ବର୍ଷାରାତି:ଅଳ୍ପ ସମୟର ସାଥି

ବର୍ଷାରାତି:ଅଳ୍ପ ସମୟର ସାଥି - ଶ୍ରୀମାନି ପ୍ରିୟଦର୍ଶିନୀ ଦାସ


     ସାଙ୍ଗ ଟା ମୋର ଜ୍ବରରେ କମ୍ପୁଛି ! ବିଚରା ର ହଠାତ୍ ଦେହ ଖରାପ ରେ ମୋ ଦେହ ବି କଣ ହୋଇ ଯାଉଛି, ଯେତେହେଲେ ବି ମୋ ପ୍ରିୟବନ୍ଧୁ ସେ । ସବୁ ସମୟରେ ସାହାଯ୍ୟ କରିଆସିଛି ! ହେଲେ ହଷ୍ଟେଲ ଠାରୁ ପାଞ୍ଚ କି.ମି ଭିତରେ ଥିବା ସବୁ ଔଷଧ ଦୋକାନ ଗୁଡ଼ିକ ବନ୍ଦ । ଏ ବର୍ଷା ବି ଛାଡ଼ିବାର ନା ଧରୁନି ! ହଁ, ଏ ବର୍ଷାରାତି ରେ କିଏ ବା କୋଉ ଦୋକାନ ଖୋଲିବ । ଭଗବାନ, ଔଷଧ ଦୋକାନ ଟିଏ ମିଳି ଯାଆନ୍ତା କି ? ସାଙ୍ଗ ପାଇଁ ଔଷଧ ଟିକିଏ ନେଇ ଯାଆନ୍ତି, ଟିକେ ଭଲ ହେଇ ଉଠି ବସନ୍ତା !
     ଓଦା ସରସର ହୋଇ ସହରର ରାଜ ରାସ୍ତା ରେ ଅଜୟ ତାର ବାଇକ୍ ଧରି ଖୋଜି ବୁଲୁଛି ଔଷଧ ଦୋକାନ ! ବର୍ଷା ର ବେଗ ତାର ବାଇକ୍ ର ବେଗକୁ କମାଇ ଦେଉଥାଏ । ହଷ୍ଟେଲ ଆଉ ଦୁଇ କି. ମି ଭିତରେ ଅଛି, ହେଲେ ଏ ବର୍ଷା ରେ ଯାଇ ହଉଛି ନା ରହି ହେଉଛି ! ଏ ବସ୍ ଷ୍ଟପ ରେ କିଛି ସମୟ ବର୍ଷା ଛାଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିନେଲେ ଭଲ ହେବ ! ଟିକେ ଆଗକୁ ଯାଇ ବସ୍ ଷ୍ଟପ ନିକଟରେ ବାଇକ୍ ରଖିଲା ଅଜୟ । ହାତରେ ମୁଁହ ରୁ ପାଣି ଗୁଡିକ ପୋଛୁ ପୋଛୁ ନଜର ପଡିଲା ପାଖରେ ବସିଥିବା ଝିଅ ଟି ଉପରେ । ଝିଅଟିର ମୁହଁଟି ତାର ଖୋଲା କେଶ ଭିତରେ ଲୁଚି ଯାଇଥିଲା ! ମନେ ମନେ ଭୟ ପାଇଗଲା ଅଜୟ । ଏ ବର୍ଷାରାତି ରେ କେହି କୁଆଡେ ନାହିଁ, ତଥାପି ଝିଅଟିଏ ? ବର୍ଷାରାତି ରେ ଏପରି ଭାବରେ ବସିଥିବା ଝିଅଟିକୁ ଦେଖିଲେ ଯେ କେହି ଡରିବେ ନିଶ୍ଚୟ ! ଡରି ଡରି ସେଇ ଝିଅଟି ବସିଥିବା ଜାଗାର ଟିକେ ଦୂରକୁ ବସିଲା । ଭୟରେ ଦେହ ହାତ ଥରୁଥାଏ ! କୌଣସି ଭୂତୁଣୀ ନୁହେଁ ତ !  କିଛି ସମୟ ପରେ ଝିଅଟି ତାର ନଇଁ ପଡ଼ିଥିବା କେଶଗୁଚ୍ଛ କୁ କ୍ଲିପ୍ ସାହାଯ୍ୟରେ ବାନ୍ଧି ଦେଲା ! ଅଜୟ ତ ଡରି ମରି ବସିଥାଏ ! ତାର ଏପରି ଅବସ୍ଥା ଦେଖି ଝିଅଟି ହସିବାକୁ ଲାଗିଲା । ଅଜୟ ଝିଅଟି ଆଡକୁ ଚାହିଁ ଦେଲା, ହସିବାର କାରଣ ପଚାରନ୍ତେ ଝିଅଟି କହି ଉଠିଲା -" ଭୟ କରନି !"
     ଅଜୟ ଝିଅଟିକୁ ପୁଣି ଥରେ ଚାହିଁ ଦେଲା । ଏତେ ସୁନ୍ଦର ଝିଅ ସେ କେବେ ଦେଖିଛି କି ନାହିଁ ସନ୍ଦେହ ! ଗୋରା ତକ ତକ ଚେହେରା, ନାଲି ନାଲି ସୁନ୍ଦର ଓଠ ଓ ହରିଣୀ ଭଳିଆ ଆଖିରେ କଜ୍ଜଳ ଗାର ଝିଅଟିର ମୁହଁର ଶୋଭା ବର୍ଦ୍ଧନ କରୁଥିଲା ! ଝିଅଟିକୁ ଦେଖିବା ମାତ୍ରେ କୌଣସି ପୁଅ ତାର ପ୍ରେମରେ ପଡ଼ିବା ଥୟ । ଅଜୟ ଝିଅଟି ଉପରୁ ନଜର ଉଠାଇ ଆଣିଲା, କାରଣ ସେ ଜାଣିଥିଲା କୌଣସି ଝିଅ କୁ ଏପରି ଚାହିଁବା ଠିକ୍ କଥା ନୁହେଁ !  ଅଜୟ କୁ ହଲେଇ ଦେଇ ଝିଅଟି ପଚାରିଲା -"ଆରେ କଣ ଭାବୁଛ ?" ଅଜୟ କଥା ଭୂଲେଇ କହିଲା -" ନା, ଭାବୁଥିଲି ଏ ବର୍ଷାରାତି ରେ ତୁମ ଭଳି ଝିଅ ପଦାକୁ ବାହାରିବା ଠିକ୍ ନୁହେଁ ! କଣ କିଛି ଅସୁବିଧା ହୋଇଗଲା କି ? ତୁମେ ବାହାରକୁ ବାହାରିବା ପାଇଁ ବାଧ୍ୟ ହେଲ ? ଝିଅଟି ସ୍ମିତ ହସି କହିଲା -" ହଁ, ଘରକୁ ଯିବାର ଥିଲା ଯେ ବସ୍ ଟା ମିସ୍ ହୋଇଯାଇଛି । ତେଣୁ ନିରୁପାୟ ହୋଇ ଏଠାରେ ବସି ରହିଛି ।"
-"ଓଃ,ତେବେ ଫେରିଯାଇଥାନ୍ତ ! ଏଠାରେ ବସି ରହିଲ କାହିଁକି ?"
-"ଏ ବର୍ଷା !"
-" ହଁ ସତ ତ ! ଭାଗ୍ୟ ଭଲ ସାଥି ଟିଏ ମିଳିଗଲା ଏ ବର୍ଷାରାତି ରେ ନହେଲେ ମୋତେ ସେତେବେଳୁ ଭୂତ ପିଶାଚ ଖାଇ ସାରନ୍ତେଣି ।"
-" ହାଃ ହାଃ ହାଃ "
    ଅଜୟ ଲକ୍ଷ୍ୟ କଲା ଝିଅଟି ବେକରେ ପକାଇଥିବା ଆଇ.ଡି କାର୍ଡ ଟି ତାଙ୍କ କଲେଜ୍ ର ଥିଲା । କୌତୁହଳ ବଶତଃ ଝିଅଟିକୁ ପଚାରିଲା
-" ତୁମେ ଆମ କଲେଜ୍ ର ଛାତ୍ରୀ ବୋଧ ହୁଏ, ଏ ଆଇ. ଡି କାର୍ଡ !"
-" ତୁମେ ଆର୍.ଏମ୍ ବିଶ୍ଵବିଦ୍ୟାଳୟ ର ଛାତ୍ର କି ?"
-" ହଁ"
-" ମୁଁ ମଧ୍ୟ ସେଠାରେ ପଢ଼ୁଥିଲି ! ଠିକ୍ ଦୁଇବର୍ଷ ଆଗରୁ ପଦାର୍ଥ ବିଜ୍ଞାନ ବିଭାଗରେ, ଏବେ ଶେଷ ବର୍ଷ ହୋଇ ଥାଆନ୍ତା ।"
-" ପଦାର୍ଥ ବିଜ୍ଞାନ ! ମୁଁ ମଧ୍ୟ ପଦାର୍ଥ ବିଜ୍ଞାନର ଛାତ୍ର । ହେଲେ ପଢୁଥିଲ କଣ ? ଏବେ ଆଉ ପଢୁନ କି?"
