ପଖାଳ

ପଖାଳ - ମୋନାଲିଶା 

ପଖାଳ


ଶୀତ ଦିନର କଅଁଳ ଖରା ହେଉ ଅବା ନିଦାଘର ଧୂ ଧୂ ଖରାବେଳ, ସବୁ ସମୟରେ ଅପରିବର୍ତ୍ତିତ ରହୁଥିବା କଥାଟା ହେଲା 

ଅଗଣାରେ ଥିବା ବୋଉ ହାତଲଗା ଲାଉଗଛ ମୂଳେ ପିଢ଼ା ପକାଇ ସକାଳ ଓଳି ପଖାଳ ଖାଇବା ପାଇଁ  ଆମ ଭାଇଭଉଣୀ ମାନଙ୍କ ଭିତରେ ଯେଉଁ ପ୍ରତିଯୋଗିତା, ଗ୍ରୀଷ୍ମ ଅପରାହ୍ନ ରେ ସଜ ପଖାଳରେ ଆମ୍ବକଷି ଓ ତା ସାଙ୍ଗକୁ ଗାଁ ଗାଡିଆରୁ ମାଛ ଧରି ଚୁନାମାଛ ପତ୍ରପୋଡା , ବେଳେ ବେଳେ ଶୁଖୁଆ ଭଜା, ରସୁଣ କଞ୍ଚାଲଙ୍କା ଓ ଆମ୍ବୁଲ ଝୋଳ। ଆହାଃ ପାଟିରୁ ଲାଳ ଗଡି ପଡୁଛି।

   ଶୀତ ଦିନେ ବୋଉ ଶହେ ପ୍ରକାର ଗିନା ସଜେଇ ଦିଏ ପଖାଳ କଂସା ପାଖେ, କେତେ ପ୍ରକାର ଗୋଟା ଭଜା, ଫାଳି ଭଜା, ଚୁଡୁଚୁଡା, ଆଳୁ , ବାଇଗଣ, ପୋଟଳ ଆଦି ଛେଚା, ଗରମ ଗରମ ମାଛ ଭଜା, ମଞ୍ଜା ରାଇ ଏମିତି କେତେ କ'ଣ। ତା ସାଙ୍ଗକୁ ବଡ଼ିଚୁରା ଆଉ ଶାଗଭଜାର ତ ପଖାଳ ସହ ଅତି ଘନିଷ୍ଠ ସଂପର୍କ। ଓଡିଆ ଘରର ପ୍ରାଣ, ପଖାଳ। ସେ ଯଦି ବୋଉ ହାତରୁ ମିଳିଗଲା ତା ହେଲେ କଥା ସଇଲା। 

   ପଖାଳ କଂସା ପାଖେ ପଖାଳର କମ୍ କିନ୍ତୁ ଆମ ମାନଙ୍କ ଭାବନାର ଚର୍ଚ୍ଚା ବେଶିହୁଏ। ଦିଦି, ଦେଇ ଆଉ ବଡ ଭାଇଙ୍କ ଦ୍ବାରା ବୋଉ ପାଖେ ଅଭିଯୋଗ ବଢା ହୁଏ ଯେ ବୋଉ ମତେ ସବୁଥିରୁ ଅଧିକ ଦେଉଛି। ବାସ୍ ସେଇଠୁ ଆରମ୍ଭ ହୁଏ ଆମ ମହାଭାରତ। ଚାଲେ ରାମ୍ପୁଡା , କାମୁଡ଼ା, ଚୁଟି ଝିଙ୍କା , ଠେଲାପେଲା, ଚିଡାଚିଡି। ଅଗଣାର ଲାଉଗଛ ମୂଳ ପାଲଟି ଯାଏ କୁରୁକ୍ଷେତ୍ର। ବୋଉ ମୁରୁକି ମୁରୁକି ହସୁଥାଏ ଠିକ୍ ସେମିତି ଯେମିତି ପକ୍ଷୀ ମାନଙ୍କ କୋଳାହଳରେ ଗଛଟି ଆନନ୍ଦରେ କୁରୁଳି ଉଠେ।ବାପା ଙ୍କ ସହ ଆମର ବୈଠକ ବି ସେଇ ପଖାଳ କଂସା ପାଖେ ହୁଏ।  

   ସାର୍! ...ସାର୍!!........ସାର୍!!!

