାର ହେବା ପରେ ରାଜା ଗାଦିଚ୍ୟୁତ ହୋଇଗଲେ ଏବଂ ଖୋର୍ଦ୍ଧା ବର୍ତ୍ତମାନ ଇଷ୍ଟ ଇଣ୍ଡିଆ କମ୍ପାନୀର ଅଧୀନରେ ଆସିଗଲା। ଆସନ୍ତା ସମୟରେ ଇଂରେଜ ମାନେ ଖୋର୍ଦ୍ଧାଗଡ଼ର ସମସ୍ତ ନିୟମରେ ହସ୍ତକ୍ଷେପ କରିବା ପରେ ତାହା ସାଧାରଣ ପ୍ରଜାଙ୍କ ଉପରେ ଶାପର କଳା ବାଦଲ ହୋଇ ଘେରିଗଲା ।

ଏକ ସୁନ୍ଦର ରାଜ୍ୟର ଏପରି ଦୁର୍ଦ୍ଦଶା ଦେଖି ସେନାପତି " ଜୟୀ ରାଜଗୁରୁ" ମାତୃଭୂମିର ମୁକ୍ତି ପାଇଁ ନିଜେ ଯୁଦ୍ଧର ଜିମ୍ମା ନେଇଗଲେ। 


ଜୟୀ ରାଜଗୁରୁଙ୍କ ପ୍ରତାପୀ ବୁଦ୍ଧିବଳ ଓ ଆକ୍ରମଣ ପରେ ଇଂରେଜ ସରକାର କ୍ରୋଧରେ କାପୁରୁଷ ହେବାକୁ ସୁଦ୍ଧା ପଛାଇନଥିଲl। ଏବଂ ୧୮୦୬ ମସିହାରେ ଇଂରେଜ ମାନେ ରାଜଗୁରୁଙ୍କୁ ଗିରଫ୍ କରିନେଇ, ନ୍ୟାୟାଧୀନ ଅବଧୀ ମଧ୍ୟରେ ହିଁ ଅନ୍ୟାୟ ଭାବରେ ଅତି ଗୋପନରେ ଅତ୍ୟନ୍ତ ନିର୍ମମ ମୃତ୍ୟୁଦଣ୍ଡ ଦେଇ ତାଙ୍କ ବଦ୍ଧ କରିଦେଲେ। 


ପାଇକ ମାନଙ୍କ ବିଧାତା ତୁଲ୍ୟ ଥିବା ଜୟୀ ରାଜଗୁରୁ ଙ୍କ ମୃତ୍ୟୁ ପରେ ସମଗ୍ର ପାଇକ ନିଜ ମନରେ ମାତୃଭୂମିର ମୁକ୍ତି ଓ ରାଜଗୁରୁଙ୍କ ମୃତ୍ୟୁର 

ପ୍ରତିଶୋଧ ନିଆଁରେ ଜଳିବାକୁ ଲାଗିଲେ। ଗୋରା ଇଂରେଜ ମାନେ ନିଜ ଉନ୍ନତ ଓ ଆଧୁନିକ ଅସ୍ତ୍ର ମାନଙ୍କ ତଳେ ଲୋକଙ୍କୁ ଡରାଇ ରଖିଲେ। ଏଥି ମଧ୍ୟରେ ସୁଦ୍ଧା ଜୟୀ ରାଜଗୁରୁଙ୍କ ଦ୍ଵାରା ଜଳିଥିବା କ୍ରୋଧ ଓ ସ୍ଵତନ୍ତ୍ରତାର ଅଗ୍ନୀ ପାଇକ ପୁଅର ରକ୍ତକୁ ତତାଇ ରଖିଥିଲା। 


କିନ୍ତୁ କିଛି ବର୍ଷ ପରେ ଏହି ନିରାଶା ର କଳାବାଦଲ କୁ ଚିରି ବାହାରିଲା, ଆଶାର ଏକ ନୂଆ କିରଣ । ଓଡିଶାର ଆଉ ଏକ ସାହସୀ ପୁଅ "ବକ୍ସି ଜଗବନ୍ଧୁ"। ଶହିଦ ଜୟୀ ରାଜଗୁରୁ ଙ୍କ ସେହି ରକ୍ତଭିଜା ମାଟିକୁ ମଥାରେ ଲଗାଇ, ସେ ପାଇକ ବିଦ୍ରୋହର ଶଙ୍ଖ ବଜାଇଲେ। 


ବକ୍ସିଙ୍କ ବୀରତ୍ୱପୂର୍ଣ୍ଣ  ଆହ୍ଵାନ ପରେ ତାଙ୍କ ସପକ୍ଷରେ ନୟାଗଡ଼, ରଣପୁର,ଦଶପଲ୍ଲା ର ପାଇକ ନିଜ ନିଜର ତଲୱାର ସଜାଗ କଲେ। ଘୁମୁସର ଅଞ୍ଚଳର କନ୍ଧ ଜନଜାତିର ଲୋକମାନେ ମଧ୍ୟ କାନ୍ଧକୁ କାନ୍ଧ ମିଶାଇ ପାଇକ ବିଦ୍ରୋହରେ ସାମିଲ ହେଲେ। ପରେ ପରେ ଖଲ୍ଲିକୋଟ ର ସାଧାରଣ ଜନତାଙ୍କ ସମେତ ଇଂରେଜ ମାନଙ୍କ ଦ୍ଵାରା ଶୋଷିତ ହୋଇଥିବା ଦେଶୀୟ ଜମିଦାର ମାନେ ମଧ୍ୟ ପାଇକ ବିଦ୍ରୋହର ସେନା ରୂପେ ଆଗେଇ ଆସିଲେ। 


ଦେଖୁ ଦେଖୁ ଜନତା ଓ ସୈନ୍ୟ ମାନଙ୍କ ସଂଖ୍ଯା ଓ ହୂଙ୍କାରେ ଇଂରେଜ ମାନଙ୍କ ମନରେ ଭୟ ସୃଷ୍ଟି ହେଲା। ଦୀନବନ୍ଧୁ ସାମନ୍ତରାୟ, ବୀର ହାଇଦର ଅଲ୍ଲୀ, ଦାମ ସୁବୁଦ୍ଧି ମଙ୍ଗରାଜ, ପିଣ୍ଡିକୀ ବାହୁବଳେନ୍ଦ୍ରଙ୍କୁ ସାଥିରେ ନେଇ ବକ୍ସି ଜଗବନ୍ଧୁ ଆପ୍ରାଣ ଲଢିବାକୁ ଲାଗିଲେ।  ସଭିଙ୍କ ଲକ୍ଷ୍ୟ ଏକ ଥିଲା, "ମାତୃଭୂମିର ସ୍ଵତନ୍ତ୍ରତା"।


ମାତୃଭୂମିର ସୁପୁତ୍ରଙ୍କ ହୁଙ୍କାର ତଳେ ଅନେକ ଯୁଦ୍ଧ ନିଜ ପରିଣାମ ଦେଖାଉଥିଲା। ଘୁମୁସରର କନ୍ଧମାନେ ଘାଟ ଜଙ୍ଗଲ ରେ ଗରିଲା ଯୁଦ୍ଧ ରେ ମାତି ଅନେକ ଇଂରେଜଙ୍କୁ ନୀହତ କଲେ। ଅନ୍ୟପଟେ ପାଇକ ସେନା ଇଂରେଜ ମାନଙ୍କର ଦଫତର, ପୋଲିସ ଷ୍ଟେସନ ଆଦିକୁ ଭଙ୍ଗାରୁଜା କରି ଜାଳିଦେଲେ। 

ବକ୍ସି ଜଗବନ୍ଧୁ ଙ୍କ କୁଶଳ ନେତୃତ୍ୱ ରେ ପାଇକ ବିଦ୍ରୋହ ଏପରି ଏକ ସ୍ଥିତି ଗ୍ରହଣ କଲା ଯେଉଁଥିରେ ଇଂରେଜ ମାନେ ନିଜ ସ୍ଵର ଭଷ୍ମ ହେବା ଜାଣିପାରି ନୀରବ ରହୁଥିଲେ। ବିଦ୍ରୋହର ରଙ୍ଗ ଟି ଉଜ୍ଜ୍ଵଳ ଦେଖାଯାଉଥିବା ସମୟରେ ଘଟିଗଲା ଏକ ଅଘଟଣ। 


ଯେଉଁ ପ୍ରଚେଷ୍ଟା ଓ ଉଦ୍ୟମକୁ ଇଂରେଜ ସରକାର ଦୀର୍ଘ ଦଶ ବର୍ଷ ଧରି ହରାଇ ପାରୁନଥିଲା କି ବୁଝିପାରୁନଥିଲା, ସେହି ଲମ୍ବା ସଂଗ୍ରାମର ଯାଉଥିବା ଅଗ୍ନୀ କୁ ଲିଭାଇ ଦେଲା ଏକ ବିଶ୍ବାସଘାତ। 


