ସାକ୍ଷାତକାର : ବିଶ୍ଵନାଥ ପରିଡ଼ା

ସାକ୍ଷାତକାର - ଶିଶୁ କଳାକାର ବିଶ୍ଵନାଥ ପରିଡ଼ା

 

Biswanath, ଓଲିଉଡ, ଓଡ଼ିଆ, odia film, artist, interview


ଶିଶୁ କଳାକାର ବିଶ୍ଵନାଥ ପରିଡ଼ା ଓଡ଼ିଆ କଥାଚିତ୍ର ଜଗତରେ ଏକ ଲୋକପ୍ରିୟ ନାମ। ପ୍ରେମ୍ କୁମାର, ସୁପର୍ ଖିଲାଡ଼ି, ତୁ ମୋ ଡ୍ରିମ୍ ଗାର୍ଲ୍, କିଏ ହେବ ମୋ ହିରୋଇନ୍, ହୀରାଲାଲ୍ ମୋତିଲାଲ୍ ଏବଂ ବନ୍ଧନ ପରି ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ଅନେକ ଭଜନ, କ୍ଷୁଦ୍ର ଚଳଚ୍ଚିତ୍ର, ମ୍ୟୁଜିକ୍ ଭିଡିଓ ତଥା ଧାରାବାହିକରେ ଅଭିନୟ କରି ସେ ଦର୍ଶକଙ୍କ ମନରେ ନିଜର ଛାପ ଛାଡିବାରେ ସକ୍ଷମ ହୋଇଛନ୍ତି। ନିଜକୁ କେବଳ ଚଳଚ୍ଚିତ୍ର କିମ୍ବା ମ୍ୟୁଜିକ ଭିଡ଼ିଓରେ ସୀମିତ ନରଖି ତରଙ୍ଗ ଟିଭିର " ସିଷ୍ଟର ଶ୍ରୀଦେବୀ ", "କାଳିଜାଇ" ଓ "ତାରାତାରିଣୀ", ଜୀ ସାର୍ଥକର "ସରଗମ", "ରହିଛି ରହିବି ତୋରି ପାଇଁ" ଓ "ଅର୍ଦ୍ଧାଙ୍ଗିନୀ", ମଞ୍ଜରୀ ଟିଭିର "ବୋହୂ ଆମର ଏନ୍. ଆର୍.ଆଇ" ପରି ଧାରାବାହିକରେ ମଧ୍ୟ ଅଭିନୟ କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି ବିଶ୍ଵନାଥ

ତେବେ ଆମ ଶୁଭଦୃଷ୍ଟି ପରିବାର ତରଫରୁ ସପ୍ତମ ସଂସ୍କରଣ ସାକ୍ଷାତକାର ପାଇଁ ଓଡ଼ିଆ କଥାଚିତ୍ର ଜଗତର ଚଳଚ୍ଚିତ୍ର ଉଦୀୟମାନ ଶିଶୁ ତାରକା ବିଶ୍ଵନାଥ ପରିଡାଙ୍କୁ ଆମେ ପଚାରିଥିଲୁ କିଛି ପ୍ରଶ୍ନ ।

  

ପ୍ରଶ୍ନ - ଆପଣ ପରଦାରେ ଅଭିନୟ କରିବା ପୂର୍ବରୁ କୌଣସି ସ୍ଥାନରୁ ଶିକ୍ଷା ଲାଭ କରିଥିଲେ କି ? ଯଦି ହଁ ତେବେ ଆପଣଙ୍କ ଗୁରୁ କିଏ ?

ଉତ୍ତର - କହିବାକୁ ଗଲେ ମୋର କେହି ଗୁରୁ ନାହାନ୍ତି, କିନ୍ତୁ ଅଭିନୟ କରିବା ସମୟରେ ମୋ ମା ମୋତେ ବହୁତ୍ ସାହାଯ୍ୟ ସହଯୋଗ କରନ୍ତି। ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚିଛି ସେଥିରେ ମୋ ମା'ଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ସେହିପରି ସୁଟିଂ ସେଟରେ ନିର୍ଦ୍ଦେଶକ ମାନଙ୍କ ନିକଟରୁ ଅନେକ କିଛି ଶିଖିବାକୁ ମିଳିଛି।


ପ୍ରଶ୍ନ - ଆପଣ ପ୍ରଥମଥର ପାଇଁ ଯେବେ ଅଭିନୟ କରିଥିଲେ, ଆପଣଙ୍କ ମନରେ କୌଣସି ପ୍ରକାରର ଭୟ ସୃଷ୍ଟି ହେଇଥିଲା କି ?

