ସାକ୍ଷାତକାର : ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ

ସାକ୍ଷାତକାର : ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ

Priyanka Sahani, Shubhdristi, Interview, Priyanka


ପ୍ରିୟଙ୍କା ସାହାଣୀ ଆଜିର ଯୁବପିଢି ପାଖରେ ଏକ ପରିଚିତ ନାମ । ବୃତ୍ତିରେ ସିନା ସେ ସଫ୍ଟୱେୟାର ଡେଭଲପର କିନ୍ତୁ ଚିତ୍ର ହେଉଛି ତାଙ୍କ ନିଶା । କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରି ଭୁବନେଶ୍ଵରରେ ବଢ଼ିଥିବା ପ୍ରିୟଙ୍କା ଆଜି ନିଜର ଚିତ୍ରକଳା ମାଧ୍ୟମରେ କେବଳ କେନ୍ଦ୍ରାପଡ଼ା କି ଭୁବନେଶ୍ୱର ନୁହେଁ ବରଂ ସାରା ରାଜ୍ୟ ତଥା ଦେଶ ପାଇଁ ଗୌରବର ପରିଚୟ । କାଗଜ ନୁହେଁ ପତ୍ର, ଫୁଲ, ପରିବା ସହ ନଖ, ବିସ୍କୁଟ ଆଦି ବିଭିନ୍ନ ବସ୍ତୁରେ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କି ବିଭିନ୍ନ ପ୍ରଶଂସା ସାଉଣ୍ଟିଛନ୍ତି ପ୍ରିୟଙ୍କା । ଏତେ କମ୍ ବୟସରୁ ନିଜର ଚିତ୍ର ମାଧ୍ୟମରେ ବିଭିନ୍ନ ସମ୍ମାନର ଅଧିକାରୀ ହେଉଛନ୍ତି ପ୍ରିୟଙ୍କା । ତେବେ ଶୁଭଦୃଷ୍ଟି ପରିବାର ତରଫରୁ ଯୁବ ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀଙ୍କୁ ଆମେ ପଚାରିଥିଲୁ କିଛି ପ୍ରଶ୍ନ


ପ୍ର. ଆପଣଙ୍କ ପିଲାବେଳ ଆଉ ପଢା ପଢି ବିଷୟରେ କିଛି କୁହନ୍ତୁ।

ଉ. ମୁଁ ପିଲାବେଳୁ ଶିଶୁ ମନ୍ଦିରରେ ପଢ଼ିଥିଲି। ପଢ଼ିବା ସହିତ ମୁଁ ବହୁତ୍ ପେଣ୍ଟିଂ କମ୍ପିଟିସନ୍ ବହୁତ୍ ଥର ଜିତିଛି। ମୁଁ ବହୁତ୍ ଜାଗାରେ ପେଣ୍ଟିଂ କମ୍ପିଟିସନ୍ ଜିତିଛି।ଦଶମ କ୍ଲାସ୍ ରେ ମୋର ଫାଷ୍ଟ ଡିଭିଜନ ହେଇଥିଲା। ମୋର ସ୍କୁଲ୍ ଲାଇଫ ବହୁତ୍ ଭଲ ଥିଲା।


ପ୍ର. ଆପଣଙ୍କ ବୃତ୍ତି ଇଞ୍ଜିନିୟରିଙ୍ଗରୁ ସମୟ କାଢି ଆର୍ଟ ପାଇଁ କେମିତି ସମୟ ଦିଅନ୍ତି ?

ଉ. ସମୟ କାଢ଼ିବା ମୋତେ ବହୁତ୍ କଷ୍ଟ ହୁଏ। ବେଳେବେଳେ ମୁଁ ରାତିରେ ନ ଶୋଇ ପେଣ୍ଟିଂ କରେ। ବହୁତ୍ ପରିଶ୍ରମ ବି ହେଇଥାଏ ହେଲେ ପେଣ୍ଟିଂ ଟି ସରିଲା ପରେ ଲୋକମାନେ ପେଣ୍ଟିଂ ଦେଖି ଯୋଉ ଭଲ ପାଇବା ଦିଅନ୍ତି ଖୁସି ଲାଗେ।

Priyanka Sahani, Shubhdristi, Interview, Priyanka


ପ୍ର. ପ୍ରାୟତଃ ଅନେକ ଚିତ୍ରଶିଳ୍ପୀ କାନଭାସ ରେ ଚିତ୍ର ଆଙ୍କନ୍ତି କିନ୍ତୁ ଆମେ ଦେଖିଛୁ ଆପଣ ବିଭିନ୍ନ ବସ୍ତୁ ଉପରେ ଚିତ୍ର ଆଙ୍କିଛନ୍ତି, ଏମିତି ସ୍ଵତନ୍ତ୍ର ଶୈଳୀରେ ଚିତ୍ର କରିବା ପ୍ରୟାସ ଆପଣଙ୍କୁ କୋଉଠୁ ମିଳିଲା ?