-" ଅସୁବିଧା ଟିଏ ହୋଇଯାଇଛି ସତ ! ସେ କଲେଜ୍ ର ଗୋଟେ ପୁଅ କୁ ମୁଁ କେବେ ଭୁଲି ପାରିବି ନାହିଁ ! ତା ସହ ଦେଖା ହେବା ପାଇଁ ନିତି ଆଇ.ଡି କାର୍ଡ ପକାଇ ଥାଏ, ହେଲେ ଭାଗ୍ୟର ବିଡମ୍ବନା କେବେ ଦେଖା ହୋଇପାରିନଥିଲା ! ହେଲେ ଏବେ ମୁଁ ବହୁତ୍ ଖୁସି । ହାଃ ହାଃ ! "
-" ତୁମେ ପ୍ରକୃତ ରେ ପୁଅ ପ୍ରେମ ନୁହେଁ କଲେଜ୍ ପ୍ରେମରେ ପଡ଼ିଯାଇଥିଲ ! ନହେଲେ କିଏ ବା କାହିଁକି କଲେଜ୍ ନ ଆସି ବେକରେ ଆଇ. ଡି କାର୍ଡ ପକାଇ ବୁଲି ବୁଲି ପାଗଳାମି କରିବ ?"
-" ପାଗଳାମି ! ହଁ ପାଗଳାମି ସେଇ ପୁଅ ପାଇଁ ଥିଲା, ଦୁଃଖ ର କଥା ଆମର ଏ ଜନ୍ମରେ ମିଳନ ସମ୍ଭବ ନୁହେଁ ।"
-" ଆଚ୍ଛା ! ତୁମର ପଦାର୍ଥ ବିଜ୍ଞାନ ବିଭାଗ, ରଜିତ୍ ସାର୍ ଙ୍କୁ ଜାଣିଥିବ ?"
ଝିଅଟି ଅଜୟକୁ କ୍ରୋଧ ମିଶା ଚକ୍ଷୁ ରେ ଚାହିଁ ବାରୁ ଅଜୟ ପୁଣି ଭୟ ପାଇଗଲା । ଝିଅଟି ଅଳ୍ପ ହସି କହିଲା -" ହଁ ତାଙ୍କୁ କିଏ ବା ନ ଜାଣେ ! "
-" ତୁମେ ଠିକ୍ କହିଲ । ସେ ମୋର ପ୍ରିୟ ସାର୍ !"
-" ହେଇପାରେ ତୁମ ପାଇଁ ପ୍ରିୟ ଶିକ୍ଷକ ହେଲେ ତାଙ୍କ କଳା କାରନାମା ତୁମେ ଜାଣି ନଥିବ ।"
-" କଣ କହୁଛ ତୁମେ ?"
-" ଛାଡ଼ ସମୟ ଆସିଲେ ଆପେ ଜାଣିବ । ତୁମ ନାମ କଣ କହିଲନି ତ ?"
-" ଅଜୟ ଆଉ ତୁମର ?"
-"ବନ୍ଦନା"
- "ବନ୍ଦନା ! ଅଜୟ ଭାବୁଥିଲା ରଜିତ୍ ସାର୍ ଙ୍କ ସହ ବନ୍ଦନା ସହ ସମ୍ପର୍କ ଥିଲା ବୋଲି କଲେଜ୍ ସାରା ଏଇଟା ଚର୍ଚ୍ଚା ର ବିଷୟ ଥିଲା, ଏ ସେଇ ବନ୍ଦନା ନୁହନ୍ତି ତ ? କେଡେ ମୁର୍ଖ ପିଲାଟା ମୁଁ ! ଏମିତି କେତେ ବନ୍ଦନା ନାମରେ ଛାତ୍ରୀ ଆସିବେ ଯିବେ, ମୁଁ ବେକାର ଟାରେ ଏ ଝିଅ କୁ ନେଇ ଭାବୁଛି ।"
- " ଅଜୟ କଣ ଭାବୁଛ ?"
- " ନା, ଭାବୁଥିଲି ତୁମେ ଆଗକୁ ଯିବ ନା ଏମିତି ଏଠାରେ ବସି ରହିବ ? ଏ ବର୍ଷା ଛାଡ଼ିବା ଅପେକ୍ଷା ବଢ଼ି ଚାଲିଛି । ହେଲେ ବନ୍ଦନା ତୁମ ଘର କେଉଁଠି ?"
- " ରୀତି ପୁର"
- " ତୁମେ ଏ ସହରରେ କେବେଠୁ ରହିଲଣି ?"
- " ଦୁଇ ବର୍ଷ ଆଗରୁ ବାପା ଉଚ୍ଚ ଶିକ୍ଷା ନିମନ୍ତେ ଆର୍.ଏମ୍ ବିଶ୍ଵ ବିଦ୍ୟାଳୟରେ ରେ ମୋର ଆଡ଼ମିଶନ କରେଇ ଦେଇଥିଲେ ! ସେବେଠୁ ହଷ୍ଟେଲ ରେ ରହି ଆସୁଛି । ଆଉ ତୁମେ ?"
