ମନ ପଖାଳ

 ମନ ପଖାଳ - ସ୍ୱାଗତିକା ମହାଙ୍କୁଡ଼

ମନ ପଖାଳ


   ଦାସିଆ ବାଟକୁ ଚାହିଁ କାବେରୀ ଦଶ ଥର ହେଲାଣି ଘର ଦାଣ୍ଡ କୁ ରୋଷେଇ ଘରକୁ ହେଲାଣି। ତଥାପି ଦାସିଆର ଦେଖା ନାହିଁ । ପିଲା ମାନେ ମଧ୍ୟ ଜିଦ୍ ଧରିଛନ୍ତି ବାପା ଆସିଲେ ଖାଇବେ। ଆଉ ସେ ଶୀଘ୍ର ଆସିଲେ ସିନା ଖାଇବା ପିଇବା କାମ ସରିବ।ପୁଣି ସେ ଶୀଘ୍ର ଶୋଇଲେ ତ ଯାଇ ସକାଳେ ସଅଳ ଉଠିବ ନିତ୍ୟକର୍ମ ସାରିବ ଚଉଁରା ପୂଜା କରିବ ଆଉ ତାପରେ ମନ ଦେଇ ବିରି ବାଟିକି ବଡି ପଡିଲା ପରେ ଯାଇ ତା କାମଟା ସଅଳ ସରିବ । 

ଏପଟେ ରୋଷେଇ ସରିଗଲାଣି ଆଉ ସମୟରେ ନ ଖାଇଲେ ଖାଇବା ସବୁ ଥଣ୍ଡା ହେଇଯିବ । ଆଉ ପରେ ଦାସିଆ ର ମୁହଁ ଫୁଲା ଆଉ ବିରକ୍ତି କଥା ଶୁଣିବାକୁ କାବେରୀକୁ ବଡ କଷ୍ଟ ଲାଗେ ସେ ଜମା ସହି ପାରେନି।

କାରଣ ଦାସିଆ ଖାଲି ଏଇ ଖାଇବା ବେଳକୁ କେବେ କେବେ ଯାହା ବିରକ୍ତି ହୁଏ ନହେଲେ ବାହାହୋଇ ଛ ବର୍ଷ ହେଲାଣି ସେ ଦାସିଆ କୁ କେବେ ଅକାରଣରେ ବିରକ୍ତି ହେବା ଦେଖିନି। ଗାଳି ଝଗଡ଼ା ତ ପୁଣି ଦୂର କଥା । କିନ୍ତୁ ସେଇ ବିରକ୍ତିକର କଥାକୁ କାବେରୀ ଲୁହ ଢଳ ଢଳ ଆଖିରେ ଶୁଣେ ଆଉ ନିଜକୁ ହିଁ ଦୋଷ ଦେବାରେ ଲାଗିଯାଏ ।


ଶୀତର ଦୁଇ ତିନି ମାସ ପରେ ଆଜି କାବେରୀ ଟେବୁଲ ଫ୍ଯାନ୍ କୁ ସଫା କରି ରଖିଥିଲା..ଟେବୁଲ ଫ୍ଯାନ୍ ଆଗରେ ମୁହଁ ଲଗାଇ ମଜାଳିଆ ଶବ୍ଦ କାଢିବାରେ ବ୍ୟସ୍ତ ପିଲା ମାନଙ୍କୁ ଦେଖି ପୁଅକୁ କହି ପଠାଇଲା ଦାସିଆ କୁ ଡାକି ଆଣିବା ପାଇଁ ।


