ଦାନର ପ୍ରତିଦାନ


   
ଦାନର ପ୍ରତିଦାନ - ଶ୍ରୀମାନି ପ୍ରିୟଦର୍ଶିନୀ
   

       ଭୁବନେଶ୍ୱର ସମ୍ ହସ୍ପିଟାଲ୍ ନିକଟରେ ଲୋକ ମାନଙ୍କର ନାହିଁ ନଥିବା ଭିଡ । ଏକ ଦୁର୍ଘଟଣାରେ ପୂର୍ବତନ ଜିଲ୍ଲାପାଳ ଶ୍ରୀଯୁକ୍ତ ସମୀର ସିଂହ ଙ୍କ ଅବସ୍ଥା ଗୁରୁତର । କେତେବେଳେ ବି କ'ଣ ହୋଇପାରେ । ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଥାଏ । କିଛି ଲୋକ ମନ ଦୁଃଖରେ ବସିଥାନ୍ତି ତ କିଛି ଲୋକ କାନ୍ଦୁଥାନ୍ତି । କାରଣ ସମୀର ଥିଲେ ସହୃଦୟ ବ୍ୟକ୍ତି ଓ ସେମାନଙ୍କର ଭଗବାନ । ତାଙ୍କର କୌଣସି ଗର୍ବ ଅହଙ୍କାର ନଥିଲା । ବସ୍ତି ର ଲୋକମାନଙ୍କୁ ସବୁ ସମୟରେ ସାହାଯ୍ୟ କରିଆସୁଥିଲେ । ତାଙ୍କର କଣ ଟିକେ ହୋଇଗଲେ କାଳେ ସେମାନଙ୍କର ଜୀବନ ମଧ୍ୟ ଦୁର୍ବିସହ ହୋଇପଡିବ, ତେଣୁ କିଛି ଲୋକ ଭଗବାନ ଙ୍କୁ ମଧ୍ୟ ଡାକୁଥାନ୍ତି ।
    
     ଠିକ୍ ଏହି ସମୟରେ ଡାକ୍ତର ଆସି କହିଲେ, ତାଙ୍କର ରକ୍ତ ଦରକାର ଅଛି ବିରଳ ରକ୍ତ । ନହେଲେ ତାଙ୍କର ବଞ୍ଚିବାର ଆଶା କମ୍ ହୋଇଯିବ । ରକ୍ତର ନାମ ପଚାରିବାରୁ ଡାକ୍ତର କହିଲେ ‘ଓଏଚ୍‌ ପଜେଟିଭ’ (ବମ୍ବେ ଫେନୋଟାଇପ) ରକ୍ତ । ରକ୍ତର ନାମ ଶୁଣି ସମସ୍ତେ ତାଜୁବ ହୋଇଗଲେ । ସମସ୍ତେ ରକ୍ତର ନାମ ପ୍ରଥମ ଥର ପାଇଁ ଶୁଣୁଥିଲେ । କିଏ କିଏ ଉପାୟହୀନ ହୋଇ ରକ୍ତ ଯୋଗାଡ଼ କରିବାରେ ଲାଗିପଡିଲେ । କିନ୍ତୁ ଦୁଃଖର ବିଷୟ ରକ୍ତ ଭଣ୍ଡାରରେ ଏପରି ବିରଳ ରକ୍ତ ନଥିଲା ।
    
     ସମସ୍ତଙ୍କ ଦୁଃଖରେ ପୂର୍ଣ୍ଣଚ୍ଛେଦ ପକାଇ, ହସ୍ପିଟାଲ୍ ଭିତରକୁ ପ୍ରବେଶ କଲେ ଜଣେ ସୈାମ୍ୟକାନ୍ତ ଯୁବକ । ବୟସ ପଚିଶି ଛବିଶି ପାଖାପାଖି । ସମସ୍ତେ ଯୁବକକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଏ ଯୁବକଟି କିଏ, ହସ୍ପିଟାଲ୍ ଭିତରକୁ ଏପରି ପ୍ରବେଶ କରିବାର ଉଦ୍ଦେଶ୍ୟ ? ଯୁବକ ଜଣଙ୍କ ହସ୍ପିଟାଲ୍ ରେ ଡାକ୍ତରଙ୍କୁ ଖୋଜି ସମୀର ଙ୍କୁ ରକ୍ତଦାନ କରିବାପାଇଁ କହିଲେ । କାରଣ ତାଙ୍କ ପାଖରେ ସେହି ବିରଳ ରକ୍ତ ଥିଲା ।
    
