ଉତ୍କଳ ଦିବସ

ଉତ୍କଳ ଦିବସ - ବିକ୍ରମ ସ୍ୱାଇଁ


ଏପ୍ରିଲ ୧ | ଆଜି ଆମର ଦିନ | ଓଡ଼ିଆଙ୍କ ଦିନ | ଆମ ଇତିହାସକୁ ପରଖିବାର ଦିନ | ଓଡ଼ିଆ ଅସ୍ମିତାକୁ ନେଇ ଗର୍ବ କରିବାର ଦିନ |

   କହିବା ବାହୁଲ୍ଯ, ବର୍ଷକ ୩୬୫ ଦିନ ଆମେ ଓଡ଼ିଆପଣିଆ ଆମ ଭିତରେ ବଞ୍ଚେଇ ରଖିଥାଉ | ଭାରତବର୍ଷ ହେଉ ବା ବିଶ୍ୱର କେଉଁ ପ୍ରାନ୍ତ, ଯାହା ଏଇ ମାଟିରେ ଅଛି, ତାହା ଆଉ କେଉଁଠି ନାହିଁ | ତାହା ହେଉଛି - ଭାଇଚାରା | କେହି କାହାକୁ ନଜାଣି, ନଚିହ୍ନି ମଧ୍ଯ ଭାଇ-ଭାଇ ସଂପର୍କରେ ଅତିଶୀଘ୍ର ଯୋଡ଼ି ହେଇଯାଉ ଆମେ | ସେଥିପାଇଁ ତ, ଭାଇଚାରା ଓ ଅତିଥି ଚର୍ଚ୍ଚାର ମାଟି ଏଇ ଓଡ଼ିଶା | କୋଣ ଅନୁକୋଣରେ ଭିନ୍ନ ଏଠି ପରମ୍ପରା,ସଂସ୍କୃତି, ଚାଲିଚଳନ ଓ ଖାଦ୍ଯପେୟ | ହେଲେ ସବୁ ବିବିଧତା ମଧ୍ଯରେ ଏକତା ହେଉଛି ଆମ ପରିଚୟ | କୋଟି ବ୍ରହ୍ମାଣ୍ଡର ଠାକୁର ଆମ ମାଟିର ସ୍ୱତନ୍ତ୍ର ପରିଚୟ | ସାରା ବିଶ୍ୱକୁ ଆକର୍ଷିତ କରି ଚୁମ୍ବକ ପରି ଟାଣି ଆଣୁଥିବା ଶ୍ରୀକ୍ଷେତ୍ର, ଏଇ ଉତ୍କଳ ପୁଷ୍କରିଣୀରେ ପଦ୍ମ |

   ପାଦେ ପାଦେ ଏଠି କଳା, ସାହିତ୍ଯ , ଓ ସଂସ୍କୃତିର ଝଲକ୍ |ପାଲା, ଦାସକାଠିଆ, ଗୋଟିପୁଅ, ଓଡ଼ିଶୀ ଆମ ଓଡ଼ିଶାର ସ୍ୱତନ୍ତ୍ରତା ବଜାୟ ରଖେ | ସାଧବ ପୁଅର ବଣିଜ ହେଉ ବା ଖୋର୍ଦ୍ଧା ପାଇକର ବୀରତ୍ୱ , ଚଣ୍ଡାଶୋକରୁ ଧର୍ମାଶୋକ ପରିଣତ ହେଉ ବା ,କୋଣାର୍କ ଓ ହାତୀଗୁମ୍ଫା ପରି ବିସ୍ମୟ କାରୁକାର୍ଯ୍ଯ, ଭାରତୀୟ ସ୍ୱାଧିନତା ସଂଗ୍ରାମରେ ଓଡ଼ିଶାର ଅବଦାନ, ଏପରି ଅନେକ ଘଟଣା ଋଦ୍ଧିମନ୍ତ କରିଛି ଆମ ଇତିହାସକୁ |

   ଭାଷାଭିତ୍ତିକ ପ୍ରଦେଶ ଗଠନରେ ପ୍ରଥମ ରାଜ୍ଯ ହେଉଛି ଓଡ଼ିଶା | ଓଡ଼ିଆ ଭାଷାକୁ ବଞ୍ଚେଇ ରଖିବା ଦିଗରେ ଓ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ନେଇଥିବା ଉତ୍କଳ ଗୌରବ ମଧୁସୂଦନ ଦାସ ଓ ବ୍ଯାସକବି ଫକୀରମୋହନ ସେନାପତିଙ୍କୁ ଏଇ ମାଟି ଚିରକାଳ ପାଇଁ ମନେ ରଖିବ |

  କବିସମ୍ରାଟ ଭଞ୍ଜ, ରାଧାନାଥ ରାୟ, ନୀଳକଣ୍ଠ ଦାସ, ଦୀନକୃଷ୍ଣ ଦାସ, ଅଭିମନ୍ଯୁ ସାମନ୍ତସିଂହାର,କୃଷ୍ଣ ପ୍ରସାଦ ବସୁ, ଲକ୍ଷ୍ମୀକାନ୍ତ ମହାପାତ୍ର, ନନ୍ଦ କିଶୋର ବଳଙ୍କ ପରି ଅନେକ ପ୍ରତିଭାଙ୍କ କଲମ ମୁନର ଚିହ୍ନ , ଆମ ସମୃଦ୍ଧ ସାହିତ୍ଯର ପରିଚୟ ଦିଏ |


  ସାମ୍ନାରେ ଅନେକ ଆହ୍ୱାନ | ହେଲେ ସବୁ ପରିସ୍ଥିତିକୁ ଟାଳି, ଏ ଜାତି ଆଗକୁ ବଢ଼ିଛି ଓ ବଢ଼ିବ ମଧ୍ଯ |
ଆଜିର ପିଢ଼ୀ, ଓଡ଼ିଶାର ସ୍ୱାଭିମାନ ଓ ସଂପ୍ରୀତିକୁ ବଜାୟ ରଖି ଏକ ସମୃଦ୍ଧ ଓ ନୂଆ ଓଡି଼ଶା ଗଠନରେ ନିଜକୁ ସାମିଲ୍ କରନ୍ତୁ , ନିଜ ମାତୃଭୂମିକୁ ସର୍ବଦା ଭଲ ପାଆନ୍ତୁ | ବନ୍ଦେ ଉତ୍କଳ ଜନନୀ |।

ବିକ୍ରମ ସ୍ୱାଇଁ

10 Comments

Post a Comment

Post a Comment

Previous Post Next Post
Free Shubhdristi App Download Now