ଏପଟେ ଦାସିଆ ଭାଗବତ ଟୁଙ୍ଗୀରୁ ଫେରି ନୀତି ଦିନ ଘରକୁ ଯିବା ବାଟରେ ଶୀତରୁ ବଞ୍ଚିବା ପାଇଁ ଟିକେ ନିଆଁ ଲଗାଇ ଅଳ୍ପ ସମୟ ପାଇଁ ବସେ । କିନ୍ତୁ ଆଜି ତାକୁ ଆଉ ମନ କଲାନି । ଦିନଟା ତାର ବ୍ୟସ୍ତତା ଭିତରେ ସରିଥିଲା..ବିଲ ମାଳ କାମ କଥା ଭାବି ଭାବି ଘୋଡି ହେଇଥିବା ଚାଦର କୁ ହାତରେ ଧରି ଟୁଙ୍ଗୀରୁ ଯାଇ ନଦୀଘାଟ ଆଡ଼େ ଘଣ୍ଟାଏ ବସିବାକୁ ପଳେଇ ଗଲା। କିଛି ସମୟ ସେଇଠି ହାଲକା ପବନରେ ବସି ଏଇନେ ସେ ଫେରୁଥିଲା ଘର ବାଟକୁ.. ଆଉ ବାଟରେ ଭେଟ ହେଲା ତା ପୁଅ ସହ... 

ପୁଅ କହିଲା - ବାପା.. ମାଆ କେତେବେଳ ହେଲାଣି ତମକୁ ଖୋଜୁଛି ଆଉ ଆଜି କାମ ସରିଲେ ସିନା ସେ ସକାଳୁ ଉଠିବ..

ଦାସିଆ- କିରେ ମା କାଲି କି କାମ କରି ପକେଇବ କି?

ପୁଅ- ବାପା.. ମା କାଲି ଭୋର୍ ରୁ ଉଠି ବଡ଼ି ପକେଇବ ବୋଲି କହୁଥିଲା....

ଏମିତି କଥା ହୋଇ ଘର ଆଡକୁ ଚାଲିଲେ ବାପା ପୁଅ ।


କାବେରୀ ଏଥର ଯାଇ ଦାଣ୍ଡରେ ବାପ ପୁଅଙ୍କୁ ଦେଖି ସଙ୍ଗେ ସଙ୍ଗେ ରୋଷେଇ ଘରକୁ ଧାଇଁଲା..ଖାଇବା ସବୁ ପୁଣି ଗରମ୍ କରି ବଢା ବଢି କରିବାକୁ ଲଗିଲା ।


ଏପଟେ ପିଲାମାନେ ହାତ ଗୋଡ ଧୋଇ ଆସି ଖାଇବାକୁ ବସି ଲେଣି ହେଲେ ବଢା ହେଇକି ସମୟହେଲାଣି ଦାସିଆ ଆସିଲାନି । କାବେରୀ ଡାକ ଉପରେ ଡାକ ପକଉଛି ହେଲେ ସୁଦ୍ଧା ଦାସିଆ ଆସିଲାଣି। ଯାଇ ଡାକିଲା ବେଳ କୁ ଏଥର ଦାସିଆ ପୁରା ରାଗ ରେ ପାଟି କରି କହିଲା, "ଓହଃ..କାହିଁକି ଏମିତି ହେଉଛୁ ଆଜି କଣ ନ ଖାଇଲେ ମୋର କଣ ହେଇଯିବ..?"

ଏତିକି ଶୁଣିବା ବାକି ନୀରବ ରେ ରୋଷେଇ ଘରକୁ ଚାଲିଗଲା କାବେରୀ ।

ଏନେ ଅନ୍ୟମନସ୍କ ରେ ଆସି ଦାସିଆ ଖାଇବା ଆରମ୍ଭ କରିବା କ୍ଷଣି ଗରମ୍ ଭାତ ରେ ଭୁଲ ରେ ମଝିରୁ ହାତ ଲଗାଇଦେଲା. ରାଗି କି କେତେ ବଡ଼ ପାଟି ରେ ଭୀଷଣ ରାଗି ଯାଇ ସେ କାବେରୀ କୁ କହିଲା "କି..ଲୋ ମୋତେ ତୁ ମାରିଦେବୁନା କଣ?"

ଖରା କଟା ଦିନରେ ବି କଣ ଏଇ ଫୁଟା ଫୁଟା ଖାଇବା ଦେବୁ..?

