ଆମ ଉତ୍କଳ

ଆମ ଉତ୍କଳ - ଭାସ୍କର ଚନ୍ଦ୍ର ଦାସ 


ଆମ ଉତ୍କଳ ଗଢିତୋଳିଛି 
ମହନୀୟତାର ମହୋଦଧି 
ଉଦ୍ଧାର କରିରଖିଛି 
ପ୍ରଜ୍ଞାନର ପରମ୍ପରା 
ଶୁଭ୍ର ନିର୍ଝରର ମଧୁର ପିୟୁଷ 
କୋଳରେ ଶୋଭିତ କଳୁଷ ନାଶନ 
ପରମେଶ୍ୱରଙ୍କ ପ୍ରତିମୂର୍ତ୍ତି  
ଅଶୋକର କିର୍ତ୍ତୀ ସ୍ତମ୍ଭ 
ପୁଣି ଇନ୍ଦ୍ରଦ୍ୟୁମ୍ନନଙ୍କ ଭକ୍ତିର ପସରା ! 

ଆମ ଉତ୍କଳ ହସୁଥାଏ 
କୋଇଲିର କୁହୁତାନରେ 
ଫୁଲବାଣୀ ଫୁଲ ବନରେ 
କୋଣାର୍କର ଚୂଡାରେ 
ବାଣ୍ଟୁଥାଏ ବାର୍ତ୍ତା 
ବିଶ୍ୱ ବିବର୍ତ୍ତନ ବେଳାରେ 
କାଳିଜାଇର ସିନ୍ଦୁର ଟୋପାରେ 
ଆଙ୍କିଦେଇଛି ସତର୍କତାର 
ଲକ୍ଷ୍ମଣ ରେଖା .....! 
ସଜସଜ ସକାଳେ 
ଆମ ଉତ୍କଳ ଶୁଣେଇ ଦିଏ 
ଜୟଦେବର ଗୀତ ଗୋବିନ୍ଦ 
ନିଜେ ନାଚୁ ଥାଏ 
ଦେବଦାସୀର ଘୁଙ୍ଗୁର ଶବ୍ଦରେ 
ପ୍ରେମର ପିୟୁଷ ଆଳରେ 
ପୁଣି ମୋ ଉତ୍କଳ 
ଖୁଆଇ ଦିଏ କ୍ଷୀରି ପୁରି 
କୋଳକୁ ଟାଣି ନେଇ 
ବାରମାସର ତେର ପର୍ବରେ ! 

ଆମ ଉତ୍କଳ ଶିଖେଇ ଦିଏ 
ଭାର୍ତ୍ତୃତ୍ଵର ବହୁବିଧ ସ୍ତୁତି 
ଶରତର ସ୍ଵର୍ଣ୍ଣମୟୀ ମାତୃ ଆଗମନେ 
ପଗୁଣର ଫଗୁର କାନନେ 
ଆମ ଉତ୍କଳ ସଜେଇ ହୁଏ 
ପିପିଲିର ଚାନ୍ଦୁଆରେ 
ସମ୍ବଲପୁରି ପାଟରେ-ପୁଣି କେବେ 
କଟକର ତାରକସିର 
ରୌପ୍ୟ ମଣ୍ଡପରେ ....! 

ଆଜିବି ଶୁଭୁଛି ତ୍ୟାଗର ଶଙ୍ଖ 
ଉତ୍କଳର ବରପୁତ୍ର ମାନଙ୍କର 
ପ୍ରତି ପାଦର ପଥ ଧାରେଧାରେ 
ପାଥେୟ ସାଜିଛି ଆଜି 
ବର୍ତ୍ତମାନର ଜୀବନ ସଜ୍ଜାରେ ..
ଶିଖାଏ ସେବା ଓ ସମ୍ମାନ 
ଶଙ୍ଖ ଶବ୍ଦ -ପ୍ରତିଟି ସନ୍ଧ୍ୟାରେ 
ପବିତ୍ରତା ପ୍ରତି ପ୍ରାଣ ଭରା 
ପରମେଶ୍ୱରଙ୍କ ଉପସ୍ଥିତି କରେ 
ଅଖଣ୍ଡତାର ଦୀପ ଜଳେ 
ଆମ ଉତ୍କଳର କୋମଳ କୋଳରେ .......॥

ଭାସ୍କର ଚନ୍ଦ୍ର ଦାସ 
କନିଷ୍ଠ ଶିକ୍ଷକ
ଚାନ୍ଦବାଲି, ଭଦ୍ରକ

Post a Comment

Post a Comment (0)

Previous Post Next Post
Free Shubhdristi App Download Now