ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ - ଛବିରାଣୀ ପତି

        ଆମ ସଂସ୍କୃତି ଜଗନ୍ନାଥ ସଂସ୍କୃତି । ପରମ୍ପରା ଓ ରୀତି ନିତିରେ ସର୍ବତ୍ର ବିରାଜମାନ ....... ସ୍ନେ ହଁ , ଶ୍ରଦ୍ଧା , ସମର୍ପଣ ଏବଂ ଭକ୍ତି । ସୁଜଳl ସୁଫଳl ଶସ୍ୟ ଶ୍ୟାମଳl ସବୁଜିମା ଭରା ପ୍ରକୃତି ରାଜିରେ ନିଜକୁ ହଜାଇ ଦେବାର କ୍ଷୁଦ୍ରଚାଷି ଥିଲେ ସିଦ୍ଧାର୍ଥ ବାବୁ । ନିଜର ସ୍ଵେଚ୍ଛାସେବାକୃତ ମନୋବୃତ୍ତି ନେଇ ଆଖପାଖ ଗାଆଁର ପିଲାମାନଙ୍କୁ ମଧ୍ୟ .... କିଛି କିଛି ଶିକ୍ଷାଦାନ ଥିଲା ତାଙ୍କର ଏକ ସଉକ । ଯାହା ତାଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ ନ'କରି ପାରୁଥିଲେବି ମନରେ ଭରି ଦେଉଥିଲା ଅସୀମ ଆତ୍ମସନ୍ତୁଷ୍ଟି । ତାଙ୍କ ଧାର୍ମିକ ମନୋଭାବ ବାଣ୍ଟି ପାରୁଥିଲା ଜ୍ଞାନ । ଆଉ ସାଉଁଟୁ ଥିଲା ଅଜସ୍ର ଆଶୀର୍ବାଦ ଶୁଭେଚ୍ଛା । ଦିନ ଯାକର ନାନାଦି ଅକ୍ଲାନ୍ତ ଶ୍ରମ ସାରି ଫେରନ୍ତି ଘରକୁ । ଝିଅ ସିପ୍ରା କାନ୍ଦି କାନ୍ଦି ଆସି କହିଲା ....... ବାପା , ମୋତେ ଭାଇନା ମାଇଲେ । ବାପା ପୁଅ ସିପୁନକୁ ଡାକିକି ପଚାରିଲେ ..... ତୁ ସିପ୍ରାକୁ ମାରିଲୁ କାହିଁକି ?? ସିପୁନ ଡେରି ନକରି ସଙ୍ଗେ ସଙ୍ଗେ ଉତ୍ତର ଦେଲା ..... ନାଇଁ ବାପା , ମୁଁ ତାକୁ ମୋଟୁରୁ ମାରିନି । ଆଗଚଲା ପଡ଼ି କହିପକାଇଲା ..... ଆଖି ଛୁଉଁଛି ବାପା, ମୁଁ ତାକୁ ମାରି ନାହିଁ । ବାପା କହିଲେ - ମୁଁ ତତେ ଆଖିଛୁଇଁବାକୁ ତ' କହି ନଥିଲି ...!!! । ତା' ମାନେ ତୁ ତାକୁ ନିଶ୍ଚିନ୍ତ ମାରିଛୁ । ଆବଶ୍ୟକତା ଠାରୁ ଅଧିକ ସଫେଇ ଦେଇ ଶିଷ୍ଟ ଦେଖେଇ ହେବା ମାନେ ହିଁ...... ପ୍ରାୟତଃ ମିଥ୍ୟା ବାଦିତାର ଆଉ ଦୁଷ୍ଟାମୀର ପ୍ରକୃତ ପରିଚୟ । ଦୁଷ୍ଟାମୀ ପାଇଁ ତାକୁ କ୍ଷମା ଦେଇପାରେ । କାରଣ ଛୋଟ ପିଲାମାନେ ଦୁଷ୍ଟ ତ ହେବେ । କିନ୍ତୁ ମିଛ ...!! ,,, ସତକୁ ସତ ଝିଅ ସିପ୍ରା ଫ୍ରକ ଟେକି ଦେଖେଇଦେଲା ବାପାଙ୍କୁ । ତାକୁ ବାଡେଇକି ପେଲି ଦେଇଥିବାରୁ....... ତା ' ଆଣ୍ଠୁ ଝିଡି ବାହାରି ଯାଇଛି ରକ୍ତ ଟିକେ । ଝିଅର ଖଣ୍ଡିଆ ଆଣ୍ଠୁକୁ ଦେଖି ବାପା ଦୁଃଖ ତ' କଲେ,,,,, ମାତ୍ର ବେଶୀ ଦୁଃଖିତ ଓ ଚିନ୍ତିତ ହେଲେ ପୁଅର ଦାମ୍ଭିକ ମିଥ୍ୟା ଆଉ ଭୟଶୂନ୍ୟ ଛଳନା ଦେଖି । ଜାଣିନେଲେ .... ପିଲାଙ୍କ ସଂସ୍କାରରେ ନିଜ ଦ୍ଵାରା ହେଉଥିବା ବିରାଟ ତ୍ରୁଟିକୁ । ପିଲା ମାନଙ୍କ ସହିତ ସମୟ ବିତାଇବା ଓ ତାଙ୍କୁ ଭଲମନ୍ଦ , ଉଚିତ୍ - ଅନୁଚିତର ପାରିବାରିକ ଶିକ୍ଷାର ଅଭାବକୁ .... ସେ ବେଶ୍ ପରିଲକ୍ଷିତ କରିପାରିଲେ । ତେଣୁ ଦୁଇଜଣଙ୍କୁ ଡାକି ପାଖରେ ବସାଇ ଆଗକୁ ଏପରି ଆଉ ନ'କରିବା ପାଇଁ ଅନେକ ବୁଝା ସୁଝା କଲେ । 

            କିଛି ସମୟ ଅନ୍ତରରେ ବାପା ପୁଣି ପିଲା ମାନଙ୍କୁ ଡାକି ପଚାରିଲେ ,,, ଆରେ ପିଲେ କହିଲ ଆଜି କଣ ....? ସିପ୍ରା ବଲବଲ ହୋଇ ସେମିତି ଚାହିଁ ରହିଥାଏ ବାପାଙ୍କୁ । ସିପୁନ ଉତ୍ତରରେ କହିଲା ..... ଆଜି ପା' ଏପ୍ରିଲ୍ ୧ ବାପା । 
ବାପା -- ତା' ଛଡା ଆଉ କଣ କହିଲୁ......? ମାନେ, ଏହି ଏପ୍ରିଲ୍ ପହିଲାର ଗୁରୁତ୍ଵ କଣ କହିଲୁ .....?
ସିପୁନ -- ଆଜି ଦିନରେ ସମସ୍ତେ ସମସ୍ତଙ୍କୁ ଏପ୍ରିଲଫୁଲ କରନ୍ତି ବାପା ।
ବାପା ବିଶ୍ୱାସ କରି ପାରିଲେନି ନିଜକୁ । ପୁଅର ଉତ୍ତର ତାଙ୍କୁ ଆଶ୍ଚର୍ଯ୍ୟରେ ପକାଇଦେଲା । ଯୋଉ ଶିକ୍ଷ୍ୟା ମୁଁ ବାହାରେ ବାଣ୍ଟି ବୁଲୁଛି ,, ସେହି ଶିକ୍ଷାରୁ ମୋ' ନିଜ ପିଲାମାନେ ଯେ' ବଞ୍ଚିତ, ଏହା କିପରି ସମ୍ଭବ ହେଲା ... ..!! । 
ବାପା କହିଲେ --- ଆରେ ପିଲାମାନେ ....... ଆଜି ପରା ଆମର ଉତ୍କଳ ଦିବସ । 
ସିପୁନ -- ହଁ ବାପା, ମୁଁ ଭୁଲି ଯାଇଥିଲି । ସେଇଥିପାଇଁ ଆଜି ଆମର ସ୍କୁଲ୍ ଛୁଟି ଦିଆହୋଇଛି ପରା । 
ବାପା -- ଆଚ୍ଛା କହିଲୁ ଦେଖି ..... ଉତ୍କଳ ଦିବସ କଣ ,, ଆଉ କାହିଁକି ପାଳନ୍ତି...? । 
ସିପୁନ -- ମୁଣ୍ଡ ତଳକୁ କରି ନିର୍ବିକାର ଭାବରେ ସେମିତି ବସି ରହିଲା ।
ଏସବୁ ଦେଖି , ବେଶୀ ନିଜକୁ ଦୋଷୀ ମାନୁଥିବା ବାପା ସିଦ୍ଧାର୍ଥ ବାବୁ । ତେଣୁ , ପିଲା ମାନଙ୍କୁ ଅତି ସାବଲୀଳ ଓ ସରଳ ଭାଷାରେ ଏଥର ଉତ୍କଳ ଦିବସ ମହତ୍ୱର ସାରମର୍ମ କୁ ବୁଝାଇ କହୁଛନ୍ତି ......

