କରୋନା କଣ ସତରେ ମାରାତ୍ମକ?

କରୋନା କ'ଣ ସତରେ ମାରାତ୍ମକ? 
ଡ଼ାଃ.  ଦୀପକ କର
 

 
ସମ୍ପୂର୍ଣ୍ଣ ବିଶ୍ଵ ବର୍ତ୍ତମାନ ଏକ ସଙ୍କଟାପନ୍ନ ଅବସ୍ଥା ଦେଇ ଗତି କରୁଛି। କ ମହାମାରୀ ବର୍ତ୍ତମାନ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ରାଷ୍ଟ୍ର କୁ କବଳିତ କରିସାରିଲାଣି। ଏହାକୁ ନେଇ ସମଗ୍ର ବିଶ୍ୱବାସୀ ଭୟଭୀତ ଥିବା ବେଳେ ଆଜି ଜାଣିବା କରୋନା କ'ଣ ସତରେ ମାରାତ୍ମକ ନା ଲୋକମାନେ ଆଉ ସରକାର ଖାଲି ଏମିତି ଡରାଉଛନ୍ତି?

(ଅନେକ ବ୍ୟକ୍ତିଙ୍କ ମନ ଭିତରର ପ୍ରଶ୍ନର ଉତ୍ତର ପାଇବାପାଇଁ ପଢ଼ନ୍ତୁ । ଜାଣିରଖନ୍ତୁ ତଳ ସମସ୍ତ ତଥ୍ୟ ବିଜ୍ଞାନସମ୍ମତ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଜାରି ହୋଇଛି ।)

 କରୋନା କେତେ ସଂକ୍ରାମକ?
ଯଦି ତଳ ଗ୍ରାଫ୍ ଦେଖିବା, ତେବେ ଗୋଟିଏ ମିଳିମିଳା ରୋଗୀଠାରୁ ୧୨-୧୮ ସୁସ୍ଥ ବ୍ୟକ୍ତି ସଙ୍କ୍ରମିତ ହୋଇପାରିଲା ସମୟରେ, ଗୋଟିଏ କରୋନା ରୋଗୀଠାରୁ ମାତ୍ର ୧.୪-୨.୫ ଜଣ ସୁସ୍ଥ ବ୍ୟକ୍ତି ସଙ୍କ୍ରମିତ ହୋଇପାରନ୍ତି। ତେଣୁ ସାଧାରଣଭାବେ କହିବାକୁ ଗଲେ, ମିଳିମିଳା, କରୋନା ତୁଳନାରେ ପ୍ରାୟ ଆଠଗୁଣ ଅଧିକ ସଙ୍କ୍ରାମକ।


ଠିକ୍ ସେହିପରି ଯଦି ଆମେ ଜାଣିବାକୁ ଚାହିଁବା ଯେ ରୋଗ କେତେ ଘାତକ ହେଇପାରେ, ତେବେ ତଳ ଗ୍ରାଫ୍ ଅନୁସାରେ ରେବିଜ୍ ସର୍ବାଧିକ ଘାତକ ହେଇଥିବା ସମୟରେ କରୋନାର ଘାତକତା ୦ ରୁ ୫ ପ୍ରତିଶତ ମଧ୍ୟରେ ମାତ୍ର। ତେବେ ସଙ୍କ୍ରମଣର ମାପ ଏବଂ ଘାତକତା ଅନୁସାରେ କରୋନାର ସ୍ଥାନ ଏତେ ତଳେ ରହିଥିଲେ ମଧ୍ୟ ଜନସ୍ୱାସ୍ଥ୍ୟ ପାଇଁ ଏହାର ମହତ୍ତ୍ଵ ଏତେ କାହିଁକି?

ପ୍ରାରମ୍ଭିକ ସମୟ(ଡିସେମ୍ବର-ଜାନୁଆରୀ)ରେ କରୋନାକୁ ଜୁନୋସିସ୍ ବା ପଶୁ/ପକ୍ଷୀଠାରୁ ମନୁଷ୍ୟକୁ ସଙ୍କ୍ରମଣ ହୁଏ ବୋଲି ମତ ଦିଆଯାଇଥିଲା, ଯାହାକି କୌଣସି ଦୁର୍ଘଟଣାରୁ ମନୁଷ୍ୟକୁ ସଙ୍କ୍ରମିତ ହୋଇଥିଲା। ଏଥିସହିତ ମଣିଷରୁ ମଣିଷକୁ ସଙ୍କ୍ରମଣର କୌଣସି ପ୍ରମାଣ ମିଳିପାରିନଥିଲା। 