ଏତିକି କହି ଦାସିଆ ଖାଇବା ଥାଳିକୁ ମୁଣ୍ଡିଆ ମାରି କିଛି ନ ଖାଇ ଉଠି ଗଲା ।

କାବେରୀ ଏସବୁ ଦେଖିକି ଏକଦମ୍ ଛାନିଆ। ଲୁହ ଗଡ଼ାଇ ଗଡ଼ାଇ ବାକି କାମତକ ସେ ସାରିଦେଲା । କିଛି ନକହି ନୀରବ ରହିଲା..ସବୁ ଦୋଷ ଏଇ ଶୀତ ଆଉ ଖରା ଦିନିଆ ପାଗ କୁ ଦେବାରେ ଲଗିଲା..ଭାବିଲା,କାଲି ଯାଇଁ ଥଣ୍ଡା ହଉଥିଲା ଆଉ ଦିନଟେ ଭିତରେ ଏତେ ଗରମ୍ ହେବା ଆରମ୍ଭ ହେଲାଣି ଯେ ଏବେ ଆଉ ଗରମ୍ ଖାଇବା ଦିନ ଯାଇ ଏବେ ପଖାଳ ପାଗ ଆସିଲା ବୋଲି ଏବେ ଜାଣି ପାରିଲା। 

ଆଉ ସେ ବୁଝିଗଲା ଦାସିଆ ଆଜି କଣ ଗୋଟେ କଥା କୁ ନେଇ ଭାରି ବ୍ୟସ୍ତ ଅଛି ତାକୁ କିଛି ପଚାରିବା ଠିକ୍ ହବନି। ଏତିକି ଭାବୁ ଭାବୁ ଘର ଇଷ୍ଟ ଙ୍କୁ ମୁଣ୍ଡିଆ ମାରି ଶୋଇବାକୁ ଗଲା କାବେରୀ।

ପରଦିନ ସକାଳୁ ଉଠି ଘର ଦ୍ଵାର ଲିପା ପୋଛା କରି..ନିତ୍ୟକର୍ମ ସାରି ଚଉଁରା ପୂଜା କରି ଯାଇ ବିରି ବାଟି ବଢି ପକେଇଲା। ଆଉ ଦାସିଆ ପାଇଁ ମାଣ୍ଡିଆ ଜାଉ ତିଆରି କରି ରଖିଲା। ଗତ ରାତିରେ ଦାସିଆ ଓପାସରେ ଶୋଇଚି ଏବେ ଟିକେ ପେଟ ଭରି ବିଲକୁ ବାହାରୁ ବୋଲି କାବେରୀ ଚାହୁଁଥିଲା। 

କିନ୍ତୁ ଦାସିଆ ଘର ଆଗ ଦୋକାନରୁ ଚାହା ପିଇଦେଇ ବିଲ କାମକୁ ବାହାରି ଗଲା। ଗତ ରାତି ରେ ସେ କାବେରୀ ମନ ଦୁଖ କରିଥିଲା ବୋଲି ଆଜି ସକାଳୁ ଦାସିଆକୁ ଖରାପ ଲାଗୁଥିଲା ଆଉ କାବେରୀ କୁ ଚାହିଁ ପାରୁନଥିଲା।

କିନ୍ତୁ ଏସବୁକୁ ଠିକ୍ ଲକ୍ଷ୍ୟ କରୁଥିଲା କାବେରୀ ।ମନରେ କିଛି ନ ଧରି ସେ ଦାସିଆ ମନ ଖୁସି କରିବାକୁ ଚିନ୍ତା କଲା ।

