ସାକ୍ଷାତକାର : ଶୀତଲ ପଟ୍ଟନାୟକ

 ସାକ୍ଷାତକାର : ଶୀତଲ ପଟ୍ଟନାୟକ

ସାକ୍ଷାତକାର : ଶୀତଲ ପଟ୍ଟନାୟକ


ଶୀତଲ ପଟ୍ଟନାୟକ ଆଜିର ଯୁବପିଢ଼ି ପାଖରେ ଏକ ଲୋକପ୍ରିୟ ନାମ। ପ୍ରଥମେ ତରଙ୍ଗ ଟିଭିର "ରାନୀ" ଧାରାବାହିକ ରୁ ଆରମ୍ଭ କରି "ରଖିଲେ ସିଏ ମାରିବ କିଏ" ପରି ଧାରାବାହିକରେ ଅଭିନୟ କରି ସେ ଦର୍ଶକଙ୍କ ମନରେ ନିଜର ଛାପ ଛାଡିଯାଇଛନ୍ତି।

ତାଙ୍କ ଅଭିନୀତ ମ୍ୟୁଜିକ ଭିଡ଼ିଓ ନାହିଁ ନଥିବା ପ୍ରଶଂସା ଗୋଟାଉଛି। ନିଜକୁ କେବଳ ଚଳଚ୍ଚିତ୍ର କିମ୍ବା ମ୍ୟୁଜିକ୍ ଭିଡିଓ ରେ ବାନ୍ଧି ନ ରଖି ଥିଏଟର ରେ "ଚୁହଲ୍" ପରି ନାଟକ ମାଧ୍ୟମରେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି ଶୀତଲ। 

ତେବେ ଶୁଭଦୃଷ୍ଟି ପରିବାର ତରଫରୁ ଷଷ୍ଠ ସଂସ୍କରଣ ସାକ୍ଷାତକାର ପାଇଁ ଓଡ଼ିଆ ଅଭିନୟ ଜଗତର ଉଦୀୟମାନ ତାରକା ଶୀତଲ ପଟ୍ଟନାୟକଙ୍କୁ ଆମେ ପଚାରିଥିଲୁ କିଛି ପ୍ରଶ୍ନ ।


ପ୍ରଶ୍ନ : ଆପଣଙ୍କ ପିଲାବେଳ ଓ ପଢାପଢି ବିଷୟରେ ପାଠକମାନଙ୍କୁ କିଛି ସୂଚନା ଦିଅନ୍ତୁ ।

ଉତ୍ତର : ମୋର ପିଲାବେଳୁ କେବେ ବି ଇଛାନଥିଲା ଅଭିନୟ ଜଗତକୁ ଆସିବି ବୋଲି, ଆରମ୍ଭରୁ ଭାବିଆସିଥିଲି ଯେ ପାଠ ପଢା ସରିବା ପରେ କର୍ପୋରେଟ ସେକ୍ଟର ରେ ଚାକିରୀ କରିବି ଆଉ ସକାଳ ୯ ରୁ ସନ୍ଧ୍ୟା ୫ ଯାଏ ଅଫିସ୍ ରେ କଟିବ। ମୁଁ ଷ୍ଟାଣ୍ଡାର୍ଡ ୯ ରେ ପଢୁଥିବା ସମୟରେ ତରଙ୍ଗର ଧାରାବାହିକ 'ରାନୀ' ର ମୁଖ୍ୟ ଚରିତ୍ର ପାଇଁ ଅଡିସନ୍ ଚାଲିଥାଏ। ସେ ଚରିତ୍ରଟି ପୂର୍ବରୁ ମୋ ସାନ ଭଉଣୀ କରୁଥିଲା ଯେହେତୁ କାହାଣୀରେ ତାଙ୍କୁ ୫ବର୍ଷ ପରର ଚରିତ୍ର ଦେଖାଇବାର ଥିଲା ତେଣୁ ସେମାନେ ଅଡିସନ୍ କରୁଥିଲେ। ମୋର ପ୍ରଥମେ ଇଛା ନଥିଲା ବାସ୍ ଯାହା ହେବ ଦେଖାଯିବ ଭାବିକି ଯାଇଥିଲି। ସୌଭାଗ୍ୟବଶତଃ ସେମାନେ ମୋତେ ସେ ଚରିତ୍ର ପାଇଁ ଚୟନ କରିଥିଲେ। ତା ପରଠୁ ଜୀବନରେ ଅନେକ ପରିବର୍ତ୍ତନ ଆସିଛି। ମୁଁ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ପ୍ରଥମରୁ ହିଁ ପଢିଛି ଆଉ ଏବେ ମୋର +୨ ସରିଲା, ଆଉ ଆଗକୁ କଣ କରିବି ଭାବୁଛି। ବାସ୍ ଜୀବନ ଟା ଏମିତି ହିଁ ସାଧାରଣ ଥିଲା।  


ପ୍ରଶ୍ନ : କେବେ ଅଭିନୟ କ୍ଷେତ୍ରକୁ ଆସି ଭୁଲ୍ କରିଛି କି ବୋଲି ଭାବିଛନ୍ତି କି ?

