କରୋନା ମହାମାରୀରେ କୂଟନୈତିକ ଯୁଦ୍ଧ

କରୋନା ମହାମାରୀରେ କୂଟନୈତିକ ଯୁଦ୍ଧ - ନିଗମ କୁମାର ବେହେରା


         କରୋନାକୁ ନେଇ ଆମେରିକା ଓ ଚୀନ ମଧ୍ଯର କୂଟନୈତିକ ବିତର୍କକୁ ଦୁନିଆ ଦେଖୁଛି । କରୋନା ଆମେରିକାରେ ତାଣ୍ଡବ ଆରମ୍ଭ କରିବା ପରେ ଆମେରିକା କରୋନାକୁ ଚୀନ ପ୍ରସ୍ତୁତ ଭାଇରସ୍ କହିବାକୁ ପଛାଇ ନଥିଲା । କେବଳ ଏତିକି ନୁହେଁ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରତି ଆରୋପ ଲଗାଇଲେ କି ଏହା ଚୀନ ଦ୍ୱାରା ପରିଚାଳିତ ଏବଂ ଚୀନକୁ ବିଶ୍ୱଶକ୍ତି ହେବାରେ ସାହାଯ୍ଯ କରୁଛି । ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ପ୍ରାୟ ୪୦୦ ମିଲିୟନ ଡ଼ଲାରର ଆର୍ଥିକ ସହାୟତା ବନ୍ଦ କରିଦେଲା । କେବଳ ଆମେରିକା ଓ ଚୀନ ମଧ୍ଯରେ କରୋନାକୁ ନେଇ କୂଟନୈତିକ ଦୂରାବସ୍ଥା ନାହିଁ ବରଂ ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ୟୁରୋପୀୟ ଦେଶଗୁଡ଼ିକର ଏକତା ଉପରେ ମଧ୍ଯ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

         ଇଟାଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ବୃଦ୍ଧି ପାଇଲା, ଇଟାଲୀ ନିଜର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ଡ଼ାକ୍ତରୀ ଉପକରଣ ସହାୟତା ଲୋଡ଼ିଲା । କିନ୍ତୁ ଇଟାଲୀର ଦୁଇ ପଡ଼ୋଶୀ ଫ୍ରାନ୍ସ ଓ ଜର୍ମାନୀ ଡ଼ାକ୍ତରୀ ଉପକରଣ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଲେ । କରୋନା ଆକ୍ରାନ୍ତ ଦେଶଗୁଡ଼ିକର ସହାୟତା ପାଇଁ ଚାନ୍ଦା ଆଦାୟ ପ୍ରସ୍ତାବକୁ କିନ୍ତୁ ଏହାକୁ ଜର୍ମାନୀ ତୀବ୍ର ବିରୋଧ କରିଥିଲା । କେବଳ ଜର୍ମାନୀ ନୁହଁ ନେଦରଲ୍ଯାଣ୍ଡ, ଅଷ୍ଟ୍ରିଆ ଓ ଫିନଲ୍ଯାଣ୍ଡ ଆଦି କେତକ ୟୁରୋପୀୟ ଦେଶ ଏହାକୁ ବିରୋଧ କରିଥିଲେ । କିନ୍ତୁ ସ୍ପେନ୍, ୟୁନାନ୍, ଫ୍ରାନ୍ସ, ବେଲଜିୟମ୍, ଆୟର୍ଲ୍ଯାଣ୍ଡ ଓ ପୁର୍ତ୍ତୁଗାଲ୍ ଆଦି ଦେଶ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ।