ସଙ୍ଗେ ସଙ୍ଗେ ଝୁଡି ଟିଏ ଧରି ବାଡ଼ିକୁ ଚାଲିଗଲା. କାକୁଡି, ଟମାଟ,କଞ୍ଚାଲଙ୍କା, ଲେମ୍ବୁ , କଞ୍ଚା କଦଳୀ ତୋଳିଲା ଆଉ ଶାଗ କିଆରୀ କୁ ଯାଇ ସତେଜ ଶାଗ ସବୁ ତୋଳିଲା ଘରକୁ ଫେରିବା ବାଟରେ ଭାବିଲା..ଆଜି ଦେଖୁଚି ଦାସିଆ ର ହେଇଚି କଣ ? ରୋଷେଇ ଘରକୁ ଯାଇ କାବେରୀ..ଶୀଘ୍ର ଶୀଘ୍ର ସବୁ କାମ ସାରିଲା। ଶାଗ ଖରଡ଼ିଲା, ଟମାଟ ପୋଡିଲା, କଦଳୀ ର ଭଜା ଭାଜିଲା, ଭାତ କରିଲା ଆଉ ଗଲା ବର୍ଷ ର ବଳକା ବଡି କୁ ଭାଜି ବଡ଼ିଚୁରା କରି ସେଥିରେ ପେଷା ସୋରିଷ ତେଲ ପକାଇ ଗୋଟେ ପାଖକୁ ରଖିଦେଲା । ତା ପରେ ଯାଇ ବାରିରେ ଥିବା କୁଣ୍ଡରୁ ଜୀଅନ୍ତା ମାଛ ଆଣି ତାକୁ କଟାକଟି କରି ଭଜା କରିକି ରଖିଦେଲା । ଏତିକିରେ ବାସ୍ ସାହି ପଡ଼ିଶା ରୁ ପାଟି ଶୁଭିଲା, "କିଲୋ କାବେରୀ କିଏ କୁଣିଆ ଆସିଛି କିଲୋ ?" ଏତେ ବାସ୍ନା କମ୍ପେଇ ରାନ୍ଧୁଛୁ ଆଜି !! କାବେରୀ ଅଳ୍ପ ହସି ସେମାନଙ୍କ ସହ କଥା ହୋଇ ଏପଟେ ଦାସିଆ ପାଇଁ ପଖାଳ ସଜେଇବାରେ ଲଗିଲା. ଭାତରେ ବାସି ତୋରାଣି ଅଳ୍ପ ଲେମ୍ବୁ କଞ୍ଚା ଲଙ୍କାକୁ ଲୁଣ ଦେଇ ଭଲ କରି ମିଶେଇ ରଖିଦେଲା. 

ଅଳ୍ପ ସମୟରେ ସବୁ ଖାଇବା,ପିଇବା ପାଣି ବୋତଲ ଆଉ ବିଞ୍ଚଣା ସବୁ ଗୋଟେ ଜାଗାରେ ରଖି ଗଣ୍ଠିଲି କଲା. 

ଘରେ ଚାବି ପକାଇ ଏତକ ଧରି ସେ ବିଲମାଳ ଆଡ଼କୁ ଟାଣ ଖରା ସତ୍ତ୍ଵେ ଚାଲିଗଲା । ନଦୀ ଆଉ ଛୋଟ ପର୍ବତ ପରେ ଆସେ ତାଙ୍କ ବିଲ। ଅନେକ ବାଟ ଚାଲି ଚାଲି ଯାଇ ଶେଷ ରେ ସେ ନିଜ ବିଲ ପାଖା ପାଖି ଯାଇ ଟିକେ ଦୂର ରୁ ଦାସିଆ କୁ ଦେଖି ଅଟକି ଗଲା ।

ବିଚରା ଦାସିଆ ଏତେ ଟାଣ ଖରାରେ ଝାଳ ବୁହାଇ କାମ କରିବାରେ ଲାଗିଛି...ତାକୁ ଦେଖି ସେ ଭାବିଲା ଖରାରେ ଏତିକି ବାଟ ଚାଲିବାରେ କେତେ କଷ୍ଟ ଲାଗୁଛି ପୁଣି ସେହି ଟାଣ ଖରା ରେ ଦାସିଆ ସାରା ଦିନ କେମିତି କଷ୍ଟ ସହି କାମ କରୁଛି !! ମନରେ ଦାସିଆ ପାଇଁ ଦୟା ନେଇ ଧୀରେ ଧୀରେ କାବେରୀ ପାଦ ବଢାଇଲା ଦାସିଆ ଆଡକୁ।

