ସମୟକୁ ଚିଠି - ସତ୍ୟଜିତ୍ ମହାନ୍ତି
ଇଚ୍ଛା ହୁଏ ହଜି ଯିବାକୁ
ଦଲିଲ୍ ଦସ୍ତାବିଜ୍ ଭିତରେ
କାହାକୁ ଖାତିର୍ ନକରି
ସମୟକୁ ଅଣ ଦେଖା କରି
ଇଚ୍ଛା ହୁଏ
ସବୁ କ୍ଷତ ଦାଗ ଉପରେ
କଳା ଚାଦରଟିଏ ଢାଙ୍କି ବସିଯାନ୍ତି
ନା ଦିଅନ୍ତି ତାକୁ ମଲମ ନା ଉପଚାର
ବିଲ୍ କୁଲ୍ ବେପରୁଆ ଭାବରେ
ଦେଖୁଥାନ୍ତି ବସି
ଦୂର ପାହାଡିଆ ଘାଟିରୁ
ପ୍ରକୃତିର ସୌନ୍ଦର୍ଯ୍ୟ
ଜନବସତି ନଈ ନାଳ ଝରଣା
ରାସ୍ତା ଘାଟ ଆଉ ଥାଟ ପାଟ ସବୁ
ରାସ୍ତାରେ ଚାଲି ଯାଉଥିବା
ଗାଡି ମଟର ସବୁ କେତେ
ଛୋଟ ଦେଖା ଯାଆନ୍ତି ଦୂରରୁ ସତେ
ଅଥଚ ବାସ୍ତବରେ ବହୁତ ବଡ ସବୁ
ଠିକ୍ ମୋ ଅତୀତର କ୍ଷତ ଭଳି
ମୁଁ ଜାଣିଛି ସମୟ ତତେ
କିଛି କ୍ଷଣ ଚୁପ୍ ରହିଲା ପରେ
ମତେ ପୁଣି ଟାଣିବୁ ତଳକୁ
ମୋ ଭାବନା ସ୍ୱାଭିମାନର ପାହାଡ଼ ଉପରୁ
ରାମ ଦୋଳିର ଝୁଲାରେ ବସେଇ
ମୁଁ ବି ଭାରି ଜିଦିଆ
ଦେଖିବି...
କେତେ ଯାଏଁ ଟାଣିବୁ ମତେ
ମୋ ଅନିଚ୍ଛା ସତ୍ତ୍ୱେ
ଦିନେ ତ ଥକି ଯିବୁ!
Post a Comment