         ଆଜି ଆମେ ଯାହାକୁ ଓଡ଼ିଶା ବୋଲି କହୁଛେ , ପୂର୍ବରୁ ତାହା ଉତ୍କଳ ନାମରେ ନାମିତ ଥିଲା । ଯାହାକୁ ମରାଠା , ଅଫଗାନି , ମୋଗଲ ଏପରିକି ଇଂରେଜ ମାନେ ମଧ୍ୟ ...... ସମସ୍ତେ ଆସି କ୍ରମାନ୍ୱୟରେ ନିଜର ଆଧିପତ୍ୟ ବିସ୍ତାର କରି ଶାସନ କରି ଚଳୁଥିଲେ । କୁହାଯାଏ , ...... ଆମ ଉତ୍କଳର ସୀମା ଚେଦି ବଂଶର ଖାରବେଳଙ୍କ ସମୟରେ " ଆଗଙ୍ଗା ଗୋଦାବରୀ" ଯାଏଁ ବିସ୍ତୃତ ଏକ ବିଶାଳ ସାମ୍ରାଜ୍ୟ ଥିଲା । ମାତ୍ର ...... ବିହାର , ମଧ୍ୟପ୍ରଦେଶ , ଛତିଶଗଡ଼ , ପଶ୍ଚିମବଙ୍ଗ ଆଦି ଆମ ପଡ଼ୋଶୀ ରାଜ୍ୟ ମାନେ ଆମ ସିମାନ୍ତରୁ କେତେକାଂଶରେ ଦଖଲ କରି ନିଜ ନିଜ ସାମ୍ରାଜ୍ୟରେ ମିଶାଇ ଦେଇଥିଲେ । ଏହି ସବୁ ଖଣ୍ଡ ବିଖଣ୍ଡିତ ସାମ୍ରାଜ୍ୟକୁ ସୁସଂଗଠିତ କରି "ପୂର୍ଣ୍ଣାଙ୍ଗ ଉତ୍କଳ" ଗଠନର ସ୍ବପ୍ନ ଦେଖିଲେ ମଧୁବାବୁ। ଆଉ ସେହି ସ୍ବପ୍ନକୁ ସାକାର କରିବାକୁ ଅଣ୍ଟା ଭିଡିଥିଲେ ପ୍ରଥମେ ...... ମଧୁସୂଦନ ଦାସ । ଆଚ୍ଛା ସିପୁନୁ କହିଲୁ ..... ମଧୁସୂଦନ କିଏ ...? 
