କ୍ଷଣିକ ସୁଖ

କ୍ଷଣିକ ସୁଖ - ସରୋଜ ପରିଡା
"ଜୀବନ" ତିନୋଟି ଶବ୍ଦ ର ସଂଯୋଗ ରେ ଏକ ବିରାଟ ଅର୍ଥ ର ସମ୍ଭାବନା ଅଟେ ,ଶୈଶବ ର ସିଏ ଏନ୍ତୁଡ଼ି ଶାଳ, ଯୌବନ ରେ ସେ କେଉଁ ଏକ ସୁନ୍ଦର ଫୁଲ ବଗିଚା ର ଏକ ଦୁର୍ଲଭ ଫୁଲ ପରି ଆଉ ବାର୍ଦ୍ଧକ୍ୟ ରେ କେଉଁ ଏକ ଅଲୋଡା ପତ୍ର ,ପୁଷ୍ପ ହୀନ ଥୁଣ୍ଟା ଗଛ ପରି ଏଇତ ଜୀବନ ।
          ସତରେ ଜୀବନ ରେ ପ୍ରତ୍ୟକ ମଣିଷ ଖୁସି ଚାହେଁ , ସର୍ବଦା ଚାହୁଁଥାଏ କେବଳ ତା ଜୀବନ ରେ ବସନ୍ତ ର ମଳୟ ବୋହିଯାଉ ,ଆଉ ବା କେବେ କେବେ ମୌସୁମୀ ର ସେଇ ଛିଟା ଛିଟା ବର୍ଷା ଟୋପା ଆସି ତା ଜୀବନରେ ଶୀତଳ ଚାଦର ହୋଇ ତାକୁ ଆବଦ୍ଧ କରିଯାଉ ,କିନ୍ତୁ ଆଶା କରିବା ଆଉ କିଏ ଆସି ତୁମକୁ ଅଶ୍ୱାସନା ଦେବା ଦୁଇଟି ଅଲଗା କଥା । କିଛି ଲୋକ ଙ୍କ ଜୀବନରେ କେବଳ ଶ୍ରାବଣ ର ବନ୍ୟା ଥାଏ ଅବା ଗ୍ରୀଷ୍ମ ର ସେହି ଅସହ୍ୟ ତାତି ,ବେଳେବେଳେ ଏମିତି ହୋଇଥାଏ ସମସ୍ତେ ତୁମ ଜୀବନ ରେ ଆସନ୍ତି ହେଲେ କେଇ ସମୟ ପାଇଁ ।
            କେଉଁ ଏକ ପ୍ରସିଦ୍ଧ ଅରଣ୍ୟ ମଧ୍ୟରେ ଥିବା ସେଇ ସୁନ୍ଦର ପୁଷ୍କରିଣୀ କଥା ଟିକେ ଭାବନ୍ତୁ ,ତାର କାଚକେନ୍ଦୁ ପରି ଜଳ ଆଉ ତା ମଧ୍ୟରେ ଫୁଟି ଥିବା ସେଇ କଇଁ ଫୁଲ। ଟିକେ ଭାବନ୍ତୁ ବିଚରା ସାରା ରଜନୀ ରେ ସେ ଅପେକ୍ଷା କରିଥାଏ କେତେବେଳେ ସେ ଦୁଷ୍ଟ ଜହ୍ନ ଆସି ତା ଶୀତଳ ଜ୍ୟୋସ୍ନା ରେ ତାକୁ ଟିକେ ସ୍ପର୍ଶ କରନ୍ତା ।ସେ ଫୁଲେଇ କଇଁ ଠିକ ବୁଝିଥାଏ ସେ ଜହ୍ନ କେବେ ତାର ହେଇପାରିବ ନାହିଁ , ତଥାପି ସେ ତାକୁ ମନ ଦେଇଛି ଆଉ ତା ପାଇଁ ସେ ସର୍ବଦା ଅପେକ୍ଷାରେ , ଆଉ ତା ଅପେକ୍ଷା ର କୌଣସି ଅନ୍ତ ନାହିଁ ,ଏକବାକ୍ୟରେ ସେ ପ୍ରୀତି ଚିରନ୍ତନ।
            କେବେ ଦେଖନ୍ତୁ ସେ ସୁନ୍ଦର ପୁଷ୍କରିଣୀ ର ଉତ୍ତରଦିଶା କୂଳ ରେ କେଉଁ କାଳରୁ ପଡି ରହିଥିବା "ତୁଠ" ପଥର କୁ । ଏଇଠିକୁ ସେଇ ରାଇଜର ଲାବଣ୍ୟବତୀ ନୀତି ସ୍ନାନ କରିବାକୁ ଆସେ , ଆଉ ବିଚରା ନିର୍ଜୀବ ସେଇ ତୁଠ ପଥର ସତେ ଯେମିତି ସେ ସୁନ୍ଦରୀ ର ପାଦ ସ୍ପର୍ଶ ରେ ଜୀବନ୍ତ ହୋଇଉଠେ । ସେଇ ତୁଠ ପଥର ଉପରେ ବସି ସେ ସୁନ୍ଦରୀ ତରୁଣୀ ତା ଦେହ ରେ ହଳଦୀ ମାଖେ ତା କେଶକୁ କେଉଁ ଏକ ସୁବାସିତ ଦ୍ରବ୍ୟ ରେ ପଖାଳେ , ଆଉ ଏହି କିଛି ସମୟ ପାଇଁ ସେ ତୁଠ ପଥରକୁ ସତେ ଯେପରି ସ୍ବର୍ଗୀୟ ଅନୁଭୂତି ପ୍ରାପ୍ତହୁଏ ,ହେଲେ କଣ ହେବ ତାହା ବି କ୍ଷଣସ୍ଥାୟୀ । ତଥାପି ସେ ଅପକ୍ଷା କରିଥାଏ ତା ପରଦିନକୁ କେବେ ତା ସ୍ୱପ୍ନ ସୁନ୍ଦରୀ ଆସିବ ଆଉ ତା ଉପରେ ବସି ସ୍ନାନ କରିବ।
             ଏହି ପରିପେକ୍ଷୀ ରେ କହିଲେ ଚାଲନ୍ତୁ ଟିକେ ଭାବିବା ଚଂଚଳି ମୟୂରୀ କଥା । କଳା ହାଣ୍ଡିଆ ମେଘକୁ ସେ ଚାତକ ପରି ଅନାଇ ବସିଥାଏ । କେବେ ବର୍ଷା ଆସିବ ଆଉ ଦଶଦିଗକୁ ତାର କଳାବାଦଲ ରେ ସମ୍ପୁର୍ଣ ଅନ୍ଧକାର କରିବ ଆଉ ସେ ମୟୂରୀ ନିଜକୁ ଅସମ୍ଭାଳ ମନେ କରି ଲଙ୍ଘିଯିବ ପର୍ବତ ଶିଖର ଆଉ ନାଚିବାକୁ ଲାଗିବ ମେଘ କୁ ଅନେଇ ତାର ଘୁ ଘୁ ଶବ୍ଦ କୁ କେଉଁ ଏକ ସ୍ବର୍ଗୀୟ ଦେବତା ର ଵୀଣା ର କମ୍ପନ ମନେ କରି । ହେଲେ ମେଘ ଆସେ ଆଉ କେଇ ସମୟ ପରେ ପଳାଏ ବିଚାରି ମୟୂରୀ କିନ୍ତୁ ତା ଆଶା ହରେଇ ନଥାଏ ଆଉ ଅପକ୍ଷାରେ ଅନେଇ ବସିଥାଏ ମେଘକୁ ।
             ପ୍ରକୃତି ଆଉ ପ୍ରକୃତ ଭିତରେ ଆକାଶ ପାତାଳ ପାର୍ଥକ୍ୟ ଘଟିବାର ସମ୍ଭାବନା କିଛି କ୍ଷଣିକ ଅବା ଅସମ୍ଭବ ତଥାପି ସମ୍ଭାବନା ର ଏଠି ସମ୍ଭାବ୍ୟ ଅଛି ଆଉ ଅପେକ୍ଷା ର ଏଠି ଅନ୍ତ ନାହିଁ,ମନ ଏଠି ଝୁରେ ମାନସୀ କୁ, ହେଲେ ମାନସୀ କେବେ ଅବା କେବେ ବି ମନ କୁ ବୁଝି ପାରେନି , ତଥାପି ଆଶାୟୀ ମନ ଭାବୁଥାଏ ତାର ମାନସୀ କଥା କାରଣ ପ୍ରୀତି ର ଏଠି ଅନ୍ତ ନାହିଁ, ପ୍ରୀତି ର ଏଠି ଅନ୍ତ ନାହିଁ।

Post a Comment

Post a Comment (0)

Previous Post Next Post
Free Shubhdristi App Download Now