ଉତ୍ତର - ହଁ ପ୍ରଥମେ ଟିକେ ଡର ଲାଗୁଥିଲା, ଭାବୁଥିଲି କିଭଳି ମୁଁ ଅଭିନୟ କରିବି ! ଏତେ ବଡ଼ ବଡ଼ ଅଭିନେତା ଓ କଳାକାରଙ୍କ ମଧ୍ୟରେ ମୁଁ ଟିକେ ଅଧୀର ହୋଇପଡ଼ିଥିଲି ।କିନ୍ତୁ ସମୟ ଅନ୍ତରାଳେ ସବୁକିଛି ସ୍ଵାଭାବିକ ହେବାକୁ ଲାଗିଲା ଏବଂ ବାବା ବିଶ୍ଵନାଥଙ୍କ କରୁଣା ଓ ଆଶୀର୍ବାଦ ରୁ ମୁଁ ଆଗେଇଲି ଓ ପ୍ରଶଂସା ସାଉଁଟିଲି।

ପ୍ରଶ୍ନ - ଆପଣ କେଉଁ ବିଦ୍ୟାଳୟରେ ପଢୁଛନ୍ତି ଏବଂ ଶିକ୍ଷା କ୍ଷେତ୍ରରେ ଆପଣଙ୍କ ପ୍ରଦର୍ଶନ କିପରି ?

ଉତ୍ତର - ମୁଁ କଟକ କେନ୍ଦ୍ରୀୟ ବିଦ୍ୟାଳୟ ୧ ରେ ପଢୁଛି ଏବଂ ପଢାପଢିରେ ମୋ ପ୍ରଦର୍ଶନ ମଧ୍ୟମ ଧରଣର।

ପ୍ରଶ୍ନ - ଆପଣଙ୍କ ମତରେ ପାଠ ପଢା ମନେ ରଖିବା ସହଜ ନା ଚଳଚ୍ଚିତ୍ର ସଂଳାପ ?

ଉତ୍ତର - ଆଜ୍ଞା, ପାଠପଢ଼ା ଓ ଅଭିନୟ ଦୁଇଟି ଭିନ୍ନ ଭିନ୍ନ ବିଷୟ। ସମୟର ଆବଶ୍ୟକତା ଅନୁଯାୟୀ ମୁଁ କାର୍ଯ୍ୟ କରିଥାଏ, ପାଠ ପଢା ସମୟରେ ପଢ଼ିବା ସହ ସୁଟିଂ ସମୟରେ ଅଭିନୟ କରିଥାଏ।

ପ୍ରଶ୍ନ - ଆପଣ ଛୋଟ ବୟସରୁ ଅଭିନୟ ଯାତ୍ରା ଆରମ୍ଭ କରିଛନ୍ତି, ତେବେ ଏହି ଦିଗରେ କୌଣସି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି କି ?

ଉତ୍ତର - ଅସୁବିଧା ତ ବହୁତ୍ ହେଇଛି। ସ୍କୁଲ୍ ଓ ସୁଟିଂ ଉଭୟକୁ ସମୟ ଦେବାରେ ଅସୁବିଧା ହେଇଛି। ଦିନେ ଦିନେ ସ୍କୁଲ୍ ଶେଷ କରି ସୁଟିଂ କୁ ଯିବାକୁ ପଡିଥାଏ ଏବଂ ପରୀକ୍ଷା ସମୟରେ ଅଭିନୟକୁ ସମୟ ଦେଇ ସୁଟିଂ କରିବା ମଧ୍ୟ ଏକ କଷ୍ଟସାଧ୍ୟ ବ୍ୟାପାର।

ପ୍ରଶ୍ନ - ଆପଣ ସୁଟିଂ ସେଟ୍ କୁ ଯିବ ପୂର୍ବରୁ କେଉଁ ରୂପରେ ନିଜକୁ ପ୍ରସ୍ତୁତ କରିଥାନ୍ତି ?