          ସ୍ପେନ୍ କରୋନା ମହାମାରୀରେ ବ୍ଯାପକ ଶୀକାର ହୋଇଥିବା ଦେଶଗୁଡ଼ିକ ମଧ୍ଯରୁ ଅନ୍ଯତମ । ସ୍ପେନକୁ ମଧ୍ଯ ଡ଼ାକ୍ତରୀ ଉପକରଣର ଅତ୍ଯନ୍ତ ଆବଶ୍ଯକତା ରହିଥିବା ବେଳେ କରୋନା ହଟସ୍ପଟ ଅଞ୍ଚଳଗୁଡ଼ିକରେ ଏହାର ଆବଶ୍ଯକତା ଅତ୍ଯନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ସ୍ପେନ ପାଇଁ ବାଧକ ସାଜିଛି ତୁର୍କୀ ମଧ୍ଯରେ ଏହାର ତିକ୍ତତା । ସ୍ପେନ ବୃହତ ହେଲଥ ଟ୍ରଷ୍ଟ ଦ୍ୱାରା କିଣାଯାଇଥିବା ଭେଣ୍ଟିଲେଟରଭରା ଉଡ଼ାଜାହାଜଗୁଡ଼ିକୁ ତୁର୍କୀ ସରକାର ନିଜର ଆୟତ୍ତକୁ ନେଇଯାଇଥିଲେ । ସ୍ପେନ ଗଣମାଧ୍ଯମ ତୁର୍କୀର ଏହି ଘୃଣ୍ଯ କାର୍ଯ୍ଯକୁ ଚୋରିର ଆଖ୍ଯା ଦେଇଥିବା ବେଳେ ପ୍ରାୟ ଏକ ସପ୍ତାହର ପ୍ରଚେଷ୍ଟା ପରେ ସ୍ପେନ ନିଜର ଭେଣ୍ଟିଲେଟରଭରା ଉଡ଼ାଜାହାଜଗୁଡ଼ିକୁ ତୁର୍କୀ ହାତରୁ ମୁକୁଳାଇବାରେ ସମର୍ଥ ହୋଇଥିଲା । କିନ୍ତୁ ଏହି ଘଟଣା କରୋନା ଯୋଗୁଁ ସୃଷ୍ଟି ହେଉଥିବା କୂଟନୈତିକ ଯୁଦ୍ଧର ମୂକସାକ୍ଷୀ ।

          ନିଜ ସୀମା ମଧ୍ଯରେ କରୋନାକୁ ଆୟତ୍ତ କରିବା ପରେ ଚୀନ ଅନ୍ଯ କରୋନା ଆକ୍ରାନ୍ତ ଦେଶଗୁଡ଼ିକୁ ସହାୟତାର ହାତ ବଢାଉଛି । ଚୀନ ଇଟାଲୀକୁ କରୋନା ଲଢେଇରେ ଉପଯୋଗୀ ମାସ୍କ ଓ ଟେଷ୍ଟିଂ କିଟ୍ ଯୋଗାଇବା ସହ ମହାମାରୀ ମୁକାବିଲା ପାଇଁ ନିଜର ଏକ ଡ଼ାକ୍ତରୀ ଦଳକୁ ସେଠାକୁ ପଠାଇଛି । ଏହି ଡ଼ାକ୍ତରୀ ଦଳକୁ ଇଟାଲୀରେ ହିରୋ ଭଲି ଦେଖାଯାଉଛି ଏବଂ ଇଟାଲୀର ସୋସିଆଲ୍ ମିଡ଼ିଆରେ ବହୁତ ଦିନ ହେଲା "ଧନ୍ଯବାଦ ଚୀନ" ନାମରେ ଟ୍ରେଣ୍ଡିଂ ଦେଖିବାକୁ ମିଳୁଛି । ବିଶେଷଜ୍ଞଙ୍କ ମତରେ ଏହି ମହାମାରୀରେ ଚୀନ ଏଭଳି ସହାୟତା ମାଧ୍ଯମରେ ବିଭିନ୍ନ ଦେଶ ସହ କୂଟନୈତିକ ସମ୍ପର୍କ ସୃଷ୍ଟି କରି ନିଜକୁ ବିଶ୍ୱ ମହାଶକ୍ତି ରୂପେ ଅଭିସିକ୍ତ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ।

          ଡ଼ୋନାଲ୍ଡ ଟ୍ରମ୍ପ ୨୦୧୬ରେ ଆମେରିକା ଶାସନ ସମ୍ଭାଳିବା ଦିନରୁ "ଆମେରିକା ପ୍ରଥମ" ନୀତିକୁ ଆପଣାଇଛନ୍ତି । କେବଳ ଚୀନ ନୁହେଁ ବରଂ ଅନେକ ମିତ୍ରରାଷ୍ଟ୍ର ଓ ଶତ୍ରୁରାଷ୍ଟ୍ର ପ୍ରତି ଆମେରିକାର ଆଭିମୁଖ୍ଯ ସ୍ପଷ୍ଟ ନୁହେଁ । ନିକଟରେ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଭାରତକୁ ମଧ୍ଯ ଚେତାବନୀ ଦେଇଥିଲେ, ଯଦି ଭାରତ ହାଇଡ଼୍ରୋକ୍ସି କ୍ଲୋରୋକ୍ୱିନ୍ ରପ୍ତାନୀ ପ୍ରତିବନ୍ଧକ ନହଟାଏ ତେବେ ଏହାର ପରିଣାମ ଭାରତକୁ ଭୋଗିବାକୁ ପଡ଼ିବ । ଏହି ମହାମାରୀରେ ଆମେରିକା ଏକ କୂଟନୈତିକ ମହାଶକ୍ତି ରୂପେ ନିଜର ଦଖଲ ନଦେବା ଚୀନକୁ ସୁହାଉଛି । କିନ୍ତୁ ଚୀନ ପାଇଁ ଏହି ରାସ୍ତା କଣ୍ଟକିତ କାରଣ ଚୀନ ମଥାରେ କରୋନା ଜନ୍ମଦାତାର କଳଙ୍କ ଲାଗିଛି ।

