ସାକ୍ଷାତକାର : ଆରଜେ ଭିଜେ ଦମ୍ପତ୍ତି କେ ପି ଓ ଗୁଡ୍ଡି

ସାକ୍ଷାତକାର : ଆରଜେ ଭିଜେ ଦମ୍ପତ୍ତି କେ ପି ଓ ଗୁଡ୍ଡି

Shubhdristi interview


କେ ପି ଓ ଗୁଡ୍ଡି ଆଜିର ଓଡିଆ ଦର୍ଶକଙ୍କ ମଧ୍ୟରେ ଏକ ଲୋକପ୍ରିୟ ନାମ । ବୋଧହୁଏ କୈଳାସ ପାତ୍ର ଆଉ ୠତୁପର୍ଣ୍ଣା ମହାପାତ୍ର କହିଲେ ଲୋକ ତାଙ୍କୁ ଠିକ୍ ସେ ଜାଣିନପାରନ୍ତି। ରେଡ଼ିଓ ଚକୋଲେଟ୍ ର “କଲାମନ୍ଦିର ଗୀତମାଳା” ରୁ ଆରମ୍ଭ କରି ନ୍ୟୁଜ୍ ସେଭେନ ର "ବ୍ରେକଫାଷ୍ଟ ଓଡ଼ିଶା" ପରି ଶୋ ମାଧ୍ୟମରେ ସେ ଆଜି ଓଡ଼ିଶାର ଘରେ ଘରେ ପରିଚିତ। ତାଙ୍କ ଉପସ୍ଥାପନାରେ ରେଡ଼ିଓ ଓ ଟିଭିରେ ଅନେକ କାର୍ଯ୍ୟକ୍ରମ ଅନେକ ପ୍ରଶଂସିତ ହୋଇଛି। ନିଜକୁ କେବଳ ଉପସ୍ଥାପନାରେ ବାନ୍ଧି ନ ରଖି ବିଭିନ୍ନ ମ୍ୟୁଜିକ ଭିଡ଼ିଓ, ୱେବ ସିରିଜ, ଥିଏଟର ଓ ସିରିଏଲ ମାଧ୍ୟମରେ ନିଜ ବଳିଷ୍ଠ ଅଭିନୟର ପ୍ରମାଣ ଦେଇଛନ୍ତି କେ ପି ଓ ଗୁଡ୍ଡି। 

ତେବେ ଶୁଭଦୃଷ୍ଟି ପରିବାର ତରଫରୁ ଓଡିଆ ମନୋରଞ୍ଜନ ଜଗତର ଏହି ଦମ୍ପତିଙ୍କୁ ଆମେ ପଚାରିଥିଲୁ କିଛି ପ୍ରଶ୍ନ


ପ୍ରଶ୍ନ : ଆପଣଙ୍କ ପିଲାବେଳ ବିଷୟରେ ପାଠକମାନଙ୍କୁ କିଛି ସୂଚନା ଦିଅନ୍ତୁ ?

କେ ପି : ମୋର ଜନ୍ମ, ପିଲାବେଳ, ପାଠପଢ଼ା ସବୁ ରାଉରକେଲାରେ କଟିଛି। ଚାକିରୀ କରିବାପାଇଁ ମୁଁ ଭୁବନେଶ୍ୱର ଆସିଲି। ପିଲାବେଳେ ମୁଁ ପାଠପଢା, ଖେଳକୁଦ ସବୁଥିରେ ଭଲ ଥିଲି। ସ୍କୁଲରେ ଗୋଟେ ଜଣାଶୁଣା ଚେହେରା ଥିଲି। ମୋଟାମୋଟି କହିବାକୁ ଗଲେ ମୋର ପିଲାବେଳ ସାଙ୍ଗମାନଙ୍କ ଗହଣରେ କଟିଥିଲା। 

