ସମର୍ପଣ - ସ୍ୱାଗତିକା ମହାଙ୍କୁଡ଼
ସେ ଯେଉଁଠି ବୋହୁଚୋରି ଖେଳୁନଥିଲା ବାସ୍ ସେଇ ଘର ଅଗଣା ରେ ଆଜି ତୋରଣ ଲାଗିଲା। ଭାଇ ବାଧ୍ୟ କରିବାରୁ ଯାଇ ସେ ଆୟୋଜନ ସବୁ ଦେଖିବାକୁ ଘରୁ ବାହାରିଛି ।
ମେହେନ୍ଦୀ ଲଗା ହାତରେ ଯାଇ ଦେଖିଲା
ଲାଇଟ୍,ଫୁଲ ସହିତ ଗୀତର ମଧ୍ୟ ଭାଇ ଠିକ୍ ଆୟୋଜନ କରିଛି ; ଆଉ କଣ ସେ ଆପତ୍ତି କରିବ ? ହସି ହସି ଆଗକୁ ବଢିଲା ।
ଆଗକୁ ଯାଇ ଯାହା ଦେଖିଲା ହୁଏତ ତାହା ସତ ବୋଲି ସେ ବିଶ୍ଵାସ କରିପାରୁନି ।
ନୂଆରେ ରଙ୍ଗ ହେଇଥିବା କାନ୍ଥରେ ଲେଖା ଅଛି "ଜନ୍ମିତା ସହ ଅଜୟ" ଏତିକି ଦେଖି ଅନ୍ତର୍ମନରେ ତାର ଅସଂଖ୍ଯ ସନ୍ତୋଷର ଫୁଲ ଫୁଟିଗଲା। ଏ ସମୟରେ ମେହେନ୍ଦୀ ଶୁଖି ଝଡ଼ିବା ମଧ୍ୟ ତାକୁ ବାଧୁ ଥିଲା। ଅଜୟଙ୍କ ନା ଥିବା ମେହେନ୍ଦୀ ଯେବେ ଯେବେ ଶୁଖିଚି ସେ ଏମିତିଆ ହିଁ ଭାବିଛି। ପୁଣି ଏଇଟା ତ ବିବାହ ମେହେନ୍ଦୀ !!
ବୟସର ମଳୟ ପବନରେ ସେ ନିଜ ମନ ହରାଇ ଅଜୟଙ୍କୁ ତା ସ୍ବପ୍ନର ରାଜକୁମାର ରୂପରେ ସ୍ୱୀକାର କରିଥିଲା। ସମସ୍ତଙ୍କୁ ଲୁଚେଇ ଦିନେ ତା ଡାଏରୀରେ ତାଙ୍କ ନାଁ ଲେଖିଥିଲା ବୋଲି ଭାଇ ନଜରରୁ ତାକୁ କେତେ ଲୁଚାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ଶେଷରେ ଧରା ପଡିଲା। ବାପା ତାକୁ ସେଦିନ ସୁପ୍ରିମକୋର୍ଟ ବିଚାରପତିଠୁ ତ କମ୍ ଲାଗିନଥିଲେ..!
ସେଇ ଲୁଚି ଲୁଚି ପ୍ରେମ କରିବାଠାରୁ ଆଜିର ଦିନ ଭିତରେ ସତରେ ଆକାଶ ପାତାଳ ତଫାତ୍।
ଅତ୍ୟନ୍ତ ପ୍ରୟାସ ପରେ ଅଜୟ ନିଜର ବିବେକୀ ଗୁଣ ଓ ଭଲପାଇବାର ପ୍ରମାଣ ଦେଇ ସାରା ପରିବାରର ମୁହଁରୁ ଅରାଜିର ଅନ୍ଧକାରରୁ ରାଜିର ଉଜ୍ଜଳତା ଆଣି ପାରିଥିଲେ। ସେଦିନ ନିଜ ପ୍ରେମ ସାର୍ଥକତାର ସର୍ବୋଚ୍ଚ ସୁନ୍ଦରତା କୁ ଦେଖିଥିବା ଜନ୍ମିତା ଆଜି ଏସବୁ ଦେଖି ଅନେକ ଶାନ୍ତି ପାଉଛି।
ଏସବୁ କଥା ଭାବି ଭାବି ସେ ଆଗକୁ ବଢିଲା। ଦେଖିଲା ବେଦୀ ଉପରେ କଳସ,ଦୀପ,ଫୁଲ ସହ ହଳଦୀ ଚନ୍ଦନ ମଧ୍ୟ ସଜା ହୋଇଛି। ତା ଦେହରେ ଆଜି ହଳଦୀ ଲାଗିଯିବ ଓ କୁମାରୀ କନ୍ୟା ରୁ ବୋହୂ ହେବାର ଏଇ ବାଟଟି ଅତ୍ୟନ୍ତ ମନୋରମ ଲାଗୁଥାଏ ତାକୁ।