ସିପୁନ -- ପିଲାବେଳେ ବୋଉ ଯୋଉ ମଧୁସୂଦନ ଙ୍କ କଥା କହୁଥିଲେ ତ' ....! " କାଳିଆ ଘୋଡାରେ ଚଢ଼ିବି , ମଧୁବାବୁ ସାଙ୍ଗେ ଲଢ଼ିବି " ।
ସେହି ମଧୁ ବାବୁ କି ବାପା ? । ଯାହାଙ୍କ ଲିଖିତ ବର୍ଣ୍ଣବୋଧ ପଢି ଆମେ ପ୍ରଥମେ ଓଡ଼ିଆ ର ମୂଳଧୁଆ ସିଖିଥାଉ ଆଉ ଜାଣିଥାଉ ....... ?? ।
ବାପା କହିଲେ -- ନାହିଁ ରେ ଶିପୁନୁ । ସେ ଥିଲି ଆମ ଭକ୍ତ କବି ମଧୁସୂଦନ ରାଓ । ମୁଁ ଏବେ ଯାହାଙ୍କ କଥା କହୁଛି ,,, ସେ ହେଲେ କୁଳବୃଦ୍ଧ ଉତ୍କଳ ଗୌରବ ବାରିଷ୍ଟର ମଧୁସୂଦନ ଦାସ । ଯାହାଙ୍କ ପ୍ରାଣ ଦେଶ ଭକ୍ତିରେ ବିଳପି ଉଠୁଥିଲା ସବୁ ମୁହୂର୍ତ୍ତରେ ......
  " ଉତ୍କଳ ମାତାର ଯୋଗ୍ୟ ସନ୍ତାନ।
    ଉଠିବୁ ତୁ' କେତେ ଦିନେ ....
    ପୂରୁବ ଗୌରବ ପୂରୁବ ମହିମା
    ପଡୁନାହିଁ କିରେ ତୋର ମନେ " ।
    
ସେହି ବିଖଣ୍ଡିତ ଉତ୍କଳ ପ୍ରଦେଶର ସ୍ୱତନ୍ତ୍ରତା ଲାଗି , ତାଙ୍କ ଦେଶାତ୍ମ କବିପ୍ରାଣ ଓ ଦରଦୀ ହୃଦୟ କାନ୍ଦି ଉଠୁଥିଲା ସଦା ସର୍ବଦା । କଳା , ସଂସ୍କୃତି ଓ ବାଣିଜ୍ୟରେ ନୈପୁଣ୍ୟ ମୋ' ଉତ୍କଳର ଐତିହ୍ୟ ଥିଲା....... ସଦା ପରିପୃଷ୍ଟ ଓ ସମୁଦ୍ଧ । ଏହି ପୁଣ୍ୟଭୂମି ଉତ୍କଳର ପ୍ରତିଷ୍ଠା ଓ ସ୍ୱତନ୍ତ୍ରତା ଲାଗି ଉତ୍କଳ ଗୌରବ ମଧୁସୂଦନ ସମେତ ଅଣ୍ଟା ଭିଡ଼ି ଥିଲେ ..... ବ୍ୟାସକବି ଫକୀର ମୋହନ , ରାଧାନାଥ ରାୟ , ସ୍ଵଭାବ କବି ଗଙ୍ଗାଧର ମେହେର , ନୀଳକଣ୍ଠ ଦାସ , କୃଷ୍ଣଚନ୍ଦ୍ର ଗଜପତି ଓ ଭୁବନାନନ୍ଦ ପ୍ରମୁଖ ଆହୁରି ୬୨ ଜଣ । ଏହି ସ୍ଥାୟୀ ସଦସ୍ୟ ମାନଙ୍କୁ ନେଇ ଗଠନ ହୋଇଥିଲା ......