ଚୁଡ଼ିର ଶବ୍ଦ ଶୁଣି ଦାସିଆ ଚାହିଁଲା ବେଳକୁ ତା ଆଗରେ କାବେରୀ..ତାକୁ ଦେଖି ଖରା-ଉତ୍ତାପରେ ଶୋଷ ମେଣ୍ଟିବା ଭଳି ଶାନ୍ତି ମିଳିଲା ଦାସିଆକୁ ।କାମକୁ ଅଟକାଇ କାବେରୀ ପାଖକୁ ଗଲା ଦାସିଆ ।

କହିଲା, 'ଏତେ ଖରାରେ କୁଆଡେ ଆସିଗଲୁ' ? ଏତିକି ରେ କାବେରୀ କହିଲା,'ମୁଁ ସବୁ କହିବି ତମେ ଆସିଲ ଏପଟେ'..। ଏମିତି କହି କାବେରୀ କେନାଲ ପାଖରେ ଥିବା ଗଛର ଛାଇ ତଳେ ଆସନ ବିଛାଇଦେଲା। ଦାସିଆ ହାତକୁ ବୋତଲ ବଢାଇ ପାଣି ପିଇବାକୁ ଦେଲା ଆଉ କେନାଲ ଯାଇ ହାତ ଗୋଡ଼ ଧୋଇ ଆସିବାକୁ କହିଲା । ଦାସିଆ କେନାଲ ରୁ ଆସୁ ଆସୁ ଏପଟେ କାବେରୀ ଗୋଟି ଗୋଟି କରି ସବୁ ଖାଇବା ସଜାଡି ରଖିଦେଲା।


ଦାସିଆ କେନାଲ ରୁ ଫେରି ଦେଖେ ତ ତା ଆଗରେ ପଖାଳ କଂସା, ଟମାଟ ପୋଡ଼ା, ଶାଗ ଖରଡା, ବଡ଼ି ଚୁରା,କଦଳୀ ଭଜା, ମାଛ ଭଜା କୁ ଯତ୍ନ ରେ ସଜାଇ ବାଢ଼ି କି ରଖିଛି କାବେରୀ । ଟାଣ ଖରାରେ ଝାଳବୁହା ପରିଶ୍ରମ ପରେ କାବେରୀର ହସ ହସ ମୁହଁ ସହ ଏତିକି ଖାଇବା ଦେଖି ଦାସିଆ ର ମନ ସହ ଆତ୍ମା ମଧ୍ୟ ଖୁସି ହେଲା ପରି ସନ୍ତୋଷ ରେ କାବେରୀ କୁ ଚାହିଁ କିଛି କହିବା ପୂର୍ବରୁ କାବେରୀ ତାକୁ ଖାଇବା ପାଇଁ ହାତ ଟାଣି ବସେଇ ଦେଲା। କହିଲା ଦୁଇ ଓଳି ଓପାସ ରହିଛ ଆଗ ଖାଇନିଅ ପରେ ଆରାମ୍ ରେ କଥାହେବା ।

ଏତିକି ଶୁଣି ଦାସିଆ ଯାଇ ଆରମ୍ଭ କଲା ଖାଇବା । ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ବର୍ଷର ପ୍ରଥମ ପଖାଳ ତା ଆଗରେ ଥିଲା । ଖାଉ ଖାଉ ତା ମନ ପରିବର୍ତ୍ତନ ହୋଇଗଲା । ତାକୁ ଏମିତି ଲାଗିଲା ଯେମିତି ତାର ସବୁ କଷ୍ଟକୁ ମୁକ୍ତି ମିଳିଯାଇଛି। ଦାସିଆ ମୁହଁକୁ ଦେଖି କାବେରୀ ବେଶ୍ ଶାନ୍ତି ପାଉଥିଲା।

