ଫିକା ପଡିଲା ଏଥର ରଜପର୍ବ

ଫିକା ପଡିଲା  ଏଥର ରଜପର୍ବ - ସୋନାଲି ସରିତା ବେହେରା 



            ଆମ ରାଜ୍ୟର ପଲ୍ଲୀ ସଂସ୍କୃତିରେ ଏକ ବିଶ୍ରାମ ଓ ଆନନ୍ଦର ପର୍ବ ଭାବେ କାହିଁ କେଉଁ ଯୁଗରୁ ପାଳିତ ହୋଇଆସୁଛି ରଜପର୍ବ। ବର୍ତ୍ତମାନର ଯୁଗ ଅତ୍ୟାଧୁନିକ ଯୁଗ। ଏହି ଯୁଗରେ ଆଧୁନିକତାର ଚାକଚକ୍ୟରେ ପାରମ୍ପରିକ ରୀତିନୀତିରେ ରଜପର୍ବ ପାଳନ କରିବାକୁ ଲୋକେ ଭୁଲିନାହାନ୍ତି।


           ରଜପର୍ବର ମୁଖ୍ୟ ଆକର୍ଷଣ ହେଉଛି ପୋଡପିଠା। ଚାଉଳଚୁନା ସହିତ ଅନ୍ୟାନ୍ୟ ସାମଗ୍ରୀକୁ ମିଶାଇ ପ୍ରସ୍ତୁତ ସ୍ବତନ୍ତ୍ର ପୋଡପିଠା ହେଉଛି ଏହି ପର୍ବର ଏକ ଆକର୍ଷଣ। ରଜର ଅନ୍ୟ ମୁଖ୍ୟ ଆକର୍ଷଣ ହେଲା ପାନ। ପାରସ୍ପରିକ ସ୍ନେହ, ଶ୍ରଦ୍ଧା, ପ୍ରୀତି ଓ ସଦଭାବନାର ପ୍ରତୀକ ଭାବେ ଲୋକଙ୍କ ମଧ୍ୟରେ ଖିଲି ପାନ ଦିଆନିଆ ହୋଇଥାଏ। ରଜପର୍ବ ଆସିଲେ ସାରା ଓଡ଼ିଶାରେ ଗାଁ ଠୁ ସହର ସବୁ ଚଳଚଞ୍ଚଳ ହୋଇଯାଏ। ଗାଁରେ ସନ୍ଧ୍ୟା ହେଲେ ପାଲା, ଦାସକାଠିଆ, ନାଟକ ଆଦି ମଞ୍ଚସ୍ଥ ହୋଇଥାଏ। ବାଗୁଡି, ଫୁଟବଲ, କୁସ୍ତି, ତାସ୍, ଲୁଡୁ, ରଜପାନ, ପୋଡପିଠା, ପୁଚି, ଦୋଳିଗୀତ,ନୂଆ ଡ୍ରେସ୍ ସହ ହାତରେ ମେହେନ୍ଦୀ,ଚୁଡି, ମଥାରେ କୁକୁମ, ମୁଣ୍ଡରେ ଗଜରା,ପାଦରେ ଅଳତା ଓ ପାଉଁଜିର ରୁଣୁଝୁଣୁ ଶଦ୍ଦ ଏସବୁ ରଜପର୍ବକୁ ସୁସଜ୍ଜିତ କରେ।ରଜ ଆଗରୁ ବାଉଁଶରେ ଦୋଳି ପ୍ରସ୍ତୁତ ହୁଏ। ତାକୁ ବିଭିନ୍ନ ରଙ୍ଗବେରଙ୍ଗ ଫୁଲରେ ସଜାଯାଏ। ସବୁ ଗାଁରେ ବିଭିନ୍ନ ଦୋଳି ପ୍ରତିଯୋଗିତା ହୁଏ। ପୋଡପିଠା, ମେହେନ୍ଦୀ, ନାଚ ଗୀତ, ଖେଳର ପ୍ରତିଯୋଗିତା କରାଯାଏ। 