 କାହାର ହାତର ସ୍ପର୍ଶରେ  ହଠାତ୍ ଚମକି ଉଠିଲା ସତୀଶ। ପଖାଳ କଂସା, ଅଗଣାରେ ଲାଉଗଛ, ବୋଉ ସବୁ କିଛି ଧୂଆଁ ପରି ମିଳେଇଗଲା ତା ଆଖି ଆଗରୁ। ନିଜକୁ ଆବିଷ୍କାର କଲା ନିଜ ଅଫିସ ରୁମରେ। ଦେଖିଲା ତାର ଆସିଷ୍ଟାଣ୍ଟ ମୋହନ

 ଫାଇଲ ଧରି ଛିଡା ହେଇଛି। 

 "ସାର୍ କ'ଣ ହୋଇଛି କି? ଆପଣ ଅନ୍ୟ ମନସ୍କ ଲାଗୁଛନ୍ତି। " ପଚାରିଲା ମୋହନ।

" ଏଁ.. ନାଁ ...ନାଁ ମୋର କାଇଁ କ'ଣ ହେବ!  ସେ କିଛି ନାହିଁ। ଛଳଛଳ ଆଖିରେ ଉତ୍ତର ଦେଲା ସତୀଶ୍। "

"ହଉ ସାର୍, ଆଜି ଗୋଟେ ଗୁରୁତ୍ବପୂର୍ଣ୍ଣ କାମରେ ଆମକୁ ବାହାରକୁ ଯିବାର ଅଛି। ମୁଁ ଗାଡ଼ି ବାହାର କରୁଛି , ଆପଣ ଆସନ୍ତୁ।" ଏତିକି କହି ବାହାରିଗଲା ମୋହନ।

ପଛେ ପଛେ ଗଲେ ସତୀଶ୍।

.. ଗାଡିରୁ ଓହ୍ଲେଇବା ମାତ୍ରେ ଧାଇଁ ଗଲେ ସତୀଶ ଘର ଭିତରକୁ। ଦେଖିଲେ ବୋଉ ପଖାଳ କଂସା ଧରି ଖାଇ ବସିଛି। କିଛି ନ ବିଚାରି ହାତଗୋଡ ନଧୋଇ ବୋଉ ହାତରୁ ଆଗ ଦି ଗୁଣ୍ଡା ଖାଇଦେଲେ।ଲାଉ ଗଛ ମୂଳ ନାହିଁ କି ସେ ମାଟି ଅଗଣା ବି ନାହିଁ। କିନ୍ତୁ ପଖାଳର ମହକ ଆଉ ବୋଉ ହାତର ସୁଆଦ ସେମିତି ହିଁ ଅଛି। ଉଡି ଯାଇଥିବା କର୍ପୁର ର ସୁଗନ୍ଧ ପରି। "ହାପି ପଖାଳ ଦିବସ ବୋଉ"- କହିଲେ ସତୀଶ୍। ଠୋ ଠୋ ହେଇ ହସି ଉଠିଲା ବୋଉ। 

"ଆରେ ପାଗଳା ମୁଁ ତ ପଖାଳ ପ୍ରତିଦିନ ଖାଏ, ଏ ଦିବସ ,ଫିବସ ସବୁ ଗୋଟେ ଭେଳିକି। ହେଲେ ତୁ କହ , ତୁ ଏମିତି ଅଚାନକ କେମିତି ଚାଲି ଆସିଲୁ, ତୋ କାମ ଆଉ ସଂସାର ଜଞ୍ଜାଳରୁ ତତେ ଆଜି କେମିତି ଫୁରୁସତ ମିଳିଲା।"

ଅଳ୍ପ ହସି ସତୀଶ୍ କହିଲେ" ସବୁରି ମୂଳରେ ଏ ବଦମାସ୍ ମୋହନ"। 

ହସୁଥିଲା ମୋହନ‌। 

ପ୍ରତୀକ୍ଷାର ପ୍ରତ୍ୟାଶାରେ ଥିଲେ ସତୀଶର ଆଖି କଣରେ ଛୁପିବାକୁ ଚେଷ୍ଟା କରି ବିଫଳ ହେଇଥିବା ଦୁଇଟୋପା ଅଶ୍ରୁ  ଆଉ ଟେବୁଲ୍ ଉପରେ ଥିବା ଅଧାମେଲା ଖବରକାଗଜ। ଯେଉଁଥିରେ ବଡ଼ବଡ଼ ଅକ୍ଷରରେ ଲେଖାଥିଲା " ମାର୍ଚ୍ଚ ୨୦ ,ପଖାଳ ଦିବସର ଅଭିନନ୍ଦନ"।।


1 Comments

Post a Comment

Post a Comment

Previous Post Next Post

ଶୁଭଦୃଷ୍ଟି ମୌସୁମୀ ଅର୍ଘ୍ୟ

(୨ୟ ବର୍ଷ, ୩ୟ ସଂଖ୍ୟା)

ଡାଉନଲୋଡ୍ କରନ୍ତୁ