ତେବେ ପରବର୍ତ୍ତୀ ସମୟରେ ମନୁଷ୍ୟରୁ ମନୁଷ୍ୟକୁ ସଙ୍କ୍ରମଣ ହେବାର ସମ୍ଭାବନା ସତ୍ୟ ପ୍ରମାଣିତ ହୋଇଥିଲା। 

ତେବେ ସମ୍ପୂର୍ଣ୍ଣ ନୂଆ ଭୂତାଣୁ ହେଇଥିବାରୁ କରୋନା ପ୍ରତି କୌଣସି ମନୁଷ୍ୟର ରୋଗ ପ୍ରତିରୋଧକ କ୍ଷମତା ଆଦୌ ନଥିଲା, ଯେତେବେଳେ କି ତୁଳନାତ୍ମକ ଭାବେ ମିଳିମିଳା ଅଧିକ ସଙ୍କ୍ରାମକ ହେଲେ ମଧ୍ୟ ଯେହେତୁ ଅନେକାଂଶରେ ପ୍ରତ୍ୟେକ ମନୁଷ୍ୟ ପିଲାବେଳେ ମିଳିମିଳାରେ ସଙ୍କ୍ରମିତ ହୋଇଥାଏ ତେଣୁ ମିଳିମିଳା ପାଇଁ ସ୍ୱାଭାବିକ ରୋଗ ପ୍ରତିରୋଧକ ଶକ୍ତି ଆସିଯାଏ।

ପ୍ରାୟ ୪୫,୦୦୦ ସଙ୍କ୍ରମିତ ରୋଗୀଙ୍କ ରୋଗ ସମ୍ପର୍କରେ ଥିବା ସୂଚନାରୁ ଜଣାଗଲା, ଏହି ରୋଗ ଏତେ ବି ସାଙ୍ଘାତିକ ନୁହେଁ। ପ୍ରାୟ ୮୦ ପ୍ରତିଶତ ସାମାନ୍ୟ ଜର-କାଶ-ଛିଙ୍କରେ ଆକ୍ରାନ୍ତ ହେଲାବେଳକୁ ମାତ୍ର ୫ ପ୍ରତିଶତ ଙ୍କୁ ସାଙ୍ଘାତିକ ରୋଗ ହୋଇପାରେ ଯେଉଁଥିପାଇଁ ଆଇ.ସି.ୟୁ ର ଆବଶ୍ୟକତା ପଡିବାର ସମ୍ଭାବନା ବଢିଯାଏ ତଥା ମୃତ୍ୟୁର ସମ୍ଭାବନା ମଧ୍ୟ। 
ତେବେ ସ୍ୱାଭାବିକ ଭାବେ ଏହି ରୋଗ ପ୍ରତି ପ୍ରତିରୋଧକ ଶକ୍ତି ନଥିବାରୁ, ପ୍ରତ୍ୟେକ ବ୍ୟକ୍ତି ଏହି ରୋଗ ଦ୍ୱାରା ସଙ୍କ୍ରମିତ ହେବାର ସମ୍ଭାବନା ଥାଏ, ତେଣୁ ଉପରେ ଦର୍ଶାଯାଇଥିବା ୮୦-୧୫-୫ ପ୍ରତିଶତ ଅନୁସାରେ, ଜନସଂଖ୍ୟାର ପ୍ରାୟ ୧୫ ପ୍ରତିଶତକୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିପାରେ ଏବଂ ବାକି ୫ ପ୍ରତିଶତକୁ ଆଇ.ସି.ୟୁ ରେ ତେଣୁ ଏହି ଗତିରେ ଦେଖିବାକୁ ଗଲେ, ଭାରତରେ ପ୍ରାୟ ପଚିଶ କୋଟି ଆକ୍ରାନ୍ତ ହେବେ। ସେଥିରୁ ପ୍ରାୟ ପନ୍ଦର ଲକ୍ଷ ରୋଗୀଙ୍କୁ ଭେଣ୍ଟିଲେଟର୍ ସହ ଆଇ.ସି.ୟୁ. ର ଆବଶ୍ୟକତା ପଡିପାରେ। 
ତେବେ ଯଦି ବୟସ ଅନୁସାରେ ମୃତ୍ୟୁହାର ଦେଖିବା, ବାର୍ଦ୍ଧକ୍ୟରେ କରୋନା ଆକ୍ରାନ୍ତ ହେଲେ ମୃତ୍ୟୁର ସମ୍ଭାବନା ବଢିଯାଏ।
ଯେଉଁ ଦେଶର ଜନସଂଖ୍ୟାରେ ବୃଦ୍ଧ-ବୃଦ୍ଧାଙ୍କ ପ୍ରତିଶତ ଅଧିକ, କରୋନାର ସଠିକ୍ ଚିକିତ୍ସା ଉପଲବ୍ଧ ନହୋଇପାରିଲେ ଏହି ସଂଖ୍ୟା/ପ୍ରତିଶତ ବଢିବାର ସମସ୍ତ କାରଣ ଥାଏ। 
ଆମ ଦେଶର ସ୍ୱାସ୍ଥ୍ୟସେବାର ପରିସ୍ଥିତି ଅନୁଧ୍ୟାନ କଲେ ଜଣାପଡିବ, ପନ୍ଦର ଲକ୍ଷ ରୋଗୀଙ୍କୁ ଅତ୍ୟାଧୁନିକ ସେବା ଯୋଗାଇବା ସମ୍ପୂର୍ଣ୍ଣ ଅସମ୍ଭବ। ନିମ୍ନ ଚିତ୍ରରେ ବିଶ୍ୱର କିଛି ପ୍ରମୁଖ ଦେଶ ଏବଂ ଅତ୍ୟାଧୁନିକ ଚିକିତ୍ସାସେବାର ଏକ ତୁଳନା ଦେଖନ୍ତୁ। ଅର୍ଥାତ୍ ଯଦି ଏହିସବୁ ଦେଶର ସ୍ୱାସ୍ଥ୍ୟସେବା ଆଜି ବିପର୍ଯ୍ୟସ୍ତ, ତେବେ ଭାରତ କଥା ଭାବନ୍ତୁ। 