ଗୁଡ୍ଡି : ଯେହେତୁ ମୁଁ ବାପାମାଆଙ୍କ ର ଗୋଟେ ବୋଲି ଝିଅ ତ ମୁଁ ବହୁତ୍ ଗେହ୍ଲୀ ଥିଲି ଆଉ ବହୁତ୍ ମାଡ ବି ଖାଇଥିଲି। ମୁଁ ପିଲାବେଳେ ପାଠପଢା, ଗୀତ, ନୃତ୍ୟ, ଖେଳକୁଦ ସବୁଥିରେ ଭଲ ଥିଲି। ପାପା ବାହାରେ ଚାକିରୀ କରୁଥିଲେ ତ ମୋ ମମି ମୋତେ ନେଇକି ବହୁତ୍ ପଜେଶିଭ ଥିଲେ। ମୁଁ ଦଶମରେ ପଢିବା ବେଳେ ମୋତେ ପ୍ରଥମେ ଆଲବମ୍ ରେ ସୁଯୋଗ ମିଳିଥିଲା। ମୁଁ ଫିଲ୍ମର ଡାଇଲୋଗ ଅନୁସାରେ ପ୍ରତ୍ୟେକ କାମ କରୁଥିଲି ସେ ଅଭ୍ୟାସଟା ଏବେ ବି ରହିଯାଇଛି ଯେ ମୋର ପ୍ରତ୍ୟେକ କାମ ସମୟରେ ଟିଭି ଆଉ ରେଡିଓ ଅନ୍ ଥାଏ। ଟିଭି ଦେଖିବା, ରେଡ଼ିଓ ଶୁଣିବା, ଗପବହି ପଢିବା, ମମିଠୁ ଗପ ଶୁଣିବା, ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ସବୁକୁ ନେଇ ମୋ ପିଲାବେଳ କଟିଥିଲା। ପ୍ରାୟତଃ ଦେଖିବାକୁ ଗଲେ ମୋ ଲାଇଫ ଏଣ୍ଟରଟେନମେଣ୍ଟ ସହ ଜଡ଼ିତ ଥିଲା ଆଉ ଏବେ ମୁଁ ସେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ କାମ କରୁଛି। 

ପ୍ରଶ୍ନ : ଆପଣଙ୍କୁ ପ୍ରଥମେ ଦଶମ ସମୟରେ ଯେଉଁ କାମ ମିଳିଥିଲା, କିପରି ମିଳିଥିଲା ସେ ବିଷୟରେ କଣ କହିବେ?

ଗୁଡ୍ଡି : ଆମେ ଗୋଟେ ଗ୍ରୁପ୍ ପିଲା ଡିଡି ନ୍ୟାସନାଲ ର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଭାଗ ନେବା ଯାଇଥିଲୁ। ସେତେବେଳେ ଛୋଟ ଥିଲୁ ଆମମାନଙ୍କ ସାଙ୍ଗରେ ଆମ ମମି ମାନେ ଥିଲେ। ସେଠି ଆମକୁ କହିଲେ ତୁମେମାନେ ଭଲ ନାଚୁଛ ଆଉ ଆଲବମ୍ ରେ କାମ କରିବାର ସୁଯୋଗ ଦେଲେ। ପ୍ରଥମେ ଗୋଟେ ଭଜନ ସୁଟ ହେଲା ତା ପରେ ମୋର ପ୍ରଥମ ଆଲବମ୍ "ଅବୁଝା ରୂପସୀ" ଅନୁଭବ ଭାଇଙ୍କ ସହ ସୁଟ୍ ହେଲା। ସେତେବେଳେ ଗୋଟିଏ ଲୋକେସନ୍ ରେ ଏକାବେଳେ ଗୀତର ଅନେକ ପାର୍ଟ ସୁଟିଂ ହେଉଥିଲା ଆଉ ସେ ଆଲବମ୍ ର ୭ଦିନ ସୁଟ ଚାଲିଥିଲା। ସେତେବେଳେ ବବି ଭାଇଙ୍କ ସହ ମୁଁ ଫର୍ଷ୍ଟ ଟାଇମ୍ କାମ କରିଥିଲି "ଏଇ ଛୋଟିଆ ଘରଟି ମୋର" ଗୀତରେ, ସେ ଗୀତରେ ପ୍ରଥମ ଥର ମୁଁ ଗୋଟେ ନାଇଟ ସୁଟ୍ କରିଥିଲି। ସେତେବେଳେ ବବି ଭାଇ ଆଲବମ୍ ରେ ସୁପରଷ୍ଟାର ଥିଲେ,ବହୁତ ଆଲବମ୍ କରିସାରିଥିଲେ। ମୁଁ ତାଙ୍କୁ ଦେଖିକି, ହାତ ଧରିକି କଣ ଏକ୍ସପ୍ରେସନ ଦେବି ଡରିଯାଇଥିଲି। ପୁର୍ବରୁ ବି କେବେ ପୁଅ ପିଲାଙ୍କ ସହ ସେମିତି ଆକ୍ଟ କରିନି ଏସବୁ ଭାବି ମୁଁ କାନ୍ଦିପକାଇଥିଲି, ସେତେବେଳେ ସ୍ବର୍ଗତ ସରୋଜ ଶତପଥୀ ସାର୍ ଏସବୁରୁ ମୋତେ ଡାଇଭର୍ଟ କରିଥିଲେ। 

