ସାହାରା

ସାହାରା - ମୋନାଲିଶା

ମହାନ୍ତି ବାବୁଙ୍କ ଅଗଣାରେ ଥିବା ବିଶାଳ ଦ୍ରୁମଟା ଆଜି ଚିତ୍ ହେଇ ପଡ଼ିଛି ଭୂମି ଉପରେ। ଆଠ ଜଣ ଲୋକଙ୍କ ଏକ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ତାକୁ ଧରାଶାୟୀ କରାଯାଇଛି। କୁକୁର ବିଲୁଆ କେଉଁ ଏକ ଶବ ଉପରେ ଆବୁରି ପଡ଼ି ତାକୁ ଝୁଣିଲା ପରି ଲୋକଗୁଡା କାଟି ଚାଲିଛନ୍ତି ତାର ଶାଖାପ୍ରଶାଖାକୁ। ନିର୍ବାକ ଭାବେ ପଡି ରହିଛି ବୃକ୍ଷଟି।
ମହାନ୍ତିବାବୁଙ୍କ ଆଖିରୁ ଅନବରତ ଲୁହ ଗଡ଼ି ଚାଲିଛି ସତେ ଯେମିତି ସେ ନିଜର କେଉଁ ପ୍ରିୟ ସନ୍ତାନକୁ ହରେଇ ଦେଇଛନ୍ତି। ଭୋ ଭୋ ହେଇ କାନ୍ଦୁଛନ୍ତି ସେ। ଗଛ କାଟୁଥିବା ଲୋକଗୁଡା ଆଁ କରି ଚାହିଁ ରହିଥାନ୍ତି ମହାନ୍ତିବାବୁଙ୍କୁ। ଭାବୁଥାନ୍ତି
"ବୁଢାଟା ପାଗଳ ହେଇଗଲାଣି ବୋଧେ। ନିଜେ ତ ଗଛଟାକୁ ବିକିଦେଲା ଆଉ ଏବେ ଏମିତି କାନ୍ଦୁଛି। "
             ମହାନ୍ତିବାବୁଙ୍କ ପୁରାନାମ କୃଷ୍ଣଚନ୍ଦ୍ର ମହାନ୍ତି। ସମସ୍ତେ ତାଙ୍କୁ ମହାନ୍ତିବାବୁ ବୋଲି ଡାକନ୍ତି। ବୟସ ୭୩ ଛୁଇଁଲାଣି।ପରିବାର କହିଲେ ସେ , ତାଙ୍କ ସ୍ତ୍ରୀ ମାଳତୀ ଦେବୀ ଓ ପୁଅ ଶରତ।ଏକ ପ୍ରାଇଭେଟ ବୀମା କମ୍ପାନୀରେ ଚାକିରୀ କରିଥିଲେ ସେ। ସ୍ବଳ୍ପ ଦରମାରେ ଯାହା ତାହା କରି ଚଳି ଯାଉଥିଲା ଅଭାବି ସଂସାର। ପୁଅକୁ ଉଚ୍ଚଶିକ୍ଷା ଦେବା ପାଇଁ ନିଜର ପିତୃସମ୍ପତି କେଇ ମାଣ ଜମିକୁ ବିକ୍ରି କରି ଦେଇଥିଲେ ସେ‌।ପୁଅ ଏବେ ଏକ ନାମକରା ଆନ୍ତର୍ଜାତୀୟ କମ୍ପାନୀରେ କାର୍ଯ୍ୟରତ। ଦୀର୍ଘ ଆଠବର୍ଷ ତଳୁ ଶରତ ବିବାହ କରି ନିଜ ସ୍ତ୍ରୀ, ଛୁଆପିଲାଙ୍କ ସହ ବିଦେଶରେ ଅବସ୍ଥାପିତ। କ୍ଵଚିତ ଆସେ ଗାଁକୁ।