ପରେ ମାଉସୀ ଓ ପିଉସୀ ମାନେ ଆସି ତାକୁ ଘରକୁ ନେଇଗଲେ ଅନ୍ୟ ବିଧି ପାଳନ ଲାଗି।
ଅଳ୍ପ କିଛି ସମୟ ପରେ ଶେଷରେ ଭୟଙ୍କର ତୋଫାନୀ ରାତିର ଅବସାନ ଘଟିଯାଇ ଶାନ୍ତ ସକାଳ ଆସିଗଲା ଉଭୟ ଜନ୍ମିତା ଓ ଅଜୟଙ୍କ ଜୀବନରେ ।
ସକାଳ ସୂର୍ଯ୍ୟ ଯେମିତି ସୁନାର କିରଣ ବିବାହ ବେଦୀ ଉପରେ ଢାଳି ପକାଇଥିଲେ। ଘର ଦାଣ୍ଡ ଝଟକି ପଡୁଛି ତାଙ୍କ ପ୍ରେମର ବିଜୟରେ ।
ଚନ୍ଦନ ଟୋପା, ଗଭା ରେ ସତେଜ ମଲ୍ଲୀର ଗଜରା ସହ ମଥାରେ ସୁନ୍ଦର ଲାଲ ପାଟ ଓଢ଼ଣୀ, କୋମଳ ମଖମଲି ମେହେନ୍ଦୀ ହାତରେ ଶଙ୍ଖା ଚୁଡ଼ି,ପାଦରେ ଅଳତା ଗାର କୁ ରୂପା ପାଉଁଜି ଓ ହଳଦୀ ବର୍ଣ୍ଣର ଦେହରେ ସୁବର୍ଣ୍ଣ ଅଳଙ୍କାରର ମିଳିତ ଶୃଙ୍ଗାର ତାକୁ ସ୍ଵପ୍ନ ସୁନ୍ଦରୀ ଭାବେ ଶୋଭା ବର୍ଦ୍ଧନ କରୁଛନ୍ତି। ବୋଧେ ଅଜୟଙ୍କ ସ୍ବପ୍ନସୁନ୍ଦରୀର ଏଇଟା ସର୍ବୋପରି ରୂପ !! ଆଇନାରେ ନିଜକୁ ବୋହୂ ବେଶରେ ଦେଖି ଜନ୍ମିତା ଅବିଶ୍ବାସୀ ଯେ 'ଆଜି ତା ବାହାଘର' !!
ବାହାରେ ବାଜୁଥିବା ମଙ୍ଗଳ ଧ୍ୱନି କୁ ଶଙ୍ଖନାଦ ଓ ହୁଳହୁଳି ତା ଦେହରେ ଶିହରଣ ସୃଷ୍ଟି କରି ତାକୁ ପ୍ରକୃତିସ୍ଥ କରିବାରେ ସମର୍ଥ ହେଲେ ।
ପ୍ରେମ ଆରମ୍ଭ ହୋଇଥିବା ଦିନଠୁଁ ଆଜି ଯାଏଁ ସେ ନିଜ ପ୍ରେମିକ ପାଇଁ ତା ମନ ସମର୍ପି ଦେଇଥିଲା, ଡାଏରୀରେ ତାଙ୍କ ନାମ ଲେଖା, ମେହେନ୍ଦୀ ଭିତରେ ନାଁ ଲୁଚେଇବା, ଅଜୟଙ୍କ ଖାଲି ଗୋଟାଏ ଚାହାଣି ପାଇଁ ନିଜକୁ ଦିନ ଦିନ ଧରି ସଜାଇବା, ତାଙ୍କ ପାଇଁ ଗୀତ ଗାଇବା ଓ ଖୁସି ମନରେ ତାଙ୍କୁ ନେଇ ସଂସାର ଗଢିବାର ଗୋଟିଏ ଗୋଟିଏ ସ୍ଵପ୍ନଟି ଆଜି ସତ ହେବାକୁ ଯାଉଛି।
ଆଇନା ପଛରେ ଥିବା ଝରକା ବାହାରକୁ ତା ନଜର ଗଲା। ଦେଖିଲା ଆଜି ସମସ୍ତଙ୍କ ମୁହଁରେ ତାଙ୍କ ବାହାଘର ପାଇଁ ଖୁସି ଝଟକୁଛି, ଦୁଇ ପରିବାରର ଆନନ୍ଦ ମିଳନ ଦେଖି ସେ ଆତ୍ମହରା ପ୍ରାୟ !!