ପ୍ରଶ୍ନ : ଏବେ ଟିକେ ବ୍ୟକ୍ତିଗତ ଜୀବନକୁ ନେଇ ପ୍ରଶ୍ନ, ଦୁଇ ଜଣଙ୍କ ମଧ୍ୟରେ ପ୍ରେମ କେମିତି ହୋଇଥିଲା ?

କେ ପି : ପ୍ରେମ, ସେମିତିରେ କହିବାକୁ ଗଲେ ଆଜିଯାଏଁ ଆମ ଦୁଇଜଣଙ୍କ ଭିତରେ ହେଇନି। ପ୍ରଥମେ ମୁଁ ରେଡ଼ିଓ ଚକୋଲେଟ୍ ରେ ଥିବାବେଳେ ମୁଁ ତାର ଇଣ୍ଟରଭ୍ୟୁ ନେଇଛି। ତାପରେ ଆମେ ଏକାଠି କାମ କଲୁ, କାମ କରିବା ଭିତରେ ଲୋକ କହିଲେ ହଁ ଏ ଯୋଡି ବହୁତ୍ ଭଲ। ତା ପରେ ଆମେ ବାହାହେଇଗଲୁ। 
ଯେତେବେଳେ ଆମେ ଦୁଇଜଣ ଷ୍ଟ୍ରଗଲ କରୁଥିଲୁ ଆମର ପ୍ରଥମ ଦେଖା ହୋଇଥିଲା ଗୋଟେ ଚ୍ୟାନେଲ ଇଣ୍ଟରଭ୍ୟୁରେ ମୁଁ ମାର୍କ କରିନଥିଲି କିନ୍ତୁ ଗୁଡ୍ଡି ମୋତେ ଦେଖିଥିଲା ବୋଲି ରେଡ଼ିଓ ଚକଲେଟ୍ ରେ କାମ କରିବା ବେଳେ କହିଥିଲା। ଗୁଡ୍ଡି ରେଡ଼ିଓ ଚକଲେଟ୍ ଜଏନ କଲାପରେ ଆମେ ଦୁହେଁ ଗୋଟେ ଶୋ କରିଥିଲୁ "କଲାମନ୍ଦିର ଗୀତମାଳା", ସେତେବେଳେ ସେ ଶୋ ବହୁତ୍ ପପୁଲାର ହୋଇଥିଲା। ସେତେବେଳେ ଶୋ କୁ ଆସୁଥିବା ମେସେଜର ଅଧାରୁ ଅଧିକ ମେସେଜ ଥିଲା କେ ପି ଓ ଗୁଡ୍ଡିଙ୍କ ଯୋଡି ବହୁତ୍ ସୁନ୍ଦର୍। ସେଇ ଲୋକପ୍ରିୟତା ଦେଖିକି ଚ୍ୟାନେଲ ଆମକୁ ଗୋଟେ ନୂଆ ଶୋ କରିବାକୁ ଦେଲା। ତା ପରେ ଭାବିଲି ସୁନ୍ଦର ଝିଅ ପଟେଇବାକୁ ଚେଷ୍ଟା କରିବା। ୟା ଭିତରେ ଗୁଡ୍ଡିକୁ ପଟେଇବାକୁ ମୋତେ ୫ ବର୍ଷ ଲାଗିଗଲା। ତା ଭିତରେ ରାଗରୁଷା, ଅଭିମାନ, ଭଲପାଇବା ସବୁ ଚାଲିଥିଲା। 
kp & guddi


ପ୍ରଶ୍ନ : ଗୁଡ୍ଡି ରାଗିଲା ବେଳେ ଆପଣ କିପରି ମନାନ୍ତି?