     ଦୁଇ ଦିନପରେ ସମୀର ଭଲ ହୋଇ ଉଠିବସିଲେ । ଲୋକମାନେ ସେହି ଯୁବକଟିର ପ୍ରଶଂସା କରୁଥାନ୍ତି, ଯିଏ ସମୀରଙ୍କ ଜୀବନ ବଞ୍ଚାଇଲା । ସମୀର ସମସ୍ତଙ୍କ ତୁଣ୍ଡରୁ ଯୁବକଟିର କଥା ଶୁଣି ତାଙ୍କ ନିକଟକୁ ଡକାଇଲେ । ଯୁବକକୁ ପାଖରେ ଦେଖି ସମୀର କହିଲେ -" କାହିଁ ପୁଅ ମୋ ଜୀବନ ବଞ୍ଚାଇଲୁ ? ମୋ ଜୀବନକୁ ତିଳେ ମାତ୍ର ଭୟ ନାହିଁ । ଏକୁଟିଆ ମଣିଷ ମୁଁ ପଚିଶି ବର୍ଷ ହେବ, ପରିବାରକୁ ହରାଇ ଦେଇଛି । କ'ଣ ଦରକାର ଏ ଜୀବନ ?"
    
     ବାବୁ ଆପଣ ଆପଣଙ୍କ ଦାନର ପ୍ରତିଦାନ ପାଇ ସାରିଛନ୍ତି । ତେଣୁ, ସେପରି କଥା ତୁଣ୍ଡରେ ଧରନ୍ତୁ ନାହିଁ । ପରିବାର ନଥିଲେ ଏହି ଗରିବ ଲୋକମାନେ ଅଛନ୍ତି, ଆପଣଙ୍କର କ'ଣ ଟିକେ ହୋଇଗଲେ ଏମାନେ କିପରି ବଞ୍ଚିବେ ଭାବିଛନ୍ତି ? ଆପଣ ମୋତେ ଚିହ୍ନି ପାରୁନାହାନ୍ତି କି ବାବୁ ! ମୁଁ ପରା ଖବରକାଗଜ ବିକୁଥିବା ସେଇ ଛୋଟ ପୁଅ ଅମର ! ଯିଏ ପନ୍ଦର ବର୍ଷ ତଳେ ହଜାର ଟଙ୍କା ପାଇଁ ଆପଣଙ୍କୁ କେତେ କାକୁତି ମିନତି ହୋଇ ମାଗିଥିଲା । ବାପାଙ୍କୁ ତ କେବେ ଦେଖି ନାହିଁ, ସେଇ ହଜାର ଟଙ୍କା ମାଆର ଔଷଧ ନେବାପାଇଁ ମାଗିଥିଲି । ଆପଣଙ୍କ ସାହାଯ୍ୟ ଦ୍ଵାରା ମୋ ମାଆର ଜୀବନ ବଞ୍ଚିଗଲା ବାବୁ, ସେଥିପାଇଁ ମୁଁ ଆପଣଙ୍କ ନିକଟରେ ଚିରଋଣୀ ।
    