ଆଣନ୍ଦର ଅଶ୍ରୁ ରେ ତା ଆଖି ଭରିଗଲା ।
ସତରେ ବିଷାଦର ସବୁ ମେଘ ଉଡି ଯାଇ ତାଙ୍କ ଜୀବନରେ ଆଜି ସୁନ୍ଦର ଇନ୍ଦ୍ରଧନୁ ଆସିସାରିଛି !!
ଘର ଇଷ୍ଟ ଙ୍କୁ ଭକ୍ତିରେ ପ୍ରଣାମ କରି ନିଜ ଆଗାମୀ ଜୀବନ ପାଇଁ ପ୍ରାର୍ଥନା କରି ଯାଇ ବେଦୀରେ ବସିଲା, ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ସହ ନିଜ ମନକୁ ଉଚ୍ଚତାରେ ଅବସ୍ଥାନ କଲା ଜନ୍ମିତା।
ବାପାଙ୍କ କନ୍ୟାଦାନ ଓ ଅଜୟଙ୍କର ବିବାହ ପାଣି ଗ୍ରହଣରେ ଜନ୍ମିତା ନିଜ ଜନ୍ମପଛର ମହତ୍ ଉଦ୍ଦେଶ୍ୟ ଓ ଜୀବନର ଏହି ମହତ୍ତ୍ୱପୂର୍ଣ୍ଣ ଦୁଇ ପୁରୁଷଙ୍କ ତା ପାଇଁ ଥିବା ଅଶେଷ ଭଲପାଇବା କଥାକୁ ହୃଦୟଙ୍ଗମ କରି,ଦୁହିତା ହେବା ପାଇଁ ନିଜକୁ ପୂର୍ଣ୍ଣ ରୂପେ ସମର୍ପିତ କରିନେଲା ।
ଲଗ୍ନ କ୍ରମେ ଅଜୟ ତା ମଥାରେ ସିନ୍ଦୁର ଦେଇ ତାଙ୍କ ପ୍ରେମ ଓ ସମ୍ମାନରେ ତାକୁ ରଙ୍ଗୀନ କରିନେଇ ଆଗାମୀ ଜୀବନର ସୁଖ ଓ ଶାନ୍ତି କାମନାରେ ନିଜକୁ ବର୍ତ୍ତମାନ ଅତ୍ୟନ୍ତ ଭାଗ୍ୟଶାଳୀ ଓ ଦାୟିତ୍ୱବାନ ମନେକଲେ।
ଗୋଟି ଗୋଟି କରି ପ୍ରତ୍ୟେକଟି ନିୟମକୁ କାୟା ମନ ବାକ୍ୟ ସହ ସ୍ୱୀକାର କରି ନିଜ ଜୀବନକୁ ପରସ୍ପର ପାଇଁ ସମର୍ପଣ କରିଦେଲେ ଉଭୟ ଅଜୟ ଓ ଜନ୍ମିତା।
ତାଙ୍କ ପ୍ରେମ ସମ୍ପର୍କକୁ 'ଶୁଭବିବାହ' ର ନ୍ୟାୟ ମିଳିବା ପରେ ଆଶାତୀତ ଶାନ୍ତି ଲାଭ କରି ସର୍ବଶେଷରେ ପରିବାରର ଆଶୀର୍ବାଦ ସହ ଦୁହେଁ ଦାମ୍ପତ୍ୟ ଜୀବନରେ ଶୁଭ ପଦାର୍ପଣ କଲେ।
ମୃଦୁ ହସ ଫୁଟାଇ ଦୁହେଁ ଚାହିଁଲେ ପରସ୍ପରକୁ- ଅଗ୍ନିକୁ ସାକ୍ଷୀ ରଖି ଆଜି ତାଙ୍କ ଦାମ୍ପତ୍ୟ ଜୀବନ ର ଶୁଭାରମ୍ଭ।
ଆଗକୁ ସେମାନେ କାଙ୍ଗାଳ ହୁଅନ୍ତୁ କି କଙ୍କାଳ, ଜୀବନ ଥିବା ପର୍ଯ୍ୟନ୍ତ ଆଜି ଠାରୁ ଯିଏ ଯାହାର ସିଏ ତାହାର।
Khub Sundar lekha Bandhhu
ReplyDeletePost a Comment