          ୨୦୨୦ ସାରା ବିଶ୍ବବାସୀ ପାଇଁ ଏକ ସ୍ମରଣୀୟ ବର୍ଷ ହୋଇ ରହିବ। ଚୀନ ଦେଶରୁ ଆସିଥିବା ଏକ ଅଜ୍ଞାତ ଭୂତାଣୁ କରୋନା, ଯାହା ଧିରେ ଧିରେ କରି ମହାମାରୀର ରୂପ ନେଇ ବିଶ୍ବର ସମସ୍ତ ଦେଶରେ ନିଜର କାୟାବିସ୍ତାର କରିସାରିଛି। ସମୟସ୍ରୋତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଁ ଦେଶ ପାଇଁ ଆଣିଛି ସଙ୍କଟର ବାତାବରଣ। ୩-୪ ମାସ ଧରି କରୋନା ମାନବ ସମାଜ ପାଇଁ ଭୟ, ଆତଙ୍କ, ବିଭିନ୍ନ କ୍ଷେତ୍ରପାଇଁ ସମସ୍ୟା ସୃଷ୍ଟି କରିଛି। ଏହି ସଙ୍କଟ ସମୟରେ ଜାରି ରହିଛି ଲକ୍ ଡାଉନ୍ ଆଉ ତା'ସହ ଓଡିଶାର ୧୧ ଟି ଜିଲ୍ଲାରେ ସଟ୍ ଡାଉନ୍। ଜୁନ୍ ମାସର ପ୍ରତି ଶନିବାର ଓ ରବିବାର ବନ୍ଦ। 



         ଏହି ସଟ୍ ଡାଉନ୍ ପରିସ୍ଥିତିରେ ରଜ ଆସିଲା ଆଉ କେମିତି ଚାଲିଗଲା ଜଣାପଡିଲା ନାହିଁ। ଏଥର ରଜରେ ଗାଁ ଦାଣ୍ଡ ଶୂନ୍ ଶାନ୍।ରଜଦୋଳି,ପୋଡପିଠା,ରଜପାନ,ପୁଚି,ପାଲା,ଯାତ୍ରା ବିନା ଫିକା ପଡିଲା ଏଥର ରଜ। 


           ନିଜ ପରିବାରର ଆର୍ଥିକସ୍ଥିତି ସୁଦୃଢ଼ ନ ଥିବାରୁ ଓଡିଶାର ଶତ ଶତ ସଂଖ୍ୟାର ଶ୍ରମିକ ଦାଦନ ପରି ଅନ୍ୟ ରାଜ୍ୟରେ ବର୍ଷ ବର୍ଷ ଧରି ଖଟୁ ଆସୁଥିଲେ। କରୋନା ମହାମାରୀ ଯୋଗୁଁ ଟ୍ରେନ୍, ବସ, ବିମାନ ଯୋଗେ ଫେରୁଛନ୍ତି। ଯାହା ଫଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଲକ୍ ଡାଉନ୍ ସକାଶେ ଲୋକଙ୍କ ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ହୋଇଯାଇଛି। ସରକାରଙ୍କ କିଞ୍ଚିତ୍ ମାତ୍ରାରେ ସହାୟତାକୁ ମଧ୍ଯ ଗରିବ ଲୋକମାନେ ଚାଟକ ପରି ଚାହିଁ ରହିଛନ୍ତି। 


            ଅନଲକ ୧.୦ ଗାଇଡ୍ ଲାଇନ୍ ଅନୁସାରେ ଧିରେ ଧିରେ ପ୍ରାୟ ସମସ୍ତ ପ୍ରକାର ଦୋକାନ ଖୋଲିଛି। ଦୋକାନୀ ଏହି ସମୟରେ ନିଜର ଅଧିକ ଫାଇଦା ଉଠାଇବା ପାଇଁ ଅଧିକ ଦରଦାମ୍ ରେ ବିକ୍ରି କରି ଲାଭବାନ ହେଉଛନ୍ତି। ଗରିବ ଲୋକଙ୍କ ପକ୍ଷେ ଏହା ଅନ୍ତତଃ କଷ୍ଟକର ପରିସ୍ଥିତି।ରୋଜଗାର ନ ଥିବାରୁ ଘର ଚଳିବାକୁ ଅସୁବିଧା ହେଉଥିବାବେଳେ ରଜପର୍ବ ଫିକା ପଡିଯାଇଛି। ସଂକ୍ରମଣ ହେବା ଭୟରେ ଗାଁ ଲୋକେ ପରସ୍ପର ଠାରୁ ସାମାଜିକ ଦୂରତା ରକ୍ଷା କରୁଛନ୍ତି। ଏଥିରେ ରଜପର୍ବ ଭୁଲିଯାଇଛି ତା'ର ପରିଚୟ ଫିକା ପଡିଯାଇଛି ଏଥର ରଜମଉଜ। ଆନନ୍ଦ ଉଲ୍ଲାସର ବାଲିଘରକୁ ସମୁଦ୍ରର ଜୁଆର ପରି ହଠାତ୍ ମାଡି ଆସି କରୋନା ଭୂତାଣୁ ରଜପର୍ବକୁ ଧୋଇ ଦେଇଛି। 


