ଗପ ହେଲେ ବି ସତ - ଜନ୍ମଜୟ ନାୟକ
ମାଘ ମାସରେ ବାଘ ପରି ହାଡ଼ଭଙ୍ଗା ଶୀତ। କୋହଲା ପବନରେ ହାତଗୋଡ ସବୁ ଖିଲି ମାରି ଯାଉଥାଏ। ତା ସାଙ୍ଗକୁ ଅମାବାସ୍ୟା ରାତ୍ରିର ଘନ ଅନ୍ଧକାର ସାରା ସହରକୁ ତା ପଣତରେ ଘୋଡେ଼ଇ ଦେଇଛି। ରାସ୍ତାଘାଟ ପ୍ରାୟ ଶୁନଶାନ। ସମୟ ରାତି ବାରଟା ବାଜି ଦଶ ମିନିଟ୍। ଶୀତର ପ୍ରକୋପ ଆଉ ଅନ୍ଧକାରର ଘନତ୍ୱ କ୍ରମଶଃ ବଢ଼ି ଚାଲିଥାଏ। କିନ୍ତୁ ଏସବୁକୁ ଖାତିର ନକରି ନିଜର ଛିଣ୍ଡା ସାର୍ଟଟି ଆଉ ତା ଉପରେ ଏକ ଚିରା ସ୍ବେଟର ପିନ୍ଧି,କମ୍ବଳ ଖଣ୍ଡେ ଘୋଡି ହୋଇ ନିଜ ଅଟୋରିକ୍ସାରେ ବସି ଦିନଟା ଯାକର ଭଡ଼ା ହିସାବ କରୁଥାଏ ପଞ୍ଚାନନ ଦାସ୍। ଘରକୁ ଯିବାକୁ ଶରୀର ଅଳି କରୁଥିଲେ ମଧ୍ୟ ମନ କିନ୍ତୁ ମାନୁନାହିଁ ତାର। ରାତି ପାହିଲେ ପୁଅର ଜନ୍ମଦିନ। ଆଉ ଗୋଟିଏ ଭଡ଼ା ମିଳିଗଲେ ତା ପୁଅ ଲାଗି ଗୋଟିଏ ନୂଆ ଡ୍ରେସ୍ କିଣିବ ବୋଲି ଆଶା କରି ଶୀତକୁ ଖାତିର ନକରି ଷ୍ଟେସନ ପାଖେ ବସି ରହିଥାଏ ସେ। ମନେମନେ ଗାଳି ଦେଉଥାଏ ସ୍ତ୍ରୀ ସୌଦାମିନୀକୁ। ଅଟୋ ନେଇ ଆସିବା ବେଳେ ସେ ହିଁ ତ କହିଥିଲା, "ଶୁଣୁଛ!କାଲି ପ୍ରମୋଦର ଜନ୍ମଦିନ। ଯେମିତି ବି ହେଉ ତା ପାଇଁ ନୂଆ ଡ୍ରେସ ଆଉ କେକ୍ ନେଇ ଆସିବ। ତା ସାଙ୍ଗସାଥୀ ଆସିବେ। ଆମର ଅଭାବ ବୋଲି ଛୁଆଟା ଯେମିତି ତା ଭିତରେ ଘାଣ୍ଟି ନହେଉ।" ଭାବନାକୁ ଅପସାରଣ କରି ପଞ୍ଚାନନ କହିଲା "ସତକଥା ତ।ଗୋଟେ ବୋଲି ପୁଅ ତାର, ଇଂରାଜୀ ମିଡିୟମରେ ପଢୁଛି। ସେଠି ସେ ପାଞ୍ଚ ଛୁଆଙ୍କ ସହ ସମାନ ହେବା ଉଚିତ। ସବୁ ବାପାଙ୍କ ଭଳି ତା'ର ବି ଇଛା ତା ପୁଅକୁ ଦୁନିଆର ସବୁ ହସଖୁସି ଆଣି ଦେବାକୁ। ଜହ୍ନ ତୋଳି ଦେବାକୁ।"
-".......ଅଟୋ। ତୁଳସୀପୁର ଯିବ।" ଯାତ୍ରୀର ଡାକରେ ପ୍ରକୃତିସ୍ଥ ହେଲା ସେ। ମନ ଟାଣ କରି ,ଅଣ୍ଟା ଭିଡ଼ି ଅଟୋ ଷ୍ଟାର୍ଟ କରୁକରୁ କହିଲା- "ହଁ! ହଁ ଆଜ୍ଞା। ଆସନ୍ତୁ।"
