ପଦ୍ମଶ୍ରୀ ସଦାଶିବ ମିଶ୍ର

ପଦ୍ମଶ୍ରୀ ସଦାଶିବ ମିଶ୍ର - ଅମ୍ରିତେଶ ଖଟୁଆ


ଓଡ଼ିଶାର ମାଟି ସବୁବେଳେ ବପୁସ୍ଫୀତ କରି ଆଜି ନାନାବିଧ ଦୁର୍ବିପାକ ଓ ନିଷ୍ପେସନ ସତ୍ତ୍ଵେ ବୀରପୁତ୍ରମାନଙ୍କ ପାଇଁ ନିର୍ଭୀତା ହୋଇ ଦଣ୍ଡାୟମାନ ସମଗ୍ର ବିଶ୍ଵାୟିତ ମଞ୍ଚାସନରେ। କେବଳ ଯେ ମହାଭାରତୀୟ ସ୍ରୋତରେ ଏହାର ପ୍ରବାହ ବାରିତ, ବରଞ୍ଚ ବିଶ୍ଵକ୍ଷେତ୍ରର ପରିମିତ ସ୍ଥଳରେ ଏକ ଅପ୍ରତ୍ୟାଶିତ ନବଦିଗନ୍ତ ସୃଷ୍ଟି କରିଆସି ମାଟିର ମହିମାକୁ ଆଜି ସର୍ବତ୍ର ପ୍ରସାରିତ କରୁଅଛି। ତହିଁ ମଧ୍ୟରୁ ଆମରି ଓଡ଼ିଆ ମାଟିର ବିଶିଷ୍ଟ ଅର୍ଥଶାସ୍ତ୍ରୀ ତଥା ପଦ୍ମଶ୍ରୀ ସଦାଶିବ ମିଶ୍ର ବରେଣ୍ୟ ଜ୍ଞାନାଧ୍ୟାୟୀ ଓ ବଦାନ୍ୟ ବ୍ୟକ୍ତିତ୍ଵ।


୧୯୦୯ ମସିହା ଜୁନ୍ ୧୩ ତାରିଖ ଦିନ ପୁରୀ ଜିଲ୍ଲାର ବୀରନରସିଂହପୁର ଶାସନରେ ପିତା ନୀଳକଣ୍ଠ ମିଶ୍ର ଏବଂ ମାତା ମଣିଦେବୀଙ୍କ କୋଳମଣ୍ଡନ କରିଥିଲେ ସଦାଶିବ ମିଶ୍ର। ତାଙ୍କ ବାପା ଥିଲେ ପଡୋଶୀ ଗ୍ରାମ ବୀରପ୍ରତାପପୁରରୁ ପୋଷ୍ୟପୁତ୍ର, ଯିଏ କି ପିଲାଦିନେ ଆସିଥିଲେ ବୀରନରସିଂହପୁର। ଗାଁ ମନ୍ଦିରଗୁଡିକର ପରିଷ୍କାର ପରିଚ୍ଛନ୍ନତା, ଗାଁର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ, ଭଜନଗାନ ତଥା ଠାକୁରସେବାର ଦାୟିତ୍ୱ ସେ ନିର୍ବାହ କରୁଥିଲେ। ଗାଁରେ ଶୀତଳଷଷ୍ଠୀ ପାଇଁ ମହାପ୍ରଭୁ ନୀଳକଣ୍ଠ ମହାଦେବଙ୍କ ପାଇଁ ସୋଲ ଓ ଫୁଲର ଟାହିଆସାଜ କରିବା ପ୍ରଭୃତିରେ ତାଙ୍କର ନୈପୁଣ୍ୟ ଥିବାରୁ ତାଙ୍କୁ "ରତ୍ନକଣ୍ଠ" ବୋଲି ଡାକୁଥିଲେ।

ନ' ବର୍ଷ ବୟସରେ ସଦାଶିବ ମିଶ୍ର ନିଜ ପିତାମାତାଙ୍କୁ ହଇଜା ରୋଗରେ ହରାଇ ସୁଦ୍ଧା ସ୍ଵକୀୟ ଭଉଣୀର ଭରଣପୋଷଣ ଦାୟିତ୍ୱ କାହାରି ଅନୁଦାନ ଅଥବା ସାହାଯ୍ୟ ବିନୁ ନିଜ ବଳରେ କରିଥିଲେ। ସତ୍ୟବାଦୀରୁ ପ୍ରକାଶିତ ହେଉଥିବା ଦୈନନ୍ଦିନ ସମ୍ବାଦପତ୍ର 'ସମାଜ' ର ବିତରଣ ଦାୟିତ୍ୱ ନିର୍ବାହ ତୁଲେ ସେ ନିଜ କୁଟୁମ୍ଵର ଆୟ ବହନ କରୁଥିଲେ। ସେହି ଆୟରେ ସମ୍ଭବ ହେଲେ ସିଏ ସାକ୍ଷୀଗୋପାଳ ମନ୍ଦିରରେ ମିଳୁଥିବା ଡାଳିମ୍ବ ଭୋଗ ଖାଇ ମଧ୍ୟ ପେଟ ପୋଷି ନେଉଥିଲେ।