ହଁ ! ମହାନ୍ତି ବାବୁଙ୍କର ଆଉ ଜଣେ ଗୁରୁତ୍ବପୂର୍ଣ୍ଣ ପରିବାର ସଦସ୍ୟ ସହ ଆପଣ ମାନଙ୍କୁ ପରିଚୟ କରିବାକୁ ଭୁଲିଗଲି। ସେ ହେଉଛି ମହାନ୍ତିବାବୁଙ୍କ ଅଗଣାରେ ଥିବା ବିଶାଳ ଆମ୍ବଗଛ।
               ଆଜକୁ ୩୫ ବର୍ଷ ପୂର୍ବେ ସେ ମନକୁ ମନ ଉଠିଥିଲା ସେଇ ଅଗଣାରେ। ମହାନ୍ତି ବାବୁଙ୍କ ସ୍ତ୍ରୀ ତାକୁ   ଉପାଡ଼ି ଫୋପାଡି ଦେବାକୁ ବସିଥିଲେ ମାତ୍ର ମହାନ୍ତି ବାବୁ ତାଙ୍କୁ ବାରଣ କରିଥିଲେ ଆଉ ଭୂପତିତ ଚାରା ଗଛଟିକୁ ଖଣ୍ଡେ ବାଡି ସାହାରାରେ ସଳଖି ବାନ୍ଧି ଦେଇଥିଲେ।
ବାସ୍! ତାପରେ ଶଶୀକଳା ଭଳି ବଢ଼ି ବଢ଼ି ଚାଲିଥିଲା ସେ। ଧୂ ଧୂ ଖରାରେ ସାରା ପୃଥିବୀ ତ୍ରାହି ତ୍ରାହି ଡାକୁଥିଲା ବେଳେ ମହାନ୍ତିବାବୁଙ୍କ ପରିବାରରେ ସମସ୍ତଙ୍କର ଖରାବେଳ କଟେ ତା ମୂଳରେ। କେତେ ଆମ୍ବ ଫଳେ ସେ ଗଛରେ! ଖାଇ ଖାଇ ସରେନି। ସାଇ ପଡିଶାଙ୍କୁ ବଣ୍ଟାଯାଏ। ବେଳେବେଳେ ବଜାରରୁ ମଧ୍ୟ ଭଲ ଦୁଇ ପଇସା ଆସେ। ମହାନ୍ତି ବାବୁଙ୍କ ପୁଅ ପିଲାଦିନେ ସେ ଗଛରେ ଚଢି ଆମ୍ବ ତୋଳେ। ରଜ ଆସିଲେ ତାରି ଡାଳରେ ଦୋଳି ଲଗାଇ ଝୁଲେ। ଗଣେଶ ପୂଜା ଆଉ ସରସ୍ବତୀ ପୂଜାରେ ଏଇ ଆମ୍ବ ଗଛର ପତ୍ରରେ ତୋରଣ ସଜାଏ। କିନ୍ତୁ ଏବେ ପୁଅ ଆଉ ଛୋଟ ନାହିଁ କି ତାର ଏସବୁ ଦରକାର ବି ନାହିଁ‌।
                             ମନକୁ ବୁଝାଇବାକୁ ଅକ୍ଳାନ୍ତ ଚେଷ୍ଟା କରୁଥିଲେ ମହାନ୍ତିବାବୁ‌। ମନ କିନ୍ତୁ ବୁଝୁନଥିଲା। ଦଉଡି ଯାଇ କୁଣ୍ଢେଇ ଧରିଲେ ସେ ଆମ୍ବ ଗଛର ନିର୍ଜୀବ ଗଣ୍ଡିଟାକୁ। ପୁଅର ବିଚ୍ଛେଦରେ ବି ଏତେ କଷ୍ଟ ହେଇନଥିଲା ତାଙ୍କୁ। କେମିତି ପାଶୋରି ପାରିବେ ସେ ତାକୁ। ସିଏ ବି କେଉଁ ପୁଅଠୁ କମ୍ ନଥିଲା ବରଂ ତାଠୁ ବି ଅଧିକ ଆପଣାର ଥିଲା ସେ। ପୁଅ ଆଖିଆଡେଇ ଚାଲିଗଲା ପରେ ସେ ହିଁ ସାହାରା ଦେଇ ଆସିଛି ଏ ବୁଢାବୁଢୀ ଦୁଇ ପ୍ରାଣୀଙ୍କୁ। ତାରି କାଠ ଆଉ ଆମ୍ବକୁ ବିକି ଏ ଦୁଇଜଣ ଚଳନ୍ତି। ଜୀବନ ଯାତ୍ରାରେ ଅଧୈର୍ଯ୍ୟ ହେଇ କେତେବେଳେ ଥକିଗଲେ ଦୁଇଜଣ ଏଇ ଆମ୍ବଗଛ ମୂଳେ ବସି ପରସ୍ପରକୁ ସାନ୍ତ୍ବନା ଦିଅନ୍ତି। ଏକ ବିଶାଳ ଖମ୍ବପରି ଛିଡା ହେଇଥିବା ଗଛଟି ଯେମିତି କହେ "ମୁଁ ଅଛି ନା। ତାହେଲେ ଚିନ୍ତା କାହିଁକି।" ବାସ୍ ଆଉ କିଛି ଦିନ ଜୀଇଁବାକୁ ଆଶା ମିଳିଯାଏ ମହାନ୍ତିବାବୁଙ୍କୁ।
ଏଇ କିଛିଦିନ ହେବ ମାଳତୀ ଦେବୀଙ୍କ ଶରୀର ଅସୁସ୍ଥ ରହୁଛି। ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ।ପୁଅକୁ ଫୋନ୍ କରିବାରୁ ବ୍ୟସ୍ତତା ଯୋଗୁଁ ପଠେଇବାକୁ ଯାଇପାରୁନି ବୋଲି କହି ଫୋନ୍ କାଟିଦେଲା। ଚତୁଃର୍ଦିଗ ଅନ୍ଧକାର ଦେଖାଗଲା ମହାନ୍ତିବାବୁଙ୍କୁ। ଲଥକିନା ବସି ପଡିଲେ ସେ ଆମ୍ବଗଛ ତଳେ।ଉପରକୁ ଚାହିଁ ଦୀର୍ଘଶ୍ବାସ ଛାଡି ଚିନ୍ତା କରୁଥାନ୍ତି କେମିତି ଟଙ୍କା ଯୋଗାଡ କରି ମାଳତୀ ଦେବୀଙ୍କ ଚିକିତ୍ସା କରିବେ। ହଠାତ୍ ଆମ୍ବଗଛର ଶୀତଳ ପବନ ତାଙ୍କୁ ସ୍ପର୍ଶ କଲା। ଏମିତି ଲାଗୁଥିଲା ଯେମିତି ସେ ତାଙ୍କୁ କିଛି କହିବାକୁ ଚାହୁଁଛି।
    
"ନିଅନ୍ତୁ ଆଜ୍ଞା ପୁରା ପନ୍ଦର ହଜାର ଟଙ୍କା। ଆଉ ପାଞ୍ଚ ହଜାର କାଠ ତକ ନେଇ ସାରିଲେ ଦେବି।"
ଲୋକଟିର କଥାରେ ପ୍ରକୃତିସ୍ଥ ହେଲେ ମହାନ୍ତି ବାବୁ। ଶେଷଥର ପାଇଁ ସେ ଗଛର ମୂଳକୁ ଜାବୁଡ଼ି ଧରି କାନ୍ଦୁଥିଲେ ସେ। ହାତରେ ଥିବା ଆମ୍ବକାଠର ବାଡିକୁ ଧରି ସଳଖି ଠିଆ ହେଉ ହେଉ ମହାନ୍ତିବାବୁଙ୍କର ମନେ ପଡୁଥଲା ଆମ୍ବଗଛ କୁ ସଳଖି ଛିଡା କରିବାକୁ ସେଦିନ ପୋତି ଦେଇଥିବା ସେ ବାଡି କଥା।    

Post a Comment

Post a Comment (0)

Previous Post Next Post
Free Shubhdristi App Download Now