କେ ପି : ଅନେକ କୁହନ୍ତି ଫୁଲ ଦେଇ କିମ୍ବା ଗିଫ୍ଟ ଦେଇ ମନେଇଦିଅନ୍ତି କିନ୍ତୁ ମୁଁ ବିଲକୁଲ ମନାଇପାରେନି, ମୁଁ ତ କହିବି ସ୍ତ୍ରୀ ଲୋକଙ୍କୁ ମନେଇବା ଭାରି କଷ୍ଟ। କିନ୍ତୁ ଯାହା ବି ହେଉ କଥା କଥାରେ ପୁଣି ବୁଝାମଣା ହେଇଯାଏ। 

ପ୍ରଶ୍ନ : ଓଡ଼ିଶାର ପ୍ରଥମ ଆରଜେ ଭିଜେ ଦମ୍ପତ୍ତି ଏଇ କଥା ଆପଣଙ୍କୁ କେମିତି ଲାଗେ?

କେ ପି : ବହୁତ ଖୁସି ଆଉ ପ୍ରାଉଡ ଫିଲ୍ ହୁଏ। ଆରଜେ ଭିଜେ କପଲ୍ ହିସାବରେ ଲୋକଙ୍କ ଭଲପାଇବା ମଧ୍ୟ ବହୁତ ଖୁସି ଦିଏ। ଆମର ଦର୍ଶକ ତଥା ଶ୍ରୋତାଙ୍କ ନିକଟରେ କିନ୍ତୁ ଆମ ସବୁବେଳେ ଆମ ପର୍ସନାଲ୍ ଆଉ ପ୍ରଫେସନାଲ ଲାଇଫ କୁ ଅଲଗା କରି ଦେଖାଇଛୁ। ଆମେ ଝଗଡ଼ା ଲାଗିକି ଯାଇ ମଧ୍ୟ ଶୋ କରିଛୁ କିନ୍ତୁ ଆମ ରାଗରୁଷା କେବେ ଲୋକଙ୍କୁ ଜାଣିବାକୁ ଦେଇନୁ। 

ପ୍ରଶ୍ନ : ପ୍ରଥମ ଓଡିଆ ରୋମ୍ କମ୍ ୱେବ୍ ସିରିଜ୍ "ଲଭ୍ ରେସିପି" ରେ କାମ କରିବାର ଅନୁଭୂତି କିଛି ପାଠକଙ୍କୁ ଜଣାନ୍ତୁ। 

କେ ପି : "ଲଭ୍ ରେସିପି" ରେ କାମ କରିବା ବେଳର ଅନୁଭୂତି ବହୁତ ବଢିଆ ଥିଲା। ଆମେ ସେତେବେଳେ ଗୋଟେ କମ୍ପାନୀ ସହ ଚୁକ୍ତିବଦ୍ଧ, ସେଠି ଆଠ ଘଣ୍ଟା କାମ କରିକି ଆସି ଟିକେ ଫ୍ରେସ୍ ହୋଇ ରାତି ୯ଟାରୁ ସକାଳ ୫ଟା ଯାଏଁ ସୁଟିଂ "ଲଭ୍ ରେସିପି" ର ସୁଟ କରୁ। ଆଉ ପୁଣି ୫ଟାରେ ଆସି ଫ୍ରେସ୍ ହୋଇ ସକାଳୁ ପୁଣି "ବ୍ରେକଫାଷ୍ଟ ଓଡ଼ିଶା" ପାଇଁ ସୁଟ୍ କରୁ। ତା ପରେ ପୁଣି ଅଫିସ୍ କାମ ସାରି ୨-୩ ଘଣ୍ଟା ରେଷ୍ଟ କରି ପୁଣି ସେଟ୍ କୁ ଯାଉଥିଲୁ। ଆମକୁ ସେତେବେଳେ କମ୍ ସମୟରେ ସାରିବାର ଥିଲା, ବଜେଟ୍ ବି କମ୍ ଥିଲା। ମୁଁ ଟିକେ ନର୍ଭସ ଥିଲି ଏକା ସାଙ୍ଗରେ ତିନି ତିନି ଜଣ ହିରୋଇନଙ୍କ ସହ କାମ କରିବା ଆଉ ନିଜ ସ୍ତ୍ରୀ ସାମନାରେ ଥିବାବେଳେ ଅନ୍ୟ ଝିଅଙ୍କ ସହ ଅଭିନୟ କରିବା ବହୁତ କଷ୍ଟ ଥିଲା। ପୁରା ରାତି ସୁଟିଂ କରିବା ବିଲକୁଲ ସହଜ ନୁହେଁ, ଅନ୍ୟ ସମସ୍ତ କଳାକାର, ଟେକନିସିଆନ, ଏଵଂ ଅନ୍ୟ ସଦସ୍ୟମାନେ କେବଳ ଆମ ଦୁଇଜଣଙ୍କ ପାଇଁ ରାତି ସାରା ସେଟରେ ରହୁଥିଲେ। ଆମେ ସେଟରେ ଗୋଟେ ପରିବାର ଭଳି କାମ କରୁଥିଲୁ। 