ଉ. ମୋତେ ସବୁବେଳେ କିଛି ଅଲଗା ଆଉ ଭିନ୍ନ କରିବାକୁ ଭଲଲାଗେ। ଲକ୍ ଡାଉନ୍ ସମୟରେ ଯେବେ ବାହାରକୁ ଯାଇ ହେଲେ ନାହିଁ କି କିଛି ଜିନିଷ କିଣିହେଲା ନାହିଁ ସେତେବେଳେ ମୁଁ ଏମିତି ପ୍ରୟାସ କଲି। ମୁଁ ବର୍ଜ୍ୟ ବସ୍ତୁରେ ବି ବହୁତ୍ କିଛି ତିଆରି କରିଛି। ମୁଁ ପଣସରେ ମଧ୍ୟ ଜଗନ୍ନାଥଙ୍କ ମୂର୍ତ୍ତି ତିଆରି କରିଛି। ଆଉ ମୋତେ ସର୍ବଦା ଚଲେଞ୍ଜିଂ ଜିନିଷ ପସନ୍ଦ। ମୁଁ ଫେସ୍ ଆର୍ଟ ମଧ୍ୟ କରିଛି। ନେଲ୍ ଆର୍ ମଧ୍ୟ କରିଛି। 


ପ୍ର. ଆପଣ ଚିତ୍ର ପାଇଁ କାହାକୁ ଆଦର୍ଶ ବୋଲି ମାନନ୍ତି ? ଆପଣଙ୍କ ପ୍ରେରଣା କିଏ ?

ଉ. ଛୋଟ ବେଳୁ ମୋତେ ବାପା ପେଣ୍ଟିଂ ଶିଖାଇଥିଲେ,ହେଲେ ଯଦି ପ୍ରେରଣା କହିବି ତେବେ ସୁଦର୍ଶନ ପଟ୍ଟନାୟକ ସାର୍ ମୋର ପ୍ରେରଣା ଅଟନ୍ତି। ସୁଦର୍ଶନ ସାର୍ ପ୍ରତ୍ୟେକଟି ଜିନିଷକୁ ଏତେ ସୁନ୍ଦର ଭାବରେ କରନ୍ତି ତାକୁ ଦେଖିଲେ ମୋତେ ବହୁତ୍ ଖୁସି ଲାଗେ। ସେ ଆନ୍ତର୍ଜାତୀୟ ସ୍ତରରେ ବହୁତ୍ ନାଁ କରି ସାରିଲେଣି। ଚିତ୍ର ପ୍ରତି ଥିବା ତାଙ୍କ ଭଲପାଇବାକୁ ଦେଖି ମୋତେ ବହୁତ୍ ଖୁସି ଲାଗେ।


ପ୍ର. ଆପଣଙ୍କ ଚିତ୍ର ପାଇଁ ଆପଣଙ୍କୁ କେବେ ଅଧିକ ପ୍ରଶଂସା ମିଳିଥିଲା? ଯାହାକୁ ଆପଣ ଜୀବନସାରା ମାନେ ରଖିବେ। 

ଉ. ଖାସ୍ କରି ମୋତେ ଧର୍ମେନ୍ଦ୍ର ସାର୍ ଯେବେ ତାରିଫ୍ କରିଥିଲେ ମୋତେ ବହୁତ୍ ଖୁସି ଲାଗିଥିଲା। ଯେତେବେଳେ ମୋର ନିଉଜ ଆସିଥିଲା ଜଗନ୍ନାଥଙ୍କ ଚିତ୍ର ଆଙ୍କିବା ସମୟରେ ମୋର ସେ ମୋତେ ବହୁତ୍ ପ୍ରଶଂସା କରିଥିଲେ । ଇଣ୍ଡୋନେସିଆ, ବାଂଲାଦେଶ ଲୋକଙ୍କଠାରୁ ବହୁତ୍ ପ୍ରଶଂସା ପାଇଥିଲି। ଆମ ଓଡ଼ିଶା ଲୋକ ବି ବହୁତ୍ ମେସେଜ କରିଥିଲେ ।ମୋତେ ଖୁସି ଲାଗେ ଯେତେବେଳେ ମୁଁ ମେସେଜ କାଢି ଦିଏ କି କିଛି ଚାଟ୍ କାଢି ଦିଏ ହଜାର ହଜାର ଲୋକଙ୍କର ମେସେଜ ଥାଏ। ଯେତେବେଳେ ମୋ ମନ ଭଲ ନଥାଏ ମୁଁ ବସି ସେ ମେସେଜ ସବୁ ଦେଖେ ଆଉ ମୋତେ ଖୁସି ଲାଗେ ।

Priyanka Sahani, Shubhdristi, Interview, Priyanka


ପ୍ର. ଆପଣଙ୍କ ଜୀବନରେ ଆପଣଙ୍କ ପରିବାରର ପ୍ରଭାବ କିପରି ରହିଛି ?