ଏହା ମଧ୍ୟରେ ବିତି ଯାଇଛି ଦୀର୍ଘ ପନ୍ଦର ବର୍ଷ। ବଦଳି ଯାଇଛି ଅନେକ କିଛି। ଏ ସହର, ସହରର ଶୀତ ଆଉ ଅମାବାସ୍ୟାର ରାତି। କିଛି ବି ପୂର୍ବ ପରି ନାହିଁ। ହଁ ବଦଳି ଯାଇଛି ପଞ୍ଚାନନର ପୁଅ। ସେ ଦିନର ପ୍ରମୋଦ ଆଜି ଅଫିସର ପ୍ରମୋଦ ଦାସ୍। ସହରର ମଝିରେ ବିଶାଳକାୟ କୋଠା। ବିଳାସବ୍ୟସନରେ ଭରା ଜୀବନ। କୋୖଣସି ଜିନିଷର ଅଭାବ ନାହିଁ।ଏବେ ସେ ଜଣେ ସମ୍ଭ୍ରାନ୍ତ ଓ ପ୍ରତିଷ୍ଠିତ ବ୍ୟକ୍ତି।
ଏତେ ସବୁ ଭିତରେ କିନ୍ତୁ ବଦଳି ନାହିଁ ପଞ୍ଚାନନ ଓ ତା ସ୍ତ୍ରୀ ସୌଦାମିନୀର ଜୀବନ। ବାପା ମା'ଙ୍କ ଲହୁ ନିଗିଡା ଅକ୍ଳାନ୍ତ ପରିଶ୍ରମରେ ପାଠଶାଠ ପଢି ଚାକିରି ପାଇ ସମାଜରେ ପ୍ରତିଷ୍ଠିତ ହେଲାପରେ ପ୍ରଥମେ ସେ ଆଡେଇ ଦେଇଛି ସେମାନଙ୍କୁ। ଭୁଲି ଯାଇଛି ତାଙ୍କ ତ୍ୟାଗ ଆଉ ବଳିଦାନକୁ। ମନା କରିଛି ତା ବାପା ମା ବୋଲି ପରିଚୟ ଦେବାକୁ। ଯେଉଁ ବାପା ମା ତାକୁ ନେଇ ଗର୍ବ କରନ୍ତି ସେମାନଙ୍କୁ ପିତାମାତା ର ପରିଚୟ ଦେବାକୁ ଲଜ୍ଜାବୋଧ କରିଛି ସେ।
ଏପଟେ ପଞ୍ଚାନନ ଦାସ ଆଉ ତା ସ୍ତ୍ରୀର ଦୁଃଖ କହିଲେ ନସରେ। ଦେହରେ ବଳ ନାହିଁ। ପାଖରେ ସମ୍ବଳ ନାହିଁ। ଏକମାତ୍ର ସମ୍ବଳ ଖଣ୍ଡେ ଭିଟାମାଟି ଆଉ ଅଟୋରିକ୍ସାଟିକୁ ମଧ୍ୟ ପୁଅକୁ ଉଚ୍ଚଶିକ୍ଷା ଦେବାକୁ ଯାଇ ବିକ୍ରି କରି ଦେଇଥିଲା ସେ।ଝାଟିମାଟି ର ଝୁମ୍ପୁଡି କୁଡିଆଟି ଗତ ବାତ୍ୟାରେ ମାଟିରେ ମିଶିଯିବା ପରେ ପାଲଖଣ୍ଡେ ଟାଣି ଆଶ୍ରୟ ନେଇଛନ୍ତି ଦୁଇପ୍ରାଣୀ। ପୁଅର ସମ୍ମାନରେ ଆଞ୍ଚ ଆସିବ ବୋଲି ଆଉ ନିଜ ସ୍ବାଭିମାନ ବଳି ପଡ଼ିବ ବୋଲି ଭିକ୍ଷା ମାଗିବା ତ ଦୂରର କଥା କାହା ପାଖେ ଆଜିଯାଏ ହାତ ପତେଇ ନାହାଁନ୍ତି। ପୁଅ ସରକାରୀ ଅଫିସର ବୋଲି ସରକାର ଦେଉଥିବା ବାର୍ଦ୍ଧକ୍ୟ ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗରୁ ମଧ୍ୟ ବଞ୍ଚିତ। ଓଳିଏ ଖାଇ ଓଳିଏ ଚାହିଁ ମୃତ୍ୟୁକୁ ଅପେକ୍ଷା କରିଛନ୍ତି ଯେପରି।
...... ଆଜି ପ୍ରମୋଦବାବୁଙ୍କ ବିଳାସମୟ ବାସଭବନରେ ବିଶାଳ ସମାବେଶ। ତାଙ୍କ ବାପା ମା'ଙ୍କ ଏକାଦଶାହ। ଭୋଜି ଆଉ ସ୍ମୃତି ସଭାର ଭବ୍ୟ ଆୟୋଜନ। ସାରା ସହର ଆଜି ପ୍ରମୋଦ ବାବୁଙ୍କୁ ବାଃ ବାଃ କରୁଛି।ସମସ୍ତେ କହୁଛନ୍ତି- ଆଜିର ଆଧୁନିକ ଯୁଗରେ ଏମିତି ପୁଅ କ୍ଵଚିତ ମିଳନ୍ତି।
Post a Comment