ଉତ୍ତର - ପ୍ରଥମେ କାହାଣୀ ଓ ସେହି କାହାଣୀରେ ମୋ ଚରିତ୍ରକୁ ଭଲ ଭାବେ ବୁଝିଥାଏ ଏବଂ ଏହା ପରେ ମୋର ସଂଳାପ ଅଭ୍ୟାସ କରିଥାଏ ଓ ସଂଳାପ ଅନୁଯାଇ ଅଭିବ୍ୟକ୍ତି ଦେବାକୁ ଚେଷ୍ଟା କରିଥାଏ।

ପ୍ରଶ୍ନ - ଓଲିଉଡ଼ ତଥା ବଲିଉଡରେ ଆପଣଙ୍କ ପ୍ରିୟତମ ଅଭିନେତା ଓ ଅଭିନେତ୍ରୀ କିଏ ଏବଂ କାହାର ଅଭିନୟ ଆପଣଙ୍କୁ ଅଭିନୟ କ୍ଷେତ୍ରରେ ଆଗକୁ ବଢିବା ପାଇଁ ପ୍ରେରଣା ଯୋଗାଇଛି ?

ଉତ୍ତର - ବଲିଉଡ଼ର ସମସ୍ତ କଳାକାରଙ୍କ ନିକଟରୁ କିଛି ନ କିଛି ଶିଖିବାର ଅଛି, ତଥାପି ଅମିର୍ ଖାନଙ୍କ ଅଭିନୟ ଓ ଚରିତ୍ର ଅତ୍ୟନ୍ତ ପସନ୍ଦ। ସେହିପରି ଓଲିଉଡ଼ କଥା କହିଲେ ମୋର ପସନ୍ଦର ଅଭିନେତା ହେଉଛନ୍ତି ସିଦ୍ଧାନ୍ତ ସାର୍ ଓ ଅନୁଭବ ସାର୍। କିନ୍ତୁ ମୋତେ ପ୍ରାୟ ଲୋକ କୁହନ୍ତି ଯେ ମୁଁ କାଳେ ବାବୁଶାନ ଙ୍କ ଭଳି ଦେଖାଯାଉଛି, ତେଣୁ ତାଙ୍କ ପ୍ରତି ମଧ୍ୟ ମୋର କମଜୋ ରହିଛି।  

ପ୍ରଶ୍ନ - ଆପଣ ଅଭିନୟ କରିଥିବା ଚରିତ୍ରଗୁଡିକ ମଧ୍ୟରୁ କେଉଁଟି ଆପଣଙ୍କ ପସନ୍ଦର ଚରିତ୍ର ?

ଉତ୍ତର - ସବୁ ଚରିତ୍ର ମୋର ପସନ୍ଦର, କାରଣ ଗୋଟିଏ କଳାକାର ପାଇଁ ସମସ୍ତ ପ୍ରକାର ଚରିତ୍ର କରିବାକୁ ପଡ଼ିଥାଏ । କିନ୍ତୁ କହିବାକୁ ଗଲେ "କିଏ ହେବ ମୋ ହିରୋଇନ୍" ଓ "ହୀରାଲାଲ୍ - ମୋତିଲାଲ୍" ଚଳଚ୍ଚିତ୍ର ରେ ଅଭିନୀତ ଚରିତ୍ର ମୋର ପସନ୍ଦ ।


ପ୍ରଶ୍ନ - ସୁଟିଂ ସେଟ୍ ରେ ଅଭିନୟ କରିବା ସମୟରେ କେବେ ଆପଣଙ୍କ କ୍ଲାନ୍ତ ଅନୁଭବ କରିଛନ୍ତି କି ?