ଉ. ବହୁତ୍ ବେଶୀ ପ୍ରଭାବ ରହିଛି। ଯେତେବେଳେ ମୁଁ ପେଣ୍ଟିଂ ଷ୍ଟାର୍ଟ କଲି ମୋ ମା ଟିକେ ଟିକେ କହୁଥିଲା ଛୋଟବେଳୁ ଛାଡ଼ିଲିଣି ଏବେ ଆଉ ହବନି, ଘରେ ବି ସମସ୍ତେ କହିଲେ, ମୁଁ ଭାବିଲି ହଁ ବୋଧେ ହବନି, ତା ପରେ ଧୀରେ ଧୀରେ କଲି ଆଉ ଲୋକଙ୍କଠୁ ପ୍ରଶଂସା ପାଇଲି।ମୁଁ ରାତିରେ ବସି ପେଣ୍ଟିଂ କରିବା ଟାଇମରେ ମୋତେ ଆମ ଘରେ କେହିବି ଡିଷ୍ଟର୍ବ କରନ୍ତିନି।


ପ୍ର. ଯଦି ଆପଣଙ୍କୁ ଚିତ୍ର ଆଉ ଇଞ୍ଜିନୟରିଙ୍ଗ୍ ମଧ୍ୟରୁ କାହାକୁ ଗୋଟେ ବାଛିବାକୁ ପଡ଼ିବ ତେବେ ଆପଣ କାହାକୁ ବାଛିବେ। 

ଉ. ମୁଁ ଚିତ୍ରକୁ ହିଁ ବାଛିବି। ଏମିତି ନୁହେଁ ଯେ ମୁଁ ଲୋକମାନଙ୍କଠୁ ପ୍ରଶଂସା ପାଇବାକୁ ଚିତ୍ର କରୁଛି। ମୋ ପାଇଁ ମୋ ଆତ୍ମା ଯେମିତି ଚିତ୍ର ମଧ୍ୟ ସେମିତି।


ପ୍ର. ସାଧାରଣତଃ ଆପଣଙ୍କୁ କେଉଁ ପ୍ରକାର ଚିତ୍ର କରିବାକୁ ଭଲ ଲାଗେ ?

ଉ. ମୋତେ ସବୁ ପ୍ରକାର ଚିତ୍ର କରିବାକୁ ଭଲ ଲାଗେ । କିନ୍ତୁ ମୁଁ ଟ୍ରାଡିସନାଲ୍ ଆର୍ଟ ରୁ ଆରମ୍ଭ କରିବି କାରଣ ସେ ଜିନିଷ ସାହାଯ୍ୟରେ ଆମ ସଂସ୍କୃତି, କଳା ଓ ପରମ୍ପରାକୁ ନେଇ ଆମେ ବହୁତ୍ ଆଗକୁ ମଧ୍ୟ ଯାଇପାରିବା। 


ପ୍ର. ଚିତ୍ରକୁ ନେଇ ଆପଣଙ୍କର ଆଗକୁ କଣ ଲକ୍ଷ୍ୟ ରହିଛି ?

ଉ. ଚିତ୍ରକୁ ନେଇ ବହୁତ୍ କିଛି ଲକ୍ଷ୍ୟ ରହିଛି। ଯେଉଁ ଜିନିଷରେ ସବୁ ଚିତ୍ର କରିହବନି ବୋଲି ଲୋକମାନେ ଭାବୁଛନ୍ତି ମୁଁ ସେହି ସବୁରେ ଚିତ୍ର କରିବି। କମ୍ ବଜେଟ୍ ରେ ଲୋକମାନେ କିପରି ପେଣ୍ଟିଂ କରିପାରିବେ। ଆମ ଓଡ଼ିଆ କଳା ସଂସ୍କୃତିକୁ ମୁଁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ଚାହୁଁଛି। ସବୁ ଦେଶକୁ ଯାଇ ମୁଁ ଜଗନ୍ନାଥଙ୍କ ଚିତ୍ର ଆଙ୍କିବି ।ମୋର ବହୁତ୍ ବଡ଼ ସ୍ଵପ୍ନ ଅଛି ଜଗନ୍ନାଥଙ୍କ ସଂସ୍କୃତିକୁ ଆଗକୁ ନେବାକୁ ।


ପ୍ର. ଚିତ୍ର ବ୍ୟତୀତ ଆପଣଙ୍କୁ ଆଉ କଣ କରିବାକୁ ଭଲ ଲାଗେ ? 