୧୯୦୩ ମସିହାର "ଉତ୍କଳ ସମ୍ମିଳନୀ " । ସେତେବେଳର ରାଜଧାନୀ କଟକ ସହିତ ବାଲେଶ୍ଵର , ସମ୍ବଲପୁର , ଗଞ୍ଜାମ , କୋରାପୁଟ ଆଦିକୁ ନେଇ ଗଠିତ ହେଲା ପ୍ରଥମ ଉତ୍କଳ ପ୍ରଦେଶ । ଆମ ଉତ୍କଳ ଅଖଣ୍ଡ ଭାବରେ ସ୍ୱତନ୍ତ୍ରତା ପାଇଲା ୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ । ସମଗ୍ର ଭାରତ ବର୍ଷରେ ଭାଷାଭିତ୍ତିକରେ ସ୍ଵତନ୍ତ୍ର ରାଜ୍ୟ ଗଠନ ..... ଉତ୍କଳ ଥିଲା ସର୍ବ ପ୍ରଥମ । ମଧୁବାବୁ ଗାଈ ଉଠିଥିଲେ ---- 
  "ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ       
   କୋଟି ପ୍ରାଣ ବିନ୍ଦୁ ନୀରେ
   ମିସେଇଦେ ଭାଇ ତୋର ପ୍ରାଣ ବିନ୍ଦୁ
   ଡେଇଁ ପଡ଼ି ସିନ୍ଧୁ ନୀରେ " । 

     ନିଜ ନିଜ ସ୍ୱାର୍ଥକୁ ଆହୁତି ଦେଇ...... ଜାତି ତଥା ଜନ୍ମଭୂମି ପ୍ରତି ନିଜର ଯଥେଷ୍ଟ ଯୋଗଦାନ ଦେବାକୁ ସେ' ରାଜ୍ୟ ତଥା ଦେଶବାସୀଙ୍କୁ ସର୍ବଦା ଦେଉଥିଲେ ଆହ୍ୱାନ । " ସ୍ୱର୍ଥମେଧ ଯଜ୍ଞ ଚାରିଆଡ଼େ ନାଚ , ଛାତିକୁ ମିଶାଇ ଛାତି " । ଏ' ସେହି ପୁଣ୍ୟ ଭୂମି ଉତ୍କଳ । ଯେଉଁଠି କଳିଙ୍ଗ ଯୁଦ୍ଧ ରେ ଓଡ଼ିଆ ବୀରପୁତ୍ରଙ୍କ ପରାଜୟ ସତ୍ତ୍ୱେ ସ୍ୱର୍ଣକ୍ଷରେ ଲିପିବଦ୍ଧ ହୋଇ ରହିଯାଇଛି। ଇତିହାସ ହୋଇ ଯୁଗ ଯୁଗ ପାଇଁ । କାରଣ ,, ଦିଗବିଜୟ ସମ୍ରାଟ ଅଶୋକ........ ଚଣ୍ଡାଶୋକରୁ ରୂପାନ୍ତରିତ ହୋଇଯାଇଥିଲେ ଧର୍ମାଶୋକରେ । ସେ ଆମର ଏହି ତୀର୍ଥଭୂମି ...... ଯୋଉ ଭୂମିରେ କେତେ କେତେ ଯୁଗ ପୁରୁଷ , ମହା ପୁରୁଷ ଓ ମହା ୠଷି , ମୁନିଋଷି ମାନଙ୍କର ଜନ୍ମ ସ୍ଥାନ ଓ ସାଧନାର ସ୍ଥଳୀ । 


      କଥାରେ ବିରାମ ଲଗାଇ ସିପ୍ରା ବାଳସୁଲଭ ଢଙ୍ଗରେ କହିଲା .... ବାପା , ଯଦି ଏହି ଉତ୍କଳ ଦିବସରେ ଏତେ କଥା ଅଛି , ତା'ହେଲେ ସବୁ ଦିବସ ଓ ପର୍ବ ପରି ଆମେ ଏହି ଉତ୍କଳ ଦିବସକୁ ଧୁମ୍ ଧାମରେ ପାଳୁନୋହୁଁ କାହିଁକି ?? । ବାପା କିଛି କହିବା ଆଗରୁ ସିପୁନ କହିଲା .... ହୁଏ ନା , ତୁମ ୟୁପିସ୍କୁଲ୍ରେ ସିନା ନାହିଁ । ହେଲେ ଆମ ହାଇସ୍କୁଲରେ ଯୋଉ ଫକୀର ମୋହନଙ୍କ ପ୍ରତିମୂର୍ତ୍ତିଟି ଠିଆ ହୋଇଛି , ସେଥିରେ ଫୁଲ ମାଳ ଟିଏ ଦେବାକୁ ...... ସେଠାକାର କିଛି ସ୍ଥାନୀୟ ଲୋକ ଆଶି ଏକାଠି ହୁଅନ୍ତି ପରା ! । ବାପା କହିଲେ -- ହଁ ରେ ସିପୁନ ,, ତାହାହିଁ ଆମ ସ୍ବଦେଶ ଭକ୍ତିର ଏକ ମସ୍ତବଡ ବିଡମ୍ବନା ମାତ୍ର । ଏତେ ତ୍ୟାଗ , ନିଷ୍ଠା , ତପସ୍ୟା ଓ ଉତ୍ସର୍ଗରେ ନିଜକୁ ତିଳତିଳ କରି ଜାଳି....... ଯେଉଁମାନେ ଆମକୁ ଆଲୋକର ରାହା ଦେଖେଇଗଲେ ,, ଆଉ ସ୍ୱତନ୍ତ୍ରତାର ଏ' ସ୍ଵାଦ ଚଖେଇଗଲେ ...... ଆମେ ବର୍ଷକୁ ଥରେ ,,, ତା ' ଏହି ଗୋଟେ ଫୁଲ ମାଳ ଆଉ ଟିକେ ସ୍ମୃତି ଚରଣରେ ସାରିଦେଇ ଥାଉ ଆମର ସମସ୍ତ କର୍ତ୍ତବ୍ୟ । ସମସ୍ତଙ୍କ କଥା ଶୁଣି ଶୁଣି ଶେଷକୁ ସିଦ୍ଧାର୍ଥ ବାବୁଙ୍କ ପତ୍ନୀ , ଆସି ଅତର୍କିତ ଭାବେ କହିପକାଇଲେ ଆସରେ ପିଲାମାନେ ...... ଆଜି ଆମେ ସମସ୍ତେ ମିଶି ପାଳିବା "ଉତ୍କଳ ଦିବସ" । ଗାଇବା ବନ୍ଦନା ଆଉ କହିବl , ଶୁଣିବା କିଛି ତାଙ୍କରି କଥା , ଯେଉଁମାନଙ୍କ ଲାଗି ଆଜି ଆମେ ଓଡ଼ିଆ ବୋଲି ନିଜକୁ ଗର୍ବ କରୁଛେ । ପ୍ରଭୁ ଜଗନ୍ନାଥଙ୍କ ପାଦତଳେ ଦୀପଟିଏ ଦେଇ ସମଗ୍ର ଓଡ଼ିଶା ବାସୀଙ୍କ ସମୃଦ୍ଧ , ସୁସ୍ଥ ସୁନ୍ଦର ଜୀବନ ଓ ସର୍ବାଙ୍ଗୀନ ଉନ୍ନତିର କାମନା କରିବା । ଶ୍ରଦ୍ଧାଞ୍ଜଳି ଦେବା ସେହି ତ୍ୟାଗ ପୂତ ଯୁଗଜନ୍ମା ମହାନ୍ ଆତ୍ମା ମାନଙ୍କୁ । ଯେଉଁମାନଙ୍କ ଲାଗି ଆମେ ଶାନ୍ତିରେ ନିଶ୍ୱାସ ମାରିପାରୁଛେ ଏବଂ ନିଜର ଏକ ସ୍ବତନ୍ତ୍ର ପରିଚୟ ପାଇପାରିଛେ । କ୍ଷୀରି ଆଉ ଲଡୁ ଭୋଗ ଲଗାଇ ଶ୍ରଦ୍ଧା ପୂର୍ଣ୍ଣ ଭାବେ ଖାଇବା ଆଉ ଖୁଆଇବା ଏହି ମହାନ୍ ଉତ୍କଳ ଦିବସର ଉପଲକ୍ଷେ । 
    
  

Post a Comment

Post a Comment (0)

Previous Post Next Post
Free Shubhdristi App Download Now