ମୋ ଓଡ଼ିଶା

ମୋ ଓଡ଼ିଶା - ନାରାୟଣ ସାହୁ


ଜନ୍ମିଛି ମୁଁ ଯେଉଁ ସୁବର୍ଣ୍ଣ ରାଜ୍ୟରେ  
"ଓଡ଼ିଆ ଭାଷା"ର ସୁନା ଓଡ଼ିଶା
ନିଃଶ୍ୱାସେ ପ୍ରଶ୍ୱାସେ ବିସରିତ ବାସ୍ନା
ହୃଦୟେ ,ଏ ମାଟି କୁସୁମ ବର୍ଷା।

ବଞ୍ଚିଛି ଏବେବି ଜନମାନସରେ
ଓଡ଼ିଶାର କୀର୍ତ୍ତି ଗୌରବ କଥା,
କଳା, ଚିତ୍ରକଳା, ଶିଳାଲେଖ ଆଉ
ନୃତ୍ୟ, ସଙ୍ଗୀତ ଓ ମୁରୁଜ, ଚିତା।

ଦେଖି କୋଣାରକ ସୂର୍ଯ୍ୟ ମନ୍ଦିର
ଧର୍ମପଦ ମନେ ପଡେ,
ବାରଶହ ଶିଳ୍ପୀ ଜୀବନ ନିମନ୍ତେ
ହାରିଦେଲା ପ୍ରାଣ ଜଳନିଧିରେ।

ଦେଖ ଖଣ୍ଡଗିରି ,ଉଦୟଗିରି ଓ
ଲିଙ୍ଗରାଜ ଖୋର୍ଦ୍ଧା ଧଉଳି ସ୍ତୁପ,
ଦେଖ ଶ୍ରୀମନ୍ଦିର ପୃଥିବୀ ପ୍ରସିଦ୍ଧ
ଦେଖ ଜଗନ୍ନାଥ ସେ ଦିବ୍ୟ ରୂପ।

ସୁଜଳା , ସୁଫଳା, ଶସ୍ୟ ଶ୍ୟାମଳା
ଗାଉଛି କୃଷକ ହଳୁଆ ଗୀତ,
ଚିଲିକା ହ୍ରଦରେ ଗାଏ ନାଉରିଆ
କାଳିଜାଈର ସେ ଦୁଃଖ ସଙ୍ଗୀତ।

ଦେଖ କଟକର ବାରବାଟି ଦୁର୍ଗ
ଦେଖ ପାରାଦୀପ ବନ୍ଦର,
ଦେଖ ସ୍ବଚ୍ଛତାର ପରିଭାଷା ଏଠି
ଦେଖ ରାଜଧାନୀ ଭୁବନେଶ୍ୱର।

ଦେଖ ଆମ ସେଇ ପଖାଳ କଂସାକୁ
ଦେଖ ଆମ ଧୋତି ପଇତା,
ଦେଖ ଓଡ଼ିଆଣୀ ପାଟ ଶାଢ଼ୀ ଆଉ
ମଥାରେ ସିନ୍ଦୁର ପାଦେ ଅଳତା।

ଦେଖ ଆମର ସେ ପହିଲି ରଜକୁ
ଦେଖ ଆମ ଭାଇ ଚାରା,
ଦେଖ ରଥଯାତ୍ରା,ବାହୁଡ଼ା ଯାତ୍ରା ଓ
ଦେଖ ମା ଦୁର୍ଗାଙ୍କ ଦିବ୍ୟ ଦଶହରା।

ନାରାୟଣ ସାହୁ
ଚଣ୍ଡିଖୋଲ, ଯାଜପୁର


Post a Comment

Post a Comment (0)

Previous Post Next Post
Free Shubhdristi App Download Now