ଉତ୍ତର - ହଁ, ବେଳେ ବେଳେ କ୍ଲାନ୍ତ ଅନୁଭବ କରେ କିନ୍ତୁ ନିଜକୁ ବ୍ୟବସ୍ଥିତ କରିବାକୁ ପଡ଼ିଥାଏ, କାରଣ ଜଣେ କଳାକାରର ପ୍ରଥମ କର୍ତ୍ତବ୍ୟ ତଥା ଧର୍ମ ହେଉଛି ଲୋକଙ୍କ ମନୋରଞ୍ଜନ କରିବା ।

ପ୍ରଶ୍ନ - ଆପଣ ଅଭିନୟ ବ୍ୟତୀତ ଅନ୍ୟ କେଉଁ କ୍ଷେତ୍ରରେ ରୁଚି ରଖନ୍ତି ?

ଉତ୍ତର - ମୋତେ ଅଭିନୟ ବ୍ୟତୀତ ନାଚିବାକୁ ଭଲ ଲାଗେ, ସେହିପରି ଖାଲି ସମୟରେ କ୍ରିକେଟ୍ ସହ ଚେସ୍ ଓ କ୍ୟାରମ୍ ଖେଳିବାକୁ ଭଲପାଏ।

ପ୍ରଶ୍ନ - ବଡ଼ ହେବା ପରେ ଆପଣ ଅଭିନୟ ଜାରି ରଖିବେ ବା ଅନ୍ୟ କୌଣସି ପେଶାକୁ ଚୟନ କରିବେ ?

ଉତ୍ତର - ମୋ ଇଚ୍ଛା ଓଡ଼ିଆ ସିନେଜଗତରେ ଏକ ଆଗ ଧାଡ଼ିର ସୁପରଷ୍ଟାର ହେବା ପାଇଁ କିନ୍ତୁ ଏହା ସିନେପ୍ରେମୀଙ୍କ ଆଶୀର୍ବାଦ ଓ ଭଲ ପାଇବାରୁ ସମ୍ଭବ ହୋଇପାରିବ ଏବଂ ସମୟ ହାତରେ ସବୁକିଛି ନ୍ୟସ୍ତ। ତଥାପି ମୁଁ "ବାବା ବିଶ୍ଵନାଥ"ଙ୍କ ଉପରେ ସବୁ କିଛି ଛାଡ଼ି ଦେଇଛି, ସେ ଯେଉଁ ଆଡ଼କୁ ମୋତେ ନେବେ ମୁଁ ଯିବି ।

ପ୍ରଶ୍ନ - ଯଦି ସୁଯୋଗ ମିଳେ ତେବେ ଆପଣ କେଉଁ ଭଳି ଚରିତ୍ରରେ ଅଭିନୟ କରିବାପାଇଁ ଚାହିବେ ?

ଉତ୍ତର - ମୁଁ ବର୍ତ୍ତମାନ ଶିଶୁ କଳାକାର ରୂପେ ମୁଖ୍ୟ ଭୂମିକାରେ ଅଭିନୟ କରୁଛି, ଏଣୁ ଯଦି ସୁଯୋଗ ମିଳେ ତେବେ ବଡ଼ ହେବା ପରେ ମଧ୍ୟ ମୁଖ୍ୟ ଅଭିନେତା ରୂପେ ଅଭିନୟ କରିବା ପାଇଁ ଇଛୁକ। ତେବେ ଜନତା ଜନାର୍ଦ୍ଦନ ଓ ବାବା ବିଶ୍ଵନାଥ ଯାହା କରିବେ ।


 ଏହି ସାକ୍ଷାତକାର ପାଇଁ ନିଜର ବହୁମୂଲ୍ୟ ସମୟ ଦେଇଥିବା ହେତୁ ଶୁଭଦୃଷ୍ଟି ପରିବାର ତରଫରୁ ଶିଶୁ କଳାକାର ବିଶ୍ଵନାଥ ପରିଡାଙ୍କୁ ବହୁତ୍ ଧନ୍ୟବାଦ୍ ।


Post a Comment

Post a Comment (0)

Previous Post Next Post
Free Shubhdristi App Download Now