ଉତ୍ତର : ଏଇଟା ସତ ଯେ ଅଭିନୟକୁ ଆସିବାକୁ ଇଛା ନଥିଲା କିନ୍ତୁ ଏଇ ୪ ବର୍ଷ ଭିତରେ କେବେ ଏମିତି ଅନୁଭବ ହୋଇନାହିଁ କି ଅଭିନୟ କ୍ଷେତ୍ରକୁ ବାଛିକି କିଛି ଭୁଲ୍ କରିଛି। ଅଭିନୟ ଜଗତରେ କାମ ର ଚାପ (ୱାର୍କଲୋଡ଼) ଆଉ ବିଭିନ୍ନ ଲୋକଙ୍କର କଥା ସବୁ ଥାଏ କିନ୍ତୁ ଏସବୁ ବ୍ୟତୀତ ଲୋକଙ୍କର ପ୍ରଶଂସା, ଆଉ କୌଣସି ଜାଗାକୁ ଗଲେ ଲୋକଙ୍କର ଚିହ୍ନିବା, ଭଲପାଇବା ରେ ସେସବୁ ଭୁଲି ହୋଇଯାଏ, ତେଣୁ ମୁଁ କେବେ ଭାବେନା ଯେ ଅଭିନୟକୁ ପ୍ରଫେସନ ଵାଛି ଭୁଲ୍ କରିଛି । 


ପ୍ରଶ୍ନ : ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପରିବାରର ପ୍ରଭାବ ରହିଥାଏ, ଆପଣଙ୍କ ମାମା ବି ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ତ ଆପଣଙ୍କ ଜୀବନରେ ଆପଣଙ୍କ ପରିବାରର ପ୍ରଭାବ କିପରି ରହିଥିଲା ?

ଉତ୍ତର : ପ୍ରଭାବ କହିଲେ ମୁଁ ଯଦି ଆଜି ଅଭିନୟ କରିପାରୁଛି ତେବେ ମୋ ମାମା ପାଇଁ, ମୁଁ ବହୁତ ଲାଜକୁଳୀ ସ୍ୱଭାବର ମୋତେ ଅନ୍ୟମାନଙ୍କ ସହ ମିଶିବାରେ କାମ କରିବାରେ ଟିକେ ସମୟ ଲାଗେ। କ୍ୟାମେରା ଆଗରେ ଏତେ ଲୋକଙ୍କ ଆଗରେ ଅଭିନୟ କରିବା ସହଜ ହୋଇନଥିଲା ପ୍ରଥମେ ମୋ ମାମା, ପାପା ଭଉଣୀ ସମସ୍ତେ ମୋତେ ସେଥିରେ ସପୋର୍ଟ କରିଥିଲେ। କେବଳ ଯେ ଅଭିନୟ କ୍ଷେତ୍ରରେ ତା ନୁହେଁ ବରଂ ଘରକରଣା ଠୁ ଆରମ୍ଭ କରି ପଢାପଢି ପର୍ଯ୍ୟନ୍ତ ମୋ ପରିବାର ମୋ ପାଇଁ ବହୁତ୍ ସପୋର୍ଟିଭ୍। ତାଙ୍କର ମୋ ପ୍ରତି ଏଇଟା ଥିଲା କି "ତୁ ଯଦି ଏଇ ପ୍ରଫେସନ କୁ ନ ବାଛି ଆଉ କିଛି ବି କରିଥାନ୍ତୁ ଆମେ ସବୁବେଳେ ତୋ ସହିତ ରହିଥାନ୍ତୁ।"



ପ୍ରଶ୍ନ : ଆରମ୍ଭରୁ ଏପର୍ଯ୍ୟନ୍ତ ସେ 'ରାନୀ' ଧାରାବାହିକରୁ ଆରମ୍ଭ କରି ଏପର୍ଯ୍ୟନ୍ତ ତଥା ଥିଏଟରରେ କରିଥିବା 'ଚୁହଲ୍' ରେ ଆପଣଙ୍କର ଚରିତ୍ର ଏ ପର୍ଯ୍ୟନ୍ତ ଆପଣଙ୍କ ଅଭିନୟର ଯାତ୍ରା କିପରି ଥିଲା ଆଉ ଥିଏଟର ଆଉ ସିରିଏଲ୍ ଭିତରେ ଆପଣଙ୍କ ଅନୁଭୂତି କେମିତି ଥିଲା ?