- " ମୁଁ ମଧ୍ୟ , ଦୁଇ ବର୍ଷ ଆଗରୁ ମାନେ ତୁମେ ମୋ ସହପାଠୀ ହୋଇଥିବ ନିଶ୍ଚୟ ! ମୁଁ କୌଣସି ଝିଅଙ୍କୁ ମୁହଁ ଉଠାଇ ଦେଖେନି ତ ସେଥିପାଇଁ ତୁମେ ମୋ ସହପାଠୀ ବୋଲି ଜାଣି ପାରିନାହିଁ ।"
- " ହାଃ ହାଃ, ତୁମେ ଏତେ ଲାଜକୁରା ଟିଏ !"
ଠିକ୍ ସେତିକି ବେଳେ ଅଜୟ ସାଙ୍ଗ ର ଫୋନ୍ ଆସିଲା । ସେପଟରୁ ଅଜୟ ର ସାଙ୍ଗ କହୁ ଥିଲା
-" ଆରେ ସାଙ୍ଗ ତୁ କେତେବଳେ ବାହାରକୁ ଗଲୁ ? ମୋତେ ଜଣାଇ ଥିଲେ କଣ ଅସୁବିଧା ହେଲା ? ମୋ ଜ୍ୱର ଭଲ ହୋଇ ଗଲାଣି, ତୁ ଜଲଦି ହଷ୍ଟେଲ ଫେରି ଆସିଲୁ ନହେଲେ ହଷ୍ଟେଲ ଅଧ୍ୟକ୍ଷ ଜାଣିଲେ କଣ ଅବସ୍ଥା ହେବ ଜାଣି ପାରୁଛୁ ତ ?"
-"ତୁ ଜମା ବ୍ୟସ୍ତ ହ ନା ବୁଝିଲୁ , ଏ ବର୍ଷା ଟିକେ ଛାଡ଼ୁ ମୁଁ ନିଶ୍ଚୟ ପହଞ୍ଚି ଯିବି।"
-" ଠିକ୍ ଅଛି ହେଲେ ରଜିତ୍ ସାର୍ ଆମ ରୁମ୍ ର ସବୁ ପିଲା ଙ୍କ ନିକଟକୁ ଫୋନ୍ କରିଥିଲେ ବର୍ଷା ଯୋଗୁଁ କେହି ଆଉ ଜାଣି ପାରିନୁ କାରଣ ଫୋନ ସୁଇଚ୍ ଅଫ୍ ଥିଲା, ତୋ ପାଖକୁ କରିଥିଲେ କି ?"
-" ଆରେ ହଁ ! କଣ ହେଲାକି ସାର୍ ଙ୍କ କାଲି କ୍ଲାସ୍ ପରୀକ୍ଷା କରିବେ ନାହିଁ ତ ?"
-" ସେମିତି ହେଲେ ଆମେ ତ ମଲୁ" ।
-" ହାଃ ହାଃ, ହେଉ ତୁ ଶୋଇପଡ଼ । ମୁଁ ସାର୍ ଙ୍କୁ ଫୋନ୍ କରୁଛି ।"
ଅଜୟ ବହୁଥର ରଜିତ୍ ସାର୍ ଙ୍କୁ ଫୋନ୍ ଲଗାଇବା ପରେ ତାଙ୍କ ଫୋନ୍ ରୁ ସେଇ ଗୋଟିଏ ଉତ୍ତର ଆସୁଥିଲା ' ସୁଇଚ ଅଫ୍ ସୁଇଚ ଅଫ୍ ସୁଇଚ ଅଫ୍ ' ଦୁଇ ଘଣ୍ଟା ଆଗରୁ ଫୋନ କରିଥିବା ରଜିତ୍ ସାର୍ ଙ୍କୁ ଫୋନ ରୁ ଏଇ ଉତ୍ତର ଶୁଣି ଚିନ୍ତା ରେ ବୁଡି ଗଲା ଅଜୟ । କଣ ହେଲା ? ସାର୍ ଙ୍କ କିଛି ଅସୁବିଧା ହୋଇନି ତ ?"
-" ଅଜୟ"
-" ହଁ ବନ୍ଦନା "
-" କଣ ହେଲା ? କିଛି ଗୋଟେ ଚିନ୍ତା କରୁଛ ଯେ ?"
-" ନାହିଁ ରଜିତ୍ ସାର୍...!
-" କ୍ରୋଧ ମିଶା କଣ୍ଠରେ ବନ୍ଦନା କହିଲେ -" ଓଃ, ଏତେ ଚିନ୍ତା କରନି ଅଜୟ ! ଯେ ଯେମିତି କରିଛି ସେ ସେମିତି ପାଇଛି ।"
-" ବନ୍ଦନା ! କଣ କହୁଛ ତୁମେ ?"
-" ଭଦ୍ର ମୁଖା ବ୍ୟକ୍ତି ମାନଙ୍କ ଭିତରେ ଗୋଟେ ନର ରାକ୍ଷସ ଲୁଚି ରହିଥାଏ ଅଜୟ ! ସେଥି ମଧ୍ୟରୁ ତୁମ ରଜିତ୍ ସାର୍ ଜଣେ !"