          ଚୀନ ବ୍ରାଜିଲର ସବୁଠାରୁ ବଡ଼ ବ୍ଯବସାୟ ସହଯୋଗୀ ଏବଂ ବ୍ରାଜିଲରୁ ପ୍ରାୟ ୮୦ ପ୍ରତିଶତ ସୋୟା ଚୀନ କିଣିଥାଏ । କିନ୍ତୁ ଏହି ମହାମାରୀରେ ଚୀନଠାରୁ ଡ଼ାକ୍ତରୀ ଉପକରଣ, ମାସ୍କ ଓ ଭେଣ୍ଚିଲେଟର ପାଇବା ପାଇଁ ବ୍ରାଜିଲ୍ ସଂଘର୍ଷ କରୁଛି । ଦୁଇ ଲାଟିନ୍ ଆମେରିକୀୟ ପଡ଼ୋଶୀ ଭେନେଜୁଏଲା ଓ କଲୋମ୍ବିଆ ମଧ୍ଯରେ ଶତ୍ରୃତା ବଢିବାରେ ଲାଗିଛି । ମଧ୍ଯପ୍ରାଚ୍ଯର ଦୁଇ ବଡ଼ ଦେଶ ମିଶର ଓ କତର ମଧ୍ଯରେ ବି ଶତ୍ରୁତା ବୃଦ୍ଧି ପାଇଛି । ମଧ୍ଯପ୍ରାଚ୍ଯ ଦେଶଗୁଡ଼ିକରେ କତର କରୋନାରେ ଅତ୍ଯଧିକ ପ୍ରଭାବିତ ହୋଇଥିବା ବେଳେ କତରରେ ଫସିଥିବା ମିଶରୀୟ ନାଗରିକଙ୍କୁ ମିଶର ଫେରାଇନେବା ପ୍ରସ୍ତାବକୁ ମିଶର ଅଗ୍ରାହ୍ଯ କରିଦେଲା । ମିଶର ସେହି ଆରବ ଦେଶଗୁଡ଼ିକ ମଧ୍ଯରେ ଅନ୍ଯତମ ଯିଏ ୨୦୧୭ରୁ କତର ସହ ନିଜର ସମସ୍ତ ରାଜନୈତିକ ସମ୍ବନ୍ଧ ଛିନ୍ନ କରିଛନ୍ତି ।

         ଏଥିରୁ ଗୋଟେ କଥା ସ୍ପଷ୍ଟ ଯେ କୂଟନୈତିକ ପ୍ରୟାସର ପୂର୍ବାପେକ୍ଷା ଆଜି ଯଥେଷ୍ଟ ଆବଶ୍ଯକତା ରହିଛି ଏବଂ ସମସ୍ତ ଦେଶଗୁଡ଼ିକ ନିଜର ପୂର୍ବ ଶତ୍ରୁତାକୁ ଭୁଲି “ସର୍ବେ ଭବନ୍ତୁ ସୁଃଖୀନଃ, ସର୍ବେ ସନ୍ତୁ ନିରାମୟ” ନୀତିକୁ ଆପଣାଇ ସମଗ୍ର ମାନବଜାତିର କଲ୍ଯାଣ ପାଇଁ ଆଗଭର ହେବା ଉଚିତ୍ । ଏହା ଏକତା ସମୟ କିନ୍ତୁ ପୂର୍ବଶତ୍ରୁ ଦେଶଗୁଡ଼ିକ ମଧ୍ଯରେ ସ୍ଥିତି ଆହୁରି ଗୁରୁତର ହେବା ଅତ୍ଯନ୍ତ ଚିନ୍ତାଜନକ ବିଷୟ ।



Post a Comment

Post a Comment (0)

Previous Post Next Post
Free Shubhdristi App Download Now