ସନ୍ଧ୍ୟାର ସକାଳ

 ସନ୍ଧ୍ୟାର ସକାଳ - ମୋନାଲିଶା ସାମଲ






"ଆସି ସକାଳ ସାତଟା ହେଲାଣି ,ଏବେ ମଣିମା ବିଛଣା ଛାଡ଼ିବା ହୁଅନ୍ତୁ।" ଏମିତି କଟାକ୍ଷଟିଏ କରି ରୋଷେଇ ଘର ଭିତରକୁ ଚାଲିଗଲେ ସାରଦା ଦେବୀ। ପତ୍ନୀଙ୍କ କଥା ଶୁଣି ଉଠି ବସିଲେ ଲକ୍ଷ୍ମୀକାନ୍ତ ବାବୁ। ମୁହଁ ଧୋଉ ଧୋଉ ପତ୍ନୀଙ୍କ ଉଦ୍ଦେଶ୍ୟରେ କହିଲେ-"ଆଜି ସକାଳ ପ୍ରହରୁ କଣ ଏତେ ବ୍ୟସ୍ତ? " ରୋଷେଇଘରୁ ଗରମ ଚା କପଟି ଲକ୍ଷ୍ମୀକାନ୍ତ ବାବୁଙ୍କ ହାତକୁ ବଢାଇ ଦେଉ ଦେଉ ସାରଦା ଦେବୀ ଉତ୍ତର ଦେଲେ- " କେମିତିକା ଲୋକ ହୋ ତୁମେ! ସବୁ ଭୁଲି ଯାଉଛ। ସୀତାକାନ୍ତ ବାବୁ ଏତେ କରି କହି ଯାଇଥିଲେ ତାଙ୍କ ଝିଅର ପୁରସ୍କାର ପ୍ରଦାନ ଉତ୍ସବକୁ ଯିବାପାଇଁ। ନିଜେ ଆସି ନିମନ୍ତ୍ରଣ ଦେଇ ଯାଇଛନ୍ତି। ସକାଳୁ ବି ଅନେକଥର ଫୋନ କରି ସାରିଲେଣି। ଏଠି ତାଙ୍କର ଆମକୁ ଛାଡି ନିଜର ବୋଲି ବି କିଏ ଅଛି? ଆମେ ନଗଲେ ସେ ଖରାପ ଭାବିବେ। ଶୀଘ୍ର ଗାଧୋଇ ପାଧୋଇ ରେଡି ହୁଅ। "
ଏତିକି କହିସାରି ସାରଦା ଦେବୀ ନିଜ କାମରେ ବ୍ୟସ୍ତ ହେଇଗଲେ। ଲକ୍ଷ୍ମୀକାନ୍ତ ବାବୁଙ୍କ ମନ ଟାଣି ହେଇଗଲା ଅନତିଦୂରର ଅତୀତକୁ।
ଆଜକୁ ଠିକ୍ ଆଠବର୍ଷ ତଳେ ନିଜର ବ୍ୟବସାୟ ସାରି ରାତି ଅଧରେ ଘରକୁ ଫେରୁଥିବାବେଳେ ରାସ୍ତାକଡ ବରଗଛ ମୂଳେ କିଛି ଚୋର ଡ଼କାୟତଙ୍କ ହାବୁଡ଼ରେ ପଡ଼ିଥିଲେ ସେ। କିନ୍ତୁ ସେହି ସମୟରେ ନିଜର ସାହସ ଦେଖାଇ ତାଙ୍କୁ ରକ୍ଷା କରିଥିଲେ ସୀତାକାନ୍ତ ବାବୁ। ନିଜ ଟୁଙ୍ଗୀଘରକୁ ନେଇ ତାଙ୍କ କ୍ଷତରେ ପଟି ବାନ୍ଧିଥିଲେ। ସେ ଘରେ ସେ ତାଙ୍କ ଝିଅ ସନ୍ଧ୍ୟା ସହ ରହୁଥିଲେ। ସୀତାକାନ୍ତ ବାବୁଙ୍କ ସହ କଥା ହେଇ ସେ ଜାଣିବାକୁ ପାଇଥିଲେ ଯେ ସେମାନେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ମହାଜନର ଋଣ ସୁଝି ନପାରି ଗାଁ ଛାଡି ଚାଲି