ଆଶ୍ଚର୍ଯ୍ୟ ହୋଇ ବନ୍ଦନା କୁ ଚାହିଁ ରହିଲା ଅଜୟ ।

      ଶୁଣିବ ଶୁଣିବ ଅଜୟ ! ରୀତି ପୁର ଗାଁ ର ଝିଅ ମୁଁ ! ଗାଁ ର ଅବସ୍ଥା ଏତେ ଭଲ ନୁହେଁ । ଗାଁ ର କୌଣସି ଲୋକ ଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଭଲ ନୁହେଁ, ମୋ ବାପା ସେଇ ଲୋକ ମାନଙ୍କ ଭିତରୁ ଜଣେ । ତଥାପି ମୋ ପଢ଼ାପଢ଼ି ରେ କୌଣସି ଊଣା କରିନଥିଲେ । ତାଙ୍କରି ପ୍ରେରଣା ରୁ ସ୍କୁଲ୍ ସମୟରୁ ମୋଧବି ଛାତ୍ରୀ ଥିଲି । ପାଠ କୁ ହିଁ ମୋ ଜୀବନ ବୋଲି ଆଦରି ନେଇ ଥିଲି, ଲକ୍ଷ୍ୟ ଥିଲା ପିତାଙ୍କ ମୁଣ୍ଡରୁ ଦୁଃଖ ର ବୋଝ ଟି ହଟାଇ ଦେବାକୁ ହେଲେ ପୁଣି ଥର ବାପା ଦୁଃଖ ରେ ରହି ଗଲେ କଣ୍ଠ ବାଷ୍ପ ରୁଦ୍ଧ ହୋଇ ଆସୁଥାଏ ବନ୍ଦନା ର ପୁଣି କହି ଚଳିଲା, ଛାତିରେ ଛାତିଏ କୋହ ରଖି ଆଖିରେ ଆଖିଏ ଲୁହ ରଖି ଏଇ କଲେଜ୍ ରେ ମୋର ପଢ଼ିବା ପାଇଁ  ମୋତେ ଏଇ ସହର ରେ ଏକେଲା ଛାଡ଼ି ଚାଲି ଯାଇଥିଲେ । ଘରେ ମାଆ ଓ ସାନ ଭାଇ । ସାନ ଭାଇ ର ସୁନ୍ଦର୍ ଭବିଷ୍ୟତ ପାଇଁ ମୁଁ ଏଇ କଲେଜ୍ ରେ ପଢି ଭଲ ଚାକିରୀ ନିମନ୍ତେ ଚେଷ୍ଟା କରୁଥିଲି । ହେଲେ ମୋର ସେଇ ଖୁସି ରେ ଗ୍ରହଣ ଲାଗିଗଲା । କଲେଜ୍ ପ୍ରଥମ ଦିନ ଆସୁ ଆସୁ ତୁମ ସହ କ୍ଲାସ୍ ରୁମ୍ ସାମ୍ନା ରେ ଅଜାଣତରେ ଧକ୍କା ହୋଇଗଲା । ଲାଜ କୁରା ସ୍ଵଭାବ ତୁମର ! ଥରୁ ଟିଏ ନ ଚାହିଁ ଚାଲି ଗଲ । ପାଠ କୁ ଭଲ ପାଉଥିବା ଝିଅ ଟି ବି ତାର ସହପାଠୀ ପ୍ରେମ ରେ ପଡ଼ିଯିବ, ତାହା ମୋ ଭାବନା ର ବାହାରେ ଥିଲା । ମୁଁ ଜାଣିନି ମୁଁ ତୁମ ପ୍ରତି କାହିଁକି ଆକର୍ଷିତ ହେଲି ! ତୁମ ସରଳତା, ନିରୀହ ପଣ ମୋତେ ତୁମ ନିକଟକୁ ଟାଣି ନେଇଥିଲା । ମୋତେ ନୁହେଁ, ଶ୍ରେଣୀର ଅନେକ ଛାତ୍ରୀ ଙ୍କୁ ମଧ୍ୟ ! ଇର୍ଷାରେ ଜଳୁଥିଲି ମୁଁ, ହେଲେ ଏସବୁ ତୁମେ ଜାଣିବା ଆଗରୁ ସବୁ ସରିଗଲା । ସେଦିନ ପ୍ରଥମ ଦିନ ଥିବାରୁ ରଜିତ୍ ସାର୍ କ୍ଲାସ୍ କରିବାକୁ ଆସନ୍ତି, ସମସ୍ତଙ୍କୁ ନିଜ ପରିଚୟ ପଚାରନ୍ତି । ହେଲେ ମୁଁ କଣ ତୁମ ମାନଙ୍କ ଠାରୁ ଭିନ୍ନ ଥିଲି ଅଜୟ ? ମୋତେ ରଜିତ୍ ସାର୍ ଏପରି ଚାହିଁ ରହିଲେ ଯାହା ମୋ ପକ୍ଷେ କହିବା ସମ୍ଭବ ନୁହେଁ । ସେବେଠାରୁ ଯେତେବଳେ କ୍ଲାସ୍ କରିବାକୁ ଆସନ୍ତି, ମୁଁ ତଳକୁ ମଥା ପୋତି ବସିଥିଲି । ସେ ମୋ ଚୁପ୍ ରହିବାର ସୁଯୋଗ ନେଇ ମୋ ନିକଟକୁ ଆସି କାନ୍ଧ ଉପରେ ହାତ ରଖୁଥିଲେ ‌ତ କେତେବେଳେ ଗାଲ ଆଉଁସି ଦେଇ ଚାଲି ଯାଉଥିଲେ ! ୟେ କଣ ଥିଲା ଅଜୟ ? ପାଠ ବତାଇବା ବାହାନା ରେ ମୋତେ ଓ କେତେଜଣ ବନ୍ଧୁ ଙ୍କୁ ତାଙ୍କ ଅଫିସ ରୁମ୍ କୁ ଡାକି ନେଇଥିଲେ, କୌଣସି ବାହାନା କରି ସମସ୍ତଙ୍କୁ ବାହାରକୁ ଯିବା ପାଇଁ କହିଥିଲେ । ଠିକ୍ ସେତିକି ବେଳେ ଆରମ୍ଭ ହେଲା ତାଙ୍କ ଅସଲି ମୁଖା, ଦୁଷ୍କୁର୍ମ ଉଦ୍ୟମ କରିବାରୁ ଚିତ୍କାର କରିଥିଲି ମୁଁ । ସବୁ ପିଲା ଚାଲି ଆସି ଆମ ଦୁହିଁକୁ ଦେଖି ନେଇ ଭାବିଲେ ଆମ ଭିତରେ କୌଣସି ସମ୍ପର୍କ ଅଛି । ଯାହା କଲେଜ୍ ସାରା ଚର୍ଚ୍ଚା ର ବିଷୟ ଥିଲା । ଇଚ୍ଛା ହୁଏ ସାର୍ ଙ୍କ ଗାଲରେ ଶକ୍ତ ଚାପୁଡା ଟିଏ ବସାଇବା ପାଇଁ, କିଛି ବି ସମ୍ଭବ ହେଲାନି କାରଣ ଝିଅଟିଏ ମୁଁ ! ସାର୍ ଙ୍କୁ ନାମରେ କିଛି କହିଥିଲେ ହୁଏ ତ ମୋତେ ସମସ୍ତେ ଉପହାସ କରି ଥାନ୍ତେ ! ଘରେ ମଧ୍ୟ ଜଣାଇ ନଥିଲି କାରଣ ବାପା ପଢ଼ାପଢ଼ି ବନ୍ଦ କରି ଦେଇ ଥାନ୍ତେ, ଭବିଷ୍ୟତ ପାଇଁ ଦେଖିଥିବା ସ୍ବପ୍ନ ଗୁଡ଼ିକ ପୁରା ହୋଇ ନଥାନ୍ତା । ଠିକ୍ ଆଜିକୁ ଦୁଇ ବର୍ଷ ତଳେ ଏଇ ଭଳି ବର୍ଷାରାତି ରେ କାହାକୁ ନ ଜଣାଇ ଘରକୁ ଚାଲି ଆସିବାକୁ ବାଧ୍ୟ ହେଲି, ହେଲେ ଆଜି ଭଳି ସେଦିନ ବସ୍ ଟି ମିସ୍ ମଧ୍ୟ କରିଦେଇଥିଲି । ଉପୟାହିନ ହୋଇ ହଷ୍ଟେଲ କୁ ଫେରି ଯାଉଥାଏ । ଠିକ୍ ସେତିକି ବେଳେ ରଜିତ୍ ସାର୍ ତାଙ୍କ କାର୍ ଅଟକାଇ ମୋ ଆଗରେ ଠିଆ ହେଲେ, ଅତି ନିକଟରୁ ତାଙ୍କୁ ଦେଖି ଭୟ ପାଇଗଲି ଆଉ ତା ପରେ.....