     ଅମରର କଥା ଶୁଣି ସମୀର ତାଙ୍କ ଅତୀତକୁ ଫେରିଗଲେ । ପନ୍ଦର ବର୍ଷ ତଳେ କେନ୍ଦ୍ରାପଡା ବସ୍ ଷ୍ଟାଣ୍ଡ ରେ ବସ୍ କୁ ଅପେକ୍ଷା କରିଥିବା ବେଳେ ଆଠ ନଅ ବର୍ଷର ପିଲାଟିଏ କାନ୍ଦ କାନ୍ଦ ହୋଇ ସମସ୍ତଙ୍କୁ ଖବର କାଗଜ ବିକି ତାର ପଇସା ଆଣି ପୁଣି ଅଧିକ ପଇସା ମାଗୁଥିଲା । ସେଥିପାଇଁ ଅନେକ ଲୋକ ତାକୁ ମାଡ଼ ମାରୁଥିଲେ । ସମୀର ତାକୁ ପାଖକୁ ଡାକି ଏତେ ପଇସା କ'ଣ ହେବ ବୋଲି ପଚାରିବାରୁ ପିଲାଟି ଉତ୍ତର ଦେଇଥିଲା -" ମାଆର ଦେହ ବହୁତ ଖରାପ, ଡକ୍ଟର ବାବୁ କହିଛନ୍ତି ଔଷଧ ପାଇଁ । ହଜାରେ ଟଙ୍କା ଲାଗିବ । ଏତେ ଟଙ୍କା ଯୋଗାଡ କରିବାକୁ ମୁଁ ଅସମର୍ଥ ବାବୁ ।"
    
     ପିଲାଟିର କଥା ଶୁଣି ସମୀର ଙ୍କ ହୃଦୟ ତରଳି ଗଲା । ପକେଟ୍ ରୁ ହଜାର ଟଙ୍କା କାଢି ପିଲାଟିର ହାତକୁ ବଢାଇ ଦେଲେ । ପିଲାଟି ଖୁସି ହୋଇ ପଇସା କୁ ଧରି ଏତେ ଜୋରରେ ଧାଇଁଲା, ଯେମିତି ତା' ମାଆର ଜୀବନ ତା ପାଇଁ ବହୁତ ମୂଲ୍ୟବାନ । ଏହି ଘଟଣାର କିଛିଦିନ ପରେ  ସେ ଆଇ.ଏ.ଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ଜାଣିଲେ । ପରେ ପରେ କେନ୍ଦ୍ରାପଡ଼ା ଆସି ସେଇ ପିଲାଟିକୁ ବହୁତ ଖୋଜିଲେ କିନ୍ତୁ ନପାଇ ନିରାଶ ହୋଇ ଫେରିଯାଇଥିଲେ ।
    
     "ତୁ ସେଇ ପିଲା ନା ! ଆରେ, ମୁଁ ତୋତେ ବହୁତ ଖୋଜିଛି ! କ୍ଷମା କରିଦେ ଅମର, ମୁଁ ତୋତେ ପାଇ ପାରିଲି ନାହିଁ । ଆଉ ହଁ, ମୁଁ ସେତେବେଳେ ଆଇ. ଏ. ଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲି କେବଳ ତୋ ପାଇଁ, ସେ ସଫଳତା ର ଶ୍ରେୟ ତୋ ନିକଟକୁ ଯିବ । ଏହା ମୋର ଦାନର ପ୍ରତିଦାନ ଥିଲା । ମୁଁ ଜାଣିଛି " ଜଣକୁ ସାହାଯ୍ୟ କଲେ ବା କିଛି ଦାନ କଲେ, ତାହା ମଧ୍ୟ ପ୍ରତିଦାନ ସ୍ୱରୂପ ତୁମ ନିକଟକୁ ନିଶ୍ଚୟ ଫେରିବ ।" ତୁ ମୋତେ ଆଗରୁ ଦେଖା କଲୁନାହିଁ କାହିଁକି ? ଆଉ ହଁ, ତୋର ମାଆ କେମିତି ଅଛନ୍ତି ?
    