ଗୁଡ୍ଡି : ମୁଁ ତା ପୂର୍ବରୁ ଆଲବମ୍ ଆଉ ସିରିଏଲ୍ କରିଛି। ତା ପୂର୍ବରୁ ଆମେ ବହୁତ ଗୁଡ଼ାଏ ଶୋ ଏକାଠି କରିବା ଭିତରେ ଆମ ଦୁଇଜଣଙ୍କୁ ନେଇ ଭାଗବତ ଭାଇ ୱେବ୍ ସିରିଜ ପ୍ଲାନ୍ କଲେ। ସନ୍ଧ୍ୟା ସାତଟା ପରେ ସୁଟିଂ ଆଉ ଶନିବାର ରବିବାର ଅପରାହ୍ନରୁ ପୁରା ରାତି ସୁଟିଂ ହେଉଥିଲା। ପ୍ରଥମେ ପ୍ରଥମେ କାମ ଭିତରେ ଏସବୁ ପାଇଁ ସମୟ ବାହାର କରିବା ବିରକ୍ତ ଲାଗୁଥିଲା କିନ୍ତୁ ଯେତେବେଳେ ସୁଟିଂ ସରିଗଲା ସେଇ ମାହୋଲ୍ କୁ ବହୁତ ମିସ୍ କଲି। ଆମର ଯେଉଁ ଟିମ୍ ଥିଲୁ ସମସ୍ତେ ନୂଆ ସମସ୍ତେ ସବୁ କାମ କରୁଥିଲୁ। ସେଥିରେ ଯେଉଁ ବାହାଘର ଭିଡ଼ିଓ ଦେଖିବେ ସେଇଟା ଆମର ରିଅଲ ବାହାଘର ଭିଡ଼ିଓ। 

ପ୍ରଶ୍ନ : ବହୁତ୍ ଦିନ ହେବ ଆପଣ ଦୁଇଜଣ "ବ୍ରେକଫାଷ୍ଟ ଓଡ଼ିଶା" ଶୋ କରିଆସୁଛନ୍ତି, ତାକୁ ନେଇ ଆପଣ କଣ କହିବେ। 

କେ ପି : ମୁଁ ଆଉ ଗୁଡ୍ଡି ଆମେ ଦୁହେଁ ଆମ କାମକୁ ବହୁତ ଭଲପାଉ। "ବ୍ରେକଫାଷ୍ଟ ଓଡ଼ିଶା" ଆମ ଦୁଇଜଣଙ୍କ ପାଇଁ ବହୁତ ସ୍ପେଶଲ୍। ପ୍ରତିଦିନ ଜଣେ ନୂଆ ଲୋକଙ୍କୁ ଭେଟିବା ଆଉ ଏଥିରେ ସାଢେ଼ ଛଅ ବର୍ଷରୁ ଅଧିକ ସମୟ ହେବା ବୋଧହୁଏ ଓଡିଆ ଟେଲିଭିଜନ ଇତିହାସରେ ସବୁଠାରୁ ଲମ୍ବା ଟକ୍ ଶୋ। ଆମକୁ ଲାଗେ ଆମେ ଯେପରି "ବ୍ରେକଫାଷ୍ଟ ଓଡ଼ିଶା" ବୋଲି ନାଆର ନାଉରୀ, ନାଆ କୂଳରେ ଲଗାଇବା ପରି ଅତିଥିମାନଙ୍କ ବିଷୟରେ ଦର୍ଶକଙ୍କ ପାଖରେ ପହଞ୍ଚାଇବା ଆମର ପ୍ରଥମ ଲକ୍ଷ୍ୟ। 

ପ୍ରଶ୍ନ : ଆରମ୍ଭରୁ ଏପର୍ଯ୍ୟନ୍ତ ଆପଣ ଦୁହେଁ ଥିଏଟର, ୱେବ୍ ସିରିଜ, ଆଲବମ୍ ଆଉ ଉପସ୍ଥାପନା (ଆଙ୍କରିଂ) ପରି ଅନେକ କ୍ଷେତ୍ରରେ କାମ କରିଛନ୍ତି, ଏ ସବୁ ମଧ୍ୟରୁ ଆପଣଙ୍କୁ କେଉଁଥିରେ ଅଧିକ ମଜା ଲାଗେ ଆଉ ନୂଆ ଜିନିଷ ଶିଖିବାକୁ ମିଳେ?

