ଭଉଣୀ

ଭଉଣୀ - ବିମ୍ବାଧର ମହାପାତ୍ର

ରାକ୍ଷୀ ପୂର୍ଣ୍ଣିମା ଆସିଲେ କୁନା ମନଟା ଭାରି କଷ୍ଟ ହୁଏ,ଛୋଟ ବେଳେ କେତେଥର ବୋଉକୁ କହିଛି ବୋଉ ସମସ୍ତେ ରାକ୍ଷୀ ପିନ୍ଧୁଛନ୍ତି,ମୋତେ ତ କାଇଁ କେହି ରାକ୍ଷୀ ପିନ୍ଧାଇବାକୁ ଆସୁ ନାହାନ୍ତି,କୁନା ବୋଉ କେମିତି ବୁଝେଇବେ କୁନାକୁ ଭାଇ ହାତରେ ଭଉଣୀ ରାକ୍ଷୀ ପିନ୍ଧାଏ, କଣ କରିବେ କୁନା ହାତରେ ରାଖୀଟେ ନିଜେ ପିନ୍ଧାଇ ଦିଅନ୍ତି।

ହେଲେ ଆଜି କୁନା ବୁଝି ଗଲାଣି,ଆଉ ଜିଦ କରୁନି ରାକ୍ଷୀ ପାଇଁ,ଏବେ ସେ ବଡ଼ ହେଇ ଗଲାଣି ! କୁନା ବାପା ବୋଉ ଙ୍କର ଗୋଟିଏ ସନ୍ତାନ,କଲେଜରେ ପାଠ ପଢୁଛି,ସାହି ପଡ଼ିଶା ସମସ୍ତେ ସକାଳୁ ସଞ୍ଜ ଯାଏଁ କୁନା କୁନା ବୋଲି ରଡି ପକାନ୍ତି,କିଏ କହେ କୁନା ଚାଲିଲୁ ଟିକେ ସେଇଠିକି ଯିବା,ପୁଣି କିଏ କହେ କୁନା ନେଲୁ ନେଲୁ ଟିକେ ଛୁଆ ଟାକୁ ସ୍କୁଲରେ ଛାଡି ଆସିବୁ,ପୁଣି କିଏ କହେ ତୁ ଆଜି ଆମ ଘରେ ଖାଇବୁ। ସତେ ଯେମିତି ସାହି ଗୋଟାକର ପୁଅ କୁନା ! 

ଏଥିପାଇଁ କୁନା ବୋଉ କେତେ ପାଟି କରନ୍ତି କୁନାକୁ,ତୁ କଣ ଏମିତି ସମସ୍ତଂକର ବୋଲ କରୁଥିବୁ। ପାଠ ପଢ଼ିବୁ କେତେବେଳେ,ହେଲେ କୁନା କି ଆନନ୍ଦ ପାଏ କେଜାଣି ତାଙ୍କର କେହି ନାହାନ୍ତି ବୋଲି ଡାକୁଛନ୍ତି, ପାଠ ପଢି ବାହାରେ ଚାକିରୀ କଲେ କଣ ଆଉ ଡାକିବେ ? ହଉ ତୁ ଯାହା କରୁଛୁ କର ତୋ ଇଚ୍ଛା ! 
ଆଜି ରାକ୍ଷୀ ପୂର୍ଣ୍ଣିମା ସାହି ସାରା ଚଳଚଞ୍ଚଳ,କେତେ ଜଣ ପାଇଁ ରାକ୍ଷୀ ଆଣି ଦେଇଛି,କାହାର ମିଠା ଆଣି ଦେଇଛି,ସମସ୍ତଂକର ହାତରେ ରାକ୍ଷୀ ଦେଖି କୁନା ର ଆଜି ଭାରି ମନଦୁଃଖ ! ଭାବୁଛି ମୋର ଗୋଟେ ଭଉଣୀ ଥିଲେ ମୋ ହାତରେ ରାକ୍ଷୀଟିଏ ବାନ୍ଧି ନଥାନ୍ତା ! ମନ ଦୁଃଖରେ ମୋବାଇଲ ଧରି ମୋବାଇଲରେ ଭାଇଭଉଣୀ ଙ୍କର ଫୋଟୋ ସବୁ ଦେଖୁଛି। କିଏ ଭାଇକୁ ନେଇ କେତେ କଥା ଲେଖିଛନ୍ତି। 