ବାଲ୍ୟକାଳରୁ ଜଣେ ସ୍ବାଭିମାନୀ ଏବଂ ପ୍ରତ୍ୟୁତ୍ପନ୍ନମତି ମେଧାବୀ ରୂପରେ ସେ ଥିଲେ ସକଳ ପରିଚୟ। ଗ୍ରାମ ଚାଟଶାଳୀରେ ନରସିଂହ ନାହାକାଙ୍କ ସାହଚର୍ଯ୍ୟରେ ନିଜ ପ୍ରାଥମିକ ଶିକ୍ଷାର ଆରମ୍ଭ କରିଥିଲେ। ବର୍ଷାଦିନେ ଗାଁର ମାଟି ସବୁବେଳେ ପଙ୍କଭର୍ତ୍ତି ହୋଇ କର୍ଦ୍ଦମାକ୍ତ ହୋଇପଡେ। ଗାଁରେ ସୁଗମ ସଡ଼କ ନିର୍ମାଣ ପାଇଁ ସଦାଶିବ ମିଶ୍ର ହିଁ ଆଗେ ଉଦ୍ୟମ ଆରମ୍ଭ କରିବାରୁ ତାଙ୍କ ଗ୍ରାମ ସରପଞ୍ଚ ଦୟାନିଧି ମିଶ୍ର ସଡ଼କ ନିର୍ମାଣ ସହ ଗ୍ରାମରେ ସ୍ଵଚ୍ଛ ପିଇବା ପାଣିର ବ୍ୟବସ୍ଥା, ଟେଲିଫୋନ୍ ଯୋଗାଯୋଗ ଆଦିର ବ୍ୟବସ୍ଥା ସୁଚାରୁରୂପେ କରିପାରିଥିଲେ। ସେଠାକାର ଅନେକ ତଦାନୀନ୍ତନ ଯନ୍ତ୍ରୀ ଓ ପୁରୁଖା ଅଫିସର୍ ମାନେ ଆଚମ୍ବିତ ହେଇଯାଇଥିଲେ ସେ ସମୟରେ।

ଗାଁ ମାଇନର୍ ସ୍କୁଲରୁ ସେତେବେଳେ ସପ୍ତମ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲେ। ଏବଂ ସେତେବେଳେ ଉତ୍କଳମଣି ଗୋପବନ୍ଧୁଙ୍କ ସମୁଦ୍ୟମରେ ଗଠିତ ହୋଇସାରିଥାଏ ମାନବ ତିଆରି କାରଖାନା - " ସତ୍ୟବାଦୀ ବନବିଦ୍ୟାଳୟ ! " ଏହା ପରେ ସେ ସତ୍ୟବାଦୀ ବନବିଦ୍ୟାଳୟରେ ନିଜ ନାମ ଲେଖାଇ ଅଧ୍ୟୟନ ଅବ୍ୟାହତ ରଖନ୍ତି। ଜୀବନର ଏକ ଅପ୍ରତ୍ୟାଶିତ ଶୁଭଲଗ୍ନ ସେହି ମାନବ ତିଆରି କାରଖାନାରୁ ହିଁ ଭିତ୍ତିସ୍ଥ ହେଇସାରିଥିଲା !

ସତ୍ୟବାଦୀ ବନବିଦ୍ୟାଳୟରେ ଛାତ୍ର ଥିବା ସମୟରେ ସତ୍ୟବାଦୀର ତତ୍କାଳୀନ ପଞ୍ଚସଖାଙ୍କ ଗୌରବର ପ୍ରଭାବ ତରୁଣ ସଦାଶିବଙ୍କ ଠାରେ ପ୍ରତିବିମ୍ବିତ ହୁଏ। ବିଶେଷତଃ ଉତ୍କଳମଣି ଗୋପବନ୍ଧୁ, ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ, ଐତିହାସିକ କୃପାସିନ୍ଧୁ ମିଶ୍ର ତଥା ଆଚାର୍ଯ୍ୟ ହରିହରଙ୍କ ଆଦର୍ଶ ତାଙ୍କ ଚାରିତ୍ରିକ ଗଠନାନୁଗଠନର ଏକ ବିଶେଷ ବିଲକ୍ଷଣ ଥିଲା। ତାଙ୍କ ପ୍ରତ୍ୟୁତ୍ପନ୍ନମତିତା, ସରଳ ସ୍ଵଭାବ ତଥା ଆଚାରରେ ତାଙ୍କର ବିଶେଷ ଆଦର ଥିଲା ! ବିଧିର ବାମାବସ୍ଥାରୁ ଦୁଃସ୍ଥତା ସମସ୍ତ ଯେପରି ତତ୍-କ୍ଷଣାତ୍ ବିଲୀନ ହୋଇଗଲା ଏହି ତରୁଣ ପାଖରେ !