ଉତ୍ତର : ଅଭିନୟର ଯାତ୍ରା ତ କହିବାକୁ ଗଲେ ଏବେ ଏବେ ଆରମ୍ଭ ହୋଇଛି, ଏଇ କିଛିବର୍ଷ ହେଲା ମୁଁ ଯାହା ନୂଆ ଶିଖୁଛି। ଥିଏଟର କଥା ଯେଉଁ କହିଲେ, ଥିଏଟର ଆଉ ସିରିଏଲ ଦୁଇଟା ଯାକ ଅଭିନୟର ପ୍ଲାଟଫର୍ମ ଦୃଷ୍ଟିରୁ ସମାନ ହେଲେ ବି ଉଭୟ ଭିନ୍ନ। ସିରିଏଲ ହେଉଛି ଗ୍ଲାମର୍ ଲେନ୍ ଆଉ ଥିଏଟର ହେଉଛି ଡିସିପ୍ଲିନ ଲାଇନ୍। ସିରିଏଲରେ ଆମେ କେବଳ ଆକ୍ଟିଂ କରିଦେଉ ବାସ୍ ସରିଲା କିନ୍ତୁ ଥିଏଟର ରେ ଆକ୍ଟିଂ ସମୟରେ ବ୍ୟବହାର ହେଉଥିବା ପ୍ରତ୍ୟେକ ଜିନିଷ ଲୋକଙ୍କ ପାଇଁ କଣ ସଂକେତ ଦିଏ, ଲାଇଟ୍, ପୋଜିସନ୍ ଏସବୁ କୁ ଧ୍ୟାନ ଦେବାକୁ ପଡେ ଆଉ ଏତେ ବଡ଼ ଖୋଲା ମଞ୍ଚରେ ଲୋକଙ୍କ ସାମନାରେ ବିନା କୌଣସି କଟ୍ ରେ ଅଭିନୟ କରିବା ବହୁତ୍ ବଡ଼ କଥା। କହିବାକୁ ଗଲେ ଥିଏଟର ଓ ସିରିଏଲ ଦୁଇଟା ଯାକ ମୋର ପସନ୍ଦ ଓ ଉଭୟ ମୋ ଜୀବନରେ ଗୁରୁତ୍ବ ବହନ କରେ। ଗୋଟେ ଜାଗାରେ ମୁଁ ଠିକ୍ ସେ କାମ ଶିଖିବାକୁ ପାଇଲି ଆଉ ଗୋଟେ ଜାଗାରେ ମୁଁ ଫେମ୍ ପାଇଲି। 


ପ୍ରଶ୍ନ : ଓଡ଼ିଆ ଅଭିନୟ ଜଗତରେ ଆପଣଙ୍କ ସବୁଠୁ ପ୍ରିୟ ଅଭିନେତା/ଅଭିନେତ୍ରୀ କିଏ ଓ କାହାକୁ ଆପଣ ନିଜର ଆଦର୍ଶ ବୋଲି ମାନନ୍ତି ?

ଉତ୍ତର : ଆଦର୍ଶ ଭାବରେ ଯଦି କହିବେ ତାହେଲେ ମୁଁ କହିବି ମୋ ମାମା (ଅଭିନେତ୍ରୀ କୀର୍ତ୍ତି ମହାନ୍ତି)।  କାରଣ ମୁଁ କାହାଠାରୁ ବିଧିବଦ୍ଧ ଭାବେ ଅଭିନୟ ଶିଖିନି ଯାହା ବି ଶିଖିଛି ମୋ ମାମା ଠାରୁ ଶିଖିଛି। ମୋ ପାଇଁ ଯାହା ପ୍ରେରଣା ଜଣେ ଅଭିନେତ୍ରୀ, ଜଣେ ମା ସବୁକିଛି ହେଉଛି ମୋ ମାମା। 


ପ୍ରଶ୍ନ - ଅଭିନୟ ବ୍ୟତୀତ ଆପଣଙ୍କୁ କଣ କରିବା ପାଇଁ ଭଲ ଲାଗେ ?

