ପରୀ



ପରୀ - ମୋନାଲିଶା💙
ଲୋକେ କହୁଥିଲେ-
"ଅତି ସୁନ୍ଦରୀ ଝିଅଟିଏ। ସତେକି ଗୋଟିଏ ଚାଉଳରେ ଗଢା। ରୂପ ଗୁଣ କେଉଁଥିରେ ଟିକେ ଖୁଣ ନାହିଁ। ସୁନ୍ଦରୀ ସହ ଉଚ୍ଚଶିକ୍ଷିତା ମଧ୍ୟ। ବିଶ୍ୱବିଦ୍ୟାଳୟରୁ ସ୍ୱର୍ଣ୍ଣପଦକ ଲାଭ କରିଥିଲା।ଆଗକୁ ଆହୁରି ପଢିବାକୁ ଇଛା ଥିଲା। କିନ୍ତୁ ସମାଜର ଚଳଣି ଅନୁସାରେ ତାର ବିବାହ ବୟସ ହୋଇ ଯାଇଥିବାରୁ ମା ବାପା ତାର ବିବାହ କରାଇଦେଲେ।
ବିବାହ କରି ଶାଶୁଘରକୁ ଆସିଲା ପରେ ସମସ୍ତେ ତାକୁ ଭୁରି ଭୁରି ପ୍ରଂଶସା କରୁଥିଲେ। ଏମିତି ବୋହୁଟିଏ ଭାଗ୍ୟରେ ଥିଲେ ମିଳେ। ଏତେ ଶିକ୍ଷିତା, ସୁନ୍ଦର, ସଂସ୍କାରୀ, ଆଉ ଉତ୍ତମ ଚରିତ୍ରର ଅଧିକାରିଣୀ ହୋଇ ମଧ୍ୟ ତା ମନରେ ଟିକେ ଗର୍ବ କି ଅଂହକାର ନାହିଁ। "

ଲୋକେ କହିଲେ-
"ପାଠ ପଢିଛି ବୋଲି କଣ ମୁଣ୍ଡରେ ଚଢିବ।ଆରେ ଯେତେ ହେଲେ ବି ସେ ତାର ସ୍ବାମୀ। ତା ମୁହଁରେ ଜବାବ ଦେଉଛି।କି ଉଦଣ୍ଡି ଝିଅଟା। ସଂସ୍କାର କଣ ଜାଣିନି। କହିଲାଣି ଥାନାକୁ ଯିବ। କହୁଛି ତାକୁ ନିର୍ଯ୍ୟାତନା ଦେଉଛନ୍ତି। ଆଲୋ ସଂସାର ଭିତରେ ଘର କରିଥିଲେ ପଥର ପଡିଲେ ସହି।ଯଦି ସ୍ବାମୀ, ଶାଶୁ, ଶଶ୍ବୁର କିଛି କହିଲେ ସହିଯାଇଥିଲେ କଣ ହୋଇଥାନ୍ତା।କହୁଛି ଚାକିରି କରିବ।ଯୁଗ ଯେମିତି ହେଲାଣି କି ଚାକିରି ନା ବାକିରି।ତା ସ୍ବାମୀ ତ କମଉଛି।ଚାକିରି ନାଁ ରେ ଗୋଡ଼ ବୁଲେଇବ। ବାର ଲୋକଙ୍କ ସହ ମିଶିବ। ବିବାହିତା ନାରୀକୁ କଣ ଏସବୁ ଶୋଭା ଦିଏ।ଶାଶୁଘର,ବାପଘର ଦୁଇ କୂଳର ନାଁ ପକଉଛି।"

ଲୋକେ କହୁଛନ୍ତି-
"ଯା କୁହ ଝିଅ ହେବ ତ ଏମିତି। ଗୋଟେ ଜିଲ୍ଲାର ମୁଖିଆ ହେବା କଣ କମ୍ କଥା। କେତେ କଷ୍ଟ କରି ସେ ସଫଳ ହେଇଛି। ଦୁଇକୁଳ ଉଜ୍ଜ୍ବଳ କରୁଛି।ଗରିବ ଗୁରୁବାଙ୍କ କଥା ବୁଝୁଛି। ଭାରି ଭଲ ଝିଅଟିଏ।"

ଲୋକଙ୍କ ମୁହଁରୁ ନିଜ କାହାଣୀ ଶୁଣି ମୁରୁକି ହସା ହସୁଥିଲା ପରୀ। 
©ମୋନାଲିଶା💙

Post a Comment

Post a Comment (0)

Previous Post Next Post
Free Shubhdristi App Download Now