ଏମିତି ଖାଲି ଖାଇବା ବେଳେ ଗୋଟିଏ ପଖାଳ ଗୁଣ୍ଡା ଦାସିଆ କାବେରୀ ଆଡ଼କୁ ବଢାଇ କହିଲା,

"କାବେରୀ କାଲି ଜମି ମାମଲା ନେଇ ମୁଁ ଭାରି ବ୍ୟସ୍ତ ଥିଲି ଆଉ ଅକାରଣରେ ତୋତେ ମୁଁ କେତେ ଦୁଖଃ ଦେଇଦେଲି। ତଥାପି ଆଜି ତୁ ମୋ ଲାଗି ଏସବୁ କେମିତି କରୁଛୁ !! ଭାଗ୍ୟ କରିଥିଲି ଯେ ମହାଦେବ ତୋ ଭଳି ଘରଣୀଟେ ଦେଲେ ହେଲେ ଦେଖ..କେଡେ ଭୁଲ ନ ହୋଇଲା ମୋର ଯେ ତୋ ମନରେ କଷ୍ଟ ଦେଲି.. ଆଉ ତୁ ଗୋଟେ ଓଲଟା କିଛି ନକହି ସବୁ ସହିଗଲୁ..!!"

ଏତିକି କହି ଦାସିଆ କହିଲା, 'ହଉ ନେ..ମୋ ହାତରୁ ବର୍ଷର ପ୍ରଥମ ପଖାଳ ଖାଇ ଟିକେ କହିଦେ ତୁ ଆଉ ମୋ ଉପରେ ରୁଷି ନାହୁଁ ବୋଲି...'.


ଖାଇବା ଆଗରୁ କାବେରୀ ଦାସିଆର ସଙ୍କୋଚ ଜାଣି ପାରି ଅଳ୍ପ ହସି କହିଲା.. 


ଶୁଣ..

"ଗରମ୍ ଭାତରେ ଗରମ୍ ପାଣି ନାହିଁ ବରଂ ଗରମ ଭାତ ରେ ଥଣ୍ଡା ପାଣି ପଡିଲେ ହିଁ ପଖାଳ ଖାଇବାର ଶାନ୍ତି ମିଳେ." 


କାବେରୀ କଥା ଶୁଣି ଦାସିଆ ମନର ସଙ୍କୋଚ ଚାଲିଗଲା ଓ ଗତ ରାତିରେ କାବେରୀର ଧୈର୍ଯ୍ୟ ଓ ତା ପ୍ରତି ଥିବା ପ୍ରଗାଢ ପ୍ରେମକୁ ଅନୁଭବ କରିପାରିଲା। 


ଏବେ ଯାଇ ଦାସିଆ ନିଜକୁ କ୍ଷମା ଦେଇ ଚଞ୍ଚଳ ମନରେ ଖାଇସାରି ଯାଇ ବିଲକାମ କରିଲା ଓ ଏପଟେ କାବେରୀ ଦାସିଆକୁ ଖୁସି ରେ ଦେଖି ଖୁସି ମନରେ ଗୀତ ଗାଇ ଗାଇ ଘରକୁ ଫେରିଲା।

5 Comments

  1. Bohut badhiya story ta heichi Didi... happy pokhalo Divas🤤

    ReplyDelete
    Replies
    1. ଗରମ ଭାତରେ ...ଶାନ୍ତି ମିଳେ । ଏ ବାକ୍ୟ ଟି ଖାସ୍ କରି ମନ କୁ ବେଶି ଛୁଇଁଲା ।

      ପ୍ରୀତି

      Delete
  2. Very Nicely written 👌
    Keep writing.

    ReplyDelete
  3. Golpo ti satare hrudaya ku chhuinla pori heichi..

    Tomoro ehi prayasa lagi rahi thau au amo mono ku khusi kari chali thau
    All the best Dear☺

    ReplyDelete

Post a Comment

Post a Comment

Previous Post Next Post

ଶୁଭଦୃଷ୍ଟି ମୌସୁମୀ ଅର୍ଘ୍ୟ

(୨ୟ ବର୍ଷ, ୩ୟ ସଂଖ୍ୟା)

ଡାଉନଲୋଡ୍ କରନ୍ତୁ