ବାପାଙ୍କ ପାଇଁ ସବୁଦିନ

ବାପାଙ୍କ ପାଇଁ ସବୁଦିନ - ଶ୍ରୀମାନି ପ୍ରିୟଦର୍ଶିନୀ

ବାପା, ଶ୍ରୀମାନି ପ୍ରିୟଦର୍ଶିନୀ, ଓଡ଼ିଆ, କବିତା, poem, odia



ଦୁଇଟି ଅକ୍ଷରରେ ଗଢା ଯାଇଥିବା ସେହି ନାମ

ସେଇ ବ୍ୟକ୍ତି ଜଣକ ଅଟନ୍ତି ବାପା

କେତେ ବା ସାହସ ଅଛି ତାଙ୍କର

ନା ସେ ସୁନ୍ଦର ମୁଖରେ କେବେ ଥାଏ ଦୁଃଖ

ସବୁବେଳେ ଥାଏ ହସ ହସ ମୁହଁ 

କିଏ ଜାଣେ ତାଙ୍କ ହୃଦୟର କଷ୍ଟ

ସେଇ ବାପା ନାମକ ବ୍ୟକ୍ତି ଏ ଦୁନିଆରେ ସବୁଠୁ ଶ୍ରେଷ୍ଠ !


ଯେତେ ଯାହା ଅଳି ଅର୍ଦ୍ଦଳି କଲେ

ସବୁ ମୋର ହାତ ପାହାନ୍ତାରେ ଢାଳି ଦିଅ

ହେଲେ, ନିଜର ପୋଷାକ କିଣିବା ପାଇଁ

କେବେ ମନେ ପଡେନାହିଁ କାହିଁକି ତୁମର ?

ସେଇ ପୁରୁଣା ପୋଷାକରେ ତୁମ ଖୁସି

ଆଉ ଆମକୁ ନୂଆ ପୋଷାକ କିଣି ଦେବାର ଖୁସି

ହଁ ମୁଁ ଜାଣେ ଆମ ମାନଙ୍କ ହସଖୁସି ତୁମର ସବୁକିଛି !


ପିଲାଦିନୁ ନିଜ ସାଇକେଲ ରେ ବସାଇ

କାହିଁ କେତେ ଆଡେ ବୁଲାଇଛ ତାର ହିସାବ ରଖିନି

ଆଜି ମଧ୍ୟ ସେଇ ପୁରୁଣା ସାଇକେଲ ତୁମ ଜୀବନ

କିନ୍ତୁ, ସାରା ଜୀବନ ଖଟି ଖଟି ନିଜ ପାଇଁ

ଗାଡି ଟିଏ ନକିଣି ମୋ ପାଇଁ କିଣି ଦେଇଥିଲ

କହିବୁଲ ଯେ ମୋର ପୁଅ ଦୂର ସହରକୁ ଯିବ 

ମୁଁ ଜାଣେ ରାତିରେ ତୁମର ଗୋଡ଼କୁ କଷ୍ଟ ହେଉଥିବ ! 


ମାପି ଚୁପି କଥା ତୁମର ବଢାଏ ତୁମର ଶୋଭା

ବାପା କେତେ ଦୃଢ଼ମନା ମଣିଷ ତୁମେ 

ଯେତେ ଝଡ଼ ଖଞ୍ଜା ଆସିଲେ ଜୀବନରେ 

ସବୁକିଛି ଏକୁଟିଆ ସମ୍ଭାଳି ନେଇପାର

ନିଜ ପରିବାର ଓ କର୍ମସ୍ଥାନ ର ବୋଝ ମୁଣ୍ଡେଇ

ହସୁଥାଅ ଦିନରାତି, ଯେପରିକି କିଛି କଷ୍ଟ ନାହିଁ

ଦେଖିଥିଲି ଥରେ, କାନ୍ଦୁଥିଲ ଦିନେ କବାଟ କଣରେ ଲୁଚିରହି !