କେ ପି : ସତ କଥା କହିବାକୁ ଗଲେ ସବୁଥିରୁ ଶିଖିବାକୁ ମିଳେ। ମୁଁ ଓଡିଶା ତଥା ଓଡିଶା ବାହାରେ ବହୁତ ଥିଏଟରରେ ଅଭିନୟ କରିଛି ଏବଂ ଜାତୀୟ ସ୍ତରରେ ପୁରସ୍କୃତ ମଧ୍ୟ ହୋଇଛି। ମୋର ଥିଏଟର ସମୟର ଯାତ୍ରା ବହୁତ ମେମୋରେବଲ୍ ଥିଲା। ସନ୍ଧ୍ୟାରେ ଯେତେବେଳେ ସାଙ୍ଗମାନେ ଖଟି, ଭୋଜି ଏସବୁ କରନ୍ତି ମୁଁ ସେତେବେଳେ ସନ୍ଧ୍ୟା ସମୟରେ ଥିଏଟର ରିହରସାଲରେ ଥାଏ। ଉପସ୍ଥାପନା ରେ ମୁଁ ଭାବେ ନିଜର କ୍ରିଏଟିଭିଟି ଆଉ ପ୍ରେସେନ୍ସ ଅଫ ମାଇଣ୍ଡ ଦରକାର। ଅଭିନୟ ରେ ନିର୍ଦ୍ଦେଶକ ଥାଆନ୍ତି ଆମକୁ ତାଙ୍କ ଅନୁସାରେ ମଞ୍ଚରେ ହେଉ କିମ୍ବା ସେଟରେ ଅଭିନୟ କରିବାକୁ ପଡ଼ିଥାଏ। ମୁଁ ଅଭିନୟ ସମୟରେ ଯାହା ଶିଖିଥିଲି ସେ ସବୁ ମୋତେ ଆଙ୍କରିଂ ସମୟରେ ବହୁତ ସହଯୋଗ କରିଛି। ଆଉ ଶିଖିବାର କଥା ଯଦି ଆସେ ତେବେ ଆଙ୍କରିଂ ରେ ପ୍ରତ୍ୟେକଦିନ ବିଭିନ୍ନ ନୂଆ ଲୋକଙ୍କ ସହ ମିଶିବା, ନୂଆ ନୂଆ ବିଷୟ ଲୋକଙ୍କ ପାଖରେ ଉପସ୍ଥାପନ କରିବା ଏସବୁରୁ ମୋତେ ବହୁତ୍ କିଛି ଶିଖିବାକୁ ମିଳେ। କୌଣସି ଜିନିଷ ସହଜ ନୁହେଁ, ପ୍ରତିଦିନ ଦର୍ଶକ କିଛି ନୂଆ କଥା, ନୂଆ ଶବ୍ଦ, ନୂଆ ଆଭାସ ଖୋଜନ୍ତି। ତା ଭିତରେ ଟିକେ ହଜିବାକୁ ପଡେ ଆଉ ମୁଁ ସେ ସବୁକୁ ଏଞ୍ଜୟ୍ କରେ। 

ଗୁଡ୍ଡି : ମୋତେ ମାଇକ ଆଗରେ କହିବାକୁ ଭଲଲାଗେ। ସେ ଟିଭି, ରେଡ଼ିଓ, ମଞ୍ଚ କିମ୍ବା ଡବିଙ୍ଗ କଥା କୁହନ୍ତୁ ମୁଁ ଉପସ୍ଥାପନା କରିବାକୁ ଭଲପାଏ। ମୁଁ ଅନ୍ୟମାନଙ୍କ ପାଇଁ ଡବିଙ୍ଗ କରିବାରେ ଏଞ୍ଜୟ କରେ କିନ୍ତୁ ଏବେ " ଓୟେ ଗୀତାର" ଫିଲ୍ମ ସମୟରେ ନିଜ ପାଇଁ ଡବିଙ୍ଗ କରିବା ଟିକେ କଷ୍ଟ ଥିଲା। ଖାଲି ଆଙ୍କରିଂ ନୁହେଁ ପୂରା ଉପସ୍ଥାପନା କରିବାକୁ ମୋତେ ବହୁତ ଭଲଲାଗେ। 

ପ୍ରଶ୍ନ : ଆପଣ କାହାକୁ ନିଜର ଆଦର୍ଶ ବୋଲି ମାନନ୍ତି ବା କାହାଠୁ ଆପଣଙ୍କୁ ପ୍ରେରଣା ମିଳିଛି?