ମାତୃଭୂମିର ମୁକ୍ତିକୁ ଅତି ନିକଟରେ ଦେଖିଥିବା ବକ୍ସି ଜଗବନ୍ଧୁ କଟକ ଜେଲରେ ନିଜ ଶେଷ ନିଶ୍ଵାସ ତ୍ୟାଗ କଲେ। କିନ୍ତୁ ଯେଉଁ ଅଗ୍ନୀକୁ ସେ ପବନ ଦେଇ ଚାଲିଗଲେ ସେହି ଅଗ୍ନୀ ରେ ହଜାର ହଜାର ନୂଆ ମଶାଲ ଜଳି ଉଠିଲା। 


ପରବର୍ତ୍ତୀ ସମୟରେ ଆଉ ଜଣେ ପ୍ରତାପୀ ପାଇକ "ବୀର ସୁରେନ୍ଦ୍ର ସାଏ" ଏହି ଯୁଦ୍ଧକୁ ବଞ୍ଚାଇ ରଖି, ଗିରଫ ହେବା ପର୍ଯ୍ୟନ୍ତ ନିଜ ସାଥୀ ମାନଙ୍କ ସହ ମିଶି ସ୍ଵତନ୍ତ୍ରତା ର ଏହି ମହାଯଜ୍ଞରେ ଆହୁତି ଦେବାରେ ଲାଗିଲେ ଓ ଦୁନିଆକୁ ବୁଝେଇଲେ, ଯେଉଁ ନାଗରିକ ମାନଙ୍କ ମଧ୍ୟରେ ରାଷ୍ଟ୍ର ସମ୍ମାନର ବୋଧ ଅଛି ସେ ସବୁବେଳେ ଆଜାଦ ଓ ଦେଶହୀତ ପାଇଁ ଦେଶର ସ୍ଵତନ୍ତ୍ରତା ପାଇଁ ନୂଆ କ୍ରାନ୍ତି ଆଣି ରଖନ୍ତି। 


୧୮୦୪ ମସିହାରେ  ଜୟୀ ରାଜଗୁରୁଙ୍କ ଦ୍ଵାରା ଜଳିଥିବା ଅଗ୍ନୀ କେବେ ବକ୍ସି ଜଗବନ୍ଧୁ ହୋଇ, କେବେ ବୀର ସୁରେନ୍ଦ୍ର ସାଏ ହୋଇ, କେବେ ବିର୍ସା ମୁଣ୍ଡା ହୋଇ ତ କେବେ ଲକ୍ଷ୍ମଣ ନାୟକ ହୋଇ ବର୍ଷ ବର୍ଷ ଧରି ଆଗକୁ ବଢ଼ି ଚାଲିଲା। ଏହି ପୁରାତନ ଅଗ୍ନୀ ସମସ୍ତ ବୀର ଓଡିଆଙ୍କ ଭିତରେ ଦେଶପ୍ରେମର ଅଗ୍ନୀ ମୁକ୍ତି ପାଇଁ ଜଳି ଜଳି ଶେଷରେ ୧୯୪୭ ମସିହାରେ ମାତୃଭୂମିର ସ୍ଵତନ୍ତ୍ରତା ସହ ସ୍ଵାଧୀନ ଭାରତର ସ୍ୱାଧୀନ ତ୍ରିରଙ୍ଗା ପତାକାକୁ ଦେଖୁ ଶାନ୍ତ ହେଲା। 


  ଆଜି ଏକ କୃତଜ୍ଞ ଦେଶ ହୃଦୟରେ ଗର୍ବ ଓ ସମ୍ମାନ ନେଇ ନିଜ ମହାନ୍ ଶହିଦଙ୍କୁ ନମନ କରେ। 


ପାଇକ ସର୍ଦ୍ଦାର ବକ୍ସି ଜଗବନ୍ଧୁଙ୍କର ଜୟ ।

ପାଇକ ବିଦ୍ରୋହର ବୀର ମାନଙ୍କର ଜୟ ।

ମାତୃଭୂମିର ସୁପୁତ୍ରଙ୍କର ଯୁଗ ଯୁଗାନ୍ତର ପର୍ଯ୍ୟନ୍ତ ଜୟ । 


ଜୟ ଜଗନ୍ନାଥ। 

ଜୟ ହିନ୍ଦ୍ ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now