     ଏତିକି ବେଳେ ବର୍ଷା ର ବେଗ କମି ଯାଇଥିଲା । ଅଜୟ ତାର ହାତ ଘଣ୍ଟା କୁ ଅନାଇ ଦେଖିଲା ସମୟ ରାତି ସାଢ଼େ ଦୁଇ । ଓଃ, ବନ୍ଦନା ଆମେ ସେତେବେଳୁ କଥା ହେଉଛୁ ଯେ ବର୍ଷା କେତେବେଳୁ ଛାଡ଼ିଲା ସେକଥା ଆମକୁ ଅଜଣା ! ବାକି ତକ କଥା କାଲି ମୋତେ ଫୋନ ରେ କହିଦେବ, ଆଉ ରାଜିତ ସାର୍ ଙ୍କୁ ମୁଁ ଏକଥା କାଲି ନିଶ୍ଚୟ ପଚାରିବି କାରଣ ମୋତେ ଲାଗୁଛି ତୁମକୁ ସେ କ୍ଷମା ମାଗିନେବେ । ଏଇ ନମ୍ୱର୍ ଟି ରଖ ନିଅ ମୋ ଫୋନ ରେ ତୁମ ନମ୍ୱର୍ ଟି ସେଭ କରିଦିଅ । ବନ୍ଦନା ନମ୍ୱର୍ ଟି ସେଭ୍ କରିସାରିବା ପରେ ଅଜୟ କହିଲା, ଆଉ ହଁ ରହିଲା ତୁମ ଭଲ ପାଇବା ! ଶୁଣ ବନ୍ଦନା ତୁମେ ପ୍ରଥମରୁ କହିଛ ତୁମ ଭାଇ ଓ ଘର ପାଇଁ କିଛି ବି କରିବାର ଅଛି । ତେବେ ମୋ କଥା ରଖ ମୋ ଦ୍ଵାରା ସେ ଭଲ ପାଇବା ହୋଇପାରିବ ନାହିଁ ତଥାପି ଆମେ ଭଲ ସାଥି ହୋଇ ପରିବା । କଣ ତୁମେ ମୋ କଥାରେ ଏକମତ ତ ? କାଲି ଠାରୁ ନିୟମିତ କଲେଜ୍ ଆସ ! ଆସ ବାଇକ୍ ପଛରେ ବସ ମୁଁ ତୁମକୁ ହଷ୍ଟେଲ ରେ ଛାଡ଼ିଦେବି । ଅଜିତ ଓ ବନ୍ଦନା ବାଇକ୍ ରେ ବସି ଯାଉଥିବା ବେଳେ ବନ୍ଦନା ଏକ ପରିତ୍ୟକ୍ତ ଘର ନିକଟରେ ଗାଡ଼ି ରଖିବା ପାଇଁ କହିଲା । "କଣ ହେଲା ଏଠାରେ କଣ କରିବ ଗାର୍ଲ୍ ହଷ୍ଟେଲ ପାଖରେ ଛାଡ଼ିଦେବି ଆସ ।"
-" ନା ମୁଁ ଆପେ ଯାଇ ପାରିବି ! ତୁମେ ଯାଇପର ।"
-" ଆରେ ସେମିତି ମୋ ପକ୍ଷେ ଠିକ୍ ହେବନି ।"
-" କହିଲି ପରା ! ତୁମେ ଚାଲି ଯାଅ ଏଠୁ ।"
-" ଠିକ୍ ଅଛି, ଯାହା ତୁମର ଇଚ୍ଛା ।"
   ବନ୍ଦନା କୁ ଛାଡ଼ି ଦେଇ ଅଜୟ ହଷ୍ଟେଲ କୁ ଆସି ତା ସାଙ୍ଗ ଦେହର ତାପମାତ୍ରା ମାପି ଗଭୀର ନିଦ୍ରା ରେ ଶୋଇପଡେ । ସକାଳ ନଅରୁ ଉଠୁ ଉଠୁ ତାର ସାଙ୍ଗ ମାନେ କହି ଉଠିଲେ " ଜାଣିଛୁ ଅଜୟ କି କାଣ୍ଡ ହୋଇ ଯାଇଛି "।
-"କଣ"
-" ରଜିତ ସାର୍ ଙ୍କ ସନ୍ଦେହଜନକ ମୃତ୍ୟୁ । କିଏ ମାରିଛି କି କେମିତି ମଲେ କେହି କହି ପାରୁ ନାହାନ୍ତି ।"
-" କଣ, କେତେବେଳେ ଏସବୁ ?"