     ଆପଣଙ୍କ ସେଇ ହଜାର ଟଙ୍କା ମୋ ପାଇଁ ମୂଲ୍ୟବାନ ଆଜ୍ଞା, ଯାହା ଫଳରେ ମୋ ମାଆ ମୃତ୍ୟୁ ମୁଖରୁ ଫେରିଆସିଲା । ମୋର ପରିବାର ବୋଲି କେହି ନାହିଁ, କେବଳ ମାଆ ! ତା'ର ଯଦି କିଛି ହୋଇଯାଇଥାନ୍ତା, ତାହାଲେ ମୁଁ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଥାନ୍ତି ବାବୁ । ଆପଣଙ୍କ ନିକଟକୁ ବହୁତ ଥର ଆସିଛି, କିନ୍ତୁ ଗେଟ୍ ନିକଟରୁ ଫେରିଯାଇଛି । କାରଣ ଆପଣଙ୍କ ଜଗୁଆଳି କେବେ ପ୍ରବେଶ କରାଇଦିଅନ୍ତି ନାହିଁ । ଆଉ ମୋତେ ଯିଏ ଏତେବଡ଼ ସାହାଯ୍ୟ କରିଛନ୍ତି ତାଙ୍କୁ କିପରି ଭୁଲିଯିବି ? ଦିନେ ଆପଣଙ୍କ ଫଟୋ ଖବକାଗଜରେ ଦେଖି ଠିକଣା ଗୁଡ଼ିକ ପାଖରେ ରଖିଥିଲି । ବସ୍ତିର ଜଣେ ଲୋକଙ୍କ ସହାୟତାରେ ଆପଣଙ୍କ ସବୁ ଖବର ରଖୁଥିଲି । ସେଇ ଲୋକ ଜଣକ ମୋ ନିକଟକୁ ଯୋଗାଯୋଗ କରି ଆପଣଙ୍କ ଅବସ୍ଥା ଶୋଚନୀୟ ବୋଲି କହିଥିଲେ । ତେଣୁ ଚାଲିଆସିଥିଲି ହସ୍ପିଟାଲ୍, ଯେତେବେଳେ ଜାଣିଲି ଆପଣଙ୍କ ଦେହରେ ‘ଓଏଚ୍‌ ପଜେଟିଭ’ (ବମ୍ବେ ଫେନୋଟାଇପ) ରକ୍ତ ଦରକାର ! ମୁଁ ମଧ୍ୟ ମୋର ରକ୍ତ ପରୀକ୍ଷା କରି ଜାଣିଲି ମୋ ନିକଟରେ ମଧ୍ୟ ସେହି ବିରଳ ରକ୍ତ ଅଛି । ତେଣୁ କାଳବିଳମ୍ବ ନ କରି ଆପଣଙ୍କୁ ଆପଣଙ୍କ ଦାନର ପ୍ରତିଦାନ କରିଦେଲି । ଆଶାକରେ ଏବେ ସୁସ୍ଥ ଥିବେ ।
    
     ଧନ୍ୟବାଦ ପୁଅ, ମୁଁ ବଞ୍ଚିଛି ତ ଏଇ ଲୋକଙ୍କ ପାଇଁ ବଞ୍ଚିଛି । ମୋର ପରିବାର କେବେଠୁ ଉଜୁଡି ଯାଇଛି, ସେ ପରଠାରୁ ଏଇ ଲୋକମାନେ ହିଁ ମୋର ପରିବାର । ସେହି ସମୟରେ ଡାକ୍ତର ଆସି କହିଲେ -" ସାର୍, ଆପଣ ଏବେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ । ଧନ୍ୟବାଦ ଅମର ସାର୍ ଙ୍କୁ ରକ୍ତଦାନ କରିଥିବାରୁ, ମୁଁ ଏବେ ତାଙ୍କୁ ଡିସଚାର୍ଜ କରିଦେଉଛି । ଠିକ୍ ଭାବରେ ଦେଖା ଶୁଣା କରିବେ ।"
    