                କରୋନା କାଳ ରୂପ ଧରି ଧିରେ ଧିରେ ଗ୍ରାସ କରୁଛି ମାନବ ସମାଜକୁ। ଯେମିତି ସେ ପ୍ରତିଜ୍ଞାବନ୍ଧ, ନିଶ୍ଚେ ମୂଳତ୍ପାଟନ ଏ ମାନବ ସମାଜର। ସତେଯେପରି ଧରାର ବୋଝକୁ ଟିକିଏ ହାଲୁକା କରିବା ପାଇଁ କରୋନାର ଆଗମନ। ବିଭିନ୍ନ ପୁରାଣ ପୋଥିରେ ବର୍ଣ୍ଣିତ ହୋଇ ରହିଛି ଅନେକ କାହାଣୀ। ସେସବୁ କାହାଣୀ ଶତ ଶତ ବର୍ଷ ପୂର୍ବେ ଜନ୍ମିତ ହୋଇଥିଲା। କିନ୍ତୁ ସେ କାହାଣୀ ପଢିଲେ ମନେହୁଏ ,ସତେଯେପରି କାହାଣୀ ଜୀବନ୍ତ ହୋଇଉଠିଛି । ଆଉ ଆମକୁ ଚେତାବନୀ ଦିଏ, ସର୍ବଦା ଅସତ୍ୟ ଉପରେ ସତ୍ୟର ବିଜୟ। ଅନ୍ଧାର ପରେ ଆଲୋକ , ଦୁଃଖ ପରେ ସୁଖ, ଜନ୍ମ ପରେ ମୃତ୍ୟୁ, ଆରମ୍ଭ ପରେ ଶେଷ - ଏସବୁ କିଛି ସୃଷ୍ଟିନିୟତାଙ୍କ ମାୟାର ଗୋଟିଏ ଗୋଟିଏ ଖେଳ। ନିଶ୍ଚେ ଘଟିବ କରୋନା ତାଣ୍ଡବଲୀଳାର ଅବସାନ। ପୂରିବ କରୋନାର ଆୟୁଷ। ନିଜର ବିଶ୍ୱାସକୁ ଦୃଢ଼ କରିବା ଉଚିତ।ଭଗବାନଙ୍କୁ ପ୍ରାର୍ଥନା କରିବା ଶୀଘ୍ର ହେଉ ବିଶ୍ୱ କରୋନାମୁକ୍ତ ଏବଂ ସାରା ବିଶ୍ବବାସୀ ଆଶ୍ବସ୍ତି ଅନୁଭବ କରନ୍ତୁ। ଏଥର ରଜ ତ ଫିକା କରିଦେଲା ଆମ ଖୁସିକୁ ,ଛିନ୍ନଭିନ୍ନ କଲା କରୋନାର ପ୍ରକମ୍ପ। ଆସନ୍ତା ବର୍ଷ ରଜ ଅନେକ ଉଲ୍ଲାସ ବ୍ୟଭବର ସମ୍ଭାର ଘଟୁ। ସଭିଙ୍କ ଆର୍ଥିକ ମାନଦଣ୍ଡ ପୂର୍ବପରି ସ୍ବାଭାବିକ ହୋଇଯାଉ ଏହା ହିଁ ହେଉ ଆମର ଆନ୍ତରିକ ଭାବନା। 

2 Comments

Post a Comment

Post a Comment

Previous Post Next Post
Free Shubhdristi App Download Now