-" ହଁ ଦେଖୁନୁ ନ୍ୟୁଜ୍ ସବୁ, ଗତ କାଲି ରାତି ରେ କେଉଁ ସ୍ଥାନକୁ ଯାଉଥିଲେ ଏକ ବସ୍ ଷ୍ଟପ୍ ର ଟିକେ ଆଗକୁ ଥିବା ପରିତ୍ୟକ୍ତ ଘରୁ ତାଙ୍କ ଶବ ଉଦ୍ଧାର ହେଇଛି ।"
   ନ୍ୟୁଜ ରେ ରିପୋର୍ଟର ଜଣକ କହୁଥିଲେ -" ଆର୍.ଏମ୍ ବିଶ୍ଵ ବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ର ଅଧ୍ୟାପକ ତାଙ୍କ ବିଭାଗର ବିଭିନ୍ନ ଛାତ୍ରୀ ଙ୍କୁ ମାରି ଏହି ପରିତ୍ୟକ୍ତ ଘରେ ଜାଳି ଦେଇଛନ୍ତି ! ସେଥି ମଧ୍ୟରୁ ଜଣକ ହାଡ଼ କଙ୍କାଳ ଉଦ୍ଧାର ହୋଇଛି । କଙ୍କାଳ ଟି ଦୁଇ ବର୍ଷ ତଳର ବୋଲି ଅନୁମାନ କରା ଯାଉଛି ।" ମୃତ୍ୟୁ ବରଣ କରିଥିବା ଝିଅ ମାନଙ୍କ ପରିବାର ଲୋକ କାନ୍ଦି କାନ୍ଦି ତାଙ୍କ ଝିଅ ମାନଙ୍କ ବିଷୟରେ କହୁଥିଲେ । ଗୋଟିଏ ପରିବାର ଓ ଫଟୋ ଟିଏ ଦେଖି ଅଜୟ ଚମକି ପଡ଼ିଲା । ଝିଅଟିର ଫଟୋ ତଳେ ଲେଖା ହୋଇଥିଲା "ବନ୍ଦନା ରାଉତ ରାୟ" । ଝିଅଟିର ମୁହଁ ଅବିକଳ ସେଇ ବନ୍ଦନା ପରି ଥିଲା ଯାହାକୁ ସେ ଗତକାଲି ବର୍ଷା ରାତି ରେ ଭେଟି ଥିଲା । ବନ୍ଦନା ର ବାପା କହୁଥିଲେ -" ଗୋଟିଏ ବୋଲି ଖୁସି ଥିଲା ଆମର, ସେ ଯିବା ପରଠୁ ଖୁସି ହଜି ଯାଇଛି । ଚାକିରି ଖଣ୍ଡେ କରିଥିଲେ ଏ ପରିବାର ଚଲେଇ ଥାଆନ୍ତା । ହେଲେ କଲେଜ୍ ଆଡ଼ମିଶନ କରିବାର ତିନି ମାସ ଭିତରେ ତାର ମୃତ୍ୟୁ ଖବର ଶୁଣି ଆମର ବିଶ୍ୱାସ ହେଉ ନଥିଲା । ହତ୍ୟାକାରୀ କିଏ ଜାଣିପାରିଲି ନାହିଁ, ଆଜି ଯେ ହତ୍ୟାକାରୀ ନିଜ ମୃତ ଦେହ ସହ ମିଳିଛି ମୋ ଝିଅ ସହ ଅକାରଣ ରେ ଜୀବନ ଯାଇଥିବା ଝିଅଙ୍କୁ ଠିକ୍ ନ୍ୟାୟ ମିଳିଛି ।" ସାନ ଭାଇ ଟି ତାର ଥର ଥର କଣ୍ଠ ରେ କହୁଥାଏ -" ଦିଦି ବଞ୍ଚି ଥିଲେ, ଆମର ଆଉ କୌଣସି ଅଭାବ ରହି ନଥାନ୍ତା । ଆମେ କଣ ତାକୁ ଏଠାରେ ପଢ଼ାଇ ଥିଲୁ ତାର ମଲା ମୁହଁ ଦେଖିବା ପାଇଁ !"
     ଅଜୟର ଆଖିରୁ ଦୁଇ ଟୋପା ଲୁହ ଗଡ଼ି ଆସିବା ଆଗରୁ କେହି ଜଣେ ତାକୁ ପୋଛି ନେଲା ! ତାହାଲେ କାଲି ବର୍ଷାରାତି ରେ ଯିଏ ମୋ ସହ ଥିଲା ସେ କଣ ଅଶରିରୀ ବନ୍ଦନା ? ବନ୍ଦନା କାଲି ଦେଇଥିବା ନମ୍ୱର୍ କୁ ଫୋନ୍ କଲା ଅଜୟ । ସେପଟରୁ ଉତ୍ତର ଆସିଲା " ଯାଞ୍ଚ କରନ୍ତୁ ଏ ନମ୍ୱର୍ ର ଅସ୍ତିତ୍ବ ନାହିଁ" ! ଠିକ୍ ସେତିକି ବେଳେ ତା ଆଗରେ ବନ୍ଦନା ବିଜୟ ହସ ଟିଏ ହସି ଆକାଶ ରେ ମିଶି ଗଲା, ଯେମିତି ସେ ରଜିତ୍ ସାର୍ ଙ୍କୁ ମାରି ପ୍ରତିଶୋଧ ନେଇ ବହୁତ୍ ଖୁସି ହେଉଥିଲା । ଅଜୟ ପାଟିରୁ ପଦ ଟିଏ ବାହାରି ଆସିଲା -" ବିଦାୟ, ସେଇ ବର୍ଷାରାତି ର ମୋ ଅଳ୍ପ ସମୟର ସାଥି !"


   

Post a Comment

0 Comments

Hindi Ads