ଜୟ ଶ୍ରୀରାମ

ଜୟ ଶ୍ରୀରାମ - ନନ୍ଦିନୀ ରାଉତ

ଶ୍ୟାମ ଦୁର୍ବାଦଳ ରୁପକୁ 
     ସୁନ୍ଦର ଯେ ଚେହେରା , 
ମାତା କୌଶଲ୍ୟା ଙ୍କ ଅମୂଲ୍ୟ 
    ଧନ ଦୁଃଖ ପାଶୋରା.... 

ରଘୁ କୁଳ ଚନ୍ଦ୍ର ତିଳକ 
     ପ୍ରଭୁ ପୁରୁଷୋତ୍ତମ, 
ଅଯୋଧ୍ୟା ବାସୀଙ୍କ ଜୀବନ 
    ଦଶରଥ ଙ୍କ ଧନ.... 

ରାକ୍ଷସ କୂଳକୁ ମାରିଣ 
    ଭାରା ନିବାରଣରେ , 
ଋଷିଙ୍କୁ ସାହାଯ୍ୟ କରିଲ 
   ପୁଣି ଯଂଜ୍ଞ କାର୍ଯ୍ୟ ରେ.... 

ଶିବଧନୁ ଭାଙ୍ଗି ଲଭିଲ
   ଜନକଙ୍କ କୁମାରୀ , 
ଅଲିଅଳି ରାଜ ନନ୍ଦିନୀ 
   ମାତା ଯା' ବସୁନ୍ଧରୀ.... 

ପିତୃ ସତ୍ୟ ପାଳି ସାଙ୍ଗରେ 
    ଭ୍ରାତା ପତ୍ନୀ ଙ୍କୁ ନେଇ , 
ଚତୁର୍ଦ୍ଦଶ ବର୍ଷ ବୁଲିଲ 
    ତୁମ୍ଭେ ଅରଣ୍ୟ ଯାଇ.... 

ମାରିଲ ସୁବାହୁ ମାରିଚ 
     ମାୟାବୀ ସେ ଅସୁର , 
ପ୍ରତିଷ୍ଠା କରିଲ ଶାନ୍ତିକୁ 
   କଲ ମର୍ତ୍ତ୍ୟ ସୁନ୍ଦର.... 

ସୀତାଙ୍କୁ ହରଣ କରିଲା  
    ପାପୀ ସେ ଦଶାନନ , 
ସୁଗ୍ରୀବ ଙ୍କ ସଙ୍ଗେ ମିତ୍ରତା 
    କରି ବାଳୀ ମରଣ..... 

ହନୁମାନ ପରି ଭୃତ୍ୟ ଙ୍କ 
    ସାଥେ ଲଙ୍କା ଗମନ , 
ବାନର ସେନାଙ୍କୁ ଧରିଣ 
   କଲ ଲଙ୍କା ଦହନ..... 

ସ୍ଵର୍ଣ୍ଣପୁରୀ ଲଙ୍କା ନରେଶ 
    ରାବଣ କୁ ମାରିଣ , 
ପତ୍ନୀ ଉଦ୍ଧାରିଣ ପ୍ରଭୁ ହେ 
    ଅଯୋଧ୍ୟା କୁ ଗମନ.... 

ପ୍ରଜାଙ୍କ ମଙ୍ଗଳ କାରଣେ
   ନିଜେ ସହିଲ ଦୁଃଖ , 
ଜନକ ନନ୍ଦିନୀ କରିଲେ 
   ବନେ ଅନେକ ଶୋକ .... 

ଅଶ୍ୱ ମେଧ ଯଂଜ୍ଞ କରିଲ 
    ସ୍ବର୍ଣ୍ଣ ସୀତା ଗଢ଼ିଣ , 
ସୀତା ମାତା ଶେଷେ କରିଲେ 
   ପାତାଳ କୁ ଗମନ.... 

ଦେବତା ହୋଇଣ ସହିଲ 
   ତୁମ୍ଭେ କେତେ କଷଣ , 
ମର୍ଯ୍ୟାଦା ପୁରୁଷୋତ୍ତମ ହେ 
   ସବୁ ତୁମ୍ଭ ଭିଆଣ.... 

ତୁମ୍ଭ ପଦ୍ମ ପାଦେ ପ୍ରଭୁହେ 
   ମୋତେ ଦେବ ଶରଣ , 
ମାରିଲେ ମାରିବ ନ ହେଲେ 
    କରିବେ ତ ତାରଣ.... 


Post a Comment

Post a Comment (0)

Previous Post Next Post
Free Shubhdristi App Download Now