ହଠାତ କିଏ ଜଣେ କବାଟ ଖଟଖଟ କଲା,କୁନା କୁନା ବୋଲି ଡାକିଲା,କୁନା ଟିକେ ବ୍ୟସ୍ତ ହୋଇ ପଡ଼ିଲା,ଆରେ ଇଏ ତ ମୋର କୌଣସି ପରିଚିତ ସ୍ୱର ନୁହେଁ,ତ ଡାକୁଛି କିଏ ? ଯାଇ କବାଟ ଖୋଲିଲା ହାତରେ ଥାଳି ମିଠା ପୁଣି ରାକ୍ଷୀ ! କିଏ ଆପଣ କେଉଁ କୁନା କୁ ଖୋଜୁଛନ୍ତି ? ତୁମେ କୁନା,ହଁ ମୁଁ ତୁମ ପାଖକୁ ଆସିଛି,ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧିବାକୁ ଆସିଛି। ହେଲେ ମୁଁ ଆପଣଙ୍କୁ ଜାଣିନି,ମୁଁ ଗୀତା ଗୀତାଞ୍ଜଳି ମିଶ୍ର,ସେଦିନ ରାସ୍ତା ଦୁର୍ଘଟଣାରେ ଆମେ ସ୍ୱାମୀ ସ୍ତ୍ରୀ ଦୁଇଜଣ ରାସ୍ତାରେ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରିଚାଲିଥିଲୁ,ସମସ୍ତେ ଆମର ଫୋଟୋ ଉଠାଉ ଥିଲେ,କିଛି ଲୋକ ଫେସବୂକ ରେ ଅପଲୋଡ କରବା ପାଇଁ ଭିନ୍ନ ଭିନ୍ନ ଆଂଗେଲ ରୁ ଫୋଟୋ ଉଠାଇ ଚାଲିଥିଲେ, ଆଉ ମୋ ସ୍ୱାମୀ ବିକଳ ହୋଇ କହୁଥିଲେ ଆମକୁ ଟିକେ ଡାକ୍ତରଖାନା ନେଇ ଯାଅ,ହେଲେ କେହି ଶୁଣୁ ନଥିଲେ,ଅପେକ୍ଷା କରିଥିଲେ ପୋଲିସ କୁ,କିଏ କିଏ କହୁଥିଲେ, ମରି ଗଲେ ପୋଲିସ କେସ ହେବ,କିଏ ଏ ଧନ୍ଦାରେ ପଡୁଛି,ଆଉ ସେତିକିବେଳେ ତୁମେ ଆମ ପାଇଁ ଭଗବାନ ସଦୃଶ୍ୟ ହେଇ ଆସିଲ,ତୁରନ୍ତ ନିଜ ମୋଟର ସାଇକେଲରେ ଡାକ୍ତରଖାନା ନେଇକି ଗଲା, ପୁଣି ରକ୍ତ ଦେଇ ମୋ ସ୍ୱାମୀର ଜୀବନ ବଞ୍ଚାଇ ସବୁ ଦିନ ପାଇଁ ଋଣୀ କରିଦେଲ !

ଏଥର କୁନାର କିଛିକିଛି ମନେ ପଡ଼ିଲା,ଭାବୁଥିଲା ଜୀବନରେ ଏମିତି କେତେ ଜଣଙ୍କୁ ସାହାଯ୍ୟ କରିଛି,ରକ୍ତ ଦେଇଛି,ହେଲେ କେହି ମୋତେ ଭାଇବୋଲି ଭାବି ମୋ ହାତରେ ରାକ୍ଷୀଟିଏ ବାନ୍ଧିବାକୁ ଆସିନାହାଁନ୍ତି। ଏଥର ବଡ଼ ପାଟିରେ ବୋଉ ବୋଉ ବୋଲି ଡାକିଲା,ବୋଉ ଆସିଦେଖ ମୋ ହାତରେ ରାକ୍ଷୀ ବାନ୍ଧିବାକୁ ମୋ ଭଉଣୀ ଆସିଛି ! ଏତିକି କହୁ କହୁ ଲୁହ ଗୁଡାକ ଝରି ଯାଉଥିଲା ......


Post a Comment

Post a Comment (0)

Previous Post Next Post
Free Shubhdristi App Download Now