ନିଜ ଖୁସି କୁ ନିତି ପଛରେ ପକେଇ ଦେଇ

ଆମ ହସ ହସ ମୁହଁ ପ୍ରତିଦିନ ଖୋଜ

ଭଲ ତିଅଣ ଯେବେ ହୋଇଥାଏ ଘରେ ରଖିଥାଅ ସାଇତି

ବୋଉ ସହ ମିଶି ପଖାଳ ଗଣ୍ଡେ ଖାଇଦେଇ ତୁମେ ଖୁସି

ପଚାରିଲେ ଯେବେ ତୁମେ ଖାଇଛ କି ବାପା 

ହସି ହସି କୁହ ହଁ ମୁଁ ଖାଇଛି ତୁମେ ଖାଅ ଜଣେ ଜଣେ 

ବାପା ତୁମେ ଭାରି ମିଛୁଆ ବୋଲି ମୁଁ ଜାଣେ !


ବିଦେଶ ଚାକିରୀକୁ ଯେବେ ବାହାରିଲି ମୁହିଁ 

ଖୁସି ଖୁସି ମୋତେ ଛାଡ଼ି ଆସିଥିଲ ବସ ଷ୍ଟାଣ୍ଡ ଯାଏଁ

ଭାବୁଥିଲେ ସବୁ ଏ ବାପଟାର କିଛି ଚିନ୍ତା ନାହିଁ 

ପୁଅ ଦୂରକୁ ଗଲେ ବି ଆଖିରେ ଲୁହ ଦିଶୁନାହିଁ 

ଯେବେ ମୁଁ ଫେରିଥିଲି ବିଦେଶରୁ, ସେବେ ମୁଁ ଶୁଣିଲି 

ମାଆ କହୁଥିଲା ତୁ ଯିବା ପରେ ବାପା କାନ୍ଦୁଥିଲେ କେତେ 

ଭାବୁଥିଲି ସେଇ ଲୋକ ମାନେ ଟିକେ ଏ ଲୁହ ଦେଖିଥାନ୍ତେ ସତେ !


ପ୍ରଥମ ଦରମାରେ ଯେବେ ଗାଡ଼ି ଟିଏ

ଖୁସିରେ କିଣି ଦେଇଥିଲି ତୁମ ପାଇଁ 

ତୁମେ ଖୁସି ହେବା ଅପେକ୍ଷା ରାଗି ଯାଇ କୁହ

କହିଲୁ, କାହିଁ ପଇସା ନଷ୍ଟ କରୁଛୁ ମୋ ପାଇଁ 

ସନ୍ତାନ ର ଟଙ୍କା ବାପା ର ଉପଭୋଗ କରିବା ଜିନିଷ ନୁହେଁ 

ଏତକ କହି ଚାଲିଗଲ ତୁମ ପୁରୁଣା ସାଇକେଲ ଧରି

ବସି ଭାବୁଥିଲି ବାପା କିଏ ହେବ ତୁମ ପରି ! 


ପିଲାଦିନୁ ମୋର ବନ୍ଧୁଟିଏ ପରି ଚାଲୁଥାଅ ହାତଧରି

ଦୁନିଆରେ ବଡ଼ ତୁମେ ମୋ ଚଳନ୍ତି ଠାକୁର

ବାପା ତୁମେ ଏତେ ଭଲ କାହିଁ କୁହ କେହି ବୁଝିପାରନ୍ତି ନାହିଁ 

ତୁମ ଆଶିର୍ବାଦ ଥାଉ ସଦା ଆମ ମାନଙ୍କ ଉପରେ

ଏବଂ ବାପାଙ୍କ ପାଇଁ ଆଜି ଦିନଟିଏ ନୁହଁ 

ଆମ ବାପାଙ୍କ ପାଇଁ ସବୁ ଦିନଟିଏ 

ସବୁଦିନ ଆମ ପାଇଁ ଅଟେ ଏକ ପିତୃଦିବସ ଟିଏ ! 


Post a Comment

Post a Comment (0)

Previous Post Next Post
Free Shubhdristi App Download Now