ଆସିଛନ୍ତି। ସନ୍ଧ୍ୟା ଜଣେ ଶିକ୍ଷିତା ଝିଅ ଥିଲା। ଲକ୍ଷ୍ମୀକାନ୍ତ ବାବୁ ଦୟାପରବଶ ହେଇ ତାକୁ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନ ରେ ଚାକିରୀ ଖଣ୍ଡେ ଦେଇଥିଲେ। ଏଇ ଆଠ ବର୍ଷ ଭିତରେ ସମୟ ଅନେକ କିଛି ବଦଳେଇ ଦେଇଛି। 
'ସନ୍ଧ୍ୟା ମହାପାତ୍ର' ଏବେ ବ୍ୟବସାୟ କ୍ଷେତ୍ରରେ ଏକ ବଡ ନାଁ। ସନ୍ଧ୍ୟା ନିଜର କଠିନ ଅଧ୍ୟବସାୟ ବଳରେ ଛିଡା କରିଛି ବ୍ୟବସାୟ ର ଏକ ବିଶାଳ ସାମ୍ରାଜ୍ୟ।  ତାର ପରିଚାଳନାର କଳା ତା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏବେ ସେ ସହରର ହାତଗଣତି ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ମଧ୍ୟରେ ଜଣେ। ସୀତାକାନ୍ତ ବାବୁ କି ସନ୍ଧ୍ୟା କିନ୍ତୁ ଭୁଲି ନାହାଁନ୍ତି ଲକ୍ଷ୍ମୀକାନ୍ତ ବାବୁଙ୍କର ସେ ବଦାନ୍ୟତାକୁ। ତାଙ୍କୁ ଭେଟି ଦେଇଛନ୍ତି ଅଜସ୍ର ସମ୍ମାନ ଆଉ କୃତଜ୍ଞତା। ଆଜି ସେହି  ସନ୍ଧ୍ୟା ମହାପାତ୍ର କୁ "ସବୁଠୁ ସଫଳ ଯୁବ ବ୍ୟବସାୟୀ" ର ପୁରସ୍କାର ପ୍ରଦାନ କରାଯାଉଛି। ସେଥିପାଇଁ ସୀତାକାନ୍ତ ବାବୁଙ୍କ ଅନୁରୋଧ ସାରଦା ଦେବୀ ଆଉ ଲକ୍ଷ୍ମୀକାନ୍ତ ବାବୁ ସେ ପୁରସ୍କାର ପ୍ରଦାନ ସମାରୋହ ରେ ଯେମିତି ହେଲେ ବି ଉପସ୍ଥିତ ରହିବେ।
ପତ୍ନୀଙ୍କ ଡାକରେ ହଠାତ୍ ବର୍ତ୍ତମାନ କୁ ଫେରି ଘଡିକୁ ଚାହିଁଲେ ଲକ୍ଷ୍ମୀକାନ୍ତ ବାବୁ। ସମୟ ଆସି ସାଢ଼େ ଆଠଟା। ତରତର ହେଇ ସେ ଗାଧୁଆ ଘରକୁ ପଶିଗଲେ।
                   ହୋଟେଲ ନବଲଗ୍ନାରେ ପୁରସ୍କାର ପ୍ରଦାନ ସମାରୋହ। ଅନେକ ବିଶିଷ୍ଟ ବ୍ୟବସାୟୀ, ଯୁବ ବ୍ୟବସାୟୀ ଓ ପ୍ରତିଭାଶାଳୀବ୍ୟକ୍ତିମାନେ ଆସନରେ ବିରାଜିତ। କାର୍ଯ୍ୟକ୍ରମର ସଂଚାଳକ କାର୍ଯ୍ୟକ୍ରମ ଆରମ୍ଭ କଲେଣି। ଭିତରକୁ ପ୍ରବେଶ କଲେ ଲକ୍ଷ୍ମୀକାନ୍ତ ବାବୁ ଆଉ ସାରଦା ଦେବୀ। ସୀତାକାନ୍ତ ବାବୁ ପରମ ଆନନ୍ଦରେ ତାଙ୍କୁ ପାଛୋଟି ନେଲେ। କିଛି ସମୟର କାର୍ଯ୍ୟକ୍ରମ ପରେ ଉଦଘୋଷକ ଘୋଷଣା କଲେ ସନ୍ଧ୍ଯା ମହାପାତ୍ରଙ୍କ ନାଁ। ମଞ୍ଚ ଉପରେ ସନ୍ଧ୍ୟା କୁ ଦେଖି ସୀତାକାନ୍ତ ବାବୁଙ୍କ ଆଖି ଲୁହରେ ପରିପୂର୍ଣ୍ଣ ହେଇ ଯାଇଥାଏ। ସନ୍ଧ୍ୟା ପୁରସ୍କାର ଗ୍ରହଣ କରି ସାରିବା ପରେ ଭୋ ଭୋ ହୋଇ ବହୁତ ଜୋରରେ କାନ୍ଦି ପକାଇଲା। ସେ ପୁରସ୍କାର ଟିକୁ ତା ବାପା ସୀତାକାନ୍ତ ବାବୁଙ୍କୁ ସମର୍ପିତ କରିବା ସହ କହିଲା- " ବାପା! ସେଦିନ ମୋ ନିଷ୍ପତିକୁ ସମର୍ଥନ ଜଣାଇ ଯଦି ତୁମେ ମୋ ସହ ଛିଡା ହୋଇନଥାନ୍ତ, ତାହେଲେ ହୁଏତ କେଉଁ କାଳରୁ ମୁଁ ଯୌତୁକ ଯୁଇରେ ଶୋଇ ଯାଇଥାନ୍ତି। ବାପା!  ସ୍ବାମୀ ପରିତ୍ୟକ୍ତ ବୋଲି ଲୋକଙ୍କ ଟାହିଟାପରା, ଅସଫଳ ବିବାହର ଅନେକ କର୍ଣ୍ଣକଟୁ ମନ୍ତବ୍ୟ, ମୋ ବିବାହକୁ ନେଇ କିଏ ପ୍ରଶ୍ନ କଲେ ତୁମକୁ ଆଉ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ଅପରାଧି ପରି ମୁଣ୍ଡ ନୁଆଇଁ ଚାଲୁଥିବାର ଦେଖିବା, ପୁରୁଷ ମାନଙ୍କ ଅଶ୍ଲୀଳ ଇଙ୍ଗୀତ, ଭାଉଜ ମାନଙ୍କ କଟୁବାଣୀ କୁ ସହି ନପାରି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଯଦି ତୁମେ ମତେ ରୋକି ନଥାନ୍ତ ତାହେଲେ ହୁଏତ ମୁଁ କେଉଁଠି ଅଲୋଡା ପାଉଁଶ ମୁଠାଏ ହେଇ ଉଡି ବୁଲିଥାନ୍ତି। ବାପା! ସେଦିନ ଯଦି ତୁମେ ତୁମର ପରିବାର ଛାଡ଼ି ମୋତେ ସମର୍ଥନ ଦେବାକୁ ଯାଇ ଗାଁ ଛାଡି ନଥାନ୍ତ ମୁଁ ଆଜି ଏଇଠି ଏମିତି ସଫଳ ହେଇ ପାରି ନଥାନ୍ତି। ମୋର ଅସ୍ତିତ୍ବ ମୁଁ କେଉଁଠି ହଜେଇ ଦେଇଥାନ୍ତି। ବାପା! କାହିଁକି ଆମ ସମାଜ ଏଇ 'ଛାଡପତ୍ର ' ଶଦ୍ଦଟିକୁ ସହଜେ ଗ୍ରହଣ କରି ପାରେ ନାହିଁ। କାହିଁକି ଏହା ଏକ ବିବାହିତା ଝିଅ ଆଉ ତା ପରିବାର ପାଇଁ ଲଜ୍ଜାକର କଥା ହେଇଯାଏ? ଛାଡପତ୍ରର ଅର୍ଥ କ'ଣ ଝିଅଟି ଜୀବନର ଶେଷ?