ସତ୍ୟବାଦୀ ବନବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ ଅନ୍ତେ ସେ ଆଚାର୍ଯ୍ୟ ହରିହରଙ୍କ ଉପଦେଶକ୍ରମେ କଟକର ପ୍ରଖ୍ୟାତ ପ୍ୟାରୀମୋହନ ଏକାଡେମୀରେ ୧୯୨୬ ମସିହାରେ ଏକାଦଶ ଶ୍ରେଣୀରେ ଅଧ୍ୟୟନ ପରେ ମାଟ୍ରିକ୍ୟୁଲେସନ୍ ଉତ୍ତୀର୍ଣ୍ଣ ହୁଅନ୍ତି। କାରଣ ସେ ସମୟରେ ସତ୍ୟବାଦୀ ବନବିଦ୍ୟାଳୟ ଆନୁକୂଲ୍ୟରେ ଏକାଦଶ ଶ୍ରେଣୀ ( ମାଟ୍ରିକ୍ ) ପରୀକ୍ଷା ନିମନ୍ତେ ସରକାରୀ ସ୍ଵୀକୃତି ନଥାଏ। ସେତେବେଳେ ତାଙ୍କ ସହପାଠୀ ଶ୍ୟାମସୁନ୍ଦର ମିଶ୍ର ଓ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସହ ଏକ ଭଡ଼ା ଘରେ ରହୁଥିଲେ। ଏପରିକି ଟ୍ୟୁସନ୍ ବ୍ୟୟ ପାଇଁ ମଧ୍ୟ କାହାକୁ ହାତ ନ ପାତି ବାଡିରେ ଫଳୁଥିବା ସଜନାଛୁଇଁ ସହ ପଖାଳ ଭାତ ଖାଇ ପେଟପୋଷଣ କରୁଥିଲେ !


ମାଟ୍ରିକ୍ୟୁଲେସନ୍ ପରେ ରେଭେନ୍ସା କଲେଜ୍ ରେ ନାମ ଲେଖାଇ ଆଇ.ଏ ଏବଂ ଅର୍ଥନୀତିରେ ଅନର୍ସ ସହ ବି.ଏ. ଶିକ୍ଷା କରୁଥିଲେ। ଏହି ସମୟରେ ସେ ନିଜର ସହପାଠୀ କେତେକ ତଥା ଉପର ଶ୍ରେଣୀର ପିଲାମାନଙ୍କୁ ଟ୍ୟୁସନ୍ କରାଇ ଭରଣପୋଷଣ କରୁଥିଲେ। ଏପରିକି ତାଙ୍କ ମେଧାବୀ ଗୁଣରେ ପ୍ରଲୁବ୍ଧ ରେଭେନ୍ସା କର୍ତ୍ତୃପକ୍ଷ ତାଙ୍କ ମେସ୍ ଦେୟ ଛାଡ କରିଦେବାକୁ ପ୍ରସ୍ତାବ ରଖିଥିଲେ ମଧ୍ୟ ସିଏ ବିନମ୍ରତାର ସହ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଅଧିକାଂଶ ବାଧାବିପନ୍ନ ସତ୍ତ୍ୱେ ସେ ସମସ୍ତ ପରୀକ୍ଷାରେ ଉଲ୍ଲେଖନୀୟ କୃତୀତ୍ଵ ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଉଥିଲେ। ରେଭେନ୍ସା କଲେଜରୁ ୧୯୩୧ ମସିହାରେ ବି.ଏ. ଉପାଧିପ୍ରାପ୍ତ ହେଇସାରି ଶ୍ରେଷ୍ଠ ସ୍ନାତକ ରୂପେ ବିବେଚିତ ହୋଇଥିଲେ।


ତତ୍ପରେ ପାଟଣା ବିଶ୍ଵବିଦ୍ୟାଳୟରେ ଅର୍ଥନୀତିରେ ଏମ୍.ଏ. ପରୀକ୍ଷାରେ ୧୯୩୩ ମସିହାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସ୍ଵର୍ଣ୍ଣପଦକ ପ୍ରାପ୍ତ କରିଥିଲେ। ଶିକ୍ଷିତ ବେକାରୀ ସମସ୍ୟା ହେତୁ ସେ ମୟୂରଭଞ୍ଜର ବାରିପଦାଠାରେ କିଛି ବର୍ଷ ପାଇଁ ଶାସନ ପରିଚାଳନା ଦାୟିତ୍ବ ନିର୍ବାହ କରିଥିଲେ। ଏହାପରେ ୧୯୩୮ ମସିହାରେ ସେ ରେଭେନ୍ସା କଲେଜରେ ପ୍ରଥମ କରି ଓଡିଶା ଶିକ୍ଷା ବିଭାଗ ଅଧୀନ ଅର୍ଥନୀତି ବିଭାଗର I. A. ଶ୍ରେଣୀରେ ଅଧ୍ୟାପକ ରୂପେ ଯୋଗଦାନ କରିଥିଲେ। ଅର୍ଥନୀତିକୁ ନୀରସ ବିଷୟର ମାନ୍ୟତା ଦେଇଥିବା ଛାତ୍ରସମାଜରେ ସେ ଅଭିନବ ତଥା ଚଳନ୍ତି ସମାଜର ଦୃଷ୍ଟାନ୍ତ ଦେଇ ଆକର୍ଷଣୀୟ ଶୈଳୀରେ ବୋଧଗମ୍ୟ କରାଇପାରୁଥିଲେ ତତ୍ତ୍ଵ ସମଗ୍ରକୁ। ସମଗ୍ର ଓଡିଶାରେ ସେ ଥିଲେ ପ୍ରଥମ ଓଡ଼ିଆ ଅର୍ଥନୀତି ଅଧ୍ୟାପକ !