     ଅମର ପ୍ରାୟ ପାଞ୍ଚଦିନ ସମୀର ବାବୁଙ୍କ ନିକଟରେ ରହି ନିଜ ଘରକୁ ଯିବାକୁ ବାହାରିଲା । ସମୀର ବାବୁ ମନଦୁଃଖ ରେ କହିଲେ - ଅମର ତୁ ଚାଲିଯିବୁ ? ବ୍ୟସ୍ତ ହୁଅନ୍ତୁ ନାହିଁ ବାବୁ, ମୁଁ ଏଇ ଭୁବନେଶ୍ୱର ଆପଣଙ୍କ ନିକଟରେ ଅଛି । ଆଇ.ଏ.ଏସ କୋଚିଂ ନେଉଛି । ପାଞ୍ଚଦିନ ହେଲାଣି ମାଆ ମଧ୍ୟ ମୋତେ ନ ଦେଖି ଡହଳବିକଳ ହେଉଥିବ । ମୁଁ ମଝିରେ ମଝିରେ ଆସି ଆପଣଙ୍କୁ ଦେଖା କରିଦେଇ ଯାଉଥିବି, ଏବେ ବିଦାୟ ଦିଅନ୍ତୁ ବାବୁ ।
    
     ଆରେ ଅମର ଶୁଣ, ତୁ ଓ ତୋର ମାଆ ଏଠାରେ ରହିଲେ କିଛି ଅସୁବିଧା ହେବ କି ? ଯଦି ନା, ତେବେ ଚାଲ ତୋ ମାଆଙ୍କୁ ଏଠାକୁ ନେଇ ଆସିବା । ମୋତେ ବି ଏକୁଟିଆ ଭଲ ଲାଗୁ ନାହିଁ, ତୁ ଏଠାରେ ରହିଲେ ତୋ ସହ କଥା ହୋଇ ଦିନ ଗୁଡ଼ିକ କଟିଯିବ । ଆଉ ହଁ ତୋ କୋଚିଂ ଖର୍ଚ୍ଚ ମୁଁ ଉଠାଇବି ତୁ ବ୍ୟସ୍ତ ହେବାର ଦରକାର ନାହିଁ । କାହିଁକି ବାବୁ ଏତେ ସାହାଯ୍ୟ କରୁଛ, କ'ଣ ଦେଇ ତୁମକୁ ଶୁଝିବି ? ଓଃ ସାହାଯ୍ୟ କିଛି ନାହିଁ, ତୁ ଚାଲିଲୁ ଆଗ ।
    
     ସମୀର ଙ୍କ କାର ଆସି ଏକ ବସ୍ତି ନିକଟରେ ଅଟକିଲା । ସମୀରଙ୍କୁ ଅମର ଏକ ଘର ନିକଟକୁ ଆସିବା ପାଇଁ କହିଲା । ଘର କହିଲେ ଭୁଲ୍ ହେବ, ପାଲ ଦରି ରେ ତିଆରି ଘର ଟିଏ । ସମୀର କହିଲେ ଏ କ'ଣ ଅମର ତୁ ଏଠାରେ ରହୁଛୁ ହେଲେ ମୋତେ ତାର କିଛି ବି ଖବର ନାହିଁ !
    
     ବାବୁ, ଆମେ ମାତ୍ର ତିନି ମାସ ହେବ କେନ୍ଦ୍ରାପଡ଼ା ରୁ ଭୁବନେଶ୍ୱର ଚାଲି ଆସିଛୁ । ଘରଟିଏ କରିବାକୁ ପାଖରେ ଏତେ ଅର୍ଥ ନାହିଁ । କୋଚିଂ ସହ ମୁଁ ଚାକିରିଟିଏ ମଧ୍ୟ ଖୋଜି ବୁଲୁଛି, ତଥାପି ସବୁଆଡୁ ନିରାଶ ହେବାକୁ ପଡୁଛି । ମାଆ କିଛି ଫଳ ମୂଳ ବିକ୍ରି କରୁଛି, ସେଇଥିରେ ମୋର କୋଚିଂ ଖର୍ଚ୍ଚ ସହ କଷ୍ଟମଷ୍ଟେ ଦୁଇ ଜଣ ଚଳି ଯାଉଛୁ । ଏବେ ଆସନ୍ତୁ ବାବୁ, ଭିତରକୁ ଆସନ୍ତୁ । ମାଆ ଓ ମାଆ ଦେଖିଲୁ ଦେଖିଲୁ କିଏ ଆସିଛନ୍ତି ।
    