କେ ପି : ଆଦର୍ଶ ବୋଲି କହିଲେ ମୁଁ ଅମିନ ସୟାନୀଙ୍କୁ ବହୁତ ଫଲୋ କରେ। ତାଙ୍କର କିଛି କ୍ୟାସେଟ୍ ଏବେ ବି ମୁଁ ଶୁଣେ ଆଉ ଯଦି ଆକ୍ଟିଂ କଥା କହିବେ ମୁଁ ଓମ୍ ପୁରୀଙ୍କୁ ଫଲୋ କରେ। ଥିଏଟର ରେ ସତ୍ୟଭାଇ, କୈଳାସ ଭାଇ ଏମାନଙ୍କ ସହ କାମ କରିବା ବେଳେ ମଧ୍ୟ ଅନେକ ପ୍ରେରଣା ମିଳିଛି।

ଗୁଡ୍ଡି : ପିଲାବେଳୁ ମୁଁ ସବୁବେଳେ ଟିଭି ଆଉ ରେଡ଼ିଓ ଭିତରେ ହିଁ ମଜ୍ଜି ରହୁଥିଲି। ମୁଁ ବି ଅମିନ ସୟାନୀଙ୍କୁ ବହୁତ ଫଲୋ କରେ। ମୋର ଜଣେ ଅଙ୍କଲ ଥିଲେ ଶରତ ଅଙ୍କଲ୍ ସେ ମୋର ଷ୍ଟେଜ ଫିୟର ଦୂର କରିଥିଲେ, ମୋତେ ମାଇକ ଧରିବା ଶିଖାଇଥିଲେ। ଏବେ ବି ମୁଁ କାହାକୁ ହଠାତ୍ ଚାହିଁ କିଛି କହିପାରେନା ମୁଁ ପ୍ରଥମେ କର୍ଣ୍ଣରର ମୁଣ୍ଡକୁ ଦେଖେ ଓ ତା ପରେ କହେ। ଆଉ ଟେକ୍ନିକାଲ କଥା ଦେଖିଲେ ରେଡ଼ିଓରେ ଯୋଗ ଦେଲାପରେ କେ ପି ମଧ୍ୟ ବହୁତ କିଛି ଶିଖାଇଛନ୍ତି। ପୁଷ୍ପକ ଭାଇ, ଶାହୀନ ମ୍ୟାମ ଆଉ ମୋର ପୁରା ଟିମ୍, ଟିଭି ରେ ଅର୍ଦ୍ଧେନ୍ଦୁ ଭାଇ ଆଉ ପୁରା ଟିମ୍ ସମସ୍ତଙ୍କୁଠୁ କିଛି ଶିଖିଛି। ମୋର ଇନସ୍ପିରେସନ୍ ହେଉଛି ଟିଭି ରେଡ଼ିଓ ପ୍ରତି ମୋର ଭଲ ପାଇବା। 
kp & guddi


ପ୍ରଶ୍ନ : ଦୁଇଜଣଙ୍କ ଏହି ବ୍ୟସ୍ତବହୁଳ ଜୀବନରେ ପରସ୍ପରକୁ କେମିତି ସମୟ ଦିଅନ୍ତି?

ଗୁଡ୍ଡି : ସେମିତି କହିବାକୁ ଗଲେ ଆମେ ସମୟ ଦେଇନୁ। ତାଙ୍କ ମତରେ ଏକାଠି ସପିଙ୍ଗ କରିବା ଏକପ୍ରକାର ସମୟ ଦେବା କିନ୍ତୁ ମୁଁ ସେସବୁ ମାନେନି ତ ଏଇ ଯୁକ୍ତିତର୍କରେ ପାଞ୍ଚ ବର୍ଷ ବିତିଗଲାଣି। ହଁ ଆମେ ଆନିଭର୍ଶାରୀ ରେ ସେମିତି ବୁଲିବାକୁ ଯାଉ ଏକାଠି। କହିବାକୁ ଗଲେ ମୁଁ ଟିକେ ଫିଲ୍ମୀ ତ ମୋ ଟାଇପର ସମୟ ଦେବା ଏଯାଏଁ ହେଇନି। ଆମ ଖାଲି ଟାଇମରେ ବି ଆମେ ଥିଏଟର ଦେଖିବାକୁ ଯାଉ, କେଉଁଠି ମେଳା ବା ଫଙ୍କସନ୍ କୁ ଯିବା। 