ଏକାଧାରରେ ଜଣେ ଆଦର୍ଶ ଶିକ୍ଷାବିତ୍, ସାହିତ୍ୟିକ - ସାହିତ୍ୟପ୍ରେମୀ, ନୃତ୍ଯ ଓ ସଙ୍ଗୀତର ପୃଷ୍ଠପୋଷକ ତଥା ସଂସ୍କୃତ ବିଦ୍ୟାନୁରାଗୀ। ତତ୍କାଳୀନ ବିଖ୍ୟାତ କଣ୍ଠଶିଳ୍ପୀ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ତାଙ୍କୁ ପ୍ରତ୍ୟହ ନିଜ ଘରକୁ ଗୀତ ଶୁଣିବାକୁ ନିମନ୍ତ୍ରଣ କରୁଥିଲେ। ଏପରିକି ସେ ସମୟର ପ୍ରଖ୍ୟାତ ସଂସ୍କୃତବିଦ୍ ପଣ୍ଡିତ ବାସୁଦେବ ମିଶ୍ରଙ୍କୁ କଲେଜକୁ ଡାକି ତାଙ୍କର ସଂସ୍କୃତରେ ଅନର୍ଗଳ ଅଭିଭାଷଣର ସୁଯୋଗ ଦେଇଥିଲେ - ଯାହାକି ସେତେବେଳେ ଅଧିକାଂଶଙ୍କୁ ବିସ୍ମିତ କରି ରଖିଥିଲା। ସେହି ସମୟରେ ପୁଣି ଯଥାକ୍ରମେ ପ୍ରାଧ୍ୟାପକ ଏବଂ ମୁଖ୍ୟ ଅଧ୍ୟାପକ ରୂପେ ୧୯୫୭ ମସିହା ପର୍ଯ୍ୟନ୍ତ ଦାୟିତ୍ୱ ସମ୍ପାଦନ କରିଥିଲେ। ୧୯୫୭ରୁ ୧୯୬୧ ପର୍ଯ୍ୟନ୍ତ ତାଙ୍କର ଅଧ୍ୟକ୍ଷ ରୂପେ କାର୍ଯ୍ୟ ଅବଧି ବେଶ୍ ପ୍ରଶଂସନୀୟ ଥିଲା।


ଅର୍ଥନୀତି ପ୍ରତି ତାଙ୍କର ପାଞ୍ଚଟି ପ୍ରମୁଖ ତଥା ମୌଳିକ ଆଭିମୁଖ୍ୟ ଥିଲା -

(୧)ଭାରତୀୟ ସମାଜ କ୍ଷେତ୍ରରେ କୃଷି ଓ ଶିଳ୍ପର ବିଭିନ୍ନ ସାଧନକୁ ଉତ୍ପାଦନକ୍ଷମ କରିବା ପାଇଁ ପରସ୍ପର-ପରିପୂରକ-ଉପଜୀବ୍ୟ ଯେପରି ସାର, ବିଦ୍ୟୁତ୍ ଶକ୍ତି ପରି ତତ୍ତ୍ଵରେ ପ୍ରଯୁକ୍ତି ବିଦ୍ୟାର ଅଭିନିବେଶ ।

(୨) ଉତ୍ପାଦନକ୍ଷମତାର କ୍ରମୋନ୍ନତି ସହିତ ବିକେନ୍ଦ୍ରୀକୃତ ବ୍ୟବସ୍ଥା ପ୍ରଚଳନ ଏବଂ ଅର୍ଥନୈତିକ ବିଭେଦ ହ୍ରାସ କରିବା। ଭାରତୀୟ ଅର୍ଥନୈତିକ ସମ୍ମିଳନୀରେ ନିଜର Presidential Address ଦ୍ଵାରା George Bernard Shaw ଙ୍କ ନିର୍ଦ୍ଦେଶିତ ଫେବିଆନ୍ ସମାଜବାଦ ଉପରେ ଗୁରୁତ୍ବାରୋପ କରିଥିଲେ।

