ବୋଝ - ନାରାୟଣ ସାହୁ
କେତେ ବାସ୍ତବତାରେ ଭର୍ତ୍ତି
ଏ ଛୋଟିଆ ଜୀବନ ମୋର!!
ଗୋଟେ ବାସ୍କେଟ୍ ବଲ୍ ର ଖେଳ ଭଳି,
ଆଉ,
ପ୍ରତି ବାସ୍କେଟରେ ଭରି ରହିଥାଏ
ବୋଝର ଥଳି।
ବୋଝ!
ନିଜେ ନିଜର ଓ ନିଜ ପରିବାରର,
ପାପ ଓ ପୁଣ୍ୟର,
ଅତୀତ ଓ ଭବିଷ୍ୟତର,
ମିଳନ ଓ ବିଚ୍ଛେଦର,
ଦୟା ଓ କ୍ଷମାର, ଏବଂ
ପ୍ରାପ୍ତି ଆଉ ତ୍ୟାଗର।
ମୁଣ୍ଡେଇ ପାରୁନି ମୁଁ,
ଏ ସଂସାରର ଯାବତୀୟ ବୋଝ ,
ଚାଲି ପାରୁନି ଜୀବନର ସୁଖମୟ ରାସ୍ତା,
ରାସ୍ତା ସାରା ପଡ଼ିଛି କେବଳ
ବିଷାକ୍ତ ବବୁଲ କଣ୍ଟା।
ସେ କଣ୍ଟାରେ କ୍ଷତାକ୍ତ
ମୋର କୋମଳ ପାଦ,
ନିଜର ଅପାରଗତା ଆଗରେ ବଶ ମୋର
ଏ ମୋହଦଗ୍ଧ ଶରୀର।
କ୍ଷଣିକରେ ,
ଛିଣ୍ଡାଇଦେଲି ସମ୍ପର୍କର ମଜବୁତ୍ ରଜ୍ଜୁକୁ,
ଭାଙ୍ଗିଦେଲି ଦୁଇ କୂଳକୁ
ଯୋଡିଥିବା ବାଉଁଶର ସେତୁକୁ,
ଲିଭାଇ ଦେଲି କଳାପଟାରୁ
ଚକ୍ଖଡ଼ି ର ଧଳା ଦାଗକୁ,
ପଡ଼ିଗଲି ଅଧାବାଟେ
ଆତ୍ମା ଏବେ ପୃଥିବୀ ମନସ୍କ ନ ହୋଇ
ହୋଇଗଲା ଆକାଶ ମନସ୍କ!
ଟାଣିଦେଲି ପୂର୍ଣ୍ଣଛେଦ ମୋର ଜୀବନକୁ।
Post a Comment