ଉ. ମୁଁ ବଂଶୀ ବଜାଏ ଆଉ ରୋଷେଇ କରିବା ପାଇଁ ମଧ୍ୟ ଭଲ ଲାଗେ। ମୁଁ ଲେଖା ଲେଖି ମଧ୍ୟ କରେ ୨୦ଟି ଆନ୍ଥୋଲୋଜି ବୁକ୍ (ସଂକଳନ) ପ୍ରକାଶିତ ହେଇ ସାରିଛି। ମୋ ବାପା ବହୁତ୍ ବଢିଆ ଲେଖା ଲେଖି କରନ୍ତି। ମୋତେ ବହୁତ୍ ଭଲ ଲାଗେ ଲେଖାଲେଖି କରିବା ପାଇଁ। ମୋ ବାପା ଯେଉଁ ଜିନିଷ ସବୁ ଚାହୁଁଥିଲେ ତାଙ୍କ ଜବ୍ ପାଇଁ ଯାଇପାରିଲେ ନାହିଁ। ମୁଁ ସେ ସବୁକୁ ନେଇ ମୁଁ ଏକ ଅଲଗା ସ୍ତରରେ ପହଞ୍ଚାଇବା ପାଇଁ ଚାହେଁ।

Priyanka Sahani, Shubhdristi, Interview, Priyanka


ପ୍ର. ଅନେକ ନୂତନ ପ୍ରତିଭା ଚିତ୍ରଦିଗରେ ଆସିବାକୁ ଚାହୁଁଛନ୍ତି ସେମାନଙ୍କୁ ଆପଣ କଣ କହିବେ ?

ଉ. ମୁଁ ସେମାନଙ୍କୁ ଏତିକି କହିବି ଯେ ଆପଣ ଯେତେବେଳେ ପେଣ୍ଟିଂ କରୁଛନ୍ତି ଆପଣଙ୍କ ମାଇଣ୍ଡ ରେ ଥିବା କ୍ରିଏଟିଭିଟିକୁ ଆପ୍ଲାଏ କରନ୍ତୁ। କାହାକୁ ଦେଖିକି କରନ୍ତୁ ନାହିଁ। ଯଦି ଦେଖିକି କରୁଛନ୍ତି ତାକୁ ଏକ ନୂତନ ଶୈଳୀରେ ପ୍ରକାଶ କରନ୍ତୁ। ପୁରା କପି କରନ୍ତୁ ନାହିଁ ।


ପ୍ର. ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ଚିତ୍ର ମାଧ୍ୟମରେ କିଛି କରିପାରିବା କି ? 

ଉ. ନିହାତି କରିହେବ। ମୋର ଆଗକୁ ପ୍ରୋଜେକ୍ଟ ଅଛି ଓଡ଼ିଆ ଭାଷାକୁ ନେଇ ମୁଁ ବହୁତ୍ ବଡ଼ ଗୋଟେ ଜିନିଷ କରିବାର ଅଛି। ଓଡ଼ିଆ ଭାଷା ପାଇଁ ଆମେ କିଛି କହିଲେ ଲୋକମାନେ ବୋର୍ ହେଇ ଯାଆନ୍ତି। ଯଦି ଆମେ ତାକୁ ଚିତ୍ର ମାଧ୍ୟମରେ ପରିବେଷଣ କରିବା ଲୋକମାନଙ୍କୁ ତାହା ଏଣ୍ଟରଟେନିଙ୍ଗ ଲାଗିବ। ଲୋକମାନେ ଖୁସି ହୋଇ ଯିବେ। ଚିତ୍ର ଦ୍ଵାରା ଆମେ ଓଡ଼ିଆ ଭାଷାକୁ ଆହୁରି ଆଗକୁ ନେଇ ପାରିବା। କାହିଁକି ନା ଲୋକମାନେ ଚିତ୍ରକୁ ବହୁତ୍ ଭଲ ପାଆନ୍ତି। ହଁ କିନ୍ତୁ ଚିତ୍ର ମାଧ୍ୟମରେ ଓଡ଼ିଆ ଭାଷାକୁ ଆଗକୁ ନେବା ପାଇଁ କିଛି ସମୟ ଲାଗିବ।


ଏଇ ସାକ୍ଷାତକାର ପାଇଁ ନିଜର ସମୟ ଦେଇ ଥିବାରୁ ଶୁଭଦୃଷ୍ଟି ପରିବାର ତରଫରୁ ପ୍ରିୟଙ୍କାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।


Post a Comment

Post a Comment (0)

Previous Post Next Post
Free Shubhdristi App Download Now