(୩) ଜନସାଧାରଣଙ୍କ ସଶକ୍ତୀକରଣ ବା Empowerment । ରାଜନୈତିକ ଅଧିକାର ସମତୁଲ ଅର୍ଥନୈତିକ ଅଧିକାର ଓ ସୁବିଧା ମଧ୍ୟ ଅନୁରୂପ ଅପରିହାର୍ଯ୍ୟ।

(୪) Sustainability ବା ଧାରଣକ୍ଷମ ବିକାଶଶୀଳତାକୁ ପ୍ରୋତ୍ସାହନ । ଅର୍ଥନୈତିକ ପ୍ରଗତି ଓ ବିଶେଷ କରି ଉଦ୍ୟୋଗୀକରଣ ଦ୍ଵାରା ବାୟୁମଣ୍ଡଳ ଦୂଷିତ ନ ହେଉ, ସେଥିପାଇଁ ତାଙ୍କୁ ଅର୍ଥନୀତିଜ୍ଞ Alfred Marshall ଏବଂ Arthur Cecil Pigou ଙ୍କ ତତ୍ତ୍ୱ ଅନେକ ଦୂର ଅନୁପ୍ରାଣିତ କରିଥିଲା।

(୫) Capitalism ବା ପୁଞ୍ଜିବାଦକୁ ସମକାଳରେ ରକ୍ଷା କରାଯାଇ ସରକାରୀ ନିୟନ୍ତ୍ରଣାଧୀନ ରଖିବା ପାଇଁ ଗୁରୁତ୍ୱ ଦେଉଥିଲେ। ଏଥିପାଇଁ ବ୍ରିଟିଶ ଅର୍ଥନୀତିଜ୍ଞ John Maynard Keynes ଙ୍କ ଅର୍ଥନୀତି ତତ୍ତ୍ଵ ତାଙ୍କ ମୌଳିକ ତତ୍ତ୍ଵର ଅନ୍ୟତମ ଭିତ୍ତି ଥିଲା ।

୧୯୪୬ ମସିହାରେ ଓଡ଼ିଶା ସରକାର ଅର୍ଥନୀତିରେ ତାଙ୍କୁ ପି.ଏଚ୍.ଡି. କରିବା ନିମନ୍ତେ London School of Economics କୁ ପ୍ରେରିତ କରିଥିଲେ। ସେଠାରେ ସେ "The Development of Indian Public Finance During the War" ଉପରେ ପି.ଏଚ୍.ଡି. ସମାପନ କରି ୧୯୪୮ ମସିହାରେ ରେଭେନ୍ସା କଲେଜର ସ୍ନାତକୋତ୍ତର ବିଭାଗର ମୁଖ୍ୟ ଅଧ୍ୟାପକ (ପ୍ରଫେସର) ରୂପେ ଯୋଗଦାନ କରିଥିଲେ। ସେହି ସମୟରେ ସେଠାରେ ସେ ସେମିନାର ପଦ୍ଧତିର ପ୍ରଚଳନ କରିଥିଲେ। ନିତ୍ୟ ସେମିନାରରେ ପ୍ରବନ୍ଧପାଠ ସହ ସ୍ନାତକୋତ୍ତର ଛାତ୍ର ଏବଂ ଅଧ୍ୟାପକଙ୍କ ସହ ଆଲୋଚନା ଲାଗି ରହୁଥିଲା। ଏଥି ସହ ତାଙ୍କ ପାଖରେ ଥିବା ଦେଶ ବିଦେଶର ଅର୍ଥନୀତି ସମ୍ବନ୍ଧୀୟ ତତ୍ତ୍ଵର ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରି କ୍ରମଶଃ ସମସ୍ତ ବିଭାଗରେ ଏହି ନୀତି ଅନୁସରଣ କରିଥିଲେ।


ନିଖିଳ ଭାରତୀୟ ଅର୍ଥନୈତିକ ସମ୍ମିଳନୀରେ ଯୋଗ ଦେବା ପାଇଁ ସିଏ ହିଁ ପ୍ରଥମତଃ ପ୍ରୋତ୍ସାହନ ପ୍ରଦାନ କରିଥିଲେ ସମସ୍ତଙ୍କୁ। ରେଳଗାଡିର ଦୀର୍ଘ ନୀରସ ଯାତ୍ରାକୁ ସେ ବିଚକ୍ଷଣ ବ୍ୟଙ୍ଗୋକ୍ତି ଏବଂ ଆଲୋଚନା ଦ୍ଵାରା କୌତୂହଳପ୍ରଦ କରିପାରୁଥିଲେ। ବକ୍ତୃତା ଦେଲା ସମୟରେ ମଝିରେ ମଝିରେ ବ୍ୟଙ୍ଗୋକ୍ତି ଓ କୌତୂହଳପୂର୍ଣ୍ଣ କଥା କହି ଚାଟୁବାଣୀ କହନ୍ତି। ଏଥିପାଇଁ ତାଙ୍କ ଲୋକାଦୃତିର ଫଳସ୍ୱରୂପ ତାଙ୍କୁ ନିଖିଳ ଭାରତୀୟ ଅର୍ଥନୀତି ସମ୍ମିଳନୀର କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ବର୍ଷକ ପାଇଁ ସଭାପତି ରୂପେ ନିର୍ବାଚନ କରିଥିଲେ। ଏହା ପରେ ସେ ୧୯୬୨ ମସିହାରୁ ୧୯୬୬ ମସିହା ପର୍ଯ୍ୟନ୍ତ ଓଡିଶା ସରକାରଙ୍କ ଶିକ୍ଷା ନିର୍ଦ୍ଦେଶକ ବା ଡି.ପି.ଆଇ ରହିଆସିଥିଲେ।

