ଉତ୍କଳୀୟ ଭାବନା - ଶ୍ରୀ ଶୁଭକାନ୍ତ ପାତ୍ର
ସବୁଠୁ ପବିତ୍ର, ସବୁଠୁ ସୁନ୍ଦର ଅଟଇ ଯାହାର ନାଁଆ,
ଅନ୍ୟ କେହି ନୁହେଁ ସେ ସ୍ଵର୍ଣ୍ଣ ପ୍ରତିମ ଆମରି ଉତ୍କଳ ମାଆ।
ସୁଜଳା ସୁଫଳା ଶସ୍ୟଶ୍ୟାମଳା ଅଟେ ଯେ ଏହି ପ୍ରଦେଶ,
ଯାହା ସୁନ୍ଦରତା ଉପଭୋଗ ପାଇଁ ହୋଇଥାନ୍ତି ସର୍ବେ ବଶ।
ସ୍ଵୈ।ଭାଗ୍ୟ ବଶତଃ ଉତ୍କଳ ମାଟିର ସନ୍ତାନ ଯେ ଅଟୁ ଆମେ,
ତା ମହିମା ଗାଥା ଶୁଣୁଥାଉ ସଦା ଏ ଉତ୍କଳ ବାସୀ ଜନ୍ମେ ଜନ୍ମେ।
କେତେ ଆକ୍ରମଣେ ଖଣ୍ଡ ବିଖଣ୍ଡିତ ହୋଇଥିଲା ଏହି ଭୂମି,
ଲୁଣ୍ଠନକାରୀଙ୍କ ଲୁଣ୍ଠନ ର ପୀଡ଼ା ସହିଥିଲା ସିଏ ପୁଣି।
କ୍ଷତାକ୍ତ ଶରୀରେ ମଲମ ଲଗାଇ କହିଲେ ଗୁଣୀ ଯେ ସର୍ବେ,
ଏ ଦେଶ ହେଲେ ସ୍ଵତନ୍ତ୍ର ପ୍ରଦେଶ ବାଟ ଚାଲିବା ଯେ ଗର୍ବେ।
କେତେ ଯେ ସଭ୍ୟତା,କେତେ ପୁଣି ଭାଷା ବିଦ୍ୟମାନ ଏହି ଦେଶେ,
ଉତ୍କଳ ସଂସ୍କୃତି ସବୁଠୁ ମହାନ ପରିଚିତ ଦୂର ଦେଶେ,
ସବୁଠୁ ସୁନ୍ଦର, କେତେ ଯେ ମଧୁର ଆମ ଏ ଭାଷା ଓଡ଼ିଆ,
ଯିଏ ଥରେ ଏହି ଭାଷା କୁ ଆଦରେ ସେ କହେ ଭାରି ବଢିଆ।
ଓଡିଶା ମାଟିର ପଟାନ୍ତର ନାହିଁ, ନାହିଁ ଯେ ତା'ର ତୁଳନା,
କେତେ ଯେ ମହାନ, ଶ୍ରେଷ୍ଠ ଓ ପବିତ୍ର ଅସରନ୍ତି ତା ବର୍ଣ୍ଣନା।
ଏହି ଉତ୍କଳ କୁ ସମଗ୍ର ଦେଶରେ କରିବାକୁ ହେଲେ ଉଚ୍ଚ,
କରି ଯିବା ଆମେ ତା ପ୍ରତି କର୍ତ୍ତବ୍ୟ ନ କରି ମନେ ସଙ୍କୋଚ।
ଉତ୍କଳ ଦିବସ ପାଳିଦେଲେ ଖାଲି ହେଇ ଯିବ କିରେ ଭାଇ,
ଯଦି ଆମ ମନେ ଜାତୀୟତା ଭାବ ଉଦ୍ରେକ ଯେ ହୋଇନାହିଁ।
ଶ୍ରୀ ଶୁଭକାନ୍ତ ପାତ୍ର
ଏମ୍.ଏ(ଇତିହାସ), ଉତ୍କଳ ବିଶ୍ୱବିଦ୍ୟାଳୟ
Post a Comment