ଏମିତିକା ଏ ରାଇଜ ମୋର

ଏମିତିକା ଏ ରାଇଜ ମୋର - ପ୍ରତିକୃତି ସାମନ୍ତରାୟ


ବଣ-ବିଲ-ନଈ-ପାହାଡ ଘେରା
           ସବୁଜ କେଦାର କାନନେ ଭରା,
ଚନ୍ଦନ ଚନ୍ଦନ ମାଟିର ବାସ
           ହସେ କିରିକିରି ନୀଳ ଆକାଶ,
ଏମିତିକା ଏ ରାଇଜ ମୋର
କଳକଳ ସୁରେ ବହେ ଯେଉଁଠାରେ
         ନଦୀର ଧାର    ।।

ମହାନଦୀ-କାଠଯୋଡି-ବ୍ରାହ୍ମଣୀ
         ବିରୂପା-ଚିତ୍ରୋତ୍ପଳା-ବୈତରଣୀ,
ବାରବାଟୀ ଦୁର୍ଗ କହେ ଅତୀତ
        ବାଲିଦ୍ବୀପେ ମେଲୁଥିଲା ବୋଇତ,
ଏମିତିକା ଏ ରାଇଜ ମୋର
ସାଧବାଣୀଙ୍କର ଶଙ୍ଖ ହୁଳହୁଳି
          ଭାରି ମଧୁର    ।।

ଛବିଳ ସରଳ ମଧୁର ଭାବ
       ନାଁ ଟି ତାହାର ମଧୁ ବର୍ଣ୍ଣବୋଧ,
କହେ ଏ ମାଟିର ଆଦ୍ୟ ଅକ୍ଷର
      ପୂଜ୍ୟ ଆମ ପାଇଁ ସଦା ଜୁହାର,
ଏମିତିକା ଏ ରାଇଜ ମୋର
ଶୁଭେ ଯେଉଁଠାରେ ସକାଳରୁ ସଞ୍ଜ
           ତା' ପୁଣ୍ୟ ସ୍ବର   ।।

କବି ଭାବୁକ କେତେ ଜ୍ଞାନୀଜନ
           ଫକୀର ମୋହନ, ମଧୁସୂଦନ,
ପୁଣି ସ୍ବଭାବ କବି ଗଙ୍ଗାଧର
         ଲେଖନୀର ମୂନେ ଚିର ଅମର,
 ଏମିତିକା ଏ ରାଇଜ ମୋର
 ଯହିଁ ଶୁଭେ ନିତି ଭୀମ ଭୋଇଙ୍କର
          ପୁଣ୍ୟ ବିଚାର      ।।

ମନ୍ଦିର ମାଳିନୀ ଏ ଦେବଭୂଇଁ
        କେତେ ପୂଜା ପର୍ବ ଆସଇ ନଇଁ,
ମହୋଦଧି ଛୁଏଁ ଚରଣ ଯା'ର
       ଚିର ବିଦ୍ୟମାନ ଶିରୀ କ୍ଷେତର
 ଏମିତିକା ଏ ରାଇଜ ମୋର
 ଆଖି ଲାଖିଯାଏ ଦେଖିଦେଲେ ଥରେ
            ସୂର୍ଯ୍ୟ ମନ୍ଦିର      ।।

ଉତ୍କଳର କଳା ଚମକ ଭରା
          ସଦା ଝଲମଲ ରୂପ ନିଆରା,
ରୂପା-ତାରକସି ଚକିତ କରେ
         ହୃଦୟେ କମ୍ପନ ବିଶ୍ବଜନରେ,
ଏମିତିକା ଏ ରାଇଜ ମୋର
ଯେଉଁଠାରେ ଲେଖା କେତେ କାରିଗରି
           ଶିଳ୍ପୀଙ୍କ ସ୍ବର     ।।

ଓଡିଶୀ,ଝୁମର ଜଗତେ ଶ୍ରେଷ୍ଠ
             ମାଦଳର ତାଳେ ମନ ଉଚ୍ଚାଟ,
କେତେ ଛାନ୍ଦ ଚମ୍ପୁ ମନକୁ ମୋହେ
           ଚାରୁ ଚିତ୍ରକଳା ମଥାରେ ଶୋହେ,
ଏମିତିକା ଏ ରାଇଜ ମୋର
ଥରେ ଚାହିଁଦେଲେ ପେଟ ପୂରିଯାଏ
           ସୌନ୍ଦର୍ଯ୍ୟ ତା'ର   ।।

ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧ
          ମନେ ଦେଖାଦେଲା କେତେ ଯେ ଦ୍ବନ୍ଦ,
ତରବାରି ନିଶା ଥିଲା ପ୍ରଖର
         ହିଂସା ଛାଡି କଲେ ଧର୍ମ ପ୍ରଚାର,
ଏମିତିକା ଏ ରାଇଜ ମୋର
ଚଣ୍ଡାଶୋକରୁ ସେ ଧର୍ମାଶୋକ ହେଲେ
              ମଗଧ ବୀର      ।।

ବକ୍ସି ଜଗବନ୍ଧୁ ,ବାଜି ରାଉତ
         ଧର୍ମପଦ ବାରବର୍ଷ ବାଳୁତ,
ଜାତିରକ୍ଷା ପାଇଁ ଜୀବନ ଦେଲେ
        କାଳକାଳକୁ ସୁଯଶ ରଖିଲେ,
ଏମିତିକା ଏ ରାଇଜ ମୋର
ତ୍ୟାଗ ବଳିଦାନେ ହସେ କିରି କିରି
           ଏ ସ୍ବର୍ଗପୁର   ।।

କେତେ ବୈଜ୍ଞାନିକ ହୋଇଲେ ଜନ୍ମ
             ବୁଦ୍ଧି ବଳେ କଲେ ମାଟିକୁ ଧନ୍ୟ,
ପଠାଣୀ ସାମନ୍ତ ଚନ୍ଦ୍ରଶେଖର
            ବାଉଁଶ ନଳୀରେ କଲେ ବିଚାର ,
ଏମିତିକା ଏ ରାଇଜ ମୋର
ଯଶ କୀରତିରେ ଭରପୂର ମାଟି
            ରତ୍ନ ଭଣ୍ଡାର    ।।


ପ୍ରତିକୃତି ସାମନ୍ତରାୟ
କଟକ

Post a Comment

Post a Comment (0)

Previous Post Next Post
Free Shubhdristi App Download Now