ତାଙ୍କ ବଳିଷ୍ଠ ତତ୍ତ୍ଵାବଧାନରେ ବୈଦ୍ୟନାଥ ମିଶ୍ରଙ୍କ ସମେତ ତିନି ଜଣ ଅଧ୍ୟାପକ ଅର୍ଥନୀତିରେ ଗବେଷଣା କରି ପି.ଏଚ୍.ଡି ଉପାଧି ପାଇଥିଲେ। ୧୯୬୬ ମସିହାରେ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ହୋଇଥିଲେ ସିନା, କିନ୍ତୁ ୧୯୭୧ ମସିହାର ଏକ ଅଘଟଣ ପାଇଁ ସେ ମର୍ମାହତ ହୋଇ ଇସ୍ତଫା ଦେଇଦେଲେ। ସ୍ନାତକ ପରୀକ୍ଷାରେ ବ୍ୟାପକ କପି ହେବାରୁ ଅନେକ ଅଯୋଗ୍ୟ ଛାତ୍ର ପ୍ରଥମ ଶ୍ରେଣୀ ପାଇଲେ। ଡ଼. ମିଶ୍ରଙ୍କ ଅଧ୍ୟକ୍ଷତାରେ Syndicate ପ୍ରଥମେ ସମସ୍ତ ପରୀକ୍ଷା ଫଳ ବାତିଲ୍ କରିଦେବା ସତ୍ତ୍ଵେ ନାନା ପ୍ରକାର ଚାପଦ୍ଵାରଖ ଏହାକୁ କେବଳ ସ୍ଥଗିତ ରଖିବାର ନିର୍ଦ୍ଦେଶ ଆସିଲା - ଯାହା ଶୃଙ୍ଖଳାପ୍ରିୟ ଡ. ମିଶ୍ରଙ୍କୁ ମର୍ମାହତ କରିଥିଲା।



୧୯୬୪ ମସିହାର ଏକ ସୁନ୍ଦର ଅନୁଭୂତି। ଡ଼.ଶ୍ରୀନିବାସ ସାହୁ ଓ ଡ଼.ମିଶ୍ରଙ୍କ ସାହାଯ୍ୟରେ ୧୯୫୯ ମସିହାରେ ଗଠନ କରାଯାଇଥାଏ "ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ" ! ସେଥିରେ ସମ୍ପାଦକ ଥାଆନ୍ତି ପ୍ରସନ୍ନ କୁମାର ଦାସ, ରାସାୟନିକ ବିଭାଗର ପ୍ରଫେସର। ଇଣ୍ଟରଭିୟୁ ପାଇଁ ୩୦ ଜଣଙ୍କୁ ଡକାଯାଇଥାଏ। ଇଣ୍ଟରଭିୟୁ ବୋର୍ଡରେ ଥାଆନ୍ତି, ଡ଼. ସଦାଶିବ ମିଶ୍ର, ସୁରଜ ମଲ୍ଲ ସାହା, ରାଧାନାଥ ଟ୍ରେନିଂ କଲେଜର ତତ୍କାଳୀନ ଅଧ୍ୟକ୍ଷ ଡ. ବୈଦ୍ୟନାଥ ରଥ। ସେଥିରେ ପ୍ରାର୍ଥୀ ଥାଆନ୍ତି ଡ. ବିଷ୍ଣୁଚରଣ ଜେନା।

ଅପରାହ୍ଣ ପ୍ରାୟ ଚାରିଟା ବେଳ। ଭୟ ଓ ଉଦବିଗ୍ନତା ସହ ଇଣ୍ଟରଭିୟୁ ପାଇଁ ଭିତରକୁ ପ୍ରବେଶ କରନ୍ତି। ଇଣ୍ଟରଭିୟୁ ମଣ୍ଡଳୀ ପ୍ରଶ୍ନ କଲେ, "ତୁମକୁ ଯଦି ଶିକ୍ଷକଟିଏ କରାଯାଇ ତୁମେ କେଉଁ ବିଷୟ ପଢାଇବ?" ପ୍ରାର୍ଥୀ ଉତ୍ତର ଦେଲେ, "ଗଣିତ ଓ ବିଜ୍ଞାନ।" ସଙ୍ଗେ ସଙ୍ଗେ ଜଣେ ବିଚାରକ ତାଙ୍କୁ ପ୍ରଶ୍ନ କରିବାକୁ ଆରମ୍ଭ କଲେ -"(a + b)^2 କୁ କିପରି ପିଲାଙ୍କୁ ବୁଝାଇବ?"