     ଅମରର ମାଆ ଝାଡୁ ଟିଏ ଧରି "ତୁ ପାଞ୍ଚ ଦିନ ହେବ ମୋତେ ନ ଜଣେଇ କେଉଁଠି ଥିଲୁ" କହି ଧାଇଁ ଆସିଲା ବେଳେ ସମୀର ଙ୍କୁ ଦେଖି ଅଟକି ଯାଆନ୍ତି । ସମୀର ବାଷ୍ପ ରୁଦ୍ଧ ଗଳାରେ କହି ଉଠନ୍ତି -" ପୁଷ୍ପା ତୁମେ ?" ଅମର ର ମାଆ ମଧ୍ୟ ସମୀର ଙ୍କୁ କୋଳାଗ୍ରତ କରି ଅଶ୍ରୁଳ ନୟନ ରେ କହିଲେ -" ସମୀର ତୁମେ ? କେଉଁଠି ଥିଲ ତୁମେ ?"
    
     ମାଆ ଏ କ'ଣ କରୁଛୁ ? ଏ ହେଉଛନ୍ତି ପୂର୍ବତନ ଜିଲ୍ଲାପାଳ ସମୀର କୁମାର ସିଂହ, ଆଉ ମୋତେ ତୋ ଔଷଧ ପାଇଁ ହଜାର ଟଙ୍କା ଦେଇଥିବା ବ୍ୟକ୍ତି । "ଅମର ଏ ତୋ ବାପା ରେ ! ତିରିଶ ବର୍ଷ ତଳେ ନଦୀରେ ଡଙ୍ଗା ବୁଡି ଆମେ ହଜିଯାଇଥିଲେ । ତୋତେ ସିନା ମୋ ପଣତ କାନିରେ ବାନ୍ଧି ଦେଇଥିଲି, ହେଲେ ତୋ ବାପାଙ୍କ ହାତକୁ ଭୁଲରେ ଛାଡ଼ି ଦେଇଥିଲି । ଅନେକ ଖୋଜିବା ପରେ ନିରାଶ ହେବାରୁ, ଭାଗ୍ୟକୁ ଆଦରି ତୋତେ ଧରି ବଞ୍ଚିଲି । ଆଉ ତୁ ଆଜି ତୋ ବାପାଙ୍କୁ ଫେରାଇ ଆଣିଲୁ !"
    
     ଅମର ତା'ର‌ ପିତାମାତାଙ୍କୁ ଏକାଠି ଦେଖି ଖୁସି ହେଉଥିଲା । ଆଉ ସମୀର ଓ ପୁଷ୍ପା ମଧ୍ୟ ଦୁହେଁ ଦୁହିଁଙ୍କୁ ବହୁତ ଦିନ ପରେ ପାଇ ଥିବାରୁ ଅମର ଉପରେ ଖୁସି ହେଉଥିଲେ । ଜିଲ୍ଲାପାଳ ସମୀର ଙ୍କୁ ଦେଖିବା ପାଇଁ ବାହାରେ ଭିଡ଼ ଲଗାଇଥିବା ବସ୍ତିର ଲୋକମାନେ ମଧ୍ୟ ଖୁସି ହୋଇ କହୁଥିଲେ - " ଏ ତ ପ୍ରକୃତରେ ଦାନର ପ୍ରତିଦାନ" ।


Post a Comment

Post a Comment (0)

Previous Post Next Post
Free Shubhdristi App Download Now