କାହିଁକି ଏ ସମାଜ ତାକୁ ଆଦରି ନେଇ ପାରେନି। କାହିଁକି ଏକ ଦୁର୍ଯୋଗରୁ ବାହାରି ଏକ ନୂଆ ଜୀବନ ଆରମ୍ଭ କରିବାକୁ ସୁଯୋଗ ଦିଏନି? କାହିଁକି ବାପା?? କାହିଁକି ?ସମାଜର ଏ ନକରାତ୍ମକ ବିଚାରକୁ ଆଡେଇ ଦେଇ କାହିଁକି ତାର ପରିବାର ତାକୁ ମନଖୋଲି ଆପଣେଇ ନିଏନି?"
"କାହିଁକି ଆସନ୍ନ ସନ୍ଧ୍ୟାରୁ ଏକ ନୂତନ ସକାଳର ପ୍ରତୀକ୍ଷା  ରଖୁଥିବା ଏ ସମାଜ ଏକ ନାରୀ ଜୀବନର ଅନ୍ଧାରର ଆଲୁଅକୁ ଦେଖି ପାରେନି?"
ଆଉ କିଛି କହି ପାରୁ ନଥିଲା ସନ୍ଧ୍ୟା। ତାର କଣ୍ଠ ରୁଦ୍ଧ ହେଇ ଆସୁଥିଲା। ଉପସ୍ଥିତ ସବୁ ଲୋକ ନିର୍ବାକ ଥିଲେ।
ହଠାତ୍ କାହାର ଜୋରରେ କାନ୍ଦିବା ଚିତ୍କାର ଶୁଣାଗଲା। ସୀତାକାନ୍ତ ବାବୁ ଚମକି ପଡ଼ି ଦେଖନ୍ତି ଯେ ସାରଦା ଦେବୀଙ୍କୁ ପ୍ରବୋଧନା ଦେଉଥିଲେ ଲକ୍ଷ୍ମୀକାନ୍ତ ବାବୁ। ଲକ୍ଷ୍ମୀକାନ୍ତ ବାବୁଙ୍କୁ ଏବେ ବି ବିଶ୍ବାସ ହେଉ ନଥିଲା ଯେ ସନ୍ଧ୍ୟା ଜଣେ ସ୍ବାମୀ ପରିତ୍ୟକ୍ତ ମହିଳା। ମନେ ମନେ ନିଜକୁ ଧିକ୍କାର କରୁଥିଲେ ସେ। ତାଙ୍କ କାନରେ ଖାଲି ପ୍ରତିଧ୍ବନିତ ହେଉଥିଲା ନିଜ ଶାଶୁଘରୁ ବାରମ୍ବାର ଫୋନ୍ କରି କହୁଥିବା ତାଙ୍କ ଝିଅ ଉଷାର ସେ ଆତୁର ସ୍ବର।" ଡାଡି, ପ୍ଲିଜ ମତେ ନେଇଯାଅ, ମୁଁ ତୁମ ଇଜ୍ଜତକୁ ଜଗି ଆଉ ଏ ଅତ୍ୟାଚାର ସହି ପାରିବିନି। ମତେ ଏମାନେ ମାରିଦେବେ"।
ଯାହାକୁ ହୁଏତ ଦଶବର୍ଷ ତଳୁ ସେ ବାସ୍ତବରେ ଶୁଣି ନାହାଁନ୍ତି କି ଆଉ କେବେ ଶୁଣି ପାରିବେନି। 

Post a Comment

Post a Comment (0)

Previous Post Next Post
Free Shubhdristi App Download Now