ପ୍ରାର୍ଥୀ ଜଣକ ଉତ୍ତର ଦେଲେ, "ଏଠାରେ ତ ଛାତ୍ରଛାତ୍ରୀ କେହି ନାହାନ୍ତି କିପରି ବୁଝାଇବି?" ପ୍ରଶ୍ନକର୍ତ୍ତା ଆରମ୍ଭ କରିଲେ, "ମନେ କର ମୁଁ ଜଣେ ଛାତ୍ର - ମୋତେ ପଢାଅ।" ସେ ପଚାରିଲେ, "ତେବେ, ୩ର ବର୍ଗ କେତେ?" ସେ ପ୍ରଶ୍ନକର୍ତ୍ତା କହିଲେ, "୯" ।
- "୪ର ବର୍ଗ କେତେ?" - "୧୬"
-"୩ର ବର୍ଗ ଏବଂ ଚାରିର ବର୍ଗ ମିଶି କେତେ?" ଉତ୍ତର ଆସିଲା, "୨୫"
-"କିନ୍ତୁ, ୩ ଯୁକ୍ତ ୪ ସମାନ ୭, ତେବେ ଏହାର ବର୍ଗ କେତେ?" ଉତ୍ତର ଆସିଲା - "୪୯"
ତତ୍-କ୍ଷଣାତ୍, ପ୍ରାର୍ଥୀ ଜଣକ କହିଲେ, "୨୫ ନ ହୋଇ ୪୯ ହେଲା କିପରି? ଆଜି ଚିନ୍ତା କରନ୍ତୁ - ଆସନ୍ତା କାଲି ପଢାଇବି। ମୋର ପଢାର ପ୍ରଣାଳୀ problem solving method । ଦୟାକରି ଚିନ୍ତା କରନ୍ତୁ କାଲି ନିଶ୍ଚିତ ମୋ ପଢା ବୁଝିପାରିବେ।"

ଆଠଦିନ ପରେ ଏହି ପ୍ରାର୍ଥୀ ଶିକ୍ଷକ ନିଯୁକ୍ତି ପାଇଲେ। ସାଲେପୁର ହାଇସ୍କୁଲରୁ ଆସି ସେକେଣ୍ଡାରୀ ବୋର୍ଡ ସ୍କୁଲରେ ଯୋଗ ଦେଇଥିଲେ। ଆଉ ସେହି ପ୍ରଥମରେ ଥିବା ପ୍ରଶ୍ନକର୍ତ୍ତା ଥିଲେ ଡ. ସଦାଶିବ ମିଶ୍ର। ଏପରିକି ନିଜ ଘରେ ନାତୁଣୀର "H2O" କହିବା ତାଙ୍କୁ ଦେଇଥିଲା ଆଉ ଏକ ଖୋରାକ, ଯାହା ସେ ବିଜ୍ଞାନକୁ ପ୍ରାୟୋଗିକ ଶୈଳୀରେ ବୁଝାଇବା ପାଇଁ ନୂତନ ଚେତନା କରିଥିଲେ।

ଏଥି ସହ ସେ କଟକର ରୋଟାରୀ କ୍ଳବ୍, କଳାବିକାଶ କେନ୍ଦ୍ର ସହ ସମ୍ପୃକ୍ତ ଥିଲେ। ସେ ଭାରତ ସରକାରଙ୍କ ପ୍ଳାନିଙ୍ଗ୍ କମିଶନ୍ ର ଅନ୍ୟତମ ପରାମର୍ଶଦାତା, ଭାରତୀୟ ଅର୍ଥନୀତି ଆସୋସିଏସନ ସଭ୍ୟ, ଓଡ଼ିଆ ଅର୍ଥନୀତି ସଂସଦର ପ୍ରତିଷ୍ଠାତା ଏବଂ ପ୍ରଥମ ସଭାପତି ସହ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବାଞ୍ଚଳ ନିର୍ଦ୍ଦେଶକ ଭାବେ ସେ ଦାୟିତ୍ୱ ନିର୍ବାହ କରିଆସିଥିଲେ।