ମୋଟାମୋଟି କହିବାକୁ ଗଲେ କରୋନା ରୋଗର ମାରାତ୍ମକ ହେବା ବା ସାଙ୍ଘାତିକ ହେବା ଯେତେ ମହତ୍ବପୂର୍ଣ୍ଣ ନୁହେଁ, ତା'ଠାରୁ ଅଧିକ ଏହି ରୋଗରେ 'ଆକ୍ରାନ୍ତଙ୍କ ସଂଖ୍ୟା' ।
ଏତେ ଲୋକଙ୍କୁ 'ହଠାତ୍' ସ୍ୱାସ୍ଥ୍ୟସେବା ଯୋଗାଇବା ଆମପକ୍ଷରେ ଆଦୌ ସମ୍ଭବପର ହେବ ନାହିଁ। ତେଣୁ ଆମପାଖରେ ଏକମାତ୍ର ଉପାୟ ହେଉଛି ଏପରି ହେବାର ସମୟ ଟିକେ ଲମ୍ବା କରିଦେବାକିଛି ଉପାୟ ବାହାର କରି ଯଦି ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢିବାକୁ ଦେବା ତେବେ ଏହି ସମୟରେ ଆମର ସ୍ୱାସ୍ଥ୍ୟସେବା ସୁଧାରିବାର ସମୟ ମିଳିଯାଇପାରେ, କାରଣ ରୋଗୀସଂଖ୍ୟା କମେଇବାର କୌଣସି ଉପାୟ ଥିଲା ପରି ଲାଗୁନି। ଲକ୍-ଡାଉନ୍ ଏହିପରି ଏକ ଉପାୟ ମାତ୍ର। 

ତେବେ ଏହି ସମୟ ଭିତରେ ଯଦି ସ୍ୱାସ୍ଥ୍ୟସେବାରେ ଆଖିଦେଖା ପରିବର୍ତ୍ତନ ହେଉନି ତେଣୁ ଏପରି ପରିସ୍ଥିତିରେ ଈଶ୍ଵରଙ୍କୁ ଡାକିବାରେ ବ୍ୟସ୍ତ ନରହି ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ସୁଧାରିବାରେ ସମୟ ଓ ଅର୍ଥ ବିନିଯୋଗ କରିବା ଆବଶ୍ୟକ।

ଯଦି ଇଟାଲୀ, ଯୁକ୍ତରାଷ୍ଟ୍ର ଆମେରିକା, ସ୍ପେନ୍ ପରି ରାଷ୍ଟ୍ର ପର୍ଯ୍ୟାପ୍ତ ଭିତ୍ତିଭୂମି ଥାଇ ସମ୍ଭାଳି ପାରିଲେନି, ଆମ ଦେଶର ସ୍ଥିତି ଭାବନ୍ତୁ।

ତେଣୁ, ଏହି ସମୟରେ ଘରେ ରୁହନ୍ତୁ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now