ଆଜି ଘରୁ ବାହାରିବାକୁ ବହୁତ କଷ୍ଟ ଲାଗୁଛି। କୋହଲା ପବନ ସାଙ୍ଗକୁ ଖରା ର ଅନୁପସ୍ଥିତି ପୁରା ଶରୀର କୁ ଥରେଇ ଦେଉଛି।ମା ର ଏକା ଜିଦ୍ ପାଖ ବଜାରକୁ ଯାଇ କିଛି ପରିବା ଆଣିବାକୁ। ମୁଁ ବି ସଫା ସଫା କହିଦେଲି ଏ ହାଡ଼ଭଙ୍ଗା ଶୀତ ରେ ମୁଁ ଯାଇ ପାରିବି ନାହିଁ, ଯା କିଛି ଘରେ ଅଛି ତାକୁ ରୋଷେଇ କରି ଦେ। ମା କୋଉ ଛାଡିବା ଲୋକ। କହିଲା " ତତେ ତ ଏକା ଶୀତ ହେଉଛି ,ଏତେ ମୋଟା ର ଗୋଟେ ଜ୍ୟାକେଟ ପିନ୍ଧିଛୁ ତା ପରେ ବି ତତେ ଶୀତ। ଟିକେ ଯାଇ ଦେଖ୍ ସେ ଗାଁ ଶେଷମୁଣ୍ଡ ବରଗଛ ପାଖେ ଯୋଉ ଲୋକମାନେ ରହୁଛନ୍ତି ତାଙ୍କ ଛୁଆମାନେ କେମିତି ପୁଙ୍ଗୁଳା ଦେହରେ ଡିଆଁ ମାରୁଛନ୍ତି। ସବୁ ଶୀତ ତତେ।" ମା ର ଶୀତ ଭାଗବତ ଶୁଣି ମୁଁ ବାହାରିଲି ବଜାରକୁ। ବରଗଛ ପାରି ହେଲାବେଳେ ଦେଖିଲି ମା ଏକଦମ୍ ସତ କହୁଥିଲା। ସେ ଛୁଆମାନେ ପୁଙ୍ଗୁଳା ଦେହରେ ଖେଳରେ ମାତି ଯାଇଛନ୍ତି। ଲାଗୁଥିଲା ନିଜେ ଯେମିତି ଶୀତ ତାର କାକରଭିଜା ପଣତ ବିଛେଇ ଦେଇଛି। ମୁଁ ଆଜି ଶୀତ ର ଦୁଇଟି ରୂପ ଦେଖୁଥିଲି। ଗୋଟେ ମୋର ଦାମୀ ଜ୍ୟାକେଟ ଭିତରେ ଆଉ ଗୋଟେ ଏମାନଙ୍କ ପୁଙ୍ଗୁଳା ଦେହରେ। ମୋତେ ଏ ଶୀତଗୋଟେ ମା ପରି ଲାଗୁଥିଲା। ଆଉ ତାର ଏପରି ପକ୍ଷପାତିତା ଗୋଟେ ମା ର ସ୍ନେହ ପରି।
Post a Comment