ଉତ୍ତର - ମୋତେ ରୋଷେଇ ବହୁତ୍ ପସନ୍ଦ। ମୁଁ ଯେତେବେଳେ ଷ୍ଟାଣ୍ଡାର୍ଡ୍ ୩ ରେ ଥିଲି, ପ୍ରଥମେ ରୋଷେଇ କରିବା ଆରମ୍ଭ କରିଥିଲି। ସେବେଠୁ କିଛି କିଛି ରୋଷେଇ କରିବା ଚାଲିଛି। ସେମିତିରେ ବି ମୁଁ ଘରେ ରୋଷେଇ କରେ। 


ପ୍ରଶ୍ନ : ଆପଣଙ୍କୁ ଅଭିନୟ ପାଇଁ ସବୁଠୁ ଅଧିକ ପ୍ରଶଂସା କେବେ ମିଳିଥିଲା, ଯାହାକୁ ଆପଣ ଜୀବନସାରା ମନେ ରଖିଛନ୍ତି ?

ଉତ୍ତର : ମୁଁ କହିଛି ଯେ ମୋ ମାମା ମୋ ପାଇଁ ପ୍ରେରଣା ଆଉ ସୌଭାଗ୍ୟବଶତଃ ମୋର ପ୍ରଥମ ସିରିଏଲ୍ 'ରାନୀ' ରେ ମୁଁ ତାଙ୍କ ସହ ଅଭିନୟ କରିଥିଲି। ଜଣେ ମା ସବୁବେଳେ ଚାହେଁ ତା ପିଲା ସବୁକିଛି ପରଫେକ୍ଟ୍ କରୁ, ତେଣୁ ଅନ୍ୟ ଲୋକ ଯେତେ ପ୍ରଶଂସା କଲେ ବି ଜଣେ ମା କେବେ ବି ସାମ୍ନାରେ କହିବେନି ତୁ ଭଲ କରୁଛୁ ବରଂ ସବୁବେଳେ କହିବେ ତୁ ଆଉ ଟିକେ ଭଲ କରିପାରିଥାନ୍ତୁ। ମୋ ସହିତ ବି ସବୁବେଳେ ସେମିତି ହେଉଥିଲା କିନ୍ତୁ ଯେଉଁଦିନ ମୁଁ ଥିଏଟର ରେ ମୋର ପ୍ରଥମ ନାଟକ 'ଚୁହଲ' କରୁଥିଲି, ମୁଁ ମଞ୍ଚ ଉପରେ ଅଭିନୟ କରୁଥାଏ ଆଉ ମୋ ନଜର ମୋ ମାମା ଉପରେ ପଡ଼ିଲା ତା ଆଖିରୁ ଦୁଇଧାର ଲୁହ ଝରୁଥିଲା। ସେଦିନ ମୋତେ ଲାଗିଲା ଯେ ହଁ ମୁଁ ଭଲ କାମ କରିଛି ଯାହା ପାଇଁ ମୋ ମାମା ବି ଗର୍ବ ଅନୁଭବ କରିଛି। ସେଦିନ ର ସେଇ ମୁହୂର୍ତ୍ତ ହିଁ ଥିଲା ମୋ ଚାରି ବର୍ଷର ଅଭିନୟ ଜୀବନର ଶ୍ରେଷ୍ଠ ଉପହାର, ଯାହାକୁ ମୁଁ କେବେ ବି ଭୁଲିପାରିବି ନାହିଁ। 



ପ୍ରଶ୍ନ : ବହୁତ ନୂଆ ପ୍ରତିଭା ଅଭିନୟ ଜଗତକୁ ଆସି କିଛି ନୂଆ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଆପଣ କଣ କହିବେ ?

ଉତ୍ତର : ହଁ ଏବେ ବହୁତ ଭଲ ପିଲା ଆସୁଛନ୍ତି । ମୁଁ ମଧ୍ୟ ଏବେ ନୂଆ ତେଣୁ ବେଶୀ କିଛି କହିବିନି ହଁ ଏତିକି କହିବି ଅଭିନୟ ଏପରି ନୁହଁ ଯେ ଅଭିନୟ କରିଦେଲି ସରିଗଲା, ଗୋଟିଏ କି ଦୁଇଟା ସିରିଏଲ୍ ରେ ମୁଖ୍ୟ ଚରିତ୍ର କରିଦେଲେ ଅଭିନେତା/ଅଭିନେତ୍ରୀ ହୋଇଗଲି। ପ୍ରଥମେ ଅଭିନୟକୁ ଭଲଭାବେ ଶିଖନ୍ତୁ। ଅଭିନୟ ବ୍ୟତୀତ ବିଭିନ୍ନ ସହଯୋଗୀଙ୍କ କାମ, ନିର୍ଦ୍ଦେଶକଙ୍କ ସହ କଥାହେବା, ଅନ୍ୟମାନଙ୍କର କାମକୁ ଦେଖି ବହୁତ୍ କିଛି ଶିଖନ୍ତୁ। ଅଭିନୟ ପାଇଁ ଏସବୁ ଗୁରତ୍ୱପର୍ଣ୍ଣ ତେଣୁ ଏସବୁ ଦିଗ ପ୍ରତି ଦୃଷ୍ଟି ଦେବା ଜରୁରୀ ।


ପ୍ରଶ୍ନ : ଆପଣଙ୍କୁ ପଢାପଢି କରିବାକୁ ଭଲ ଲାଗେ ? 