ପ୍ରଶ୍ନ : ଆପଣ ଦୁଇଜଣଙ୍କ ଜୀବନର ସବୁଠୁ ଖୁସିର ମୁହୂର୍ତ୍ତ କିଛି ଆମ ପାଠକମାନଙ୍କୁ ଜଣାଇବେ। 

କେ ପି ଓ ଗୁଡ୍ଡି : ୨୦୧୫ ଡିସେମ୍ବର ୪ ଆମ ବାହାଘର ଦିନଟା ଆମ ଦୁଇଜଣଙ୍କ ଜୀବନର ସବୁଠୁ ଖୁସିର ମୁହୂର୍ତ୍ତ ଥିଲା। 

ଗୁଡ୍ଡି : ମୋ ବାହାଘରଟା ମୋତେ ଗୋଟେ ଫିଲ୍ମ ଭଳି ଲାଗିଥିଲା ଆଉ ମୋତେ ଲାଗିଥିଲା ଯେମିତି ମୁଁ ସେଥିରେ ଅଭିନୟ କରୁଛି। ସେ ସବୁ ଛୋଟ ଛୋଟ ପ୍ରଥା ପରମ୍ପରା ବହୁତ୍ ଖୁସି ଲାଗୁଥିଲା। ୨୦୧୫ରେ ପ୍ରି ୱେଡିଂ ଫଟୋସୁଟ ବହୁତ ଲୋକଙ୍କ ପାଇଁ ନୂଆ ଥିଲା। ମୋ ପ୍ରି ୱେଡିଂ ଆଉ ମୋ ବାହାଘର ମୋ ପାଇଁ ସବୁଠୁ ଖୁସିର ମୁହୂର୍ତ୍ତ ଥିଲା। 

ପ୍ରଶ୍ନ : ବହୁତ ନୂଆ ପ୍ରତିଭା ଏ ଦିଗରେ ଆସିବାକୁ ଚାହୁଁଛନ୍ତି, ସେମାନଙ୍କୁ ଆପଣ କଣ କହିବେ ?

ଗୁଡ୍ଡି : ଏବେ ଏଇ ଆଙ୍କରିଂ ଗୋଟିଏ ବହୁତ୍ ବଡ ଏରିଆ ହେଇଗଲାଣି। ଯେ କେହି ବି ଆଙ୍କର ହୋଇପାରିବେ। ଏଠି ଗୋଟିଏ ଜିନିଷ ସଷ୍ଟେନିବିଲିଟି ମ୍ୟାଟର କରେ। ସମସ୍ତେ ନୂଆରୁ ଦିନେ ନା ଦିନେ ପୁରୁଣା ହେବେ। ସବୁବେଳେ ଏଇ ଜିନିଷ ଲକ୍ଷ୍ୟ କରିବେ ଯେ ସବୁବେଳେ ଆପଣଙ୍କ ଉପସ୍ଥାପନା ଶୈଳୀ ବା ୱେ ଅଫ ପ୍ରେସେଣ୍ଟେସନ ଅନ୍ୟମାନଙ୍କଠୁ ଡିଫରେଣ୍ଟ ହେବା ଦରକାର। ଆପଣ ନିଜକୁ ସବୁ ଜାଗାରେ ରଖିବା ଦରକାର। ମୁଁ ଆଜି ବି ଶିଖୁଛି ନୂଆ ପିଲାଙ୍କଠୁ ଆଉ ବହୁତ୍ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ତ ସମସ୍ତଙ୍କଠୁ କିଛି ଶିଖିବା ଦରକାର। 

ଏଇ ସାକ୍ଷାତକାର ପାଇଁ ନିଜର ସମୟ ଦେଇ ଥିବାରୁ ଶୁଭଦୃଷ୍ଟି ପରିବାର ତରଫରୁ କେ ପି ଓ ଗୁଡ୍ଡିଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।


Post a Comment

Post a Comment (0)

Previous Post Next Post
Free Shubhdristi App Download Now