ବ୍ୟବଛେଦ


   
  ବ୍ୟବଛେଦ - ମୋନାଲିଶା💙
ସୁନ୍ଦର ସବୁଜ ବନାନୀ
ଦୂରୁ ଦୃଶ୍ୟମାନ ଝିଲିମିଲି ସ୍ୱର୍ଣ୍ଣମହଲ
ସାଉଁଟିଥିବା ସ୍ୱପ୍ନର ଗଣ୍ଠିଲି
ଅପେକ୍ଷାରେ ଥିବା ଚୋରାବାଲି
ସବୁକିଛି ହାତ ପାଆନ୍ତା ରେ
ସାଙ୍ଗରେ ଅଛି ସୁନ୍ଦର ରାଜକୁମାର
ପ୍ରେମର ଅନ୍ଧପୁଟୁଳି ବାନ୍ଧି ରଖିଛି ସେ
ସେଇ ଅନିନ୍ଦ୍ଯସୁନ୍ଦରୀ ରାଜଜେମାର ଆଖିରେ।।

ଆଉ ମାତ୍ର କିଛି ସମୟ
ତାପରେ ଘୋଟିଆସିବ କଳାବାଦଲ
ଅସମୟର ତୁମ୍ବିତୋଫାନରେ
ଧିରେଧିରେ ଧୋଇଯିବ ଛଦ୍ମବେଶ
ରାଜଜେମାର ଅନ୍ଧପୁଟୁଳି ଖସିପଡିଥିବ
ସେଇ ଦୂରରୁ ଦୃଶ୍ୟମାନ ଝିଲିମିଲି ସ୍ୱର୍ଣ୍ଣମହଲରେ
ଆଉ ଚେତା ଫେରିଲା ବେଳକୁ
ସେ ଜାବୁଡି ଧରିଥିବ ଏକ ରକ୍ତମୁଖା ନରରାକ୍ଷସକୁ।।

ସ୍ୱପ୍ନର ଗଣ୍ଠିଲି ଛିଡି ବିଛାଡି ହୋଇ ଯାଇଥିବ ସ୍ୱପ୍ନ
ପାଦକୁ ଭିଡି ନେଉଥିବ ଚୋରାବାଲି
ଖିନଭିନ୍ କରି ବିଦାରୁଥିବ ନରରାକ୍ଷସ
ନିର୍ମମ ନୃଶଂସ ଅତ୍ୟାଚାରରେ
ଲହୁଲୁହାଣ ହେଇଯାଇଥିବ ବିବେକ
ସୁନ୍ଦର ସବୁଜ ବନାନୀ ପାଲଟି ଯାଇଥିବ
ଦହନ ହେଇଥିବା ଖାଣ୍ଡବ ବନ
ତଉଲୁଥିବ ରାଜଜେମା
ଏ ନରରାକ୍ଷସର ହିଂସ୍ରତା ଆଉ ସେ
ଛଦ୍ମବେଶୀ ରାଜକୁମାରର ପ୍ରେମ।।
©ମୋନାଲିଶା💙 

Post a Comment

Post a Comment (0)

Previous Post Next Post
Free Shubhdristi App Download Now