ଉତ୍ତର : ମୁଁ ସେମିତି କୌଣସି ବଛା ବଛା ଲେଖକଙ୍କ ଲେଖା ପଢେନି କିନ୍ତୁ ହଁ ବେଳେବେଳେ କିଛି ଇଂରାଜୀ ଆଉ ହିନ୍ଦୀ କବିତା, ଗଳ୍ପ, ଉପନ୍ୟାସ ଆଦି ପଢେ । 



ପ୍ରଶ୍ନ : ଆପଣ କେବେ କିଛି ଲେଖାଲେଖି କରିଛନ୍ତି କି ?

ଉତ୍ତର : ହଁ, ମୁଁ ଏମିତି କିଛି ଛୋଟ ଛୋଟ ଲେଖେ; ହେଲେ ମୋତେ କାଇଁ ଲାଗେନି ଯେ ମୋ ଲେଖା କେବେ କାହାକୁ ଦେଖାଇପାରିବି। ମୁଁ ଯାହା ଲେଖେ ନିଜ ଖୁସି ପାଇଁ ଲେଖେ, ଯେତେବେଳେ ଯାହା ମନକୁ ଆସେ ଲେଖେ। ମୁଁ ଜାଣିନି ଲେଖାର ଶୈଳୀ କେମିତି, କଣ ଲେଖିଲେ ଠିକ୍ ହେବ କିନ୍ତୁ ମୋ ପକ୍ଷେ ଯେତିକି ସମ୍ଭବ ମୁଁ ଲେଖେ ଆଉ ଲେଖିବାପାଇଁ ଚେଷ୍ଟା କରେ। ଏମିତି ଯଦି ଆପଣ କହିବେ ଏ ବିଷୟରେ ଲେଖିକି ଦିଅନ୍ତୁ ହୁଏତ ମୁଁ ଲେଖିପାରିବିନି କିନ୍ତୁ ହଠାତ୍ ଯଦି ରାତି ୪ଟାରେ ମନକୁ ଆସିଯାଏ ତେବେ ଉଠିକି କିଛି ଲେଖିଦେବି। 


ପ୍ରଶ୍ନ : ଓଡ଼ିଆ ଭାଷା କିମ୍ବା ସଂସ୍କୃତି ପାଇଁ ଆମେ ସିନେମା ମାଧ୍ୟମରେ କିଛି କାମ କରିପାରିବା କି ?

ଉତ୍ତର : ହଁ ନିଶ୍ଚିତଭାବେ କରିହେବ। ଅନେକ ଜଣ ଏସବୁ ଉପରେ ପ୍ରଚେଷ୍ଟା ଜାରି ରଖିଛନ୍ତି ଏବଂ ବିଭିନ୍ନ ନୁଆ ନୁଆ ମନୋରଞ୍ଜନଧର୍ମୀ ୱେବ୍ ସିରିଜ୍, ଚଳଚ୍ଚିତ୍ର, ଶର୍ଟ୍ ଫିଲ୍ମ୍ ନିର୍ମାଣ କରୁଛନ୍ତି। କ୍ରୀଡ଼ା, ରାଜନୀତି, ଗଣମାଧ୍ୟମ, ସାହିତ୍ୟ ସବୁ ମାଧ୍ୟମରେ ଆମେ ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ କାମ କରିପାରିବା। ଅଭିନୟ ତଥା ମନୋରଞ୍ଜନ କ୍ଷେତ୍ରରେ ଆମେ କାହାଣୀ ମାଧ୍ୟମରେ ଭାଷା ଓ ସଂସ୍କୃତିକୁ ନେଇ କାମ କରିପାରିବା। 


ଏଇ ସାକ୍ଷାତକାର ପାଇଁ ନିଜର ସମୟ ଦେଇ ଥିବାରୁ ଶୁଭଦୃଷ୍ଟି ପରିବାର ତରଫରୁ ଶୀତଲଙ୍କୁ ବହୁତ ଧନ୍ୟବାଦ।


Post a Comment

Post a Comment (0)

Previous Post Next Post
Free Shubhdristi App Download Now