ଏଥି ସହ ଜଣେ ନିଷ୍ଠାପର ସାହିତ୍ୟିକ ରୂପେ ତାଙ୍କର ଖ୍ୟାତି ଥିଲା। ବୈଜ୍ଞାନିକ ଅନୁଶୀଳନ ସହ ପ୍ରାୟୋଗିକ ବିଜ୍ଞାନର ଦୃଷ୍ଟିଭଙ୍ଗିମା ତାଙ୍କ ସମସ୍ତ ପ୍ରବନ୍ଧାବଳୀରେ ଅବହିତ । ୧୯୮୬ ମସିହାରେ ତାଙ୍କ ପ୍ରସିଦ୍ଧ ସଙ୍କଳନ 'ମାତୃପୂଜା ମଣ୍ଡପ' ପ୍ରକାଶିତ ହୋଇ ୧୯୯୧ ମସିହାରେ ଓଡ଼ିଆ ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତ ହୋଇଥିଲା। ଦୈନିକ 'ସମାଜ' ରେ ପ୍ରକାଶିତ ତାଙ୍କର ଅନେକ ପ୍ରବନ୍ଧମାଳା ଏଥିରେ ପ୍ରକାଶିତ ହୋଇ ସଙ୍କଳିତ ହୋଇଥିଲା ଯାହାର ଏକ ଅଗ୍ରଲେଖ ବା ମୁଖବନ୍ଧ ସେ ନିଜ ଜୀବନର ପ୍ରଣମ୍ୟ, କୃପାସିନ୍ଧୁ ମିଶ୍ରଙ୍କୁ ଉତ୍ସର୍ଗ କରି ଲେଖିଥିଲେ -

"ପୂଜ୍ୟାସ୍ପଦ, ସ୍ନେହଶୀଳ, ଛାତ୍ରବତ୍ସଳ ପଣ୍ଡିତ କୃପାସିନ୍ଧୁ ମୋ ଠାରେ ଦେଲେ ଜୀବନ୍ୟାସ। ତାଙ୍କରି ଶ୍ରୀଚରଣରେ ଏ ଅକିଞ୍ଚନ ପ୍ରଣତି ଜ୍ଞାପନ କରୁଛି। "

ସେ "ମାତୃପୂଜା ମଣ୍ଡପ" ର ଅଭିପ୍ରାୟ ଲେଖିଛନ୍ତି ସେଥିରେ -

"ପୁସ୍ତକଟିକୁ 'ମାତୃପୂଜା ମଣ୍ଡପ' ନାମରେ ନାମିତ କରାଯାଇ ଅଛି। ଏ ମଣ୍ଡପରେ ଜାତି-ଅଜାତି ନାହିଁ, ବାଛ ବିଚାର ନାହିଁ, ସାନବଡ଼ ନାହାନ୍ତି, ଉଚ୍ଚ-ନୀଚ ନାହାନ୍ତି, ମାତୃପୂଜା ମଣ୍ଡପରେ ସମସ୍ତେ ସମାନ, ସମସ୍ତଙ୍କର ସମାନ ଅଧିକାର।"

ତାଙ୍କ ଗବେଷଣା ଓ ସାହିତ୍ୟ ଗ୍ରନ୍ଥ ମଧ୍ୟରେ "Economic Survey of Orissa", "Rourkela - An Economic Survey", "Five years of Orissa Budget (1941)", "Co-operative Agricultural Credit in Orissa" (1942), "Can India Adopt Beveridge" (1945), "Food Position in Odisha" (1946), "Federal Finance in Relation to State Mergers" (1951), "Inter-governmental Financial Relations" (1953), "ମାର୍କିନ୍ ପରିକ୍ରମା", "ଆମେ ଖାଇବା କଣ", "ମନ୍ଦ୍ରଗ୍ରହ" (ଉପନ୍ୟାସ), "ଆଲୋକର ସନ୍ଧାନ", "ଅର୍ଥ ଅର୍ଥାନ୍ତର" ପ୍ରଭୃତି ଉଲ୍ଲେଖନୀୟ।

୧୯୫୮ ମସିହାରେ America Council of Education ର ନିମନ୍ତ୍ରଣ କ୍ରମେ Examinations Reform Delegation ର ସଦସ୍ୟ ଭାବରେ ଭାରତ ସରକାରଙ୍କ ଦ୍ଵାରା ଯୁକ୍ତରାଷ୍ଟ୍ର ଆମେରିକାକୁ ପ୍ରେରିତ ହୋଇଥିଲେ। ୧୯୬୩ ମସିହାରେ British Council , ପରବର୍ତ୍ତୀ ସମୟରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ "Commonwealth Vice-Chancellors' Conference" ରେ ଯୋଗଦାନ କରିଥିଲେ। UGC ର ଏକ ଗବେଷଣା ଦଳରେ ସେ ଜର୍ମାନୀ ଗସ୍ତ କରିଥିଲେ। ୧୯୭୧ ମସିହାରେ ତାଙ୍କୁ ପଦ୍ମଶ୍ରୀରେ ବିଭୂଷିତ କରାଯାଇଥିଲା। ହେଲେ ଏହି ମହାନ୍ ବହୁପାଠୀ ବ୍ୟକ୍ତିତ୍ଵ ୧୯୯୪ ମସିହା ଡିସେମ୍ବର ମାସ ୧୬ ତାରିଖ ଦିନ ଇହଲୀଳା ସମ୍ଵରଣ କରିଥିଲେ।

Post a Comment

0 Comments

Hindi Ads